ଗୋବର ଗୋଟେଇ
ସେ ତାହା ଶୁଣି ହସୁଥିଲା । ନାଁ, ତାହାର ସରଳ ଜୀବନରେ ସେ ଏପରି ବ୍ୟବହାର କରିପାରିବ ନାହିଁ । ସେ କେଉଁ ବାପର ପୁଅ ? ତାର ଗର୍ବ ଆସିଲା । ପିତାଙ୍କର ଗୌରବ ରକ୍ଷା କରିବାପାଇଁ ସେ ପ୍ରାଣ ପର୍ଯ୍ୟନ୍ତ ବଳିଦେବ ଇଚ୍ଛା କଲା ।
ସରୋଜ ଆଜି ପିତାଙ୍କର କୁପୁତ୍ର ନୁହେଁ । ପିତାଙ୍କପରି ସେ ତ ବିସ୍ତର ଦାନ କରିଚି ଏବଂ ମଧ୍ୟ କରୁଚି । ତାର ପିତାଙ୍କ ନାମରେ ସ୍କୁଲ-ମାତାଙ୍କ ନାମରେ ସ୍କୁଲ, ଏ ସବୁ ତ ତାରି କୀର୍ତ୍ତି । ଆଗେ ତ ଏଠାରେ ଉଚ୍ଚ ଶିକ୍ଷାର କୌଣସି ସୁବିଧା ନ ଥିଲା । ପୁଣି ତ ବିସ୍ତର ଟଙ୍କା ଦେଇ ଦୁଃଖୀ ରଙ୍କୀଙ୍କ ପାଇଁ ଧର୍ମମନ୍ଦିର କରିଦେଇଚି । ସେମାନେ ରୀତିମତ ଖାଇବେ- କାମ କରିବେ । ଆଉ କଣ କରନ୍ତା ? ମଣିର ମାଆପାଇଁ ତ ପ୍ରତିବର୍ଷ ଖରାଦିନେ ସେବାଛତ୍ର ଦେଉଚି । ଦାସିଆ ତାର ଏତେଗୁଡ଼ାଏ ଟଙ୍କା ଦେଇଯାଇଥିଲା, ତାହା ନାମରେ ତ ଗୋଟିଏ ପାନ୍ଥ ନିବାସ କରିଦେଇଚି- ଆଉ କଣ କରନ୍ତା ? ତାର ସାଙ୍ଗସାଥୀମାନଙ୍କୁ ତ ସେ କେବେ ଅବହେଳା କରି ନାହିଁ, ବରଂ ଯେ ତାର ଦ୍ୱାରକୁ ଆସିଚନ୍ତି ତାଙ୍କୁ ବିସ୍ତର ଧନ ପଦାର୍ଥ ଦେଇ ମହାନନ୍ଦରେ ବିଦାୟ ଦେଇଚି ।
ତାର ସମସ୍ତରେ ସୁଖ- ମାତ୍ର ଗୋଟିଏ କଥାରେ ତାର ଦୁଃଖ । ସେ ମଣିପାଇଁ କିଛି କରି ନାହିଁ ।
ଆଜି ମଣି ସରୋଜ ମଧ୍ୟରେ ସେ ପିଲାଖେଳ ନାହିଁ- ସେ ଅଭିମାନ ଆଡ଼ରୁଷା ନାହିଁ । ଅଛି-ଦିବ୍ୟ ସ୍ନେହ ଏବଂ ପବିତ୍ର ସମ୍ବନ୍ଧ । ସରୋଜ ପିତାଙ୍କର ସତ୍ପାତ୍ର କଥା ଶୁଣି ଭଉଣୀପାଇଁ ସାରା ରାଜ୍ୟ ଖୋଜୁଚି ସତ୍ପାତ୍ର-ମାତ୍ର ମଣିର ସେ ଭାବ ନାହିଁ । ବାବା ଯେ ମୃତ୍ୟୁ