ପୃଷ୍ଠା:Hada bagicha.pdf/୧୦୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଶତରୂପା ଉଠି ନଥିଲେ । ସ୍ୱୟଂଭୁବ ଜହ୍ନ, ଜ୍ୟୋତ୍ସ୍ନା, ଆକାଶରେ କିଛି କିଛି ତାରା, ଚାରିଆଡ଼େ ପୁଲକିତ ଛାଇ ଆଲୁଅର ଜଙ୍ଗଲ, ନିର୍ଜନତା ଓ ନିଶବ୍ଦତା ଏବଂ ଶୋଇଥିବା ଶତରୂପାଙ୍କୁ ଦେଖି ଦେଖି ଗୁଡ଼ାଏ କାମ କରି ପକାଇଲା । ତାରବାଡ଼ର ଛୋଟ ଗେଟ୍ରେ ତାଲା ପକାଇଲା । ଦୁଇଟି ଅମ୍ଲେଟ୍ ତିଆରି କଲା, ପାଉଁରୁଟି ଗରମ କରି ପ୍ଲେଟରେ ସାଇତିଲା । କିଛି ସେଓ କାଟି ରଖିଲା ଏବଂ ଶତରୂପାଙ୍କ ନିଦବାଉଳା ମୁହଁକୁ ଚାହିଁ ଚାହିଁ ସୋଫାରେ ଅପେକ୍ଷା କଲା । ଦୂରରେ ଦୁଇଟି ବିଲୁଆ ଦୌଡିÿ ଯାଉଥିବାର ଅନୁମାନ କଲା । ରାତ୍ରୀଚର ପକ୍ଷୀ ଦୁଇ ତିନୋଟି ଡେଣା ଫଡ଼୍‌ଫଡ଼୍ କରି ଏଠୁ ସେଠିକି ହେଉଥିବାର ଦେଖିଲା । ଶତରୂପାବି ଉଠି ବସିଲେ । ପାଖକୁ ଉଠିଗଲା ସ୍ୱୟଂଭୁବ । ପଚାରିଲା "କେମିତି ଲାଗୁଛି ତମର ଇଗ୍ଲୁ?' ଏବଂ ଚୁମ୍ବନ କଲା । ଶତରୂପା କିଛି କହିଲେ ନାହିଁ । ସେ ଏବେ ମଧ୍ୟ ଡରୁଥିଲେ । ଡରଡରୁଆ ଆଖିରେ ଦେଖିଲେ । ନିର୍ଜନତା ଓ ନିଶବ୍ଦତା ବ୍ୟତୀତ ଆଉକିଛି ତାଙ୍କ ଦୃଷ୍ଟି ପଥାରୁଢ଼ କରି ପାରିଲା ନାହିଁ । ସ୍ୱୟଂଭୁବ ଖାଇବା କଥା ପଚାରିଲା, ତାଙ୍କ ମା ଚିଠିଟିଏ ଦେଇ ଅଭିନନ୍ଦନ ଜଣାଇଥିବା କଥା, ଯାହା ସେ ଆଗରୁ ପାଶୋରି ଦେଇଥିଲା, କହିଲା । ଆୟୋଜନରେ ଆଉକିଛି ବାକି ଅଛି ନା ନାଇଁ ପଚାରିଲା । ଗମଲାରେ ସାଇତା ଧଳା ଫୁଲମାନେ ରାତିରେ କେତେ ସୁନ୍ଦର ଦେଖାଯାଉଛି, ତାକୁ ଦେଖାଇଲା । ପୋଲିସ୍ ବନ୍ଧୁମାନେ ମଧ୍ୟ ତାଙ୍କ ସହିତ ସଙ୍ଗେସଙ୍ଗେ ସମ୍ପର୍କ ରଖିବାପାଇଁ ଗୋଟିଏ ୱାକି-ଟକିର ବନ୍ଦୋବସ୍ତ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିବାର କଥା କହିଲା, ତାଙ୍କର କେମିସୋଲଟି ଆଣିଛନ୍ତି କି ନାଇଁ ପଚାରିଲା । କୌଣସି କଥାକୁ ଶତରୂପାଙ୍କ ଆଗ୍ରହ ନାହିଁ, ନିଘା ନାଇଁ । ସେ କିଛି ଶୁଣିବି ପାରୁ ନଥିଲେ । ନିଜେ ଯଦି ସବଜେକ୍ଟ ହୁଏ ତା ପ୍ରେମାସ୍ପଦମାନେ ଅବଜେକ୍ଟ ହେବାପାଇଁ ସବୁବେଳେ ଚେଷ୍ଟା କରନ୍ତି । ପ୍ରେମିକାମାନେ ସବୁବେଳେ ଅବ୍‌‌ଜେକ୍ଟ ହୋଇ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ସ୍ତ୍ରୀମାନେ ସବୁବେଳେ ପ୍ରେଡିକେଟ୍ । ଶତରୂପା ବାହାଘର ପୂର୍ବରୁ ଅବଜେକ୍ଟ ଥିଲେ, ଏବେ ସେ ପ୍ରେଡିକେଟ୍ ହୋଇ ଯାଇଛନ୍ତି । ତେଣୁ ସ୍ୱୟଂଭୁବର କୁଆଡ଼େ ପଳେଇ ଯିବାର ବାଟବି ନାଇଁ । ଅବଶ୍ୟ ଆଜିକାଲି ସେ ଆଉ ବିରକ୍ତ ହେଉ ନାହିଁ । ବରଂ ବିରକ୍ତିକର ପରିବେଶକୁ ସେ ଉପଭୋଗ କରୁଛି । ଶତରୂପା ଯେ କୌଣସି ଭାବାବେଗରେ କଥାବାର୍ତା କରନ୍ତୁ ହସନ୍ତୁ କାନ୍ଦନ୍ତୁ ରାଗନ୍ତୁ ବିରକ୍ତ ହୁଅନ୍ତୁ, ସବୁବେଳେ ସେ ତାଙ୍କର କଥା ନ ଶୁଣି, ତାଙ୍କ ଓଠ ଜିଭ ଆଖି ଆଖିପତା କପାଳର କୁଞ୍ଚ, ଗାଲ ଉପରେ ଭଉଁରୀ, ମୁଣ୍ଡ ହଲାଇବାର ଭଙ୍ଗିସବୁ ତନ୍ନ ତନ୍ନ କରି ନିରୀକ୍ଷଣ କରୁଥାଏ । କେଉଁ ଶବ୍ଦ କିପରି ଉଚ୍ଚାରଣ କଲେ, କେଉଁ ଶବ୍ଦଉପରେ ଗୁରୁତ୍ୱ ଦେଲେ କି ନଦେଲେ- ଏ ସବୁ ଧ୍ୱନିତତ୍ୱକୁ ସେ ପରୀକ୍ଷା କଲାପରି ଶୁଣେ । ଭୁଲ ହେଲେ ମନେରଖି ପରେ ସଜାଡ଼ିବା ପାଇଁ କହେ । ଶତରୂପାଙ୍କୁ କିଛି ଖାଇବା ପାଇଁ କହିଲା । ଖାଇବା ଟେବୁଲ୍ ପାଖକୁ ତାଙ୍କୁ ଟେକିନେଇ ବସାଇଦେଲା । ଖାଇବା ଜିନିଷ ସଜାଡ଼ି, ଚା ତିଆରିବ କହି ଉଠି ଆସୁଥିଲା । ଶତରୂପା ଡର ଲାଗୁଛି କହି ତାର ହାତଟାଣି ବସାଇ ଦେଲେ । ଖାଇବାକୁ ମନା କଲେ । ସ୍ୱୟଂଭୁବ କହିଲା "ଆଜି ତ୍ରୟୋଦଶୀ ପରା । କିଛି ଯଦି ନଖାଇବ, ତୁମ ଶରୀରର ପୂର୍ବ ପ୍ରସ୍ତୁତି ସବୁ ଶିଥିଳ ପଡ଼ିଯିବ ।' ଶତରୂପା କିିଛି କହିଲେ ନାଇଁ, କି ଖାଇଲେ ନାଇଁ । ଚୁପ୍ ଚାପ୍ ବସି ରହିଲେ । ବହୁ ସମୟ ପରେ କହିଲେ, "ଆମେ ସକାଳେ ଘରକୁ ଫେରିଯିବା ।' ସକାଳ ହେବା ପରେ କହିଲେ, "ନା, ଏଠି ପୁରା ସପ୍ତାହେ ରହିବା ।' ସେଦିନ ସକାଳେ ସୂର୍ଯ୍ୟୋଦୟ ବେଳେ କେହି ଜଣେ ଜ୍ୟୋତିମାନ ପୁରୁଷଙ୍କ ଆବିର୍ଭାବ ଘଟିଥିଲା ଇଗ୍ଲୁ ଭିତରେ । ଦେହଟି ତାଙ୍କର କାଚପରି ପଦାର୍ଥରେ ତିଆରି । ଆଭ୍ୟନ୍ତର ସ୍ପଷ୍ଟ, ସମୁଦାୟ ଶରୀରଟି ଦୀପ୍ତିମାନ । ବାବୁରିବାଳ, ସାମାନ୍ୟ ଅଥଚ ଇଷତ୍ ଲମ୍ବ ଦାଢ଼ି, ପତଳା ଓ ପରିଷ୍କାର ପୋଷାକ । ଦେଖା ଯାଉଥିଲେ ଯେମିତି କିମ୍ବଦନ୍ତି । ଶତରୂପା ଓ ସ୍ୱୟଂଭୁବ ଖୁବ୍ ଭୟ କଲେ ପ୍ରଥମେ । କିନ୍ତୁ ଏଭଳି ଏକ ଦୀପ୍ତିମାନ ପୁରୁଷଙ୍କ ହସହସ ମୁହଁ ଦେଖି ପ୍ରକୃତିସ୍ଥ ହେଲେ କିଛି ସମୟ ପରେ । ପ୍ରଶ୍ନବାଚୀ ଦୃଷ୍ଟିରେ ଅନାଇ ରହିଲେ ତାଙ୍କୁ । ଏମାନଙ୍କର ବାକ୍ସ୍ପୁର୍ତି ହେଲା ନାଇଁ । ଆଗନ୍ତୁକ କହିଲେ, "ମୁଁ ଖଲିଲ୍ ଜିବ୍ରାନ । ମୁଁ ପୁଣି ଥରେ ଭୂମିଷ୍ଠ ହେବାପାଇଁ ଚାହୁଁଛି । ପୃଥିବୀରେ କିଛି କାମ ମୋର ବାକି ରହିଯାଇଛି । ମୁଁ ଏକ ଗର୍ଭାଶୟର ସନ୍ଧାନରେ ବାହାରିଛି । ଏକ ଉତ୍ତମ, ବିଚକ୍ଷଣ ଓ ଅଲୌକିକ ଗର୍ଭାଶୟ । ଆପଣଙ୍କ ଏ ପ୍ରକାଣ୍ଡ ଓ ଉତ୍ସାହଭରା ଆୟୋଜନ ଦେଖି ଆପଣ ଦୁହିଂକୁ ମୋର ପିତା-ମାତା କରିବାର ଲୋଭ ସମ୍ବରଣ କରିପାରିଲି ନାହିଁ ।' ଶତରୂପା ଖୁସି ଜଣାପଡୁଥିଲେ । ସ୍ୱୟଂଭୁବ ଚୁପ୍ ରହିଥିଲା । ଆଗନ୍ତୁକ ପୁଣି କହିଲେ, "ଆସନ୍ତାକାଲି ପୂର୍ଣମୀ । ଆପଣ ଯଦି ଅନୁମତି ଦେବେ ତେବେ ମୁଁ ଅସ୍ଥିର କୋଷମାନଙ୍କ ମଧ୍ୟରେ ଅଙ୍କୁରିତ ହେବି ।'