Jump to content

ପୃଷ୍ଠା:Hada bagicha.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତିଟି ଜୀବକୋଷ ଭିତରେ ଛୟାଳିଶଟି କ୍ରୋମଜମ୍ ସାଲୁବାଲୁ । ଜ୍ୟୋସ୍ନାରେ ଭିଜି ସେମାନେ ଅତ୍ୟନ୍ତ ପୁଲକିତ ଓ ଚଞ୍ଚଳ । ଦେଶାନ୍ତର ପାଇଁ ପ୍ରସ୍ତୁତ ହେଉଥିବା ପକ୍ଷୀସମୂହ ପରି ବିଚଳିତ । ସ୍ପାର୍ମାଟୋଜୋନ୍ ର ସନ୍ଧାନରେ ଏବେ ସମସ୍ତ କ୍ରୋମଜମ୍ ବ୍ୟସ୍ତ, ବ୍ୟଗ୍ର ଓ ଅଧୈ÷ର୍ଯ୍ୟ । ଶିଖରକୁ ନେଇ ଯିବାପାଇଁ ଶତରୁପାଙ୍କ ଘର ଆଗରେ ଜିପ୍ ଆସି ଠିଆହେଲା । ଶତରୁପା ପୂର୍ବରୁ ପ୍ରସ୍ତୁତ ଥିଲେ । ମୁଣ୍ଡକୁ ସାମ୍ପୁ କରି ଉପରେ ଗୋଟେ ଟପ୍-ନଟ୍ କରିଥିଲେ । ଶୀତ ସକାଳର ନରମ ଖରା ରଙ୍ଗର ସୁତା ଶାଢ଼ିଟିଏ ପିନ୍ଧିଥିଲେ । ନଖରେ ନଖରଙ୍ଗର ପାଲିସ୍ ଲଗାଇଥିଲେ, କାନରେ ରିଂ ଓ କପାଳରେ ଲାଲ୍ ଟିକିଲି । ଛୋଟ ବେଗ୍ଟି ଧରି ଘରକୁ ଅନାଇ ଦେଲେ କେଉଁଠି କଣ ରହି ଯାଇଥିବ କାଳେ । ଟିଭି ବ୍ୟତୀତ ଘରେ ଆଉ ସେମିତି କିଛି ଆସବାବ ନଥିଲା । ଘରଟି ପରିଷ୍କାର ଅଥଚ ଖାଲି ଜଣା ପଡୁଥିଲା । ତାଲା ଦେଇ ପାଖପୋଡ଼ୋଶୀ ସମସ୍ତଙ୍କଠୁ ବିଦାୟ ନେଇ ଗାଡ଼ିରେ ବସିଲେ । ଅଶି କିଲୋମିଟର ବାଟ ସମତଳଭୂଇଁରେ ଯିବାପରେ ଜିପ୍ଟି ଆହୁରି ଦଶ କିଲୋମିଟର ବାଟ ପାହାଡ଼କୁ ଘୁରି ଘୁରି ଉପରକୁ ଉଠିଲା ଏବଂ ଇଗ୍ଲୁ ସାମ୍ନାରେ ଯାଇ ଠିଆହେଲା । ପୂର୍ବରୁ ଜଗି ରହିଥିବା ବନ୍ଧୁ ଦି'ଜଣ ଇଗ୍ଲୁ ଭିତରୁ ବାହାରି ଆସିଲେ ହସି ହସି । ନିଜ ସ୍ୱପ୍ନର ଇଗ୍ଲୁକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇଗଲେ ଶତରୁପା । ନୀଳରଙ୍ଗର ବିରାଟ ମଶାରି ଭିତରେ ସଜାଇ ରଖିଥିବା ଆସବାବ, ପୁଆଳରେ ତିଆରି ପ୍ରକାଣ୍ଡ ଛାତ ଓ ଅନୁଚ୍ଚ ତାରବାଡ଼ ଦେଖି ଖୁସି ହୋଇଗଲେ । ଗର୍ବ ବି ଅନୁଭବ କଲେ, କାରଣ ଏ ଇପ୍ସିତ ଇଗ୍ଲୁଟି ଏକାନ୍ତ ଭାବରେ ତାଙ୍କ ନିଜସ୍ୱ । ବାହାରୁ ଏକ ତୈଳଚିତ୍ର ପରି ଦେଖାଯାଉଥିଲା । ଡ୍ରାଇଭରଟି ଦିଜଣ ବନ୍ଧୁଂକୁ ନେଇ ଫେରିଗଲା । ଏବେ ପାହାଡ଼ ଶିଖରରେ କେବଳ ସ୍ୱୟଂଭୁବ ଓ ଶତରୁପା ଏବଂ ନିର୍ଜନତା । ହଠାତ୍ ଶତରୁପା ବାନ୍ତି କରି ପକାଇଲେ । ତାଙ୍କ ପେଟଭିତରଟା କଣ ହେଇଯାଉଛି । ଗୋଟିଏ ପଥର ଉପରେ ବସି ଗୁଡ଼ାଏ ବାନ୍ତି କଲେ- ପିତ୍ତ ବାନ୍ତି, ଶ୍ଳେଷ୍ମା ବାନ୍ତି, ଖାଦ୍ୟବାନ୍ତି । ଆଜି ଖାଇସାରିବା ପରେ ଜୁଆଣି ନ ଖାଇଥିବାର ପ୍ରକାଶ କଲେ । କିନ୍ତୁ ସ୍ୱୟଂଭୁବ ଜାଣେ କଥାଟା ସେତେ ସହଜ ନୁହେଁ । କଥା ହେଉଛି ଯେତେବେଳେ ଶତରୁପା ଖୁସି ବା ଦୁଃଖୀ ଥାଆନ୍ତି ସେତେବେଳେ ତାଙ୍କୁ ବାନ୍ତି ମାଡ଼େ । ସ୍ୱୟଂଭୁବର ଦେହଟା ସ୍ୱୟଂଚାଳିତ ମେସିନପରି ତା ମନକୁମନ ଗୁଡ଼ାଏ କାମ କରୁଥାଏ । ସେ ସ୍ୱାସ୍ଥ୍ୟ ସଚେତନ ସିନା, କିନ୍ତୁ ସେତେଟା ଶରୀର ସଚେତନ ନୁହେଁ । ଅନ୍ୟପକ୍ଷରେ ଶତରୁପାଙ୍କ ଦେହଟା ଗୋଟେ ହସ୍ତଚାଳିତ ମେସିନ । ସବୁକାର୍ଯ୍ୟ ତାଙ୍କୁ କରେଇବାକୁ ପଡୁଥାଏ । ଖାଇବାପରେ ହଜମ ପ୍ରକ୍ରିୟା ପାଇଁ ଜୁଆଣି ଖାଇବାକୁ ପଡ଼େ । ମୁଣ୍ଡ ନ ବଥାଇବ ବୋଲି ଚା ଖାଇବାକୁ ପଡ଼େ । ଅନ୍ତନଳୀ ପରିଷ୍କାର ପାଇଁ କ୍ଷୀର ଖାଇବାକୁ ପଡ଼େ । କୁଆଡ଼େ ଯିବାବେଳେ ବାନ୍ତି ନ ହେବ ବୋଲି ଅଳେଇଚ, ଲବଙ୍ଗ, ପାନମହୁରି ଖାଇବାକୁ ପଡ଼େ । ମୋଟରେ ତାଙ୍କ ଶରୀରର ସମସ୍ତ ଛୋଟ ବଡ଼ ପ୍ରକ୍ରିୟା ହସ୍ତଚାଳିତ । କୃତ୍ରିମ ଉପାୟରେ ନିୟନ୍ତ୍ରିତ । ସ୍ୱୟଂଭୁବ ତାଙ୍କୁ ଦୁଇହାତରେ ଟେକି ନେଲା ଇଗ୍ଲୁ ଭିତରକୁ । ତାରବାଡ଼ର ସରୁ ରାସ୍ତାରେ ଯିବାବେଳେ କଣ୍ଟାରେ ପଣତ ଲାଗିଯାଇ ଶାଢ଼ିଟା ଟାଣି ହୋଇଗଲା ଖୁବ୍ ଦୂରଯାଏ । ଶତରୁପାର ବ୍ଲାଉଜ୍ ଭିତରେ ଅନ୍ତର୍ବାସ ବାହାରକୁ ପରିଷ୍କାର ଜଣାପଡୁଥାଏ । ସ୍ୱୟଂଭୁବକୁ ବ୍ରା ଭଲ ଲାଗେନା । ସେ କେତେଥର କହିଛି ତା'ର ସମସ୍ତ ପ୍ରେମାସ୍ପଦମାନଙ୍କୁ ଯେ ବ୍ରା ପୋଷାକ ନୁହେଁ-ବ୍ରା ଏକ ବେଣ୍ଡେଜ । ତାହା ଶାଢ଼ି, ସାୟା, ବ୍ଲାଉଜ୍ ବା ପେଣ୍ଟି ପରି ନୁହେଁ । ଗୋଡ଼ଟିଏ ବା ହାତଟିଏ ବା ଆଖିଟିଏ ବା କାନଟିଏ ନଥିବା ଲୋକର ହୁଏତ ହୀନମନ୍ୟତା ଆସିପାରେ । କିନ୍ତୁ ଆଙ୍ଗୁଠିଟିଏ କଟିଯାଇ ବେଣ୍ଡେଜ କରା ହୋଇଥିଲେ ଲୋକେ ଗର୍ବ କରନ୍ତି । ବେଣ୍ଡେଜ କରା ଆଙ୍ଗୁଠିର କାହାଣୀ ଗର୍ବ ସହକାରେ କହନ୍ତି । ସତେ ଯେମିତି ସେଇଟା ତାଙ୍କର ଅଲ୍ଟର୍-ଇଗୋ । କଟା ଆଙ୍ଗୁଠି ଅନ୍ୟ କାହାର ନୁହେଁ, ସେଇଟା ମୋର । ତାହା କେହି ନୁହେଁ, ତାହା ହିଁ ମୁଁ । ମୋ ବ୍ୟକ୍ତିତ୍ୱର ତାହା ହେଉଛି ବ୍ୟକ୍ତିକରଣ । ଏହା ସ୍ୱତନ୍ତ୍ର, ଏହା ସ୍ୱାୟତ୍ତ ଓ ଦୃଷ୍ଟି ଆକର୍ଷଣକାରୀ । ବ୍ରେସିୟରକୁ ମଧ୍ୟ ଝିଅମାନେ ବେଣ୍ଡେଜ କରା ଆଙ୍ଗୁଠି ପରି ବ୍ୟବହାର କରନ୍ତି, ଭାବନ୍ତି ତାହା ତାଙ୍କର ଅଲ୍ଟର୍-ଇଗୋ । ଏହି କାରଣରୁ ସ୍ୱୟଂଭୁବ ତା ପ୍ରେମାସ୍ପଦମାନଙ୍କୁ ବିକିନି ଉପହାର ନ ଦେଇ ଦେଇଛି କେମିସୋଲ, ଯାହା ସେମାନେ କେବେବି ପିନ୍ଧି ନଥିବେ । ଶତରୁପା ବି କେବେ ପିନ୍ଧି ନାହାନ୍ତି । ବରଂ ଯେଉଁଦିନ କେମିସୋଲ ଆଣି ଘରକୁ ଆସିଲା ଶତରୁପା ଗୁଡ଼ାଏ ଗାଳି ଦେଇଥିଲେ ତାକୁ । ଶତରୁପାଙ୍କ ଗାଳି ବି ଅଜବ ପ୍ରକାରର । ସ୍ୱୟଂଭୁବ ଯାହାବି କିଣି ଘରକୁ ଆଣୁ-ଏପରିକି ଡାଲି ଚାଉଳ ପରିବା ଅଣ୍ଡା ନେଲ୍ପଲିସ୍ ଶାଢ଼ି ଯୋତା ସ୍ୱିମ୍ସୁଟ-ଯାହାକିଛି ଆଣିଲେ ବି ସେ ବିରକ୍ତ ହେବେ, କାରଣ ମହଂଗା ନିଶ୍ଚୟ ହୋଇଥିବ ଭାବି । ସେ ନିଜେ ଯେତେ ଦାମ୍ ଦେଇ ଯାହା କିଣିଲେ ବି ତାହା ଦରକାରୀ ହୋଇଥାଏ ଓ ଶସ୍ତା ନିଶ୍ଚୟ ହୋଇଥାଏ । ଇଗ୍ଲୁ ଭିତରେ ବିଛଣାରେ ଶୋଇପଡ଼ିଲେ ଶତରୂପା । ସୂର୍ଯ୍ୟାସ୍ତ ହେଇ ସାରିଥିଲା । ଜହ୍ନ ଉଇଁ ସାରିଥିଲା । ଟେବୁଲ୍ ଲାଇଟ୍ ଚାରୋଟି ଜଳି ସାରିଥିଲା । ତଥାପି