ଏଣେ ମଣି ଆଉ ବିନୋଦ ଘରେ ଅଛନ୍ତି । ଏଥିମଧ୍ୟରେ କୌଶଳୀ ବିନୋଦ ମଣିର କବିତା ଗୁଡ଼ିକ 'ସବୁ ଅମୂଳଚୂଳ ପଢ଼ିଚି । କବିତାରେ ସେ ଦେଖିଛି ଯେ, ଗୋଟିଏ ପ୍ରେମମୟ ଛଡ଼ା ସେ ଅନ୍ୟ କାହାକୁ ତାର କବିତାରେ ସ୍ଥାନ ଦେଇ ନାହିଁ । କବିତାର ମାଧୁରୀରେ କେଉଁ ଶୁଷ୍କ ପ୍ରାଣ ଯେ, ରସାଳ ନ ହେବ ଏପରି ନାହିଁ । ହୃଦୟ ଫୁଟି ଯାହା ପ୍ରକାଶିତ ହୋଇଅଛି ତାହା ତ କବିତା । ସେ କବିତା କାହାର ପାଠ୍ୟ ନୁହେଁ ? ସେ କବିତାରେ କେତେ ଚକ୍ଷୁର ଅଶ୍ରୁଧାରା କେତେ ହୃଦୟର ପ୍ରାଣସ୍ପର୍ଶୀ ଭଲ ପାଇଁ, କେତେ ଗଭୀର ଦୀର୍ଘଶ୍ୱାସ, କେତେ ଅଭିମାନ, କେତେ ସୁକ୍ଷ୍ମଚିନ୍ତା ଯେ ଅଛି, ତାହା ହୃଦୟରୁ ଝଲସାଇ ଦିଏ । ବିନୋଦ ପଢ଼ି ପଢ଼ି ଆତ୍ମହରା ହୋଇଗଲା ! ହାୟ- ଏ କବିତା ଯାହା ଅନ୍ତରର ଅନ୍ତରତମ ପ୍ରଦେଶରୁ ସ୍ୱତଃ ଫୁଟିଅଛି, ମୂର୍ଖ ସରୋଜ କାହାକୁ ତାକୁ ସମର୍ପି ଦେବାକୁ ଯାଉଛୁ ? ମୁଁ ସଙ୍ଗରେ ରହିବି । ଦେଖିବି, ତୋର ଦୃଷ୍ଟି ସମକ୍ଷରେ ମଣିର ହୃଦୟ ପାଇଁ ଆଉ ହୃଦୟ ଅଛି କି ନାହିଁ ।
ବିନୋଦ ବସି ଏହି ସବୁ କଥା ଭାବୁଚି- ଏହି ସମୟରେ ଅର୍ଗାନରେ ବାଜି ଉଠିଲା- ତପ୍ତ ନିରାଶାବ୍ୟଞ୍ଜିତ କୋମଳ ମଧୁର ସ୍ୱରରେ ଗୋଟିଏ ସଙ୍ଗୀତ- ସମ୍ଭବତଃ ତାହା ମଣିର ନୂଆରଚନା । ସଙ୍ଗୀତର ଅପୂର୍ବ ମାଧୁରୀରେ ବିନୋଦର ହୃଦୟ କଣ ହୋଇଗଲା- ସେ ଶୁଣିଲା- ଶୁଭୁଛି-
ଯେତେ କଲେ ପର ତୁମରି କତିକି
ଯିବାକୁ ମୋ ଚିର ବାସନା,
ଯେତେ କଲେ ଦୂର ନହେବି ଅନ୍ତର
କରିବି ଚରଣ ବନ୍ଦନା ।