ଶୁନଶାନ୍ । ରାସ୍ତା ମଝିରେ ଖାଲି ରାଜୁ ବୁଢ଼ା ଓ ତାଙ୍କ ଟ୍ରଲି ଓ ତାଙ୍କ ନିଦ ଓ ତାଙ୍କ ସ୍ୱପ୍ନ । ସେଠି ହିଁ ସେ ଶୋଇ ପଡିଲେ । ଭୋର ବେଳକୁ ଦି'ଚାରି ଜଣ ସେ ପାଖଦେଇ ଗଲାବେଳକୁ ବୁଢ଼ା ବୋଧହୁଏ ମରିଗଲାଣି ବୋଲି କୁହାକୁହି ହେଉଥିଲେ । ମାତ୍ର ସେମାନଙ୍କ ପାଦଶବ୍ଦ ଓ ଫିସ୍ ଫିସ୍ କଥାରେ ରାଜୁଲାର ପତଳା ନିଦ ଭାଙ୍ଗିଗଲା ଓ ସେ ଉଠିବା କ୍ଷଣି ଟ୍ରଲିକୁ ଠେଲି ଠେଲି ଚାଲିଲେ । ଚାରି କିଲୋମିଟର ବାଟ ଯିବାକୁ ଅଛି । ରାସ୍ତା ମଝିରେ ଗୋଟିଏ ପାଣିକଳରେ ମୁହଁଟା ଧୋଇବେ ବୋଲି ଭାବୁଥିଲେ, ମାତ୍ର କିଛି ସ୍ତ୍ରୀ ଲୋକଙ୍କୁ ଦେଖି ପାଖକୁ ଆଉ ଗଲେ ନାହିଁ । ନଳପାଣି ଗଡ଼ିଯାଇ ଜମାହୋଇ ଥିବା ପାଖ ଗାଡ଼ିଆରେ ମୁହଁ ଧୋଇନେଲେ । ମୁହଁରେ ପାଣିଲାଗି ସମୁଦାୟ ଦେହଟା ଉଶ୍ୱାସ ଲାଗିଲା । ଗୋଟେ ଥଣ୍ଡା ସ୍ରୋତ ବହିଗଲା ପାଦଯାଏ । ତାଙ୍କ ନିଶ ଓ ଭ୍ରୂଲତା ଭିଜିଯାଇ ଟାଆଁସ ଓ ଅବିନ୍ୟସ୍ତ ଦେଖା ଯାଉଥିଲା । ରାଜୁଲା ମନେ ମନେ କଣ ଭାବି ଟିକେ ହସି ପକାଇଲେ ଫିକ୍ କିନା ଓ ଶେଷ ହସର ଦୀପ୍ତିକୁ ଓଠ ଆଗରେ ଝୁଲାଇ ରଖି ଚାଲିଲେ । ମଝିରେ ମଝିରେ ସେ ଆଖି ବନ୍ଦ କରି ଦିଅନ୍ତି ଓ ସଙ୍ଗେ ସଙ୍ଗେ ତାଙ୍କୁ ସ୍ୱପ୍ନ ମାଡି ଆସେ । ତାଙ୍କ ଯୁବକ ବୟସରେ ଥରେ ମାବାପାଙ୍କ ସାଙ୍ଗରେ ଝଗଡ଼ା ଲାଗି ଘରୁ ପଳାଇ ଯାଇଥିଲେ । ଏଠି ସେଠି ଚାରିମାସ କାଳ ଭୋକରେ ଶୋଷରେ ବୁଲାବୁଲି କଲାପରେ ଗୋଟିଏ ରାଜ ପ୍ରାସାଦର ମୁଖ୍ୟ ଫାଟକରେ ଚୌକିଦାର ରୂପେ ଚାରିବର୍ଷ କାମ କରିଥିଲେ । ତାଙ୍କ ଜୀବନର ସେଇ ସମୟତକ ହେଉଛି ଏକ ମୋଡ଼ । ସେଠି ସେ ଶୋଇବା ଓ ସ୍ୱପ୍ନ ଦେଖିବା ଅଭ୍ୟାସ କରିଥିଲେ । ସେଠି ସେ ରଜନୀ ରାନୀଙ୍କୁ ପ୍ରଥମେ ଭେଟିଥିଲେ, ପ୍ରେମ କରିଥିଲେ, ଏକାଠି ରହିଥିଲେ । ତାଙ୍କୁ ଗୋଟିଏ ବନ୍ଧୁକ ଦିଆଯାଇଥିଲା ଓ ଖାକି ପୋଷାକ ସାରେ ଦିଆଯାଇଥିଲା । କମ୍ବଳ ଗୋଟେ ବି ଦିଆଯାଇଥିଲା । ତାହା ପାଞ୍ଚଜାଗାରେ କଣା ହେଲା ପରେ ବି ଏ ଯାଏଁ ଅଛି । ଆଗରୁ କମ୍ବଳଟି ପତଳାଥିଲା, ଏବେ ତହିଁରେ ପ୍ରଚୁର ଧୂଳି, ପୋକଜୋକ ଓଡ଼ଶ ଲାଗି ମୋଟା ହୋଇ ଯାଇଛି । ରାଜୁଲା ମଝିରେ ମଝିରେ ସେଇ ଓଡ଼ଶ ଓ ପୋକମାନଙ୍କ ସାଥିରେ କଥାବାର୍ତା ହୁଅନ୍ତି । "ରହ ରହ କୁଆଡ଼େ ଯାଉଛୁ? ମୋ ସାଙ୍ଗରେ ଲୁଚକାଳି ଖେଳୁଛୁ? ରହ, ଦେଖୁଛି ଏବେ ତୋତେ'- ଏତକ କହି କହି ଧରା ପଡିଲେ ମାରି ଦିଅନ୍ତି । ହାତର ରକ୍ତକୁ କମ୍ବଳରେ ପୋଛି ଦିଅନ୍ତି । "ମର୍ ମର୍ ମଲୁ? ତୁ ଆଉ ଗୋଟେ ବାହାରିଲୁ, ଶଳା ବଦମାସ, ମୋର ରକ୍ତ ଖାଇବୁ? ମୋତେ ଫଁ ଫଁ କରୁଛୁ? ଯା, କୁଆଡ଼େ ଯାଉଛୁ ଯା, ଯାଇ ଦେଖ୍, ପାରୁଛୁ ଯଦି ତୋ ଜୀବନକୁ ବଞ୍ଚାଇ ଦେଖ୍ ।' ସେ ଯଦି କୁଆଡ଼େ ହଜିଯାଏ, "ଆଜି ସିନା ବଞ୍ଚିଗଲୁ, କାଲି ଦେଖିବୁ' କହି କମ୍ବଳ ଘୋଡିହୋଇ ଶୋଇ ଯାଆନ୍ତି । ରାଜପ୍ରାସାଦରେ ତାଙ୍କ କାମଥିଲା କେହିଯଦି ରାଜାଙ୍କୁ ସାକ୍ଷାତ ପାଇଁ ଆସନ୍ତି ତେବେ ସେ ତାଙ୍କ ନାଁ ପଚାରିବେ ଓ "ଏବେ ସାକ୍ଷାତ ହୋଇ ପାରିବ ନାହିଁ, ରାଜା ବିଶ୍ରାମ କରୁଛନ୍ତି' ବୋଲି କହିବେ । ବେଶ ଏତିକି । କେହି ଯଦି ରାଜାଙ୍କୁ ନିଶ୍ଚେ ଭେଟିବ ବୋଲି ଜିଦିକରେ ତେବେ ବନ୍ଧୁକ ଏମିତି ଦେଖାନ୍ତି ଯେ ଲୋକେ ଫିକ୍ କିନା ହସି ଦିଅନ୍ତି ଓ ତାଙ୍କୁ ବନ୍ଧୁକ କେମିତି ଧରିବାକୁ ହୁଏ ଶିଖାନ୍ତି । ରାଜୁଲା ବି ହସି ଦିଅନ୍ତି । ମାତ୍ର କୌଣସି ଲୋକଙ୍କୁ ଛୁଇଁବାକୁ ଚେଷ୍ଟା କଲେ, ଲୋକେ ତାଙ୍କୁ ଗାଳି ଦେଇ ଫେରି ଯାଆନ୍ତି । ରାଜାଙ୍କୁ ସାକ୍ଷାତ ସେତିକିରେ ରୁହେ । ଚାରିବର୍ଷ କାଳ ଚୌକିଦାର ରହିଲା ମଧ୍ୟରେ ସେ ବନ୍ଧୁକର ଗୁଳି କେବେ ଦେଖି ନାହାନ୍ତି । ବନ୍ଧୁକର ଆଗ କେଉଁଟା ପଛ କେଉଁଟା, କେଉଁ ଅଂଶକୁ କଣ କୁହାଯାଏ ସେ ଜାଣି ନାହାନ୍ତି । ଅନେକ ସମୟରେ ବନ୍ଧୁକ ମୁନକୁ ତଳକୁ କରି ତା ବଟ୍ ଉପରେ ଗାଲକୁ ଥୋଇଦେଇ ଖୁବ ବେଳଯାଏ ଶୋଇ ପଡୁଥିଲେ ଠିଆ ଠିଆ । ଏମିତି ଶୋଇବା ଭିତରେ ଅବଶ୍ୟ ବିଲେଇ ଛୁଆଟିଏ ବି ତାଙ୍କ ଫାଟକ ଦେଇ ଭିତରକୁ ଯାଇ ପାରୁ ନ ଥିଲା । ଲୋକେ ଖାଲି ନିଜ ଜାତି ପଳେଇଯିବ ଭାବି ବନ୍ଧୁକଠାରୁ ବେଶି ରାଜୁଲାଙ୍କ ଜାତିକୁ ଭୟ କରୁଥିଲେ । ରାଜା ବି ଯେତେବେଳେ ତାଙ୍କୁ ତିନିଟଙ୍କା ଦରମା ଦେଉଥିଲେ ମାସ ଶେଷରେ, ଏକ ଫୁଟ ଉଚ୍ଚରୁ ତା ଆଞ୍ଜୁଳାକୁ ପକାଇ ଦେଉଥିଲେ । ନଚେତ ତଳେ ଫିଙ୍ଗି ଦେଉଥିଲେ ଓ ରାଜୁଲା ତାକୁ ଗୋଟାଇ ଆଣୁଥିଲେ । ଗୋଟାଇ ସାରିଲା ପରେ ହସି ହସି ଠିଆ ହୋଇ ରହୁଥିଲେ । ରାଜା ତାକୁ "ଯା' ବୋଲି କହିଲେ ଫେରୁଥିଲେ, ଅନ୍ୟଥା ନୁହେଁ । ତାଙ୍କୁ ବସିବା ପାଇଁ ଛୋଟ ବେଞ୍ଚ ଗୋଟିଏ ଦିଆଯାଇ ଥିଲା । ତାହା ବି କେତେ ବର୍ଷ ତଳର ପୁରୁଣା ବେଞ୍ଚଟିଏ । ତା' ଉପରେ ଆହୁରି ଚାରିବର୍ଷ କାଳ ବସିବା, ଶୋଇବା ମଧ୍ୟରେ ତାର କଣ୍ଟା ସବୁ ଖୋଲି ଯାଉଥିଲା । ରାଜୁଲା ତାକୁ ପଥରରେ ପିଟାପିଟି କରୁଥିଲେ । ବେଞ୍ଚର ଗୋଡ଼ ଓ ପଟାସବୁ ଫାଟି ଯାଇଥିଲା । ତାକୁ ଦଉଡିରେ ବାନ୍ଧି, ପଥରରେ ଛେଚି, କୌଣସି ଗଛର ଡାଳ ଯୋଡ଼ି, କାନ୍ଥରେ ଆଉଜାଇ ରଖୁଥିଲେ । ବସୁଥିଲେ ଓ ଶୋଉଥିଲେ ଅତି ସନ୍ତର୍ପଣରେ । ତଥାପି ଚାରିବର୍ଷ ମଧ୍ୟରେ ସେ ବସିବା ଓ ଶୋଇବା ଅବସ୍ଥାରେ ସମୁଦାୟ ଅଠର ଥର ତଳେ ପଡ଼ିଥିଲେ । ତାଙ୍କ ପେଣ୍ଟସାର୍ଟରେ କଣ୍ଟା ଲାଗି ଆଠଥର ଫାଟିଥିଲା । ବର୍ଷା ପାଣି ପଡ଼ି ପଟାସବୁ ଢେଉ ଢେଉକା ହୋଇଥିଲା ଏବଂ
ପୃଷ୍ଠା:Hada bagicha.pdf/୧୨୩
Appearance