ପୃଷ୍ଠା:Hada bagicha.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଥିଲାଗି ତାଙ୍କ ପିଠି ଓ ଅଣ୍ଟା ଅନବରତ ବଥାଉଥିଲା ଓ ଦଶଥର ଖଣ୍ଡିଆ ହୋଇ ରକ୍ତ ଝରିଥିଲା । କିନ୍ତୁ ସେ ବେଞ୍ଚକୁ ରାଜୁଲା ଖୁବ ଭଲ ପାଉଥିଲେ । ଖୁବ ଯତ୍ନ ନେଉଥିଲେ । ତା ସାଙ୍ଗରେ କଥାବାର୍ତା ହେଉଥିଲେ । ହସୁଥିଲେ । ତାଙ୍କ ଦୃଷ୍ଟିରେ ସବୁବେଳେ "ମୁଁ ଗଲାପରେ-ତୋ-ଅବସ୍ଥା-କଣ-ହେବରେ-ବେଞ୍ଚ?' ର ଭାବ । ଖୁବ୍ ସ୍ନେହଶୀଳ । ଖୁବ ଅନୁରାଗପୂର୍ଣ । ତାଙ୍କୁ ଦିଆଯାଇଥିବା ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହିତ ବି ସେ ଆବେଗପୂର୍ଣ ଭାବେ କଥା ହେଉଥିଲେ, "ତୁ ତ ମୋ ସାଙ୍ଗରେ ଏମିତି ଅଛୁ, ଯେମିତି, ଡାକ୍ତର ସମସ୍ତ ଦାନ୍ତ କାଢ଼ି ନେଇଥିବା ଗୋଟିଏ ବାଘ ।' ଏବଂ ନିଜେ କହିଥିବା ଢଙ୍ଗକୁ ମନେପକାଇ ହସି ଦିଅନ୍ତି । ବନ୍ଧୁକକୁ ସ୍ନେହରେ ଆଉଁସି ଦିଅନ୍ତି । ଏଇ ଚାକିରୀ କାଳ ଭିତରେ ସେ ରଜନୀ ରାନୀଙ୍କୁ ଭେଟିଥିଲେ । ରଜନୀ ରାନୀ ପ୍ରତିଦିନ ଏକ ନିର୍ଦିଷ୍ଟ ସମୟରେ ସକାଳବେଳା, ରାଜ ପ୍ରାସାଦର ଦକ୍ଷିଣ କୋଣର ସୀମା ପାର ହୋଇ ମୁଣ୍ଡରେ ଏକ ବାଲଟି ବୋହି ଯାଉଥିଲେ । ସେପଟେ ଜଙ୍ଗଲ ଥିଲା । ବହୁତ ଦିନ ଯିବା ଆସିବା ଦେଖିବାପରେ ଦିନେ ମୁହଁକୁ ମୁହଁ ଚାହିଁ ଉଭୟେ ହସିଥିଲେ,ଖୁବ ଦୂରରୁ । କିଛିଦିନ ପରେ ପାଖରୁ ହସିଥିଲେ । ଆଉ ଦୁଇ ଦିନ ପରେ ଗେଟ ପାଖରେ । ଆଉ ଦିନେ ପରେ ରାଜୁଲାଙ୍କ କୋଠରିରେ । ପର ମୁହୂର୍ତରେ ସେମାନେ ହସିଥିଲେ ଆଖିରେ ଓଠରେ ଦେହରେ, ଚର୍ମରେ ହାଡ଼ରେ ମାଂସରେ, ଫୁସ୍ ଫୁସ୍ରେ କଲିଜାରେ ଗର୍ଭାଶୟରେ, ଝାଳରେ-ରକ୍ତରେ-ରେତରେ, ସେମାନେ ହସିଥିଲେ ବି ପରସ୍ପରର ସ୍ୱପ୍ନରେ, ପରସ୍ପରର ନିରବତାରେ, ପରସ୍ପରର ଶବ୍ଦରେ, ପରେପରେ ସେମାନେ ହସିଥିଲେ ଧୂଆଁରେ କଳା ହୋଇଥିବା କାନ୍ଥକୁ ଦେଖି, କଳା ମକରାଜାଲକୁ ଦେଖି, ମୁଣ୍ଡରୁ ଉପୁଡ଼ି ଉଜୁଡ଼ି ଯାଇଥିବା ଫୁଲର ପରାଗରେଣୁ ଦେଖି, ଘର ସାରା ବିଛାଇ ହୋଇ ପଡ଼ିଥିବା ଉଲିଚୋପା, ଚାଉଳର ଅଗାଡ଼ି, ଫଟା କନ୍ଥାକନାକୁ ଦେଖି, ଓଡ଼ଶ ଦୌଡୁଥିବା କମ୍ବଳକୁ ଦେଖି, ବନ୍ଧୁକ ଦେଖି, ଭଙ୍ଗା ବେଞ୍ଚ ଦେଖି, ଫଟା ମସିଣା ଦେଖି, କାନ୍ଥରେ ଝୁଲା ହୋଇଥିବା ଅପରିଷ୍କାର ମୋଜା ଓ ଫାଟି ଆଁ କରିଥିବା ଯୋତା ଦେଖି, ସେମାନେ ହସିଥିଲେ ପ୍ରଚୁର । ଦୁଇଦିନ ପରେ ଯେତେ ବେଳେ ରାଜାଙ୍କ କାନକୁ ଖବର ଗଲା ସେଦିନ ରାଜା ନିଜେ ଡକାଇ, ଚାରି ଟଙ୍କା ତା ପାଖକୁ ଫିଙ୍ଗିଦେଇ, ସେଇ ଯାଗାଛାଡି ଚାଲିଯିବାକୁ ନିର୍ଦେଶ ଦେଇଥିଲେ ଓ ବନ୍ଧୁକଟି ନେଇ ଆସିବା ପାଇଁ ଲୋକ ପଠାଇ ଥିଲେ । ରାଜୁଲା ଓ ରଜନୀ ସେଦିନ ସେ ସହର ଛାଡି ଆସିବା ପାଇଁ ବାଧ୍ୟ ହୋଇଥିଲେ । ସେ ସବୁ ପ୍ରାୟ ଚାଳିଶବର୍ଷ ତଳର କଥା, ସ୍ୱପ୍ନର କଥା । ସକାଳ ତଥାପି ହୋଇ ନାହଁ । ବୁଢ଼ା ଆଖି ବନ୍ଦକରି ଶୋଇଶୋଇ ରାସ୍ତାରେ ଚାଲିଛନ୍ତି । ଟ୍ରଲିର ଚକ ଖୋଲି ଯିବାର "ଖଟାକ୍' ଶବ୍ଦରେ ସେ ଚମକି ପଡ଼ି ଚାହିଁଲେ । ଟ୍ରଲିକୁ ପଚାରିଲେ, "କଣ ହେଲା କିରେ? ପୁଣି ଭାଙ୍ଗିଗଲୁ? ତତେ ଆଉ କେତେ ସଜାଡ଼ିବି କହ? କେତେ କାଳ ଆଉ ମୁଁ ତତେ ପାଳିବି?' କହି କହି ପୁଣି ସଜାଡିବାରେ ଲାଗିଲେ । "ଆଜି ଗୋଟିଏ ଦିନ ପାଇଁ ଠିକ୍ ହୋଇଯା । କାଲିଠୁ ପୁଣି ପଡିଥିବୁ, ଶୋଇଥିବୁ । ଆଜି ଗୋଟିଏ ଦିନ ପାଇଁ ଠିକ୍ ହୋଇଯା । ମୁଁ ତତେ କେତେ ସାହାଯ୍ୟ ନ କରିଛି? ଆଜି ମୋତେ ଟିକେ ସାହାଯ୍ୟ କର । ନବେ ଦିନ ହେଲା ଗାଈଟିଏ ପାଇ ନଥିଲି । ତୁ ତ ଜାଣୁ ମୁଁ କେତେ ଦିନ ହେଲା ଖାଇ ନାହିଁ । ତୋତେ ଆଉ କେତେ ଖାଇବାକୁ ଦେଇ ପାରିବି? ବୁଢ଼ୀତ ଚାଲିଗଲା । ମୁଁ ବି ବୁଢ଼ା ହେଲିଣି । ତୁ ବି ବୁଢ଼ା ହେଲୁଣି । ଆମେ ବି ଧୀରେ ଧୀରେ ଯିବା । ଆଜି ଗୋଟିଏ ଦିନ ମୋତେ ସାହାଯ୍ୟ କର । ଗାଈଟାକୁ ମୋ ଘରକୁ ଆଣିଦେ । ଆଜି ଦିନକ ମୋତେ ସାହାଯ୍ୟ କର । ଆଜି ଦିନଟିଏ । ଆଉ ମୁଁ ତୋତେ କେବେ କଷ୍ଟ ଦେବି ନାହିଁ । ଏତେ ବେଳକୁ ବନ୍ଧା ସରିଲା, ଚକ ଗଡ଼ିଲା । ରାଜୁଲା ପୁଣି ଟ୍ରଲିକୁ ଠେଲି ଠେଲି ପଢ଼ିଆରୀ ବୁଢ଼ା ଘର ଅଗଣାରେ ପହଞ୍ଚିଲେ । ସୂର୍ଯ୍ୟୋଦୟ ହୋଇ ଆସୁଥିଲା । ଉଜ୍ଜଳ ଓ ପରିଷ୍କାର ଦେଖାଯାଉଥିଲା ଦଶଦିଗ । ସୁନାରଙ୍ଗର ଖରା ପଡ଼ିଆସୁଥିଲା ଗଛ ଉପରେ । ପଢ଼ିଆରୀ ବୁଢ଼ା ରାଜୁଲାକୁ ହାତଠାରି ବତାଇ ଦେଲେ ଘରର ବାରିପଟକୁ ଯିବାପାଇଁ । ପଛପଟ ଅଗଣାରେ ଚିତ୍ ହୋଇ ପଡ଼ିଛି ପ୍ରକାଣ୍ଡ ଗାଈଟି । ଗୋଟିଏ ଗୋଡ଼ ଟେକିଛି ଆକାଶ ମୁହାଁ । କଳା ରଙ୍ଗର ଗାଈ । ପେଟରେ ହାତୀର ଶୁଂଢପରି ଲମ୍ବିଯାଇଛି ଏକ ମୋଟା ଧଳାରଙ୍ଗର ଗାର । କପାଳରେ ଧୁସର ରଙ୍ଗର ଅକ୍ଟୋପସ୍ ପରି ଏକ ଛାପ । ରାଜୁଲା ଦୀପ ସାଧାରଣତଃ ଜୀବନ୍ତ ଲୋକଙ୍କ ସଙ୍ଗେ କମ୍ କଥା ହୁଅନ୍ତି । ମାତ୍ର ଶବମାନଙ୍କ ସଙ୍ଗେ ବା ଗଛଲତା ଓ ବିଭିନ୍ନ ବସ୍ତୁ, ଯେପରି ତାଙ୍କ କମ୍ବଳ, କମ୍ବଳର କୀଟ, ତାଙ୍କ ଜୋତା, ପୋଷାକ, ତାଙ୍କ ଟ୍ରଲି, ଘରର କାନ୍ଥ, କବାଟ, ମାଟି, ଗୋବର, ଭୂଇଁ, ଆକାଶ ସଙ୍ଗେ ଯଥେଷ୍ଟ କଥା ହୁଅନ୍ତି । ଏପରିକି ନିଜ ହାତ ସଙ୍ଗେ, ନିଜ ରକ୍ତ, ନିଜ ଘା, ନିଜ ପିଠି, ଅଣ୍ଟା ସଙ୍ଗେ ବି ଯଥେଷ୍ଟ କଥା ହୁଅନ୍ତି । ଏପରିକି ନିଜ ଦେହର ତାତିକୁ, ଜରକୁ କହନ୍ତି, "ଆଉ କେତେ ଦିନ ମୋତେ ଏମିତି ପକାଇ ରଖିବୁରେ ଜର? ଏମିତି ପଡ଼ିଥିବୁ ଯଦି ଖାଇବୁ କଣ? ଆଜି ସକାଳ ହେଲା ଭିତରେ ଯଦି ମୋ ଦେହ ଛାଡ଼ି