ବିନ୍ଦୁଏ ରେତ ଭିତରେ ମୋର ହାଡ଼-ଗୋଡ଼-ହାତ ଆକାଶକୁ ଯେଉଁ ନିରନ୍ତର ଲାତ ମାରୁଥିଲେ ଦେଖ ତାଙ୍କ ଦୁର୍ଦଶା ! ବିନ୍ଦୁଏ ରେତ ଭିତରେ ଯାକିଯୁକି ହୋଇ ମୋର ଲହୁ-ଲୁହ-ଲାଳ-ଝାଳ ଯେଉଁ ଝଡ଼ ପରି ଉଠୁଥିଲେ ଓ ପଡୁଥିଲେ ଦେଖ ତାଙ୍କ ଦୁର୍ଦଶା ! ସ୍ତନ୍ୟପାନ କରିବାର ଅଦମ୍ୟ ଇଚ୍ଛା, ଅବିଶ୍ରାନ୍ତ ଚେଷ୍ଟା ଓ ଦୁର୍ଦାନ୍ତ ଅଭିଳାଷ ମାନଙ୍କର ଦୁର୍ଦଶା ଦେଖ! ମୋର ତିନିମାସର ଜୀବନରେ ମୁଁ ଯେଉଁ ତିନିଥର ହସିଥିଲି ସେଇ ଦୁର୍ଭାଗା ହସ ମାନଙ୍କର ଦୁର୍ଦଶା ଦେଖ! ପାଞ୍ଚବଳଦ ଦାଉରେ ଅନନ୍ୟ ଏ ବଗିଚା ଯେଉଁ ଖିନ୍ ଭିନ୍ ତାଡ଼ିଉପାଡ଼ି ହେଉଥିଲା ସେଇ ସୂକ୍ଷ୍ମ ବଗିଚାର ଦୁର୍ଦଶା ଦେଖ! ବର୍ଣ ବଗିଚାଟି କେତେ ସୁନ୍ଦର ନ ଥିଲା ! ହାଡ଼ ମାନଙ୍କର ବାଡ଼, ଦୁଧିଆ ଚର୍ମ ଢାଙ୍କି ସବୁଜ ଘର, ସୁଷୁମ୍ନା ନାଡ଼ି-ଶିରା-ପ୍ରଶିରାର ଶିଆର, ଛୋଟ ଛୋଟ ମାଂସର ଟେଳା, ଶେଷରେ ଈଶ୍ୱର-ଅଙ୍କୁରକୁ ପ୍ରତୀକ୍ଷା କେତେ ସୁନ୍ଦର ଏକ ସ୍ୱପ୍ନ! ପାଳଭୂତ ମୁଦ୍ରାରେ ଈଶ୍ୱର-ଗଛ ହେବ । ଆଠ-ଦଶଟି ହାତର ଡାଳ ପ୍ରକାଶିବ । ଚୁଡ଼ି-କଙ୍କଣର ଫୁଲ ନାଦ-ପ୍ରତିନାଦ-ଅସ୍ତ୍ର-ଶସ୍ତ୍ରର ଫଳ କେତେ ସୁନ୍ଦର ଏକ ସବୁଜ-ଘର! କେତେ ସୁନ୍ଦର ଏକ ବର୍ଣ-ବଗିଚା । ହେଲେ ଏ ନିଆଁଗିଳା ଶଇତାନ କଣ ବଗିଚାକୁ ରଖାଇ ଦେଲା? ପାଞ୍ଚ ବଳଦକୁ ବଗିଚା ଭିତରକୁ ଠେଲିଦେଲା । ଦୃଷ୍ଟି-ଦ୍ୱାର, ସ୍ପର୍ଶ-ଦ୍ୱାର, ସ୍ୱାଦ-ଦ୍ୱାର, ଘ୍ରାଣ- ଦ୍ୱାର ଓ କାମ-ଦ୍ୱାର ବାଟେ ବଳଦସବୁ ଧଷେଇ ପସିଲେ, ବଗିଚାକୁ ଖିନ୍ ଭିନ୍ କରିଦେଲେ, ଖାଇଗଲେ, ଉତ୍ପାତ ହେଲେ, ମାଟିଉପାଡ଼ି, ଅଙ୍କୁର ସବୁକୁ ମାଡ଼ିଦଳି ଚକଟି ଦେଲେ । ମୋ ପାଟିବାଟେ ଖାଲି ଚିତ୍କାର କଲେ, ରଡ଼ି ଛାଡ଼ିଲେ, କାନ୍ଦିଲେ । ଖରାଜାଳି ଶୁଖାଇ ଦେଲେ ମୋର କ୍ଷୀର ସିଂଧୁ । ଉଜାଡ଼ି ଦେଲେ ସବୁଜ-ଘର । ମୋର ତିନିମାସର ଜୀବନକୁ ତିନିଘଣ୍ଟାର ଏକ ଚଳଚ୍ଚିତ୍ର କଲେ । ତିନିଘଣ୍ଟାର ଚଳଚ୍ଚିତ୍ରରେ ଏକମାତ୍ର ଦୃଶ୍ୟକୁ ଶଇତାନଗଣ ଉପଭୋଗ କରୁଥିଲେ । ମୋର କାନ୍ଦିବା ଦୃଶ୍ୟହିଁ ଥିଲା ସେମାନଙ୍କ ଉପଭୋଗ୍ୟ ସାମଗ୍ରୀ । ମୁଁ ଖାଲି କାନ୍ଦୁଥିଲି ତିନିଘଣ୍ଟାଯାଏ । ହାତଗୋଡ଼ ଆକାଶରେ ପିଟି ହେଉଥିଲା । ମେଘମାନଙ୍କ ଦେହରେ ଫାଟସୃଷ୍ଟି ହୋଇ ବିଦ୍ୟୁତ୍ର ଛିଟା ବହି ଯାଉଥିଲା, ପାଟି ଆଁ ହେଉଥିଲା । ଗ୍ରହ-ଗ୍ରହାଣୁପୁଞ୍ଜ ଇତସ୍ତତଃ ହୋଇ ଛିଟିକି ପଡୁଥିଲେ, ମୋ ନିଶ୍ୱାସ-ପ୍ରଶ୍ୱାସ-ଦୀର୍ଘଶ୍ୱାସ-ହ୍ରସ୍ୱଶ୍ୱାସରୁ ଘୂର୍ଣିବାତ୍ୟା, ମୋ ପ୍ରାଣ-ଅପାନ-ସମାନ-ଉଦାନ-ବ୍ୟାନରୁ ବଜ୍ର ଓ ବିଦ୍ୟୁତ୍, ଆଖି ଡିମା ଡିମା ହୋଇ ଲୁହର ବନ୍ୟା, ହାକୁଟି ଆସିଲେ ପାହାଡ଼ସବୁ ଖଣ୍ଡ ଖଣ୍ଡ । ଚଳଚ୍ଚିତ୍ର ଚାଲିଥିଲା, ଶଇତାନମାନେ ତାଳିପିଟି ହସୁଥିଲେ, ମଜାଉଡ଼ାଉଥିଲେ, କହୁଥିଲେ, "ନିଖୁଣ ଅଭିନୟ, ଭାରି ରୋମାଣ୍ଟିକ୍, ଭାରି ଏଡ୍ଭେଞ୍ଚରସ୍, ଖୁବ୍ ପଏଟିକ୍ ।'
ପୃଷ୍ଠା:Hada bagicha.pdf/୧୨୯
ଦେଖଣା