ପୃଷ୍ଠା:Hada bagicha.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିସ୍ମୟ ଭାବାବେଗରେ ତଟସ୍ଥ ହୋଇଗଲା ସୁଲାପି । ଛୋଟ ଛୁଆଙ୍କ ପରି କାନ୍ଦି ପକାଇଲା । ମେଘା କିଛି କହିଲାନି । ତା ଝିଅକୁ ଚକ୍ଲେଟ ଦେଲା, ମିଠାଟିଏ କାଢ଼ିଦେଲା । ସେ ବି କାନ୍ଦୁ କାନ୍ଦୁ ଅଟକି ଯାଇଛି । ଖୁବ୍ ବେଳଯାଏ କାନ୍ଦିଲା ସୁଲାପି । ସେ ଭାବି ପାରିଲା ନାହିଁ ମେଘା କାହିଁକି ତାଙ୍କ ଘରକୁ ଆସିଛି । ମେଘା ଧୀରେ ଧୀରେ ତାକୁ ପଚାରିଲା, ତା ଘରକଥା, ତା ବରକଥା, ଘରେ ଅନ୍ୟମାନଙ୍କ କଥା, ଏଠି-ଏଇ ବସଷ୍ଟପ୍ରେ ସେ କେମିତି ରହୁଛି, ଚଳୁଛି କେମିତି, ମହାଦେବକୁ ସେ କେବେଠୁ ଜାଣେ, ଆଜିକାଲି ତା ବ୍ୟବହାର କେମିତି? ସୁଲାପି କହିଲା ସେ ଓ ମହାଦେବ ଗୋଟିଏ ଗାଁର । ଅଲଗା ଜାତିର । ଚାରି କି.ମି. ଦୂର ସ୍କୁଲକୁ ଅନ୍ୟମାନଙ୍କ ସାଙ୍ଗରେ ଯାଉଥିଲେ, ଫେରୁଥିଲେ । ମହାଦେବ ସିଧା ରାସ୍ତାରେ କେବେବି ସ୍କୁଲ ଯାଉ ନଥିଲା । ସେ ଯାଉଥିଲା ଜଙ୍ଗଲ ଭିତର ଦେଇ, ଅଁଳା, କଂଟେଇ କୋଳି, ମାୟା, ଲେତି ତୋଳି, ବନ୍ୟ ଫୁଲ ପତ୍ର ଦେଇ । କୌଣସି ଝିଅଙ୍କ ସଙ୍ଗେ କେବେବି ମିଶୁ ନ ଥିଲା । ଝିଅଙ୍କ ସଙ୍ଗେ କେବେବି ଥଟ୍ଟା ହେଉ ନଥିଲା । ଗଛ ଚଢ଼ି କିଛି ତୋଳି ପକାଇଲେ ଯଦି ଝିଅମାନେ ଗୋଟାଉ ଥିଲେ ତେବେ ସେ ଭୀଷଣ ରାଗି ଯାଉଥିଲା । ଦି'ବର୍ଷ ହାଇସ୍କୁଲ ଯିବା ମଧ୍ୟରେ ସେ କେବେବି ସୁଲାପି ବା ଅନ୍ୟ କାହାସହ ପଦଟିଏ କଥା ବି ହେଇ ନଥିଲା । ଏମିତି ଦିନେ ଖରାବେଳେ ତା ଲେତିକୁ ସୁଲାପି ଗୋଟାଇ ଦୌଡ଼ି ଚାଲି ଆସିଥିବାରୁ ତାକୁ ଭୀଷଣ ଭାବେ ମାଡ଼ମାରି ସ୍କୁଲଯିବା ବନ୍ଦକରି ଦେଇଥିଲା । କୁଆଡ଼େ ଗଲା ଯେ ଦି'ମାସ ପରେ ଫେରିଲା । ସେ କୁଆଡ଼େ ଟ୍ରେନରେ ରାୟପୁରକୁ ଚାଲି ଯାଇଥିଲା