ପ୍ରଥମ ସୃଷ୍ଟ ଗଳ୍ପଟି ଶେଷ ହୋଇ ସାରିଥିଲା । ଏବେ ଆଉ ମୁଁ ନାହିଁ । ମୋର ସବୁ ସମ୍ଭାବନା, ସବୁ ଏସେନ୍ସ୍ ଏବେ ବାସ୍ପୀଭୂତ, ମୋର କାନ୍ଦିବା-ପଣ ଏବେ ଏକ ବସ୍ତୁ-ପଣ, ଏକ ଆର୍ବଜନା, ଥାକ ଥାକ ଭିତରେ ମୁଁ ଚଉତା ବି ଯାଇପାରିବି ନାହିଁ, ତେଣୁ ଛାଇମାନେ ଆସି ତାଙ୍କ ଶୀତଳପଣତରେ ମୋତେ ଢାଙ୍କି ଦେଲେ, ପବିତ୍ର ନର୍ଦମାରେ ପହଁରାଇ ଦେଲେ । ସେଠି ଇଟାମାନଙ୍କୁ କାନ୍ଦିବା ମନା । ତେଣୁ ମନେମନେ ସେମାନେ ଗୁଣୁଗୁଣାଉଥିଲେ କେବଳ, "ଆମେ ଇଟାରେ ଗଢ଼ା ମଣିଷମାନେ ଏବଂ ଆମକୁ ଖେଦି ଆଣୁଥିବା ଶଇତାନମାନେ ଯେପରି ପୂରୁଣା ପୋଷାକ ତ୍ୟାଗକରି ନୂଆପୋଷାକ ଧାରଣକରୁଁ, ସେପରି ତୁମର ଆଳୁବସ୍ତା-ସିଲାଇ-ଦେହ ତ୍ୟାଗକରି, ହେ ଆଦ୍ୟଶିଶୁ, ତୁମେ ନୂଆ ଦେହ ଧାରଣ କର । ତୁମ ପ୍ରାହମ୍କୁ ନା ଶସ୍ତ୍ର ନା ପାବକ ନା ଅପ୍ ନା ମରୁତ କେହିହେଲେ ଶୁଷ୍କ କରି ପାରିବେ ନାହିଁ । ତୁମେ ନିତ୍ୟ, ସର୍ବଗତ, ସ୍ଥିର, ତୁମେ ଅବିଚଳ, ସନାତନ, ଅକ୍ଷରାକାର, ତୁମେ ନିତ୍ୟ-ଜାତ, ନିତ୍ୟ-ମୃତ, ତୁମେ ଶାନ୍ତି, ଶାନ୍ତି, ଶାନ୍ତି ।' ଜଣେ ସ୍ୱପ୍ନ ଦେଖାଳିର ଦୁଃଖ କଥା ସ୍ୱପ୍ନ ଦେଖାଳି ଖୁବ ସ୍ୱପ୍ନ ଦେଖେ । ଏଇମାତ୍ର ତାର ସ୍ୱପ୍ନଟିଏ ଭାଙ୍ଗି ଯାଇଛି । ତେଣୁ ସେ ମନଦୁଃଖରେ ତା ଘର ଛାଡି, ଗାଁ ଛାଡି ଚାଲିଥାଏ ଅନ୍ୟଏକ ଗାଁକୁ । ଅନ୍ୟଏକ ସ୍ୱପ୍ନ ରାଇଜକୁ । ଗାଁ ବାହାରେ ରାଜପଥ କଡ଼େ କଡ଼େ ଚାଲିଥାଏ । ରାସ୍ତା କଡ଼ରେ କ୍ଷେତଖଳା ଚରାଭୂଇଁକୁ ଦେଖୁଥାଏ । ରାସ୍ତାରେ ତା ପାଖ ଦେଇ ଝଡ଼ ବେଗରେ ଚାଲିଗଲା ଘୋଡ଼ାଟିଏ । ଘୋଡ଼ାପିଠିରେ ଯୁବକଟିଏ । ଯୁବରାଜ ହୋଇଥିବ ପରା । ସୌମ୍ୟକାନ୍ତି ଯୁବକ । କଇଁଫୁଲ ପରି ଧୋବଫରଫର ଘୋଡ଼ା । ଚକ୍ ଚକ୍ ଶରୀର । ସ୍ୱାସ୍ଥ୍ୟବାନ ବପୁ । ଟପ୍ ଟପ୍ ଟପ୍ ଟପ୍ ଘୋଡ଼ା ଦୌଡୁଛି । ଜାଣ ଉଡ଼ିଯାଉଛି । ରାଜପଥ, ଲୋକବାକ, କ୍ଷେତଖଳା, ଜଗଂଲ ଡେଇଁ ଦିଗ୍ବଳୟରେ ମିଳେଇ ଯାଉଛି । ସ୍ୱପ୍ନ ଦେଖାଳି ପୁଣି ଏକ ସ୍ୱପ୍ନ ଦେଖିଲା । ତାର ଏମିତି ଏକ ଘୋଡ଼ା ହୁଅନ୍ତା । ନିଜେ ବି ସୁଦର୍ଶନ ଦେଖାଯାଉ ଥାଆନ୍ତା । ଘୋଡ଼ାଟିର ରଙ୍ଗ ଧଳା ହୁଅନ୍ତା । ନାଇଁ ନାଇଁ କଳା ହୁଅନ୍ତା । ନାଇଁ ନାଇଁ ଲାଲ ହୁଅନ୍ତା । ତାକୁ ଲାଲ ଘୋଡ଼ା ଭଲ ଲାଗେ । ଧଳା ରଙ୍ଗ ଖୁବ ବାଜେ, ଜଲ୍ଦି ମଇଳା ହୋଇଯାଏ । କଳା ରଙ୍ଗ ବି ଖୁବ ବାଜେ, ଭୁତ କି ଭାଲୁପରି ଦେଖାଯାଏ । ତେଣୁ ସେ ଲାଲ ରଙ୍ଗର ଘୋଡ଼ା ହିଁ ରଖିବ ।
ପୃଷ୍ଠା:Hada bagicha.pdf/୧୩୧
ଦେଖଣା