ଗୋବର ଗୋଟେଇ
ମଣି ଆଉ ସମାଳି ପାରିଲା ନାହିଁ, କାତର ସ୍ୱରରେ "ପିଉସି ! ଏହି ସବୁ କଥା ଛଡ଼ା ତୁମ୍ଭର ଅନ୍ୟ କିଛି କଥା କହିବାକୁ ମୋତେ ନାହିଁ । ସର୍ବଦା ଏପରି କଟୁ କଥା ମୋତେ କହି କି ସୁଖ ପାଉଚ ଭଲା ?"
ଏତିକି କହି କାନ୍ଦି ପକାଇଲା । ଆଜି ସେ ଏତେ ନିର୍ଯ୍ୟାତନା ମଧ୍ୟରେ ଏହି ପଦକ କହିଲା, ମାତ୍ର ମା ଝିଅ ଗର୍ଜି ଉଠିଲେ-
"ଆଲୋ ମାଆ ଲୋ, ଜବରଦସ୍ତି ଏ ଛତର ଖାଇର ! ଏଡ଼େ ଟାଣୁଆ ! ଆରେ- ଭଲ କହିଲେ ଭେଲ ଲାଗୁଚି । ଏ କାଳ ତ ହେଇଚି ତା । ହଉ ହଉ ଝିଅ- ମୋ' କଥା ମତେ ଫେରେଇ ଦେ- ଆଉ କହିବି ବୋଇଲେ-"
ଝିଅ ମୂର୍ତ୍ତି ଚମକି ପଡ଼ି କଥାରେ ବାଧା ଦେଇ କହିଲେ- "କିଆଁ ଲୋ ! ତାକୁ ଡରି କଥା କହିବେ ନାହିଁ- କଣ ସୁନ୍ଦର ରୂପ ଦେଖି, ନା ବଙ୍ଗାଳୁଣୀ ଛଇ ଦେଖି ? ସକ କାଢ଼ିଚି- ହକକଥା କହିଲେ କାନ୍ଦ !"
ମଣି କିଛିମାତ୍ର ଆଉ କହିଲା ନାହିଁ- ସେ ଏହି ଦେଢ଼ ମାସମଧ୍ୟରେ ଏପରି କେତେ ଶୁଣୁଛି, କେତେ କାନ୍ଦିଛି । ତାହାର ଏହା ତ ପୁରସ୍କାର ! ସେ କାନ୍ଦିବ, କାନ୍ଦ ତ ତାର କେହି ମନା କରିବେ ନାହିଁ । ତେବେ ମଧ୍ୟ ଏ ରାକ୍ଷସପୁରୀରେ ସେ ମନା ପରା ! ଏ ବୁଢ଼ୀ ଏପରି ଗୋଟାଏ ସ୍ତ୍ରୀ ଯେ ସର୍ବଦା ଚବିଶ ଘଣ୍ଟା ପାଟି ନ କଲେ ତାଙ୍କର ମୁକ୍ତି ନାହିଁ- ଧନ୍ୟ ତାଙ୍କର ପାଟି ! କେହି ପାଖରେ ନ ଥିଲେ ସୁଦ୍ଧା ମନକୁ ମନ ସେ କଥା ହେବେ । ଯଦି ଘରେ କୌଣସି ଠାରେ ଟିକିଏ କଣ ତାଙ୍କ ମତର ଓଲଟା ଦେଖିବେ, ତେବେ ଦିନ ରାତି ବକ ବକ ହେଉଥିବେ ଏବଂ ବକ ବକ ଦେଖି ଚାକର ପୂଜାରୀ ପଳାଇବାକୁ ଇଚ୍ଛା କଲେଣି; ମାତ୍ର