ଖଗପତିଙ୍କୁ ସ୍ମରଣ କଲେ । "ପ୍ରଭୁ, ତ୍ରେତାଯୁଗରେ ତୁମେ ଯେବେ ନର- ରୂପେ ରାମଚନ୍ଦ୍ର ଦେହ ଧରି ଜନ୍ମ ହୋଇଥିଲ ତୁମ୍ଭଙ୍କୁ ଇନ୍ଦ୍ରଜିତ ନାଗପାଶରେ ବାନ୍ଧି ଦେଇଥିଲା, ଗରୁଡ଼କୁ ସ୍ମରଣ କରି ତୁମେ ରକ୍ଷାପାଇଥିଲ, ଆଜି ଏ ଗରିବକୁ କଣ ରକ୍ଷା କରିବ ନାହିଁ ?" ଭକ୍ତର କାତର ଆହ୍ୱାନରେ ଭଗବାନଙ୍କର ଦୟା ଆସିଲା । କ୍ଷୀଣ ପରୀକ୍ଷାରେ ଭକ୍ତର ଅଟଳାଭକ୍ତି ଅନୁଭବ କରି ପ୍ରଭୁ ରକ୍ଷା କଲେ । ସେ ଯେ ଗୋଟିଏ ତୋଟା ଭିତରେ ପଡ଼ିଥିଲେ ତାଙ୍କୁ ଏହା ଆଦୌ ଜଣା ନଥିଲା ।
ସାପଟା ପଛରୁ ବୁଲି ବୁଲି ଆସିବାକୁ ବହୁତ ଡେରି କରିଥିଲା । ତେଣୁ ସେ ଯେତେବେଳେ ତୋଟାର ପଛପାଖ ବେତବଣଟାରେ ଆସି ପହଞ୍ଚିଲା, ସେତେବେଳେ ଆଉ ମନୁଷ୍ୟଟା ଦେଖାଗଲା ନାହିଁ । ମନୁଷ୍ୟଟି ଖାତ ଭିତରେ ପଡ଼ିଥିବାରୁ ତାର ଦେଖିବାର କୌଣସି ଉପାୟ ନ ଥିଲା । ତେଣୁ ସେ ଦେଖିବାକୁ ନ ପାଇ ତୋଟାର ଏକପାଖରେ ଥିବା ଗୋଟିଏ ଗୋଟିକିଆ ଗଛମୂଳରେ ୩ ହାତ ଫଣା ଟେକି ଚାରିଆଡ଼କୁ ବହୁତ ଚାହିଁଲା । ମାତ୍ର କୌଣସି ପ୍ରକାର କିଛି ଦେଖିପାରିଲା ନାହିଁ । ଶ୍ୟାମବାବୁଙ୍କର ଦେହ ଏତେ ନିର୍ବଳ ହୋଇଥିଲା ଯେ ସେ ଆଦୌ ପାଣି କାଦୁଅ ଭିତରୁ ଉଠିପାରିଲେ ନାହିଁ । ଏଣେ ତୁଣ୍ଡରେ- 'ଆର୍ତ୍ତତ୍ରାଣ ନାରାୟଣଂ ମେ ଭଗବନ୍ ନାରାୟଣୋ ମେ ଗତିଃ'- ଗାଇ ଗାଇ ସାପକୁ ଚାହିଁଥାନ୍ତି । କାରଣ ସାପ ମୁଣ୍ଡରୁ ଯେ ଆଲୁଅଟି ବାହାରୁଥାଏ ତହିଁରେ ସେ ସଦାବେଳେ ଶ୍ୟାମବାବୁଙ୍କ ପାଖରେ ଧରାପଡ଼େ । ସେ ତୋଟା ଭିତରେ' ସାପଟା ତୋଟା ବାହାରେ- କେତେ ବା ଫରକ । ସାପ ଦେଖିଲେ ଯେ ତାଙ୍କର ପ୍ରାଣ ନିଶ୍ଚୟ ଆଜି ଯିବ- ଏଥିରେ ଯେ କୌଣସି ସନ୍ଦେହ ନ କରି ସେହି ବିଶ୍ୱପତି ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ପ୍ରାଣଟିକୁ ସମର୍ପଣ କରି ଦେଇ ଗାଇଲେ, "ଦତ୍ତଂ ମନୋ ଯଦୁପତେ ତଦିଦଂ ଗୃହାଣ" ।