ଏବେ ଚାଲ ଫଟୋ ଉଠାଇବା । ସମସ୍ତେ ମୁଣ୍ଡିଆମାରି ଧାଡ଼େ ଦି’ଧାଡ଼ି କୈଫିୟତ ଦେଇ ଚାଲିଯାଉଥାନ୍ତିି । ଆମ ପ୍ଲେନଟି ବୋମା ଆତଙ୍କ ଯୋଗୁଁ ବେରୁଟ୍ରେ ପଡ଼ିରହିଲା ଚାରିଘଣ୍ଟା । ଯା’ହେଉ ବାବାଙ୍କୁ ଦେଖି ହୋଇଗଲା । ଆମ ଟ୍ରେନ୍ଟି ବିଲାସପୁର୍ରେ ଲାଇନ୍ ଖରାପ ଯୋଗୁଁ ପଡ଼ିରହିଲା ଆଠଘଣ୍ଟା । ଯା’ହେଉ ଦେଖି ହୋଇଗଲା ବୁଢାଙ୍କୁ । ଆମ କାର୍ଟି ଗୋଟେ କ୍ଷେତଭିତରକୁ ମାଡ଼ିଗଲା । ରକ୍ଷାହୋଇଛି କାହାରି କିଛି ହୋଇନାହିଁ । ଯା’ହେଉ ଦେଖାହୋଇଗଲା ପଣ୍ଡିତଂକୁ । ଆମ ବଳଦଗାଡ଼ିର ଲାଲି ଖୋଲିଗଲା ରାସ୍ତାରେ । ପୁଣି ଚକ ବଦଳାଇ ଆସିବାରେ ଦି’ଘଣ୍ଟା ଡେରି ହୋଇଗଲା । ଯା’ ହେଉ ଦେଖି ହୋଇଗଲା ଗୁରୁଂକୁ । ଯା’ହେଉ ଦେଖିହୋଇଗଲା ରାଜପୁରୋହିତଂକୁ । ଯା’ହେଉ ଦେଖିହୋଇଗଲା ତାଙ୍କ ପାଦୁକାକୁ ତାଙ୍କ ଶ୍ମଶ୍ରୁକୁ, ତାଙ୍କ କୁଣ୍ଡଳକୁ, ତାଙ୍କ ଶ୍ୱାସପ୍ରଶ୍ୱାସକୁ ତାଙ୍କ ଚାଲିଶଟି ସେଲାଇନ ବୋତଲକୁ, ତାଙ୍କ ଶିଥିଳ ଚର୍ମକୁ, କୋଟରଗତ ଚକ୍ଷୁକୁ, ବଞ୍ଚି ନଥିବା, ମରି ନଥିବା ଅବସ୍ଥାକୁ, ଯା’ହେଉ ଦେଖି ହୋଇଗଲା । ବାପା, ଚାଲ ଫଟୋ ଉଠାଇବା । ଆମେ ସମସ୍ତେ ମିଶି ବୟାଅଶୀ ହେଲୁଣି । କ’ଣ ଆଉ ତମେ ଜାଣିବାକୁ ଚାହଁ ବାପା? ତମର ଦଶଜଣ ଯାକ ଝିଅ, ତାଙ୍କ ପୁଅବୋହୂ, ଝିଅଜ୍ୱାଇଁ, ନାତିନାତୁଣୀମାନଙ୍କ ସହିତ ଏଠି ଅଛନ୍ତି । ତମର ତିନିଯୋଡ଼ା ନାତିନାତୁଣୀ ତାଙ୍କ ଡାକ୍ତରୀ ଚିକିତ୍ସାରେ ଅବହେଳା କରୁନାହାନ୍ତି । ଦୁଇଟି ସ୍କୁଟରକୁ କାଠ ସଂଗ୍ରହପାଇଁ ପଠାଯାଇଛି । ଗୋଟିଏ କାର୍କୁ କୁଲା ଛାଞ୍ଚୁଣୀ ମାଟିହାଣ୍ଡି ଖଇ ଘିଅ ଚାଦର ଧୋତି ପଇତା ପାଇଁ ପଠାଯାଇଛି । ଅନ୍ୟ ଏକ ଜିପ୍କୁ ଫୁଲ କଦଳୀପତ୍ର ପାଇଁ ପଠାଯାଇଛି । ଅନ୍ୟ ଏକ ମୋଟର ସାଇକେଲକୁ ମୃତ୍ୟୁ-ମନ୍ତ୍ର ଉଚ୍ଚାରଣ କରୁଥିବା ପୁରୋହିତ ପାଇଁ ପଠାଯାଇଛି । ଅନ୍ୟ ଏକ ସ୍କୁଟରକୁ ମହୁରିଆ ଓ ମାଦଳିଆ ପାଇଁ ପଠାଯାଇଛି । ସମସ୍ତଙ୍କୁ ତାଗିଦ୍ କରାଯାଇଛି ଶୀଘ୍ର ଫେରିବାକୁ । ତାଙ୍କ ମୃତ୍ୟୁର ଆୟୋଜନ ପାଇଁ ସେ ଆଉ କ’ଣ ଚାହାନ୍ତି କି? ବାପାଙ୍କୁ ଅନେଶତ ପୂରି ଶହେ ଚାଲିଲା । ଆଉ କେତେଦିନଯାଏ ତାଙ୍କ ଜୀବନଯାତ୍ରାର ଆୟୋଜନ କରାଯାଆନ୍ତା କି? ଘରେ ଯେଉଁମାନେ ଅଛ, ଯାଅ, ଜିପ୍ ନେଇ ଯମ ଓ ଯମଦୂତଙ୍କୁ ଧରିଆଣ । ଯମ ନପାଇଲେ ଶନି ରାହୁ କେତୁଙ୍କୁ ଡାକ । ନଚେତ୍ ଜ୍ୟୋତିଷକୁ ଡାକ, ଛଞ୍ଚାଣକୁ ଡାକ, ରାବଣକୁ ଡାକ, କାଳିବିଲେଇକୁ ଡାକ, କଳା କଳା ଭୂତଙ୍କୁ ଡାକ, ଯାଅ ଜିପ୍ ନେଇ ଯାଅ । ବାପା ହସିଲେ ସାମାନ୍ୟ । "ରହ, ଫଟୋଉଠା ସରିଯାଉ', କହିଲେ । ସମସ୍ତେ ଠିଆହେଲେ, ବାପାଙ୍କୁ ମଝିରେ ବସାଇଲେ । ଫଟୋଗ୍ରାଫର୍ ସମସ୍ତଙ୍କୁ ହସିବାପାଇଁ ସଙ୍କେତ କଲା । ଫଟୋଉଠା ସରିଲା । ଅଣନାତି, ଅଣନାତୁଣୀମାନେ ଉଠିଲେ । ବାପାଙ୍କୁ ଉଠାଇଲେ । କିନ୍ତୁ ବାପା ଫଟୋଗ୍ରାଫର୍ର ସଙ୍କେତ ମାନି ବସି ରହିଥିଲେ । ସେତେବେଳକୁ ଉଠିଲେ ନାଇଁ ଯେ, ଆଉ କେବେବି ଉଠିଲେ ନାଇଁ । ଏପରି ସୁନ୍ଦରତମ ମୃତ୍ୟୁ ମୁହୂର୍ତର ପ୍ରତୀକ୍ଷାରେ ବାପା ତ କେବେଠୁ ଥିଲେ । ଓଠରେ ସ୍ମିତ ହସଟେ ଝୁଲାଇ କେହି ମରିବାର କେବେ ଦେଖିଛ? ଏମିତି ବାପାଙ୍କ କଥା ଗପି ବସିଲାବେଳକୁ ଢେର ରାତି ହୋଇଯାଏ । ଶତରୂପାଙ୍କୁ ନିଦ ଲାଗେ ଓ ସେ ପ୍ରେମଖେଳ କଥା ପାଶୋରି ଶୋଇଯାଆନ୍ତି ।
ପୃଷ୍ଠା:Hada bagicha.pdf/୧୧୪
ଦେଖଣା