ପୃଷ୍ଠା:Hada bagicha.pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାମ ଫଳକ ବି ଲେଖାଇ ଆଣିବ । ଆଉ ଆସିଲା ବେଳେ ତୁମ ଦାଢ଼ି ଓ ନଖ କାଟି ଆସିଥିବ ।' ପଇସା ନେଇ ରୁବେନ ଚାଲିଗଲା ଚୁପ୍ ଚାପ୍ । ସିଧା ଯାଇ ପହଞ୍ଚିଲା ଚୁମ୍କିର ଝରକା ପାଖରେ । ଚୁମ୍କି ତାକୁ ଦେଖି ଚମକି ପଡିଲା । ହସି ପକାଇଲା । କାନ୍ଦି ପକାଇଲା । ଭିତରକୁ ଡାକିନେଇ ଖଟରେ ବସାଇଲା । ବାତ୍ୟାକଥା କିଛି ପଚାରିଲା ନାହିଁ । ତା ଘର କଥା କିଛି ପଚାରିଲା ନାହିଁ । ଖାଲି ରୁବେନକୁ ଦେଖିଲା । ରୁବେନ ସାମାନ୍ୟ ଝଡ଼ି ଯାଇଛି । ସେଥିଲାଗି ଆହୁରି ଡେଙ୍ଗା ଦେଖାଯାଉଛି । ତା ଦାଢ଼ି ବଢ଼ି ଯାଇଛି ବିଶୃଙ୍ଖଳିତ ଭାବରେ । ନଖ ବି ବଢ଼ି ଯାଇଛି ଅଯାଚିତ ଭାବରେ । ରୁବେନ ଚୁମ୍କିକୁ ଦେଖିଲା । ପୂର୍ବରୁ କେବେ ସେ ଲିପ୍ଷ୍ଟିକ ଲଗାଉ ନ ଥିଲା, ଏବେ ତା ଓଠ ଦୁଇଟି ଗାଢ଼ ଲାଲ ଦେଖାଯାଉଛି । ଗୁଡ଼ାଏ ଗହଣା ଲଗାଇଛି । ଚକ୍ ଚକ୍ ଜରିଲଗା ଚୁନ୍ନି ଘାଘରା ଲଗାଇଛି । ତା ମୁହଁର ସାମନାପଟ ବାଳକୁ କାଟିଦେଇଛି । ପଛପଟ ବାଳରେ ଦୁଇଟି ଲମ୍ବା ବେଣି ଟାଣିଛି । ଗୋଟିଏ ନାଚପାର୍ଟିର ଚରିତ୍ରଟିଏ ପରି ଦେଖାଯାଉଛି । ରୁବେନ କିନ୍ତୁ ଉପଭୋଗ କରିଥିଲା ଚୁମ୍କିର ସଜାଇ ହୋଇଥିବା ଦେହ ଓ ତା ଘରର ମହକକୁ । ଚୁମ୍କି ପଚାରିଲା, "କିଛି ଖାଇବ? ଘରେ କିଛି ନାହିଁ । ଚାଲ ବାହାରେ ଖାଇବା ।’ ରୁବେନ କିଛି କହିଲା ନାହିଁ । ଚୁମ୍କି ତା ପୋଷାକ ଖୋଲି ଶାଢ଼ିଟିଏ ପିନ୍ଧିଲା । ଫିକା ବାଦାମୀ ରଙ୍ଗର ଶାଢ଼ି । ରୁବେନ ସାମନାରେ ପୋଷାକ ବଦଳାଇବାରେ ତାର ସାମାନ୍ୟ ସଙ୍କୋଚ ବି ନ ଥିଲା । ଲଜ୍ଜା, ସଙ୍କୋଚ ସବୁ ବାତ୍ୟା ଉଡ଼ାଇ ନେଇଛି । ନିଜ ମନପସନ୍ଦ ବୋଲି କିଛି ଆଉ ନାହିଁ । ସବୁ ଧୋଇ ପୋଛି ହୋଇଯାଇଛି । ଆଗ ପରି ହୋଇଥିଲେ ଚୁମ୍କି ଏବେ ପଚାରି ଥାନ୍ତା, "କେଉଁ ରଙ୍ଗର ଶାଢ଼ି ପିନ୍ଧିବି?' ରୁବେନ ବି କହିଥାନ୍ତା, "କଫି ରଙ୍ଗ, ଆଜି ପାଗଟା ମେଘୁଆ ଅଛିତ' ଏବେ କିନ୍ତୁ ଏ ହାଲୁକା ଆବେଗର କଥା ଆଉ କିଛି ନାହିଁ । ସବୁ କିଛି ରୌଦ୍ର, ସବୁ କିଛି ଉଗ୍ର, ସବୁ କିଛି ନିର୍ଦୟ । ଗୋଟିଏ ହୋଟେଲରେ ବସି ଦୁହେଁ ଜଳଖିଆ କଲେ । ଚୁମ୍କି ପଇସା ଦେଲା । ପଚାରିଲା, "କୁଆଡ଼େ ଯିବା? ସମୁଦ୍ର କୂଳକୁ ଯିବା?' ରୁବେନ କିଛି କହିଲା ନାହିଁ । ଟେକ୍ସି ନେଇ ଦୁହେଁ ସମୁଦ୍ରକୂଳକୁ ଗଲେ । ଗୋଟିଏ ନିକାଞ୍ଚନ ସ୍ଥାନ ଦେଖି ଦୁହେଁ ବାଲି ଉପରେ ଗଡ଼ି ପଡ଼ିଲେ । ରୁବେନ ଚୁମ୍କିର ପେଟଉପରେ ମୁଣ୍ଡ ଥୋଇ କିଛି ସମୟ ଶୋଇପଡ଼ିଲା । ଆକାଶରେ ଗାଢ଼ ଓ ଫିକା ନୀଳ ରଙ୍ଗ, କିଛି କିଛି ଧଳା କଳା ଧୂସର ବାଦଲ ଓ ଗୋଟିଏ ଦୁଇଟି ପକ୍ଷୀ, ସାମନାରେ ସମୁଦ୍ରର ଚଳ ପ୍ରଚଳ, କିଛି ପହଁରୁ ଥିବା ଲୋକଙ୍କ ମୁଣ୍ଡର କଳା, ଗୋଟିଏ ଦୁଇଟି ହାଲୁକା ନୌକାର ଉତ୍ଥାନ ପତନ । ଚୁମ୍କିର ଆଖି ଖୋଲା ଥିଲା । କିନ୍ତୁ ସେ କାହାକୁ ଦେଖୁ ନ ଥିଲା । ପ୍ରାୟ ଏକ ଘଣ୍ଟାପରେ ରୁବେନ ଉଠିଲା ଓ ଚୁମ୍କିକୁ ଉଠାଇଲା । ମାତ୍ର ଚୁମ୍କି ଏବେ ଶୋଇଯାଇଛି । ରୁବେନ ବସି ପଡ଼ି ଚୁମ୍କିକୁ ଚାହିଁଲା । ତାର ମାବାପା ଓ ଦୁଇଟି ଭାଇ ବାତ୍ୟାରେ ହଜିଯାଇଛନ୍ତି । ଚୁମ୍କି ସବୁକୁ ଗ୍ରହଣ କରି ନେଇ ସାରିଲାଣି । ନିଜ କଥା କିଛି କହୁନାହିଁ । ରୁବେନକୁ କିଛି ପଚାରୁ ନାହିଁ । କିଛି ଲୁଚାଇବାର ବି ଛଳନା କରୁ ନାହିଁ । ଯାହାକିଛି ଏବେ ଚାଲିଛି ସବୁ ଖୋଲା, ସବୁ ମୁକୁଳା । ଚୁମ୍କିର ପେଟଟି ତଳଉପର ହେଉଛି । ରୁବେନ ତା ପେଟ ସାଙ୍ଗରେ ସାମାନ୍ୟ ଖେଳିଲା । କିଛି ବାଲି ନେଇ ତା ପେଟ ଉପରେ ପକାଇଲା । ଦୁଇ ତିନୋଟି ଛୋଟ ଛୋଟ କଳା ପୋକ ତା ପେଟ ଉପରେ ଦୌଡିଗଲେ । ଚୁମ୍କି ଉଠିପଡି ସେମାନଙ୍କୁ ଝାଡିଦେଲା । ଶାଢ଼ିକୁ ସଜାଇ ଆଣିଲା । ପଚାରିଲା, "ରୁବେନ, ଆମ ଶରୀର ଭିତରେ କଣ ସବୁ ଥାଏ?' ରୁବେନ କହିଲା, "ଦୁଇଶହ ଛ ଖଣ୍ଡ ହାଡ଼ ଥାଏ । ଶିରା ପ୍ରଶିରା ରକ୍ତବାହୀ ନଳୀ ସବୁ ଥାଏ, ସ୍ନାୟୁ ମଣ୍ଡଳ ଥାଏ, ସ୍ୱାଦ ଥାଏ । ' ଆଉ କଣ ଥାଏ ? ଆଉ କିଛି ନ ଥାଏ । ଆଉ ଏ ଆତ୍ମା ଚେତନା ଆବେଗ ଉତ୍ସାହ ସବୁ କେଉଁଠି ଥାଏ? ରୁବେନ ଛିଞ୍ଚାଡ଼ିଲା ପରି ଉତ୍ତର ଦେଲା, "ସେ ସବୁ ଅଲଗା ଅଲଗା ଜାଗାରେ ସାଇତି ହୋଇ ଥାଏନା । ତମେ କଣ ଭାବୁଛ ରନ୍ଧାଘରେ ବିଭିନ୍ନ ଡବା ମାନଙ୍କରେ ଯେମିତି ଜିରା, ଧନିଆଁ, ଲୁଣ, ତେଲ, ଚିନି, ଚା ଥାଏ, ସେ ସବୁ ସେମିତି ଥାଏ ବୋଲି? ଆତ୍ମା ଫାତ୍ମା ସବୁ ଫାଲ୍ତୁ । ସବୁ କିଛି ଶରୀର । ହାଡ଼ରେ, ମୁଣ୍ଡରେ, ପେଟରେ, ଚେତନାରେ, ଭାବନାରେ ଯେଉଁଠି ଆଘାତ ହେଲେ ବି ଶରୀରକୁ ହିଁ କାଟେ । ଯନ୍ତ୍ରଣାମାନଙ୍କର ନାମକରଣ