ଗୋବର ଗୋଟେଇ
ରୂପବତୀ କନ୍ୟା କହି ଉଠିଲେ- "କିଲୋ ଝିଅ ! କାନ୍ଦେ ନାଁ, କାନ୍ଦେ ନାଁ- ଯୋଉ ଘର ତୋତେ ଛତରଖିଆରୁ ଆଣି ଘରେ ଏତେ ବଡ଼ କରିଚନ୍ତି, ସେ କଣ ଆଉ ପାଞ୍ଚ ପଚିଶ ଟଙ୍କା ଖର୍ଚ୍ଚ କରିବେ ନାହିଁ ?..." ଏଥର ଦୃଷ୍ଟି ପଡ଼ିଗଲା ମଣିର ଗହଣା ଉପରେ । "ମଲା ମୋର ! ଏବେ ଏଇ ପିତଳ ସାଜ ଉପରେ ଭାରୀ ଦୃଷ୍ଟି ପଡ଼ିଚି । କାନରେ ହାତରେ ଏମିତି ପିତଳ ଜିନିଷ ଲଗେଇବାକୁ ଆମେ ଚାହୁଁ ନାହିଁ ଲୋ ମା' ! କରିବ ତ କରିବ ରୂପାରେ ଦିଖଣ୍ଡ କରିବ, ସୁନାରେ, ଦିଖଣ୍ଡ କରିବ । ଆହା ! ଗରିବ ସୁନାରୂପା କୋଉଠୁ ପାଇବେଟି ? ଏଥର ଠାକୁରାଣୀଙ୍କର ଦୟା ହେଲା- ।
ମଣି ସବୁ ଶୁଣିଲା, ମାତ୍ର କିଛି କହିଲା ନାହିଁ । ମାଆ ଝିଅ କେତେ ଯେ କଣ କଥାବାର୍ତ୍ତା ହେଲେ ତାହା ଲେଖି ହେବ ନାହିଁ ।
ହାୟ ! ଯେଉଁ ମାନେ-
"ଚାନରାଣାଂ ବିବାହେତୁ ଗର୍ଦ୍ଦଭାଃ ସ୍ତୁତିପାଠ କାଃ ।
ଅନ୍ୟୋନ୍ୟେତେ ପ୍ରଶଂସନ୍ତେ ଅହୋ ରୂପ ମହୋଧ୍ୱନି ।"
ସେମାନଙ୍କ ଦୃଷ୍ଟିରେ ପରମ ରମଣୀୟ କାନ୍ତି- ସୁନ୍ଦରୀ ରାଣୀ ମଣିର ମଣିମୟ ଦେହ ଯେ ଅସୁନ୍ଦର ନ ହେବ- ତାର ୩୦୦୦ ଟଙ୍କାର ଗହଣା ଯେ ପିତଳ ନ ହେବ- ତହିଁରେ ସନ୍ଦେହ କଣ ? କୌତୂହଳୀ ମଣି ସବୁ ଶୁଣି ଅଳ୍ପ ହସି ଅଳ୍ପ କାନ୍ଦି ଘରକୁ ଗଲା । ଭାଇଙ୍କର ଚିଠି ଆସିଥିଲା, ସେ ଉତ୍ତର ଦେଇ ବସିଲା । ସେଥିରେ ପିଉସୀଙ୍କ ଝିଅ 'କନ୍ଧ'ର ଆଗମନ ଲେଖି ଦେଲା ।
ଆଜିକାଲି ମଣିର ଦିନ ଗୁଡ଼ିକ ଶୀଘ୍ର କଟିଲା ନାହିଁ । ଏ ପୋଡ଼ା ପାଷଣ୍ଡୀ ମା ଝିଅ ବୁଝିଲେ ନାହିଁ ଯେ, ଏ ବାଳିକା ପରମ ଶିକ୍ଷିତା-