ପୃଷ୍ଠା:Hada bagicha.pdf/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚୌକି ବା ଖଟର ଶବ୍ଦରେ ସେ ଆହୁରି ଜୋର୍ରେ ଡେଇଁ ପଡ଼ି ଚିତ୍କାର କରୁଛି ତା ଆଖପାଖର ବୋତଲ ସବୁ ଭାଙ୍ଗି ଦେଉଛି । ତା ପାଖରେ ଥିବା ଔଷଧ ଟ୍ରଲିକୁ ଟେକି ଫିଙ୍ଗିଦେଲା । ମେଘା ପାଖକୁ ଦୌଡ଼ି ଚାଲି ଆସୁଥିଲା । ଚାରିଜଣ ଲୋକଆସି ତାକୁ ଧରି ପକାଇ ବିଛଣାରେ ଶୁଆଇ ଦେଲେ । ନର୍ସ ଆସି ତାକୁ କେମ୍ପୋଜ ଦେଲେ । କିଛି ସମୟ ପରେ ସେ ଶୋଇପଡ଼ିଲା । ଜେଲର ମେଘାକୁ କହିଲେ, "ଚାଲଂତୁ, ଆଉ ନୁହେଁ ।' ତାଙ୍କ କୋଠରିରେ ବସି ଜେଲର ମେଘାକୁ ମହାଦେବ ବିଷୟରେ ଆହୁରି ଆଶ୍ଚର୍ଯ୍ୟ କଥା ସବୁ କହିଲେ । ସେ ପୂରାବାକ୍ୟ ଶୁଣେନା, ଭଙ୍ଗାବାକ୍ୟ ଶୁଣିପାରେ । ତାକୁ ବୋମାପରି ଶବ୍ଦ କିଛି ବି ବ୍ୟାଘାତ ଆଣେନା, ଅଥଚ ଝାଡୁ ଶବ୍ଦରେ ସେ ବ୍ୟତିବ୍ୟସ୍ତ ହୋଇପଡ଼େ । ଗନ୍ଧମାନଙ୍କୁ ବି ସେ ସହି ପାରୁନାଇଁ । ଧୁପକାଠିର ବାସ୍ନା, ଫିନାଏଲ୍ ଗନ୍ଧ ବା କୌଣସି ଔଷଧର ଗନ୍ଧରେ ସେ ଅତିଷ୍ଠ ହୋଇଯାଏ । କୌଣସି ମୁର୍ଦାର ଦେଖିଲେ ସେ ବ୍ୟତିବ୍ୟସ୍ତ, ଉେତ୍ତଜିତ ହୋଇଯାଉଛି । ଫେନ୍ରେ ବାଜି କୌଣସି ଘରଚଟିଆର ଶବ, ମୂଷାର ଶବ, ଝିଟିପିଟିର ଶବ ବି ତାକୁ ଅତିଷ୍ଠ କରି ପକାଉଛି । ଏତେ ଉେତ୍ତଜିତ ହେଉଛି ଯେ ତାକୁ କୌଣସି ସ୍ଳିପିଣ୍ଡୋଜ ବି କାମ କରୁନାହିଁ । ଝରକା ବାହାରେ କୌଣସି କୁକୁର, କୁକୁଡା ବା ଘରଚଟିଆ ମାନଙ୍କ ସହବାସ ଦେଖିଲେ, ଏପରିକି କାନ୍ଥରେ ଝିଟିପିଟିମାନଙ୍କ ସହବାସ ଦେଖିଲେ ସେ ଏମିତି ବିଳିବିଳେଇ ରଡ଼ି ଛାଡୁଛି ଯେ ଆଖପାଖର ସବୁ ଲୋକ ଧାଇଁ ପଳାଉଛନ୍ତି । କେହିକେହି ଅବଶ୍ୟ ଧାଇଁ ଆସନ୍ତି । ତାକୁ ଜବରଦସ୍ତି ଚାପି ଧରନ୍ତି । ତା ଦେହରୁ ଗମ୍ ଗମ୍ ଝାଳ ନିଗିଡିର ପଡ଼େ ଧଇଁ ସଇଁ ହୁଏ, ଛାଟିପିଟି ହୁଏ, ତା ହାର୍ଟବିଟ୍ ବଢ଼ିଯାଏ । ମେଘା କହିଲା, "ମୁଁ ଯିବି ଏଥର ।' ଏବଂ ଛିଡ଼ା ହୋଇପଡ଼ିଲା । ଜେଲର ତାକୁ ଖାଇବା ପାଇଁ କହୁଥିଲେ । ସେ ଧନ୍ୟବାଦ ଜଣାଇ ମନାକଲା । କେବଳ କଫି କପେ ପିଇଲା । ଏବେ ସଞ୍ଜ ହୋଇ ସାରିଛି । ଘଡ଼ି ଦେଖିଲା କିନ୍ତୁ ଅନ୍ଧାରରେ ସମୟ ଜଣାଗଲା ନାହିଁ । ପୁଣି ଘଣ୍ଟାଏ ପରେ ଘରକୁ ଫେରିବା ବାଟରେ ଟିକେ ଦୂରରୁ ତା ଘର ଆଗରେ ଦୁଇଟି କାର, ଦଶଟି ସ୍କୁଟର ଓ ମୋଟର ସାଇକେଲ ଏବଂ ଅନେକ ଲୋକ ଜମା ହୋଇ ଥିବା ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇଗଲା । କଣ ହେଲା? କିଛି ଦୁର୍ଘଟନା ଘଟିନାଇଁ ତ? ନା, ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି-ତା ବାପା ମା, ପାୟନର କଲିଗ୍, ଡାକ୍ତର ମାମୁମାଇଁ, ରେଜିୟା ମାଡ଼ାମ୍, ରୁଚି ମାଡ଼ାମ୍, ମୁଖାର୍ଜି ସାର୍, ପାଖ ପଡ଼ୋଶୀ ସଭିଏଁ । ପାୟନର ମୁହଁ ଶୁଖି ଯାଇଥିଲା । ତଥାପି ମେଘାକୁ ଦେଖି ହସି ପକାଇଲା । ସମସ୍ତେ ଜିଜ୍ଞାସୁ ଦୃଷ୍ଟିରେ ଦେଖୁଥିଲେ । ପାୟନ ପଚାରିଲା, "କୁଆଡ଼େ ଯାଇଥିଲ?' "ମୁଁ ମହାଦେବକୁ ଓ ସୁଲାପିକୁ ସାକ୍ଷାତ କରି ଫେରୁଛି । ପ୍ଲିଜ୍, ମୋତେ ଆଉ କିଛି ପଚାରନା । ଗୋଟେ ଅନୁରୋଧ କେବଳ, ମୁଁ ଏ କେସ୍ ୱିଥ୍ଡ୍ର କରିବା ପାଇଁ ଚାହେଁ । ପ୍ଲିଜ୍, ପ୍ଲିଜ୍, ଲିଭ୍ ମି ଏଲୋନ୍ ।