ପୃଷ୍ଠା:Hada bagicha.pdf/୧୧୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନେକ ରାତିରେ ଏମିତି ହୋଇଛି ଶତରୂପା ମୁଣ୍ଡରେ ଜଟା ହୋଇଯିବ, ବାଳ ପାଚିଯିବ ଭାବି ତେଲଲଗାଇ ଶୋଇବାକୁ ଆସନ୍ତି । ସେଦିନ ସ୍ୱୟଂଭୂବକୁ ଶତରୂପାଙ୍କ ଦେହର ବାସ୍ନା ଖୁବ୍ ଉତ୍କଟ ଲାଗେ । ତେଣୁ ସେ ମୁହଁମାଡ଼ି ଶୋଇଯାଏ ଏବଂ ତାଙ୍କ ପିଲାବେଳର କଥା ପଚାରିବସେ, ତାଙ୍କ ଗାଁ କଥା ପଚାରିବସେ, ତାଙ୍କ ସାଙ୍ଗମାନଙ୍କ କଥା ପଚାରିବସେ । ଖୁବ୍ ଆଗ୍ରହର ସହିତ ଶତରୂପା ସେସବୁ କଥା ଗପନ୍ତି । ସେ ଜାଣୁଥାଏ ଏଇଟା ସତ ନୁହେଁ ଏବଂ ଯାହା ସତ ତାକୁ ଢାଙ୍କୁଥାଏ । ବେଳେବେଳେ ଶତରୂପା ବି ଜାଣନ୍ତି ଯେ ଏଇଟା ବେଳ ନୁହେଁ ତାଙ୍କ ଗାଁ କଥା ହେବାର କିନ୍ତୁ ସଙ୍ଗେ ସଙ୍ଗେ ଭୁଲି ବି ଯାଆନ୍ତି । ଅଥଚ ସ୍ୱୟଂଭୂବ ଖୁବ୍ ଆତ୍ମସଚେତନ ଓ ତାର ଯଥେଷ୍ଟ ନିଗେଟିଂ କ୍ଷମତା ଅଛି ବୋଲି ସେ ଜାଣେ । ବର୍ତମାନ ନିଜେ ଯାହା ତାକୁ ସେ ନିର୍ବିକାରରେ "ନାଁ’ କହିପାରେ ଏବଂ ଯାହାନୁହେଁ ତାକୁ "ହଁ’ କହିପାରେ । ପରସ୍ପର ବିରୋଧୀ ଦୁଇଟି ହାବଭାବକୁ ସେ ଏକ ସମୟରେ ପୋଷଣ କରିପାରେ । ତେଲପ୍ରତି ସ୍ୱୟଂଭୂବର ଏକ ଅହେତୁକ ଆଲାର୍ଜି ଥିବାଯୋଗୁଁ ଶତରୂପାଙ୍କଠାରୁ ନିଜର ଆବେଗକୁ ଲୁଚାଇରଖିବା ସହିତ, ସେଇ ମୁହୂର୍ତରେ ନିଜଠାରୁ ମଧ୍ୟ ନିଜର ଆବେଗକୁ ଲୁଚାଇରଖେ, ସଂପୂର୍ଣ୍ଣ ସଚେତନ ଭାବରେ । ଶତରୂପା କନ୍ସିଭ ନକରିବାର ଏହା ବି ଏକ ଗୁରୁତ୍ୱପୂର୍ଣ କାରଣ । ଶତରୂପା ଯେଉଁସବୁ ବିଷୟରେ ଗପନ୍ତି, ତାଙ୍କ ପସନ୍ଦ ମୁତାବକ ଗପଟି ହେଉଛି ତାଙ୍କ ବାପାଙ୍କ ଗପ । ବାପାଙ୍କ କଥା ପଡ଼ିଲେ ସବୁଠୁ ବେଶୀ ଆବେଗପୂର୍ଣ ଭାବରେ ସବୁ କଥାକୁ ପଛରେପକାଇ ଗପନ୍ତି । ବିଶେଷଭାବରେ ତାଙ୍କ ମୃତ୍ୟୁଗପ ପଡ଼ିଲେ ଆହୁରି ବେଶି ଆବେଗପୂର୍ଣ ଭାବେ ବଖାଣି ଯାଆନ୍ତି ଅନର୍ଗଳ ଭାବରେ । ତାଙ୍କ ବାପାଙ୍କ ମୃତ୍ୟୁଗପ ଏଡ଼େ ବିରାଟ ଯେ ଜଣେ ବୁଦ୍ଧିମାନ ସ୍କୁଲଛାତ୍ର ସେବିଷୟରେ ଖୁବ୍ବଡ଼ ପ୍ରବନ୍ଧଟିଏ ଲେଖିଦେଇ ପାରିବ, ଯେମିତି ସେ ଲେଖିପାରିବ ରଥଯାତ୍ରା ବିଷୟରେ ବା ଫରାସୀ ରାଷ୍ଟ୍ରବିପ୍ଳବ ସମ୍ପର୍କରେ । ଶତରୂପା କହନ୍ତି, ତାଙ୍କ ବାପା ଦୁଇ ସପ୍ତାହକାଳ କୋମାରେ ଥିଲେ । ବୟସ ଅନେଶତ ପୂରି ଆଠମାସ । କୋମା ପରେ ବି ଯେତେବେଳେ ତାଙ୍କର ନିଦ ଭାଙ୍ଗିଲା ସେ ଜାଣିବାକୁ ଚାହିଁଥିଲେ ତାଙ୍କ ଆସନ୍ନ ମୃତ୍ୟୁର ମହୋତ୍ସବ ପାଇଁ କ’ଣ କ’ଣ ସବୁ ଆୟୋଜନ ହୋଇଥିଲା? କିଏ କିଏ ସବୁ ଆସିଥିଲେ? ସେ ଯେତେବେଳେ ନିଶଦାଢ଼ି କାଟୁଥିଲେ ସେତେବେଳେ ନିଶଦାଢ଼ି ନଥିବା ଈଶ୍ୱରମାନଙ୍କୁ ଉପାସନା କରୁଥିଲେ । କିନ୍ତୁ ପରେ ଯେବେ ନିଜେ ଶ୍ମଶ୍ରୁଧାରୀହେଲେ ସେତେବେଳଠୁ ମୃତ୍ୟୁଯାଏ ସେ ନିଜପରି ଦେଖାଯାଉଥିବା ବ୍ରହ୍ମାଙ୍କୁ ପୂଜାର୍ଚନା କରୁଥିଲେ । କୋମାରୁ ଉଠିବାପରେ ତାଙ୍କୁ ଏକ ଗ୍ରୁପ-ଫଟୋରେ ବସିବାପାଇଁ ପ୍ରସ୍ତୁତ କରାଗଲା । ପରିଣତ ବୟସଯାଏ ତାଙ୍କ ଲିବିଡୋ ସୁରକ୍ଷିତ ଥିବାରୁ ପରିବାର ଯଥେଷ୍ଟ ବଡ଼ ହୋଇଯାଇଥିଲା । ଏ ଭିତରେ ସଭିଏଁ ଖବର ପାଇ ଆସି ସାରିଥିଲେ । ମୁଣ୍ଡପଟେ ତାଙ୍କ ବଡ଼ଝିଅ ବସି ବାପାଙ୍କୁ ସମସ୍ତଙ୍କସହ ପରିଚୟ କରାଇ ଦେଉଥିଲେ । ଏଇ ଦେଖ, ଆମେ ଦଶଜଣଯାକ ଭଉଣୀ ଏଠି ଅଛୁ । ତୁମର ସବୁ ଜ୍ୱାଇଁ, ଆମ ସମସ୍ତଙ୍କ ପୁଅବୋହୂ, ଝିଅଜ୍ୱାଇଁ, ନାତିନାତୁଣୀ ସମସ୍ତେ ଅଛନ୍ତି । ଉଠ, ଚାଲ ଫଟୋ ଉଠାଇବା । ଏମାନଙ୍କୁ ଚିହ୍ନୁଛ କି ନାଇଁ? ମୁଣ୍ଡିଆ ମାରୁଛନ୍ତି ଦେଖ । ୟେ ତମର ବଡ଼ ନାତି । ବମ୍ବେରେ ରୁହେ, ତା’ ସ୍ତ୍ରୀ ପୁନାରେ ସିନେମା ପାଠ ପଢୁଛି । ୟାକୁ ଦେଖ ଡେରାଡୁନରେ ରହୁଛି । ତା’ ପୁଅକୁ ଦେଖ, ଆରମାସକୁ ବର୍ଷେପୁରିବ । ତା’ କପାଳରେ ଗୋଟେ ଦାଗଅଛି । ୟେ ଲଂଡନରେ । ଖବରକାଗଜରେ ଲେଖାଲେଖି କରେ । ତା’ ସ୍ତ୍ରୀ ଓଡ଼ିଶୀନାଚ ଜାଣିଛି । ୟେ ଅଛି କଟକରେ, ତା’ ସ୍ତ୍ରୀ ଭୁବନେଶ୍ୱରରେ । ତା’ ଝିଅ ପଢୁଛି ମିଲିଟାରୀ ସ୍କୁଲରେ । ୟେ ଅଛି ଶିଲଂରେ । ଏମାନେ ବହୁତ ଅସୁବିଧାରେ ଅଛନ୍ତି । ସେଠି ରିକ୍ସା ମିଳେନା, ବରଫ ପଡ଼େ, ସାପ ବାହାରେ ନାହିଁ । ତା’ ସ୍ତ୍ରୀ ଅଛି ସିଲିଗୁଡ଼ିରେ । ଏମାନଙ୍କର ପିଲାପିଲି କିଛି ନାହିଁ । ଏ ଦୁହେଁ ବରକନିଆଁ ଗୋଟିଏ କଲେଜରେ ଅଛନ୍ତି, ଭୁବନେଶ୍ୱରରେ । ୟେ କବି ହୋଇଛି, ଘରକଥା କିଛି ବୁଝେନାଇଁ, ଖାତାକଲମ ଝୁଲାମୁଣି ଧରି ଡଂଗଡଂଗ ବୁଲୁଥାଏ । ରକ୍ଷା ହୋଇଛି, ଏମାନଙ୍କର ବି ପିଲାପିଲି ନାଇଁ । ଆଉ ଏ ଦୁଇ ବରକନିଆଁ ରାଉରକେଲା ଆଇ.ଜି.ଏଚ୍.ରେ ଅଛନ୍ତି । ୟେ ଦୁଇଥର କାର୍ ଆକ୍ସିଡେଣ୍ଟ କରାଇଲାଣି । ନିଜେ ଡାକ୍ତର, କିନ୍ତୁ ସବୁବେଳେ ତାକୁ ତା’ ଡାକ୍ତରାଣୀ ସ୍ତ୍ରୀ ଚିକିତ୍ସା କରାଏ । ତା ଦେହସାରା ଦାଗ । ଆଉ ଏ ଦଳ ଅଛନ୍ତି ଦିଲ୍ଲୀରେ । ମାସକୁ ଚାରିହଜାର ଟଙ୍କା ଘରଭଡ଼ା ଦିଅନ୍ତି । ତା’ ପୁଅକୁ ଦେଖ । ସେ ଖାଲି ଟେରୋରିଷ୍ଟ ଗପ ଶିଖିଛି । ଆଜିସକାଳେ ସମସ୍ତଙ୍କୁ ଅଟାଚି ଖୋଲିବାପାଇଁ କହୁଥିଲା, ତା’ ଭିତରେ ବୋମା ଥିବ ପରା! ଆଉ ସେ ଆରପିଲାଟି ତା’ ଭଉଣୀ । ଚାରି ପୂରି ପାଞ୍ଚ ଚାଲିଲା । ଆଜି ସକାଳୁ ପୂର୍ବଦିଗରେ ଲାଲ ସୂର୍ଯ୍ୟକୁ ଦେଖି ସେ ତା’ ମା’କୁ ପଚାରୁଥିଲା, "ୟେ କ୍ୟା ହେ ମମି? ହାମାରେ ଦିଲ୍ଲୀ ମେଁ ତୋ ୟେ ନହିଁ ହୋତା ।’ ଆଉ ସେ ଦୁଇଟି ଛୁଆରୁ ଗୋଟେ ବ୍ରେକ୍ ଡେନ୍ସ ଜାଣିଛି । ଅନ୍ୟଟି ଜୁଡୋ କରାଟେ ଶିଖିଛି । ସବୁବେଳେ ହୁ-ହା କରୁଥାଏ । ଏମାନଙ୍କୁ ଦେଖିଲେ ପେଟ ପୂରିଯାଉଛି । ବାପା? ଶୁଣୁଛ?