ଫେରିବା ପରେ ସ୍କୁଲ ନଯାଇ ଏଠି ସେଠି କାମ କଲା-ହୋଟେଲରେ ବୟ, କିରାସିନି ଦୋକାନରେ ବୟ, କୋଉ ଲଜରେ ବୟ । କିଛିଦିନ ସେ ମେକାନିକ କାମ ମଧ୍ୟ କରିଥିଲା ା ସବୁଠି ତଡ଼ା ଖାଇଛି । ମଝିରେ ମଝିରେ ସେ ସୁଲାପି ପାଇଁ ମୋତିହାର, ଚୁଡ଼ି ରିବନ୍, ଶାଢ଼ିବି କିଣି ଆଣେ । ସୁଲାପି ମାଡ଼କଥା ଭୁଲିଯାଇ ସେ ସବୁ ରଖେ । ଏମିତି ଦିନେ ଲୁଚି ଲୁଚି ଦୁହେଁ ଚାଲିଗଲେ ଦୁଇଶହ କିଲୋମିଟର ଦୂରକୁ, ଏକ ଲୁଗା କାରଖାନାକୁ । ସେଠି ଏକାଠି ରହିଲେ, ଏକାଠି କାମ କଲେ, ବୋଝ ବୋହିଲେ, ଜୀବନର ବୋଝ ଓ ବରକନିଆଁ ହେଲେ । ଗାଁ ଲୋକେ, ଘର ଲୋକେ ଖୋଜି ଖୋଜି ନୟାଂତ ହେଲାପରେ ଖବରପାଇ ଗଲେ ଲୁଗାକଳକୁ ଓ ବୁଝାଇ ଭୁଲାଇ ଉଭୟଙ୍କୁ ଗାଁକୁ ନେଇ ଆସିଲେ । ମହାଦେବକୁ ତା ବାପ ଗୋଟିଏ ଘରେ ପୁରାଇ ତାଲା ପକାଇ ଦେଲା ଓ ସେଦିନ ରାତି ଅନ୍ଧାରେ ବାରିପଟ ଦ୍ୱାରଖୋଲି ପୁଅକୁ ନେଇ ରାୟପୁର ଚାଲିଗଲା । ସୁଲାପି ସକାଳୁ ସଞ୍ଜଯାଏ ତା ବରର ଘର ଅଗଣାରେ ପଡ଼ିରହେ । ତା ଶାଶୁଠାରୁ, ନଣନ୍ଦ ଠାରୁ ମାଡ଼ ଖାଏ, ଗାଳି ଖାଏ ଓ ପଡ଼ିରହେ । ସଞ୍ଜପରେ ନିଜ ଘରକୁ ଆସି ମା ବାପା ଭଉଣୀ ପାଖରୁ ଗାଳି ଖାଏ, ମାଡ଼ ଖାଏ ଓ ପଡ଼ି ରହେ । ତା ପେଟର ପିଲାପାଇଁ କଂସାଏ ଅଧେ ପଖାଳ ଖାଏ ଓ ପଡ଼ିରହେ । ଦଶଦିନ ପରେ ଜାଣେ ଯେ ତାଲା ପଡ଼ିଥିବା ଘରେ ମହାଦେବ ଆଉ ନାହିଁ । କେବେଠୁ କୁଆଡ଼େ ଉଭାନ୍ ହେଲାଣି । ସେ ଦି ବର୍ଷ ପରେ ଫେରେ । ଏ ଭିତରେ ସୁଲାପି ରହେ ଡାକ୍ତରଖାନାରେ । ତା ଝିଅ ହୁଏ । ତାର ନାଁ ଦିଆ ହୁଏ "ଅମରୀ' । ତା ବାପଘରେ ବି ଏମାନଙ୍କୁ ଜାଗା ମିଳେନା । ସୁଲାପି ଚାଲି ଆସେ ଏଇ ଗାଁକୁ । କାହାଘରେ ଗୋବର ଘଷି ଦିଏ, କାହାଘରେ କଂସାବାସନ ମାଜେ, କାହାପାଇଁ ପୋଖରୀରୁ ପାଣି ଆଣିଦିଏ ଓ ନିଜେ ନିଜେ ବଞ୍ଚେ । ଜଣେ ଦି'ଜଣ ଅଭଦ୍ର ପିଲାଙ୍କ ପ୍ରେମ ସମ୍ଭାଷଣକୁ ବେଖାତିର କରେ ଓ ନିଜେ ନିଜେ ବଞ୍ଚେ । ଭୁଜା ବିକ୍ରି କରୁଥିବା ସ୍ତ୍ରୀଲୋକକୁ, ଧାନ ସିଝାଇ ଢେଂକିରେ କୁଟୁଥିବା ସ୍ତ୍ରୀ ଲୋକକୁ ଆଗଭର ହୋଇ ସାହାଯ୍ୟ କରେ ଓ ବଞ୍ଚେ । ତା ବାପା ମା କେହି ବି ଆସନ୍ତି ନାଇଁ, ତା ଛୋଟ ଭଉଣୀ କେବଳ ବେଳେବେଳେ "ଅମରୀ'କୁ ଦେଖି ଆସେ, ମାୟା-ଲେତି ଆଣି ଦିଏ, ଚକଲେଟ୍ ଆଣି ଦିଏ । ଏମିତି ଦିନେ ସୁଲାପି ଖବର ପାଇଲା ଯେ ମହାଦେବକୁ ପୋଲିସ୍ ଧରିଛି, ଧର୍ଷଣ ଅଭିଯୋଗରେ, ମାଡ଼ ମାରିଛି, ଡାକ୍ତରଖାନାରେ ପଡ଼ିଛି, କେସ୍ ହୋଇଛି, ଖବରକାଗଜରେ ତା ଫଟୋ ବାହାରିଛି, ତାକୁ ଜେଲ ହୋଇଛି । ଗୁଡ଼ାଏ ଚକଲେଟ ଓ ମିଠା ପେକେଟଟି ଥୋଇ ଦେଇ ମେଘା ଛିଡ଼ା ହେଲା । କହିଲା, "ଏଥର ମୁଁ ଯିବି । ତମେ କିଛି ଭୟ କରିବନି । ମୁଁ ଖାଲି ଏମିତି ବୁଲି ଆସିଥିଲି ।' ପର୍ସରୁ ଶହେ ଟଙ୍କିଆ ନୋଟଟିଏ କାଢ଼ି ସୁଲାପିକୁ ଦେଲା । କହିଲା, "ରଖିଥାଅ ।' ମେଘା ତା ଘରୁ ବାହାରି ସିଧାଗଲା ଜେଲକୁ । ଏଠୁ ପୁଣି ଦଶ କିଲୋମିଟର ବାଟ ଜେଲ । ଗାଁରୁ ଦୁଇ କିଲୋମିଟର ବାଟ ଚାଲି ଚାଲି ଆସିବା ପରେ ହାଇୱେର ବସ୍ଷ୍ଟପ୍ । ସେଠୁ ବସ୍ଷ୍ଟାଣ୍ଡ ଓ ପୁଣି ସେଠୁ ଟାଉନ୍ବସରେ ଜେଲ । ମହାଦେବକୁ ଏବେ ଜେଲର ଡାକ୍ତରଖାନାରେ ଏକ ଭିନ୍ନ କୋଠରିରେ ରଖାହୋଇଛି । ମେଘା ଜେଲରଙ୍କୁ ଦେଖାକରି ତାଙ୍କ ସାଥୀରେ ମହାଦେବ ଥିବା କୋଠରିକୁ ଗଲା । ତା କୋଠରିର କବାଟ ଖୋଲି ଭିତରକୁ ଅନାଇଲା ମେଘା । ଜେଲର ବି ଦେଖିଲେ । ମହାଦେବ କାନ୍ଥକୁ ମୁହଁକରି ଚୁପ୍ ଚାପ୍ ଛିଡ଼ା ହୋଇଛି । ଏମିତି ସେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୁଏ । କାନ୍ଥ କବାଟକୁ ଚାହିଁ ରହେ । କାହା ସାଙ୍ଗରେ କଥା ହୁଏନାଇଁ । ଜେଲର ଡାକିଲେ, "ମହାଦେବ, ମହାଦେବ ।' ସେ ଚୁପ୍ ଚାପ୍ ଲେଉଟି ଦେଖିଲା । ମେଘାକୁ ବି ଦେଖିଲା । କୌଣସି ପ୍ରତିକ୍ରିୟା ପ୍ରକାଶ କଲାନାହିଁ । ଜେଲର କହିଲେ, "ମହାଦେବ, ବସ, କିଏ ଆସିଛନ୍ତି ଦେଖ ।' ମହାଦେବ ଖଟରେ ବସି ପଡ଼ିଲା ନିଃଶବ୍ଦରେ । କାହାକୁ ଦେଖିଲା ନାଇଁ । ଜେଲର ପଚାରିଲେ, "ମହାଦେବ, ୟାଙ୍କୁ ଜାଣ?' ସେ କିଛି କହିଲାନି । ମେଘା ନିଜର ଫଟୋଟିଏ ଦେଇ ତାକୁ ଦେଖାଇବା ପାଇଁ କହିଲା । ଜେଲର ପୁଣି କହିଲେ, "ମହାଦେବ, ଏଇ ଫଟୋଟି କାହାର ଦେଖ ।' ଫଟୋକୁ ହାତରେ ନେଇ ଧରିଲା ମହାଦେବ । ଅନେକ ସମୟ ଦେଖିଲା ପରେ ଆଠଦଶ ଖଣ୍ଡକରି ଚିରି ପକାଇଲା । ତା ମଧ୍ୟରୁ ଖଣ୍ଡେ ଗୋଟାଇ ଆଣି ଦେଖିଲା ତାହା ଆଖିଟିଏ, ପୁଣି ଖଣ୍ଡେ-ତାହା କାନଟିଏ, ପୁଣି ଓଠ, ପୁଣି ମୁଣ୍ଡ, ପୁଣି ଆଖି, ନାକ, କାନ ସବୁ ଗୋଟାଇ ତାକୁ ସଜାଇ ରଖିବାବେଳେ ଖୁବ୍ ଜୋରରେ ଚିତ୍କାର କରି ଉଠିଲା । ଦୁଇ ତିନି ଥର ଚିଲ୍ଲେଇ ପାଟିକଲା । ମେଘା ଦୌଡ଼ି ଦୌଡ଼ି ବାହାରକୁ ଫେରିଗଲା । ମହାଦେବ ଖଣ୍ଡ ଖଣ୍ଡ ଫଟୋକୁ ଚିହ୍ନି ପାରିଲା ବୋଧହୁଏ । ତା ନିଃଶ୍ୱାସ ଖୁବ୍ ଜୋର୍ ରେ ଚାଲୁଥାଏ । ସେ ଧଇଁ ସଇଁ ହୋଇ ଯାଉଥାଏ ଏବଂ ଚିଲ୍ଲେଇ ପାଟି କରୁଥାଏ । ଜେଲର ତାକୁ ଧମକାଇ ଚୁପ ହେବାପାଇଁ କହୁଥାନ୍ତି ।
ପୃଷ୍ଠା:Hada bagicha.pdf/୧୦୧
ଦେଖଣା