Jump to content

ପୃଷ୍ଠା:Hada bagicha.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ଳେଷ ଅଳଙ୍କାରର ଜୀବନ ବହିର ପୃଷ୍ଠାମାନଙ୍କସହ ଖେଳୁ ଖେଳୁ ଖଲିଲ୍ ଜିବ୍ରାନଙ୍କୁ ମନେପକାଇଲା ସ୍ୱୟଂଭୂବ । ତାଙ୍କୁ ସେ କ’ଣ କ’ଣ ସବୁ କହି ପକାଇଲା ! ଠିକ୍ କଲା ନା ଭୁଲ୍ କଲା? ସେ ପ୍ରକୃତରେ କ’ଣ ଚାହେଁ? କିଛି ତ ଚାହେଁନା । ନିଜକୁ ସେ ଖୁବ୍ ଭଲଭାବେ ଚିହ୍ନେ । ସେ କିଛି ଚାହେଁନା । ଫେନ୍ସିଷ୍ଟୋରକୁ ଯାଇ ସେ ଅନେକଥର ଖାଲିହାତରେ ଫେରିଛି । ତା’ର କିଛି ଦରକାର ଥାଏନା । ଖେଳନା ଷ୍ଟୋରକୁ ଯାଇ ହଜାର ହଜାର ଖେଳଣା ଶିଶୁଙ୍କୁ ଦେଖି ଭାବେ, ଏମାନେ ଯଦି ଜୀବନ୍ୟାସ ପାଇ ଯାଆନ୍ତେ ତେବେ ସେ ଶିଶୁଟିଏ କିଣି ଘରକୁ ନିଅନ୍ତା କି? ବୋଧହୁଏ ନା । ନା, "ବୋଧହୁଏ’ ନୁହେଁ । ସେ ଦୃଢ଼, ସେ ନିଶ୍ଚିତ ଯେ ସେପରି ଶିଶୁଟିଏ ସେ କେବେହେଲେ କିଣନ୍ତା ନାହିଁ । ଖଲିଲ ଜିବ୍ରାନଙ୍କ ପରି ବ୍ୟକ୍ତିତ୍ୱ ବି ଯଦି ପ୍ରୋଡିଜି ଭାବେ ଭୂମିଷ୍ଠ ହେବେ, ତେବେ ବି ନୁହେଁ । "ବୋଧହୁଏ’ ଶବ୍ଦ ସାଙ୍ଗରେ ସେ କେବେ ବି ଖେଳ ଖେଳେନା । ନିଜ ଚରିତ୍ର ପ୍ରତି ନିଜେ ସନ୍ଦିହାନ ହେବାକୁ ଦିଏ ନା । ନିଜ ଦୃଢ଼ତାକୁ ଦୋଦୁଲ୍ୟମାନ ଅବସ୍ଥାକୁ ଠେଲି ଦିଏ ନା । "ବୋଧହୁଏ’ ଶବ୍ଦଟି ନିଜ ସ୍ୱାଧୀନ ଚିନ୍ତାଧାରା ପ୍ରତି ଏକ ବିପଦ । ନିଜ ସହିତ ନିଜେ ପଲିଟିକ୍ସ କଲାପରି ଲାଗେ ଏବଂ ନିଜର କୁ-ଇଚ୍ଛାକୁ ଜାହିର କରେ । ତେଣୁ ସେ "ବୋଧହୁଏ’ ଶବ୍ଦର ପଛପଟେ ନିଜକୁ ଲୁଚାଇବାକୁ ବୃଥା ଚେଷ୍ଟା କରେ ନାହିଁ । ଶତରୂପା ଗାଧୋଇସାରି ବାଥରୁମ୍ ଭିତରୁ ଓଦା ଶାଢ଼ି ପିନ୍ଧି ବାହାରି ଆସୁଥିଲେ । ସେ ଆଶ୍ଚର୍ଯ୍ୟ ହେଲା ବାଥରୁମ୍ ଭିତରେ ଗାଧୋଇବାର ବ୍ୟବସ୍ଥା ନ ଥିଲେ ବି ସେ କେମିତି ଗାଧୋଇଲେ । କୃତ୍ରିମ ଝରଣାଟି ତ ବାହାରେ ଅଛି । ଶତରୂପା ଦି’ ବାଲ୍ଟି ପାଣି ନେଇ ଗାଧୋଇଥିବାର ଜଣାଇଲେ । ସ୍ୱୟଂଭୂବ କିଛି କହିଲା ନାହିଁ । ସେ ଜାଣେ ଯେତେ ନିକାଞ୍ଚନ ସ୍ଥାନ ହେଲେ ବି ସେ ଉଲଗ୍ନ ହୁଅନ୍ତି ନାହିଁ । ଲାଜ କରନ୍ତି । ନିଜ ସାମ୍ନାରେ ବି ଲାଜ । ସ୍ୱୟଂଭୂବ ଲାଜ ନ କରିବା ପାଇଁ ତାଙ୍କୁ କେତେଥର କହିଛି ତା’ର ଇୟତ୍ତା ନାହିଁ । ଲଜ୍ଜା ଏକ ଆଭୂଷଣ ନୁହେଁ, ଏଇ ବିରକ୍ତିକର ଅବସ୍ଥା । ଏହାର ଅର୍ଥ ହେଉଛି- ନିଜର ନିଜତ୍ୱକୁ ତଳେ ଫିଙ୍ଗି ଦେଇଛ, ଅନ୍ୟମାନେ ତାକୁ ଜଗି ବସିଛନ୍ତି ଓ ତମେ ତାଙ୍କ ସାମ୍ନାରେ କେବଳ ମାତ୍ର ଛାଞ୍ଚଟିଏ ହୋଇ ଠିଆ ହୋଇଛ । ଅନ୍ୟମାନେ ତୁମ "ନିଜତ୍ୱ’କୁ ତଳୁ ଗୋଟାଇ "ହଉ ହେଲା, ଏଇ ନିଅ’ କହିଲା ପରେ ପୁଣି ତୁମେ ତୁମ ମୌଳିକ କାୟାକୁ ଫେରୁଛ ଓ ତୁମକୁ ଏକ ପରୀକ୍ଷା ହଲ୍ରୁ ଫେରିଲାପରି ଲାଗୁଛି ବା ଡାକ୍ତରଖାନାର ଅତି ଜରୁରୀ କୋଠରି ଭିତରୁ ଫେରିଲା ପରି ଲାଗୁଛି । କି ବୀଭତ୍ସ ଏ ଅନୁଭୂତି  ! ଲଜ୍ଜା ଶବ୍ଦଟି ତାକୁ ସବୁବେଳେ ଅପମାନିତ କରାଏ । ଦିନେ ଡାକ୍ତରଖାନାକୁ ଡି.ଏନ୍.ସି. ଟେଷ୍ଟ ପାଇଁ ଯାଇଥିବା ବେଳେ ପରୀକ୍ଷାଗାର ଭିତରୁ ଶତରୂପା କାନ୍ଦି କାନ୍ଦି ପଦାକୁ ବାହାରିଲେ । ଘଟନା ବୁଝିବାରେ ଜଣାଗଲା ଯେ ତାଙ୍କୁ ଉଲଗ୍ନ କରାଯାଇ ଗାଉନ୍ଟିଏ ପିନ୍ଧିବାକୁ ଦିଆଯାଇଥିଲା ଏବଂ ତାଙ୍କ ପୁ୍ୟବିକ୍ ହେୟାର୍ ସବୁକୁ ଖିଅର କରାଯାଇଥିଲା । ଏପରି ଲଜ୍ଜାକର ପରିସ୍ଥିତି ପାଇଁ ସେ ଅପ୍ରସ୍ତୁତ ଥିଲେ । ନିଜକୁ ସଂପୂର୍ଣ୍ଣରୂପେ ନିଜଠାରୁ ଦୂରକୁ ଫିଙ୍ଗି ଦେଇଥିବାର ଅପମାନଜନକ ଅନୁଭୂତି ତାଙ୍କପାଇଁ ଅସହ୍ୟହେବାରୁ ସେ କାନ୍ଦି ଉଠିଥିଲେ । ପରୀକ୍ଷାଗାରରେ ବି ସେ ଉଲଗ୍ନ ହୁଅନ୍ତେ ନାହିଁ । ଆଚ୍ଛା, ଯଦି ତାଙ୍କୁ ମହାଶୂନ୍ୟରେ ଏକାକୀ ଛାଡ଼ି ଦିଆଯାଆନ୍ତା, ଯେଉଁଠାରେ କେହି ବି ପହଞ୍ଚିଯିବାର ଭୟ ନ ଥିବ, ସେଠି ସେ ନିଃସଙ୍କୋଚରେ ଉଲଗ୍ନ ହୋଇପାରିବେ କି ନାଇଁ? କଥା ଛଳରେ ଏ ପ୍ରଶ୍ନଟି ସ୍ୱୟଂଭୂବ ଦିନେ ପଚାରିଥିଲା । ଶତରୂପା କିଛି ବି ଉତ୍ତର ନ ଦେଇ ଅନ୍ୟଆଡ଼େ ଚାଲିଯାଇଥିଲେ । ଅନ୍ୟପକ୍ଷରେ ସ୍ୱୟଂଭୂବ କିନ୍ତୁ ଉଲଗ୍ନ ହେବାରେ ଲଜ୍ଜା ବା ସଙ୍କୋଚ କିଛି କରେନା । ବିବାହ ପୂର୍ବରୁ ସେ ଏମିତି ଅନେକଥର ବାଥରୁମ୍ ଭିତରେ ଗ୍ରୀଷ୍ମଋତୁର ପ୍ରଚଣ୍ଡ ଗରମରୁ ରକ୍ଷା ପାଇବାପାଇଁ ମସିଣା ପକାଇ ଉଲଗ୍ନ ହୋଇ ଶୋଇଛି, ବହି ପଢିଛି, ପେପର ପଢ଼ିଛି । ତା’ ନିଜ ବଖରାଟି ତୃତୀୟ ମହଲାର ଛାତ ଉପରେ ଥିବା ଯୋଗୁଁ ସେଠି ଖୁବ୍ ଗରମ ହେଉଥିଲା । କିନ୍ତୁ ବାଥରୁମ୍ର ଛାତ ଉପରେ ପାଣିଟାଙ୍କି ଥିବାରୁ ସେ କୋଠରିଟି ଅପେକ୍ଷାକୃତ ଥଣ୍ଡା ରହୁଥିଲା । ଛାତ ଉପରେ ପାଣିଟାଙ୍କି ପାଖରେ ପାଞ୍ଚ ଇଞ୍ଚ ବହଳରେ ଓ ପାଞ୍ଚ ଫୁଟ ଲମ୍ବ ଓସାରରେ ମାଟି ଥାପି ମାଖନ ଲତାଟେ ଲଗାଇଥିଲା ।