ତାହାଥିଲା ମୋର ପାଟି । ପାଟିରୁ ପ୍ରଥମେ କାନ୍ଦ ବାହାରିଲା । କାନ୍ଦରୁ ବର୍ଣ । ବର୍ଣରୁ ଶବ୍ଦ । ଶବ୍ଦରୁ ଅଗ୍ନି-ତେଜ-ଆଲୋକ । ପରେ ସୃଷ୍ଟି ହେଲା ଦୁଇଟି ଗର୍ତ, ଛୋଟଛୋଟ ଓ ଲଗାଲଗି । ତାହାଥିଲା ମୋର ନାକ । ନାକରୁ ନିଶ୍ୱାସ । ନିଶ୍ୱାସରୁ ମରୁତ । ମରୁତରୁ ଝଡ଼-ବାତ୍ୟା-ବଜ୍ର-ବିଦ୍ୟୁତ । ଦୁଇଟି ଅଂଶ ଧୀରେ ଧୀରେ ଉଠି ଠିଆହେଲା ବାହାରକୁ । ତାହା ଥିଲା ମୋର କାନ । କାନରେ ଶୁଣାଗଲା ଶବ୍ଦ-ସଙ୍ଗୀତ-ସିମ୍ଫୋନି । ସିମ୍ଫୋନିରୁ ସୃଷ୍ଟି ହେଲେ ସୌର ମଣ୍ଡଳ-ଗ୍ରହ-ଉପଗ୍ରହ-ତାରକା ପୁଞ୍ଜ । ପରେପରେ ମୋ ପ୍ରାହମ୍ରେ ଆଚ୍ଛାଦିତ ହେଲା ଏକ ଆବରଣ । ତାହାଥିଲା ମୋର ଚର୍ମ । ଚର୍ମରେ ସ୍ପର୍ଶ ଓ ତାର ସଙ୍କୋଚନ-ପ୍ରସାରଣ । ଚର୍ମରେ ସୃଷ୍ଟି ହେଲା ଲୋମ । ଲୋମରୁ ଗଛବୃଛ-ଜଙ୍ଗଲ-ବଗିଚା-ଫୁଲ-କଢ଼-ପରାଗରେଣୁ-ରଙ୍ଗ-ଗନ୍ଧ । ମୋ ପ୍ରାହମ୍ର ଛାତିଭିତରେ କିଛି ଗୋଟେ ଧକ୍ ଧକ୍ ହେଲା । ତାହାଥିଲା ମୋର ହୃତପିଣ୍ଡ-ହୃଦୟ । ଖୁବ୍ ଛୋଟ, ଖୁବ୍ ହାଲୁକା, ଖୁବ୍ ସୁନ୍ଦର, ଖୁବ୍ ସଫା । ହୃଦୟରୁ ସୃଷ୍ଟି ହେଲା ଜହ୍ନ-ଜହ୍ନରାତି-ତାରାଭର୍ତି ଆକାଶ-ପ୍ରତ୍ୟୁଷ-ପ୍ରଦୋଷ- ହିଲ୍ଳୋଳ-ତରଙ୍ଗ । ସୃଷ୍ଟି ହେଲା ବି ଏକ ଭଉଁରି, ତାହାଥିଲା ମୋର ନାଭି ମଣ୍ଡଳ । ନାଭି ମଣ୍ଡଳରେ ନାଭିରଜ୍ଜୁ । ନାଭିରଜ୍ଜୁ ଯାଇ ଛୁଇଁଲା ମାଟିକୁ-ଚେରକୁ-ମୃତ୍ୟୁକୁ-ଜୀବାଶ୍ମକୁ । ପ୍ରାହମ୍ ରେ ପୁଣି ସୃଷ୍ଟି ହେଲା ଏକ ଉଦ୍ଗତ ମାଂସଖଣ୍ଡ । ତାହା ଥିଲା ମୋର ପୁଞ୍ଜନନ । ତହିଁରୁ ଉଦ୍ଗତ ହେଲା ରେତ । ରେତରୁ ଜଳ । ଜଳରୁ ପୟୋଧି । ପୟୋଧିରୁ ପ୍ରଳୟ-ମେଘ-ବର୍ଷା-ବନ୍ୟା । ଶେଷରେ ସୃଷ୍ଟିହେଲା ଜୁଳୁଜୁଳିଆ ହଳେ ଆଖି । ଆଖିରୁ ଦୃଷ୍ଟି । ଦୃଷ୍ଟିରୁ ଦୃଶ୍ୟ । ଦୃଶ୍ୟରେ ଥିଲା କଳ୍ପଲୋକ-ସ୍ୱପ୍ନଲୋକ-ଆଲୋକ-ଅନ୍ଧାର-ବ୍ରହ୍ମାଣ୍ଡ । ମୁଁ ଏବେ ଏକ ପୂର୍ଣ୍ଣାଙ୍ଗ ଶିଶୁ । ଏ ଦୃଶ୍ୟ ଏବେ ଏକ ପୂର୍ଣ୍ଣାଙ୍ଗ ବିଶ୍ୱ । ଏକ ଅଲୌକିକ ବାସ୍ପ ପିଣ୍ଡୁଳା ଭିତରେ - ଏକ ଅଲୌକିକ ଗର୍ଭାଶୟ ଭିତରେ - ବୁନ୍ଦାଏ ରୁଧିର ଭିତରେ, ଅଣୁଟିଏ ରେତ ଭିତରେ, ପରମଅଣୁର ବୀଜଭିତରେ କେମିତି ଥିଲି ମୁଁ ? କେମିତି ଥିଲା ମୋର ପାଟି-ଆଖି-କାନ-ନାକ-ନାଭି ମଣ୍ଡଳ-ମୋ ପୁଞ୍ଜନନ? କେମିତି ଥିଲା ମୋର ବାକ୍-ଦୃଷ୍ଟି-ସ୍ପର୍ଶ-ଘ୍ରାଣ-ଶ୍ରବଣ? କେମିତି ଥିଲା ମୋର ବୁଭୁକ୍ଷା-ରୁରୁଦିକ୍ଷା-ରିରଂସା-ଜିଜ୍ଞାସା-ଜିଜୀବିଷା? କେମିତି ଥିଲା ମୋର ସଙ୍ଗ୍ୟାନ-ଅଗ୍ୟାନ-ବିଗ୍ୟାନ-ପ୍ରଗ୍ୟାନ? କେମିତି ଥିଲା ମୋର ସଙ୍କଳ୍ପ-କ୍ରତୁ-ଅସୁ-ଭାଷ-ଅଭିଳାଷ? କେମିତି ଥିଲା ମୋର ଆଁ-ହାଇ-କାନ୍ଦ-ପ୍ରାସ-ପରାସ? ବିନ୍ଦୁଏ ରେତ ଭିତରେ କେମିତି ଥିଲା ମୋର ଦେହର ଉଷ୍ଣ ପ୍ରସ୍ରବଣ, ମୋ ରକ୍ତ ପ୍ରବାହ, ମୋ ପ୍ରସ୍ରାବ ପ୍ରକ୍ଷାଳନ, ମୋର ପିତ୍ତ-ଶ୍ଲେଷ୍ମା-ଲାଳ-ଝାଳ-ଲୁହ? ବିନ୍ଦୁଏ ରେତ ଭିତରେ କେଉଁଠି କେମିତି ଲେଖାଥିଲା ମୋ ଜାତକ, ମୋ ନକ୍ଷତ୍ର, ମୋ ମାନଚିତ୍ର, ମୋର ଈଶ୍ୱର ବିଶ୍ୱାସ, ମୋର ଅନ୍ଧ ବିଶ୍ୱାସ?
ପୃଷ୍ଠା:Hada bagicha.pdf/୧୨୮
ଦେଖଣା