ସରୋଜର ଜ୍ୱରକ୍ଳିଷ୍ଟ ମୁଖରେ ହାସ୍ୟ ଆସିଲା । ସେ ହସି ଦେଲା ଏବଂ କହିଲା- "ପାଗଳ ! ତୋତେ ନ ପଚାରି- ମୁଁ କିପରି କରିବି । ତୁ ପରା ମୋର ପିତାଙ୍କର ସ୍ନେହରକନ୍ୟା । ତୋତେ ଛାଡ଼ି ଯିବି କିପରି ? ତୋ ପାଇଁ ଯେ ମତେ ବହୁ ସ୍ଥାନ ବୁଲିବାକୁ ହେବ ।" ବର୍ତ୍ତମାନ ମଣି ଭାବିବାକୁ ଲାଗିଲା ଦିଅଁ ଘରେ ଥାଉ ଥାଉ ତେବେ ଦଶରାଜ୍ୟ ବୁଲା ପଡ଼ିଚି କିଆଁ ? ତାର ମନ କଣ ହୋଇଗଲା । ତୁନି ତୁନି ଆଖିରୁ ଲୁହ ପୋଛି ଦେଲା ।
ଏଥର ଜ୍ୱର ସରୋଜକୁ ପ୍ରାୟ ଚାରିଦିନ ହେଲା । ଏହି ଚାରିଦିନର କ୍ଷତି ପୂରଣ କରିବା ପାଇଁ ତାକୁ ପ୍ରାୟ ଦୁଇମାସ ଲାଗିଥିଲା ।
ଦ୍ୱିତୀୟ ଦିନର କଠିନ ଜ୍ୱରରେ ମଣିର ବଡ଼ ଭୟ ହେଲା- ତେଣୁ ସେ ତାର ବିନୋଦ ଭାଇ ପାଖକୁ ଟେଲିଗ୍ରାମ କରି ଦେଲା । ବିନୋଦ ବର୍ତ୍ତମାନ ସ୍କୁଲ ମାଷ୍ଟର । ତେବେ ସେ ଯଥାସାଧ୍ୟ ଯତ୍ନ କରି ୪ର୍ଥ ଦିନ ସକାଳେ ଆସି ହାଜର ହୋଇ ଦେଖିଲା, ମଣି କାନ୍ଦୁଚି ଆଉ ସରୋଜକୁ ଆଉଁସୁଚି, ପାଖରେ ଚାକର ଟୋକା ଦିବ । କବିରାଜ କଣ ଔଷଧ ଦେଇଚି- ତେବେ ମଣି ତାର ନିଜ ଔଷଧ ଦେଉଚି । ସେ ନିଜର ହୋମିଓପ୍ୟାଥିକ- ଆଉ କବିରାଜ ଗୃହ ଚିକିତ୍ସା ବାକ୍ସ ପ୍ରଭୃତି ଆଣି ଚିକିତ୍ସା କରେ । ସୁନ୍ଦର ରୂପଟି ଧରି କେବଳ ସେ ଘରେ ବସି ନ ଥାଏ । ଘରର ଯାବତୀୟ କାମ ତାକୁ ଦେଖିବାକୁ ପଡ଼େ । ଚାକର ବାକର ଦରମା ଦେବା- ଘରର ପରିଷ୍କାର ପରିଚ୍ଛନ୍ନତା, କୋଉଠି ଉଇ ଲାଗିଲା- ଧୋବା ଠିକରେ ଲୁଗା ଦେଲା କି ନାହିଁ ଇତ୍ୟାଦି ଇତ୍ୟାଦି ସମସ୍ତ ଗୃହ ବିଷୟ ସେ ଏପରି ବୁଝେ ଯେ, ତାଙ୍କ ଘରେ ଟିକିଏ ପାଟି ଶୁଭେ ନାହିଁ । ରାଜକୁମାରୀ ହୋଇ ଏକ ମିନିଟ୍ ସେ ବସିବାକୁ ଭଲପାଏ ନାହିଁ- ନ ବସିଲେ କଣ ହେବ- ଗୋଟିଏ ଚିନ୍ତା ତା ମନରେ ସର୍ବଦା କୁଟୁ କୁଟୁ ହୋଇ ତାକୁ ଅନେକ କାମରେ ବାଧା ଦିଏ ।