ବିନୋଦ ହସିଦେଇ କହିଲା, "ବାଃ, ବଡ଼ କପାଳିଅ- ବୁଢ଼ା ନେରେ- ନେ-" ଏହାକହି ଆଉଖଣ୍ଡେ ଦେଇ ଦେଲା- ବୁଢ଼ା ଆଖିରୁ ଲୋତକଧାର ବହିଗଲା । ଲୁଗାଖଣ୍ଡି ପାଇ ଆନନ୍ଦରେ ଚାଲି ଯାଉଥିଲା । ମାତ୍ର ମଣିର ଆଦେଶ ଅନୁସାରେ ଗୋଟାଏ ଲୋକ ସେହି ବୁଢ଼ାଟିକୁ ଆଣି ତଳେ ବାରଣ୍ଡାରେ ବସାଇ କହିଲା- "ବୁଢ଼ା ! ତୁ ଏଠି ବସିଥା । ତୋତେ ମଣି ସାଆନ୍ତାଣୀ ଅନେକ କଥା ଦେବେ । ବୁଢ଼ା ସେ ଆଖି ଦୁଇଟିକୁ ଭାବିଲା- ମାତ୍ର କିଛି ଠିକ୍ କରିପାରିଲା ନାହିଁ ।
ମଣି ଲୁଗାବଣ୍ଟା ବେଳେ ସମସ୍ତ ରହସ୍ୟ ଦେଖୁ ଥିଲା । ଆହା, ଦୁଃଖ ମଣିଷକୁ କଣ ନ କରେ ? ସେ ଯେତେବେଳେ ଗଭୀର ଦୁଃଖ ମଧ୍ୟରେ ଥିଲା, ତାର ଅବସ୍ଥା କଣ ଥିଲା । ଏପରି ଭାବୁଚି, ଯେଉଁ ବୁଢ଼ାକୁ ସେ ଲୁଗା ଦୁଇଥର ମାଗିବାର ଦେଖିଲା, ତାକୁ ସ୍ପଷ୍ଟ ଚିହ୍ନିପାରିଲା । ସେ ତାଙ୍କ ଗାଁର ପ୍ରଧାନ ଛଡ଼ା ଆଉ କେହି ନୁହେଁ । ସେଥିପାଇଁ ତାଠୁ ତାର ଦୁଃଖକାହାଣୀ ଶୁଣିବ ବୋଲି ତାକୁ ରଖାଇଲା ।
ମଣି ପଚାରିଲା- "ଆଛା, ବୁଢ଼ା, ତମର କଣ କେହି ନାହିଁ ?
"ନା, ମା, ଆଉ କେହି ନାହିଁ,- ମୁଁ ଏକା ।"
"ଏପରି ଦଶା କିପରି ଘଟିଲା ବୁଢ଼ା !"
"ମା, କଣ କହିବି ସେ କଥା ! ସେ ମୋର ନିଜ ଅର୍ଜିଲା ଫଳ । ଯେପରି ମଞ୍ଜି ଯେ ପୋତିବ, ସେ ତ ସେପରି ଫଳ ପାଇବ । ଆଉ ଭଲ ଲୋଡ଼ିଲେ କାହୁଁ ପାଇବ ? ଚୋରିବାସିଦିନ ଘରପୋଡ଼ି ସିନା କଥାରେ କହନ୍ତି, ମାତ୍ର ମୋ ଜୀବନରେ ମୋରି ପାପରୁ ତାହା ଘଟିଲା । ସେ ୮୦ ବର୍ଷର ବୃଦ୍ଧା ୧୦ ବର୍ଷର ପିଲା, ତାଙ୍କର ନିଶ୍ୱାସ କୁଆଡ଼େ ଯିବ ?
"ଆଛା, ତମେ ଭଲକରି କଣ କଥାଟା କହ ?"