ପୃଷ୍ଠା:Hada bagicha.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିତେଇବାକୁ ପଡ଼େ । ପ୍ରସ୍ତୁତିକୁ ଗ୍ରହଣ କରିନେଲେ ଆୟୋଜନରେ ଲାଗିବାକୁ ମନ ହୁଏ । ପ୍ରସ୍ତୁତି ଲକ୍ଷ୍ୟ ହେଲେ, ଆୟୋଜନ ତାର ସୁନ୍ଦର ଖୋଳପା । ପୋକର ବି ନାର୍ସିସସ୍ ବିଭ୍ରମ ଥାଏ କାଳେ! ଆପଣା ସ୍ନେହର ତରଳତାରେ ଘାରିହୋଇ କୋଷଭିତରେ ବଞ୍ଚେ ଓ ମରେ । ଶତରୂପାଙ୍କ ଆଗାମୀ ପାଞ୍ଚଦିନର ପ୍ରସ୍ତୁତିରେ ସ୍ୱୟଂଭୁବ ବି ଖୁବ୍ ଉତ୍ସାହ ଓ ଆଗ୍ରହରେ ଲାଗିପଡ଼ିଲା । ପୂର୍ବରୁ ଶତରୂପା ଭାବିଥିଲେ ପାହାଡ଼ ଉପରେ ତମ୍ବୁ ଟାଣି ତା ଭିତରେ ପାଞ୍ଚଦିନ କଟାଇ ଦେବେ । କିନ୍ତୁ ଆୟୋଜନ କରୁ କରୁ ତାହା ବିରାଟ ହେଇ ଯାଉଛି । କିଛିଦିନ ପୂର୍ବରୁ ପାହାଡ଼ର ଶିଖରକୁ ଯାଇ ବତିଶ ଫୁଟ୍ ଲମ୍ବ ଓ ଓସାର ଏବଂ ସାତ ଫୁଟ ଉଚ୍ଚତାରେ ତାର ବାଡ଼ ଦେବାରେ ଦଶ ହଜାର ଟଙ୍କା ସାରି ସେମାନେ ଆସିଛନ୍ତି । ତିରିଶ ଫୁଟ୍ ଲମ୍ବ/ଓସାର ଓ ପନ୍ଦର ଫୁଟ୍ ଉଚ୍ଚତାର ମଶାରି ତିଆରି କରିବାରେ ଗୁଡ଼ାଏ ଖର୍ଚ ହୋଇ ଯାଇଛି । ଏବେ ପୁଣି ଟ୍ରକ ଭର୍ତି ଘରୋଇ ଜିନିଷ ସେଠାକୁ ନିଆହେବ । ରକ୍ଷା ହୋଇଛି କୌଣସି ଘରୋଇ କଂପାନିର ଖଣି ଖୋଳିବାର ଯୋଜନା ଯୋଗୁ ପାହାଡ଼ର ଶିଖର ଯାଏ ଘୁରି ଘୁରି ରାସ୍ତାଟିଏ ଲମ୍ବିଯାଇଛି । ସ୍ଥାନୀୟ ଲୋକଙ୍କ ବିଦ୍ରୋହ ଯୋଗୁଁ ଏବେ ସେ କମ୍ପାନୀ ସରକାରଙ୍କ ସହ ଚୁକ୍ତି ଭଙ୍ଗକରି ଏ ସ୍ଥାନ ଛାଡ଼ି ଚାଲି ଯାଇଛି । ତାରବାଡ଼ ଦିଆହୋଇଛି କେବଳ ଜଂଗଲୀ ଜୀବଜନ୍ତୁଙ୍କ ବିପଦରୁ ରକ୍ଷା ପାଇବା ପାଇଁ । ତା'ଭିତରେ ପୁଆଳରେ ପ୍ରକାଣ୍ଡକାୟ ଛାତଟିଏ କରାଯାଇଛି । ଛାତତଳେ ମଶାରି ଲଗାଯାଇ ସମୂଦାୟ ଆକାଶକୁ ଢଂକା ଯାଇଛିା ଟ୍ରକଭର୍ତି ଜିନିଷକୁ ଚାରିଜଣ କୁଲିଙ୍କ ସହାୟତାରେ ତା'ଭିତରେ ସଜାଇ ରଖାଗଲା । ଜେନେରେଟର୍ କୁ ଗୋଟିଏ ଗାତ ଭିତରେ ରଖାଯାଇ ଢାଙ୍କି ଦିଆଗଲା । ବାହାରକୁ ଯେମିତି ଶବ୍ଦ ଖୁବ୍ କମ୍ ଆସିବ ବା ଆଦୌ ଆସିବ ନାହିଁ ସେଥିପାଇଁ ନିବୁଜ କରାଗଲା । ପଲଙ୍କ ସୋଫା ଲୁଗା ଆଲମାରି ଗେସ୍ ଚୁଲି ରେଫ୍ରିଜେରେଟର୍ ଗ୍ରାଇଣ୍ଡର ବହି ଆଲମାରି ଖାଇବା ଟେବୁଲ୍ ଯଥା ସ୍ଥାନରେ ରଖାଗଲା । ପାଞ୍ଚଦିନ ପାଇଁ ଫଳ ଫଳରସ ରେଡ ୱାଇନ୍ ପାଣିବୋତଲ ଚା ପରିବା କ୍ଷୀର ଅଣ୍ଡା ଚିକେନ୍ ତେଲ ମସଲା ଡାଲି ଚାଉଳ ଲୁଗା ଚାଦର ଏସବୁ ରଖାଗଲା । ଆଲୁଅ ପାଇଁ ଚାରି କୋଣରେ ଚାରିଟି ଟେବୁଲ୍-ଲାଇଟ ରଖାଗଲା । ଗୋଟିଏ ଟେବୁଲ୍-ଲାଇଟ୍ ପରିଶ୍ରାଗାର ଭିତରକୁ ଅଣାଗଲା ଯାହା ନିବୁଜ । ଝରଣାର ଗୋଟିଏ ଧାରକୁ ପାଇପ୍ ସାହାଯ୍ୟରେ ଭିତରକୁ ଅଣାଗଲା ଏବଂ ଗୋଟିଏ ଦିଗରୁ ଅନ୍ୟ ଦିଗ ଯାଏ ପାଣି ବହି ଯିବାପାଇଁ ରାସ୍ତା କରାଗଲା । ବହି ଆଲମାରି ନେବାକୁ ଶତରୂପା ମନା କରୁଥିଲେ । ମାତ୍ର ପାଞ୍ଚଦିନ ପାଇଁ କାହିଁକି ଏତେ ଗୁଡ଼ାଏ ବହି ନେବ? ତାଙ୍କର ଲକ୍ଷ୍ୟ କଣ ପାଠ ପଢ଼ିବା? ସ୍ୱୟଂଭୁବ କହିଥିଲା, "ୱାର୍ଡସ୍ୱାର୍ଥ ଥରେ ଡାକ୍ତରଖାନାରେ ଭର୍ତିହୋଇ ଚିକିତ୍ସିତ ହେବା ସମୟରେ ତାଙ୍କ ଘରୁ ଗୋଟାଏ ଲାଇବ୍ରେରି ମଧ୍ୟ ସାଙ୍ଗରେ ନିଆଯାଇଥିଲା ।' ଆଉ କିଛି କହି ନଥିଲା ଏବଂ ଶତରୂପା ବି ବେଶି ଯୁକ୍ତି କରି ନ ଥିଲେ । ଏତେ ବିରାଟ ଆୟୋଜନ ପାଇଁ ମଧ୍ୟ ପ୍ରଥମେ ପ୍ରଥମେ ଶତରୂପା ମନା କରୁଥିଲେ । ସେ ତମ୍ବୁ ଟାଣିବା ସପକ୍ଷରେ ଯୁକ୍ତି ବାଢୁଥିଲେ । ସ୍ୱୟଂଭୁବ କିନ୍ତୁ ତାର ପ୍ରିୟ କଳାକାର ସାଲ୍ଭାଡୋର୍ ଡାଲିଙ୍କ ବିଷୟରେ ଦି'ପଦ ଶୁଣାଇ କହିଥିଲା, ‘ଡାଲି ଏମିତି ଏକ ଘରେ ରହୁଥିଲେ, ଯାହାର ଆଭ୍ୟନ୍ତର ବାହାରୁ ପରିଷ୍କାର ଭାବରେ ଦେଖାଯାଉଥିଲା । ଯେଉଁଠୁ ଦେଖିଲେ ବି ଜଣେ ଏକାଥରକୁ ଦେଖି ପାରିବ ତାଙ୍କର ରନ୍ଧାସ୍ଥାନ, ଖାଇବା ସ୍ଥାନ, ଶୋଇବା ବିଛଣା, ଚିତ୍ର ଆଙ୍କିବା ସ୍ଥାନ ଓ ସରଂଜାମ, ସବୁ ସ୍ପଷ୍ଟ, ସ୍ୱଚ୍ଛ ଓ ମୁକ୍ତ । କୌଣସିଠି ଆବିଳତା ନାହିଁ । ଛପିବା ପାଇଁ ସ୍ଥାନ ନାହିଁ ।’ ଛପି ରହିବା, ଠକିବା, ମିଛକହିବା, ଛଦ୍ମବେଶ ଧାରଣ କରିବା, କେମୋଫ୍ଲେଜରେ ବଞ୍ଚିବା ପ୍ରକୃତରେ ଗୋଟିଏ କଳା, ଯାହା କିଛି ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ । ଜଣେ ଯେତେବେଶି ଛପେ ସେତେ ବେଶି ପରିମାଣରେ ଉନ୍ମୋଚିତ ହୁଏ । କାରଣ ଏ ପୃଥିବୀର ସବୁଲୋକଙ୍କ ଆଖି ଅନୁସନ୍ଧାନକାରୀର ଆଖି । ସେମାନେ ଲୁଚି ରହିଥିବା ଜିନିଷକୁ ଖୁବ୍ ଚତୁରତାସହ ଆବିଷ୍କାର କରି ପକାନ୍ତି । ଅଥଚ ଆଗରେ ଥିବା ଉନ୍ମୋଚିତ ପଦାର୍ଥକୁ ସେମାନଙ୍କର ଆଖି ଧରି ପାରେ ନାହିଁ । ରାସ୍ତାକଡରେ ଥିବା ଅନାବନା ଗଛର ଫୁଲକୁ କେହି ଦେଖି ପାରନ୍ତି ନାହିଁ । ଅଥଚ ତାକୁ ନେଇ ତାରବାଡ ମଧ୍ୟରେ ରଖାଯାଉ ଲୋକେ ରକ୍ତ ଝରାଇ ବି ଫୁଲକୁ ଚୋରାଇ ନେବାପାଇଁ ଚେଷ୍ଟା କରିବେ । ଆମ ଘର ସବୁ ଇଟା, ସିମେଣ୍ଟରେ ତିଆରି ବୋଲି ତାର ଆଭ୍ୟନ୍ତର "ରହସ୍ୟ' ହୋଇ ରହିଯାଏ ଏବଂ ଲୋକେ ରହସ୍ୟ ଉଦ୍ଘାଟନରେ ଲାଗି ପଡ଼ନ୍ତି । ମୁଁ ଭାବୁଛି, ଆମ ଘର କାନ୍ଥ ସବୁ କାଚରେ ଯଦି ତିଆରି ହୁଅନ୍ତା ତେବେ ଇର୍ଷା ଓ ଅସୂୟା ମନୋଭାବ ବୋଧହୁଏ ନ ଥାଆନ୍ତା । ଆଉ ବୁଝିଲ ଶତରୂପା, ମୁଁ ତ ଚାହେଁ ତମେ ଯଦି ସ୍ୱଚ୍ଛ ପ୍ଲାଷ୍ଟିକରେ ତିଆରି ହୋଇଥାନ୍ତ । ତମର ଅଭ୍ୟନ୍ତରରେ ଲୁକ୍କାୟିତ ଥିବା କଲିଜା, ହୃତପିଣ୍ଡ, ଶୀରା, ଧମନୀ, ରକ୍ତ ସଂଚାଳନ ପ୍ରକ୍ରିୟା, ହଜମ ପ୍ରକ୍ରିୟା, ଅନ୍ତନାଳୀ, ହାଡ଼, ମାଂସ, ଚର୍ବି, ଜାଲ ପରି ବିଛାଇ ହୋଇଥିବା ଲକ୍ଷ ଲକ୍ଷ ତନ୍ତୁ, ତମର ଫେଲୋପିଆନ୍ ନଳୀ, ଗର୍ଭାଶୟ,