ଯଥା ସମୟରେ ସରୋଜ ପିଉସୀଙ୍କୁ ଘେନି ଘରେ ପହଞ୍ଚିଲା । ତାହା ଶୁଭମୁହୂର୍ତ୍ତ କି ଅଶୁଭ ମୁହୂର୍ତ୍ତ ସେ ଆଦୌ ବୁଝି ନ ଥିଲା ତେବେ ବୁଢ଼ୀଙ୍କ ଜିମାରେ ମଣିକୁ ସମର୍ପିଦେଇ ଦୁଇବନ୍ଧୁ ବର ଖୋଜି ବାହାରିଲେ । ମଣି ଆଖିର ଲୁହ ଆଖିରେ ମାରି ଘରେ ରହିଲା । ତାର ପ୍ରାଣ କଲବଲ ହେଲା । ମୁହଁ ଫିଟାଇ ତାର ମର୍ମର ବେଦନା କାହାକୁ କହିବ ? ସର୍ବଦା ସଜଳ ନୟନରେ ଘରକୋଣରେ ପଡ଼ିରହିଲା । ଗଲାବେଳେ ମଣିର ମୁଖର ଭାବ ଲକ୍ଷ୍ୟ କରିଥିଲା ଜଣେ- ସେ ବିନୋଦ ।
ମଣି ଫୁଲର କୋମଳତା ନେଇ, ଦାମିନୀର-ଦୀପ୍ତିନେଇ, କୌମୁଦୀର ରୂପ ନେଇ ଜନ୍ମ ହୋଇଥିଲା । ସେ ଗାଢ଼ ଅଭାବ ମଧ୍ୟରେ ଥିଲା; ମାତ୍ର କଷ୍ଟ କେବେ କଣ ଜାଣି ନ ଥିଲା । ପ୍ରଥମ ଜୀବନ ପାଞ୍ଚବର୍ଷଯାଏ ସେ ଶିଶୁ ଅବସ୍ଥାରେ ବାପା ମାଆଙ୍କ କୋଳରେ ମହାସୁଖରେ ଥିଲା, ତାପରେ ତାର ବୁଢ଼ୀମାଆ ନିକଟରେ ୧୦ ବର୍ଷ ଯାଏ ରହି କେବେ ଏତେ ଅଭାବ ମଧ୍ୟରେ ଦୁଃଖ କଣ ଜାଣି ନ ଥିଲା । ତା ପରେ ଆସିଲା ବଡ଼ଲୋକ ଘରକୁ, ତାର ଭାଗ୍ୟ ପରିବର୍ତ୍ତିତ ହେଲା । ଶ୍ୟାମବାବୁଙ୍କର ସେ ହେଲା ଗେହ୍ଲା ଝିଅ । ତାକୁ ସେ ଫୁଲରୁ ବଳି ଆଦରରେ ସାଇତିଲେ । ଇସ୍କୁଲରେ ପଢ଼ିଲା । ହଜାର ହଜାର ଟଙ୍କାରେ ଭାସିଲା । ଆଦର ସ୍ନେହ ଛଡ଼ା ଦୁଃଖ, କଷ୍ଟ ସେ କିଛି ଜାଣିଲା ନାହିଁ । ପାଶ କଲା- ଘରକୁ ଆସିଲା, ବାପା ମଲେ- ତାପରେ ତାର ହୃଦୟର ନିଧି ପ୍ରାଣର ପ୍ରାଣ ଭାଇ ତତ୍ତ୍ୱରେ କାଳ କାଟିଲା । ତାର ଭାଇ ତାକୁ କେବେ ନିମିଷକ ପାଇଁ ମ ବୋଲି କହି ନାହିଁ । ମାତ୍ର ଆଜି- ?
ଯେ ରୂପ ଗୁଣରେ ଲକ୍ଷ୍ମୀ, ସରସ୍ୱତୀପରି, ତା ଉପରେ ଆଜି ଏ କି ଚଢ଼ୋଉ ? ତାର ପ୍ରାଣ ଅଥୟ ହେଲା । କାନ୍ଦିଲା- କାନ୍ଦି ପାରିଲା ନାହିଁ, ବସିଲା- ବସିପାରିଲା ନାହିଁ । ମନ ବଦଳାଇବାକୁ ଭାବିଲା; ମାତ୍ର ତାହା