ଗୋବର ଗୋଟେଇ
ଟୋକା କେତେ ଡାକିଲା, ମାତ୍ର ସେ ଉଠିଲା ନାହିଁ । ନିସ୍ତବ୍ଧ ଭାବେ ଭୟଙ୍କର ଅଭିମାନ ସମୁଦ୍ରରେ ବୁଡ଼ି ରହି ପଡ଼ି ରହିଲା । କଳ୍ପନା କଲା- ସେହି ଦାରିଦ୍ର୍ୟ ପୀଡ଼ାରେ ତାର ବହୁଦିନ ପୂର୍ବେ ମୃତ୍ୟୁ ହୋଇଥିଲେ କ୍ଷତି କଣ ହୋଇଥାନ୍ତା ? ଏହି ତିରସ୍କାର, ମର୍ମନ୍ତୁଦ ଅପମାନ ଅପେକ୍ଷା ତ ବରଂ ଭଲ ହୋଇଥାନ୍ତା । ତେବେ ବିଧାତା ତାକୁ ନ ମାରି ଏପରି ଦାବ ଦହନ କରିବାକୁ ରଖିଲା କାହିଁକି ? କାନ୍ଦୁ କାନ୍ଦୁ ଭାବୁ ଭାବୁ ଶୋଇ ପଡ଼ିଲା ।
ସରୋଜ ଘରେ ଚୁପ୍ କରି ପହଞ୍ଚି ପିଣ୍ଡାରେ ପାଦ ଦେବା ମାତ୍ରେ ଶୁଣିଲା- କଳି ଗୋଳର ବିକଟ ଶବ୍ଦ । ତାର ମନରେ ଆସିଲା, ବାସ୍ତବରେ କଳ୍ପନାଟା ଠିକ୍ । ଆହା ! କୁସୁମକୋମଳା ମଣିଟିକୁ ମୋର ତ ଏହିପରି କଣ କହି ଝାଉଁଳାଇ ଦେବେଣି !
ଆଉ ଟିକିଏ ପାଖକୁ ଗଲା- ଶୁଣିଲା ମା' ଝିଅ ପାଟିମାନ ଓସାରି ଏପରି କଥା ସବୁ କହୁଚନ୍ତି, ଯହିଁରେ ପକାଘର ଖଣ୍ଡ ଦୁଲୁ ଦୁଲୁ କରୁଚି ।
ବୁଢ଼ୀ ଏଠି ପାଣି ଟିକିଏ ଢାଳିଦେଇ- ସେଠି ଖଡ଼ିକା ଖାଡ଼ୁଟା ଟିକିଏ ମାରିଦେଇ କହି ଚାଲି ଯାଉଚି- "ଏ ନିଆଁଲଗା ପୋଡ଼ପାଡ଼ ଘରେ ପାଣି ଟିକିଏ କଣ ଅଛି ? ସମସ୍ତେ ତ ନବାବ । ଆଲୋ ଖଟେଇ ଖଟେଇ ମାରି ଦେବେ ଲୋ ? ମଣିଷ ଯୋଉଥିରେ ହାତ ନଦେଲା ତା ନ ହେଲା । ମୋ' ମାଲୋ- ଜେମାମଣି । ଏ ତ ସତେ ଜେମାମଣିଟିଏ ! ଇଏ ଗେଲବସର ହୋଇ ରୁଷିଲେ । ତାଙ୍କ ସାଙ୍ଗରେ ଚାକର ପୂଜାରୀ ସାଙ୍ଗ ହୋଇ ରୁଷିଲେ । ରୁଷରେ ବାପା ରୁଷ । ଆମେ ତମ ଭଲପାଇଁ କଥା କହିଲୁଁ । ଯେ ଯେତିକିର ଲୋକ ସେତିକିରେ ଚଳ । କାଲି ତ ଛତର ଖାଇ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଥିଲ, ଆଜି ରାଜଭୋଗ