ଛାଡ଼ି ଦେଇ ଅବାଟରେ କଣ୍ଟା, ବିଲ, ବଣ ଭିତରେ ପଶି ଦଉଡ଼ିଲେ । ସାପଟା ମଧ୍ୟ ନିରସ୍ତ ହେଲା ନାହିଁ । ଉପରେ ଭୀଷଣ ବର୍ଷା- କୁଆପଥର, ପବନ, ଏଣେ ପାଦତଳେ ପାଣି କାଦୁଅ, କଣ୍ଟା, ହିଡ଼, ପଥର- ପୁଣି ପଛରେ ମହାକାଳ ମୃତ୍ୟୁଦେବତା ବିରାଟ ସର୍ପ । ହାୟ ! ତାଙ୍କ ପ୍ରାଣ ଯେ କଣ ହେଉଥିଲା ସେ ଜାଣନ୍ତି । ଦଣ୍ଡକେ ଏହିଠାରେ ତାଙ୍କର ବହୁଦିନର ଉପାର୍ଜିତ ନବୀନ ଶିକ୍ଷାଲୋକର ପରମ ଔଷଧ- ନାସ୍ତିକତା କେଉଁଆଡ଼େ ଦୂର ହୋଇଗଲା । ଯେଉଁ ଭଗବାନଙ୍କ ନାମ ଧଇଲେ ସେ କହୁଥିଲେ ଭଗବାନ୍ କଣ ? ନିଜର କର୍ତ୍ତବ୍ୟ କର- ସୁଖ-ଦୁଃଖ କାର୍ଯ୍ୟର ପୁରସ୍କାର- ଈଶ୍ୱର ଈଶ୍ୱର ହେବାର ଲାଭ ନାହିଁ, ଏପରି କେହି ଈଶ୍ୱର ନାହିଁ, ଯେ ମନୁଷ୍ୟକୁ ବିପଦରୁ ଉଦ୍ଧାରକରେ । ମାତ୍ର ଆଜି ଆଉ ସେ ଈଶ୍ୱରବିଦ୍ୱେଷୀ ହୋଇପାରିଲେ ନାହିଁ ।
ଭୟଙ୍କର ଦଉଡ଼ରେ ଯୁତାଯୋଡ଼ିକ କେଉଁଠାରେ ଯେ ଗୋଡ଼ରୁ ପଡ଼ିଗଲା ସେ ଜାଣି ନଥିଲେ । ଏଣେ ଗୋଡ଼ରେ କଣ୍ଟା ସବୁ ଟପ୍ ଟାପ୍ ହୋଇ ଭୁକିବାକୁ ଲାଗିଲା । ଯେତେବେଳେ ସେ ପଛରୁ ଦେଖିଲେ ଯେ, ସାପଟା ତାଙ୍କର ନିକଟବର୍ତ୍ତୀ ହୋଇଯାଉଚି, ଆଉ ଉପାୟ ନାହିଁ, ପ୍ରାଣବିକଳରେ ବଙ୍କା ବାଟ ଧରି ପୁଣି ବୁହେ ଦଉଡ଼ିଗଲେ । ମାତ୍ର ଏଥର ତାଙ୍କର ଜୀବନ ନାଶର ଆଶଙ୍କା ଆସି ପହଞ୍ଚିଲା । ଅକସ୍ମାତ୍ କାଦୁଅ ଭିତରେ କଚ୍କାଚ୍ ହୋଇ ପଡ଼ିଗଲେ । ପଡ଼ିଯିବା ସଙ୍ଗେ ସଙ୍ଗେ ତାଙ୍କ ତୁଣ୍ଡରୁ ବାହାରିଲା- 'ହରି ହେ- ପ୍ରଭୁ ହେ- ଦୀନବନ୍ଧୁ ହେ, ରକ୍ଷାକର !' ଆଉ କିଛି ବାହାରିଲା ନାହିଁ । ସେ କାଦୁଅ ଉପରେ ପ୍ରାଣ ଭୟରେ ପଡ଼ି କେବଳ ସେହି ହରିହରି ହେଲେ । ଶ୍ରୀକୃଷ୍ଣଙ୍କର କାଳୀୟଦଳନ, ହରିଙ୍କର ଅନନ୍ତ ଶୟନ, ସବୁ ଆସି ତାଙ୍କ ଆଖି ଆଗରେ ଦେଖାଗଲା । ସେ ଯଦିବା ହାତ ଯୋଡ଼ି ନ-ପାରିଲେ, ତଥାପି ଆଖିରୁ ଲୋତକ ଗଡ଼ାଇ ମନେ ମନେ ସେହି କାଳୀୟ ଦର୍ପାପହାରୀ ଅନନ୍ତ ଆସନ