ଆସିଥିବା ବାଟରେ ଫେରିଲା । ସହର ବାହାରେ ଥିବା ତା ଭଙ୍ଗା କୁଡ଼ିଆକୁ ଗଲା । ପାଞ୍ଚ ଦିନ ଯାଏ ନିଆଁ ଜାଳି କଖାରୁକୁ ଉଷୁମାଇଲା । ନିଜେ ଭୋକ ଉପାଷରେ ପଛକେ ରହିଲା, ଘୋଡ଼ାପାଇଁ କୋଳଥ କିଣି ସାଇତିଲା । ମଝିରେ ମଝିରେ ସେ ପୁଆଳ ଉପରେ ହାତଦିଏ । ଉଷୁମ ହେଉଛି କି ନାଇଁ ତଦାରଖ କରେ । ପଞ୍ଚମଦିନ ସକାଳୁ ମେଘୁଆ ପାଗ କଲା । ମଝିରେ ମଝିରେ ଅସରାଏ ଲେଖାଁଏ ବର୍ଷା ହେଲା । ଅଗଣା ଦାଣ୍ଡ ଦୁଆରରେ ପାଣି ଗଡିଲା । ତା ଘର ଛାତରୁ ପାଣି ଗଳିଲା । ଚୂଲି ଭିତରେ ବି କିଛି କିଛି ପାଣି ପଡ଼ିଲା । ସେ ବ୍ୟସ୍ତ ହୋଇ ପଡ଼ିଲା । କଣ କରିବ? କେମିତି ଆଜି ଦିନକ ପାଇଁ କଖାରୁଟି ଉଷୁମାଇବ? ତା ସାଇତିଥିବା କାଠ ସବୁ ଓଦା ହୋଇଯାଉଛି । ସେ ଖୁବ୍ ଭାଲେଣିରେ ପଡିଲା । ହଠାତ୍ ସେଇଠୁ ଏକା ସେ ବାବାଙ୍କୁ ପ୍ରଣିପାତ କଲା ଏବଂ ଦଶଥର କାନଧରି ବସ୍ଉଠ୍ ହେଲା । ବାଡ଼ିଟିଏ ଆଣି ନିଜ ଗୋଡ଼ରେ ପିଟିହେଲା ଦି'ଥର । "ହେ ମହାତ୍ମା, ସବୁ ତୁମରି ଇଚ୍ଛା' ବୋଲି କହିଲା । ସତକୁ ସତ ଦି'ଘଣ୍ଟା ପରେ ବର୍ଷା ଛାଡ଼ିଯାଇ ଖରା ଦେଖାଇଲା । କାଠ ଚାରିଖଣ୍ଡ ନେଇ ଖରାରେ ଶୁଖାଇଲା । କିଛି ସମୟପରେ ଆଣି ଚୂଲିକୁ ଫୁଙ୍କି ଫୁଙ୍କି ନିଆଁ ଜଳାଇଲା । ପୁଆଳ ବନ୍ଧା କଖାରୁକୁ ଆଣି ନିଆଁର ଅତିପାଖରେ ରଖିଲା । ଭାବିଲା ଶୀଘ୍ର ଶୀଘ୍ର ଗରମ କରିବାକୁ ପଡ଼ିବ । ହଠାତ ପୁଆଳରେ ନିଆଁ ଲାଗିଗଲା । ହାତଲଗାଇ, ପାଣି ଛିଞ୍ଚି, ନିଆଁ ଲିଭାଇଲା ବେଳେ ତା ହାତଟା ବି ପୋଡିଗଲା ସାମାନ୍ୟ । ତାକୁ ଖୁବ କଷ୍ଟ ହେଲା । ତଥାପି ଶେଷଦିନର ଶେଷ ସମୟରେ ସେ ଖୁବ ଉତ୍ଫୁଲ୍ଲ ଥିଲା । ସୂର୍ଯ୍ୟାସ୍ତ ହୋଇ ଆସୁଥିଲା । ସୂର୍ଯ୍ୟାସ୍ତ ପରେ ଅନ୍ଧାର ହେବାରୁ ସେ ଏକ ନିର୍ଜନ କ୍ଷେତ ଆଡକୁ ଅଗ୍ରସର ହେଲା । କାନ୍ଧରେ ପାଣି କଖାରୁର ସାମାନ୍ୟ ବୋଝ । ଆଜି କଖାରୁଟି ଟିକେ ଓଜନିଆ ଜଣା ପଡୁଛି । ଘୋଡ଼ା ଛୁଆଟି ନିଶ୍ଚେ ଜନ୍ମ ହୋଇଥିବ । ତଥାପି ମନରେ ସନ୍ଦେହ । ତା ଭାଗ୍ୟ କେମିତି ଅଛି କେଜାଣି । ଏ ବର୍ଷାକୁ ବି ଆଜି ହିଁ ହେବାର ଥିଲା । ନିଆଁକୁ ଆଜି ହିଁ ଜଳିବାର ନ ଥିଲା । ପୁଆଳକୁ ଆଜି ହିଁ ପୋଡ଼ିବାର ଥିଲା । ପୁରା ଅନ୍ଧାର ହୋଇ ସାରିଥିଲା । କ୍ଷେତର ହିଡ଼ଟି ଠିକ ଭାବରେ ଦେଖାଯାଉନାଇଁ । ସେ ବେଶିବାଟ ଯିବ ନାଇଁ । ତଥାପି କଣ୍ଟା କେତୋଟି ମାଡ଼ି ସାରିଲାଣି । ଦୁଇଥର ତା ଗୋଡ଼ ଖସଡ଼ି ଗଲାଣି । କଖାରୁକୁ ଭଲଭାବେ ଚାପିକରି ଧରିଛି । ଆଉ ଟିକେବାଟ ହିଡ଼ ଉପର ଦେଇ ଯିବାପରେ ଗୋଟିଏ ଗୋଡ଼ କାଦୁଅର ହିଡ଼ ଉପରେ ପଡିଯିବାରୁ ସ୍ୱପ୍ନ ଦେଖାଳି ଦୁଲଦାଲ ଏକ ଖାଲ ଭିତରେ ପଡ଼ିଗଲା । ତା କଖାରୁଟି ଚାରିଫାଳ ହୋଇ ଛିଞ୍ଚାଡି ହୋଇ ପଡ଼ିଲା । ତା ଭିତରେ ଥିବା ପକ୍ଷୀରାଜ ଘୋଡ଼ାଛୁଆର ଅବସ୍ଥା କେମିତି ହୋଇଥିବ ଭାବି, ସେ ଭାରି ଚିଂତିତ ଓ ଦୁଃଖିତ ହୋଇପଡ଼ିଲା । ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଘୋଡ଼ା ଛୁଆଟିକୁ ଖୋଜୁଛି । ଦେଖିଲା କଣ ଗୋଟେ ଜନ୍ତୁ ଦୌଡି ଚାଲି ଯାଉଛି । ଜନ୍ତୁଟିର ଆଖି ଅନ୍ଧାରରେ ଦପ୍ ଦପ୍ ହୋଇ ଦୁଇଥର ଜଳି ଲିଭିଗଲା । ସ୍ୱପ୍ନ ଦେଖାଳି ଠିକ୍ ଧରି ପାରିଲା ତା ଘୋଡ଼ା ଛୁଆଟି ଖୁବ୍ ବେଗରେ ଦୌଡି ଚାଲିଯାଉଛି । ଅନ୍ଧାରରେ ସେ ବି ଜନ୍ତୁଟିର ପଛେ ପଛେ ଧାଇଁଲା । ଘଞ୍ଚ ଅନ୍ଧାର ଭିତରେ ଆଗରେ ଦେଖାଯାଉ ନ ଥିବା ଜନ୍ତୁ, ପଛରେ ଦେଖାଯାଉ ନ ଥିବା ସ୍ୱପ୍ନ ଦେଖାଳି । ଦୁହେଁ ପଡ଼ିଉଠି ଦୌଡୁଥିଲେ । ପ୍ରିୟ ପାଠକେ, ସ୍ୱପ୍ନ ଦେଖାଳିର କଥା ଏଠି ସରିଲା । କିନ୍ତୁ କଥାହେଉଛି, ଗାତଭିତରେ ଲୁଚିଥିବା ବିଲୁଆଟି ହିଁ ଦୌଡ଼ି ଚାଲି ଯାଉଥିଲା । ଏ କଥା ଆମେ ସ୍ୱପ୍ନ ଦେଖାଳିକୁ କହି ବି ପାରିବା ନାହିଁ । କାରଣ ଏତେ ଗାଢ଼ କଳା ଅନ୍ଧାର । ଆଗରେ କେହି ଦିଶୁ ନାହାନ୍ତି ।
ପୃଷ୍ଠା:Hada bagicha.pdf/୧୩୪
ଦେଖଣା