ପୃଷ୍ଠା:Hada bagicha.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଛି ଉଚ୍ଚାରଣ କରି ନାହାନ୍ତି, କିଛି ସଙ୍କେତ ବା କିଛି ଇଂଗିତ ଦେଇ ନାହାନ୍ତି, ତମେ ସବୁ କାହିଁକି ଦଲାଲ ସାଜି ଲୋକଙ୍କୁ ବୋକା ବନାଉଛ? ଲୋକଙ୍କୁ ନିଜ ଜୀବନକୁ ନିଜେ ଗଢ଼ିବାର ଗୁରୁ ଦାୟୀତ୍ୱ ବହନ କରିବାକୁ ନଦେଇ ଆତ୍ମ ପ୍ରତାରଣା ଆଡ଼କୁ କାହିଁକି ଟାଣି ନେଉଛ? ରୁବେନ ଦେହରେ ହଠାତ ଦୁଇଟି ଗୁଳି ଆସି ବାଜିଲା ଓ ସେ ସେଠି ଟଳିପଡ଼ିଲା । ପୋଲିସ ତା ଶବକୁ ଡାକ୍ତରୀ ମାଇନା ପାଇଁ ପଠାଇଲେ ଏବଂ ଯେଉଁ ପିସ୍ତଲଟାକୁ ବ୍ୟାଜ୍ୟାପ୍ତ କଲେ ତାହାଥିଲା ଢୋ ଢା ଶବ୍ଦ କରୁଥିବା ଏକ ଖେଳନା ପିସ୍ତଲ । ଦି'ଦିନ ପରେ ଦେଖାଗଲା ସାତଟି ରଙ୍ଗୀନ ଅକ୍ଷରରେ ସଜାହୋଇଥିବା "ଚୁମ୍କି ଚା ଦୋକାନ' ର ବୋର୍ଡ ତଳେ ଗୋଟିଏ ଚୌକିରେ ବସି ଚୁମ୍କି ତା ଦୁଇଟି ଚାକର ଓ ଗରାଖଙ୍କ ଭିଡ଼ ଓ କପ୍ ପ୍ଳେଟରୁ ଟୁଂ ଟାଂ ଭିତରେ ହସ ହସ ମୁହଁରେ ମସଗୁଲ । ସେ ଦେଖା ଯାଉଥିଲା ସମୁଦ୍ର ମଂଥନ ଭିତରୁ ସଦ୍ୟ ଉଦ୍ଭାସିତ ଯେମିତି ମୋହିନୀ ଯିଏ ଅମୃତ ଓ ହଳାହଳ ଉଭୟ କଳସୀ ନେଇ ଲାସ୍ୟମୟୀ ।

ଇଶ୍ୱରଙ୍କ ଅନ୍ତର୍ଧ୍ୟାନର ମୁହୂର୍ତ ରାଜୁଲା ଦୀପ ଗତ ତିରିଶ ବର୍ଷ ଧରି ଶବ ଗୋଟାଇବା କାମରେ ଲାଗିଛନ୍ତି । କେବେ କେବେ ଗୃହପାଳିତ ପଶୁଙ୍କ ଶବ - କୁକୁର, ବିରାଡ଼ି, ଘୁଷୁରି, ଗାଈ ବଳଦ, - ଆଉ କେବେ କେବେ ମଣିଷଶବ । କେଉଁ ରାସ୍ତା କଡ଼ରେ, କେଉଁ ଷ୍ଟେସନ୍ରେ, ଭିକାରୀ ବସ୍ତିରେ କେହି ମରିଗଲେ ତାଙ୍କଯାଏ ଖବର ପହୁଞ୍ଚେ । ଶବ ଗୋଟାଇ ଶ୍ମଶାନଯାଏ ନିଅନ୍ତି । କେହି ବାବୁ ଭାୟା ବା ପୁଲିସ ବାବୁ ବା ମ୍ୟୁନିସିପାଲିଟିର କେହି ଯଦି ତାଙ୍କୁ କିଛି ସାହାଯ୍ୟ କରନ୍ତି ତେବେ କାମଟା ଶୀଘ୍ର ସାରି ଦିଅନ୍ତି । ପାଞ୍ଚଦଶ ଟଙ୍କା କିଛି ମିଳିବ କି ବୋଲି ମନେମନେ ଭାବୁ ଥାଆନ୍ତି । କେବେ ମିଳେ, ଆଉ କେବେକେବେ ଥାନାବାବୁ ଚିଟ୍ଟିଏ ଲେଖିଦିଅନ୍ତି । ତାକୁ ନେଇ ଭାଟିକୁ ଗଲେ ମଦବୋତଲଟିଏ ମାହାଳିଆରେ ଆଣି ଆସନ୍ତି । ସେତକ ତାଙ୍କର ପ୍ରାପ୍ୟ । ଏକଦା ମଦବୋତଲ ଆଣିଲେ ସିଧାଘରକୁ ଆସୁଥିଲେ । ନିଜ ସ୍ତ୍ରୀ ରଜନୀ ରାନୀଙ୍କ ସଙ୍ଗେ ମିଶି ପିଉଥିଲେ । ନିଶା ଲାଗିଲା ପରେ ବୋତଲକୁ ମୁଣ୍ଡଉପରେ ଥୋଇ ଗୀତଗାଇ ନାଚୁଥିଲେ । ସ୍ତ୍ରୀ ମନାକଲେ ଗାଳିଗୁଲଜ କରୁଥିଲେ । ରଜନୀ ରାନୀଙ୍କୁ ନିଶା ଲାଗିଲେ ସେ କଂସାବାସନ ସ୍ୱାମୀଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଫିଙ୍ଗୁଥିଲେ । ବାଡ଼ି ଠେଙ୍ଗା ନିଆଁଖୁଣ୍ଟା ଚଟୁଅନ୍କା ଯାହା ପାଇଲେ ତହିଁରେ ପିଟୁଥିଲେ । ଏମିତି ବାଡ଼ିଆପିଟା ଗାଳିଗୁଲଜରେ ଅଧରାତି ହେଲାପରେ ଦୁହେଁ ଉେତ୍ତଜିତ ହେଉଥିଲେ ଏବଂ ଅବିନ୍ୟସ୍ତ କେଶରାଶି ଓ ପୋଷାକପତ୍ର ଚିରାଫିଙ୍ଗା ମଧ୍ୟରେ ତଳେ ଗଡ଼ାଗଡ଼ି ହେଉଥିଲେ ।