ପୃଷ୍ଠା:Hada bagicha.pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାହିତ୍ୟରେ ଶବ୍ଦ ଓ ଶୂନ୍ୟସ୍ଥାନ ପ୍ରତ୍ୟେକ ଭାଷାରେ କୌଣସି ଗୋଟିଏ ‘ବସ୍ତୁ’ର ନାମକରଣ ଏକାଧିକ ଶବ୍ଦରେ କରାଯାଇଥାଏ । ତାଛଡ଼ା ପୃଥିବୀରେ ଭାଷା ଯେତେ ବସ୍ତୁର ନାମ ବି ସେତେ । ତେଣୁ ଗୋଟିଏ ବସ୍ତୁ ପାଇଁ ହଜାର ନାମ ଥିବା ସମ୍ଭବ । ସେଥିପାଇଁ ବସ୍ତୁ ସଂଖ୍ୟା ଯେତେ, ଶବ୍ଦ ସଂଖ୍ୟା ତାଠାରୁ ଅନେକ ଗୁଣରେ ବେଶୀ । ଶବ୍ଦ ଅସଂଖ୍ୟ, ଅକଳନ୍ତି, ଅନିର୍ଣେୟ । ଶବ୍ଦ ଯାହାକୁ ରୂପାୟିତକରେ ତାହା ବାସ୍ତବତାର ସ୍ୱରୂପ । ତେଣୁ ବାସ୍ତବତା ଦୁଇଟି ବୋଲି କୁହାଯାଇପାରେ । ଗୋଟିଏ ଜିଉଁଥିବା ଜୀବନ, ଅନ୍ୟଟି ଭାଷାରେ ପ୍ରକାଶିତ ଜୀବନ । ମଣିଷ ଜିଉଁଥିବା ଜୀବନଟା ଭାଷାନୁହେଁ । ଯାହା ଲେଖିହୋଇଯାଏ ତାହା ଜୀବନନୁହେଁ । ତାହା ଶବ୍ଦ ମାତ୍ର । ଦୁହେଁ ଅଲଗା । ଦୁହେଁ ସ୍ୱତନ୍ତ୍ର, ସ୍ୱାଧୀନ ଓ ସାର୍ବଭୌମ । ମଣିଷ ଯଦିଓ ଭାଷାକୁ ଜନ୍ମ ଦେଇଛି, ରୂପ ଦେଇଛି, ବିଧିବିଧାନ ଦେଇଛି, ମାର୍ଜିତ କରାଇଛି । ତଥାପି ଭାଷା ପ୍ରତିମୁହୂର୍ତରେ ବିବର୍ତିତ, ମଣିଷ ପରି । ଭାଷାର ସ୍ଥିତି ଆପେକ୍ଷିକ, ମଣିଷ ପରି । ଭାଷାର ସତ୍ତା ବିଖଣ୍ଡିତ, ମଣିଷ ପରି । ଭାଷା ସବୁବେଳେ ଦୋଦୁଲ୍ୟମାନ, ମଣିଷ ପରି । ଶବ୍ଦ ମାନଙ୍କର ଅର୍ଥ, ଉପଅର୍ଥ, ବ୍ୟାକରଣ, ପ୍ରୟୋଗକୁ ନେଇ ଯେତେ ବିଧି ବିଧାନ କଲେ ମଧ୍ୟ, ଶବ୍ଦମାନେ ହୁଗୁଳିଯାଇ ଆହୁରି ଆଗକୁ ମାଡ଼ିଯାଆନ୍ତି, ବ୍ୟାପୀ ଯାଆନ୍ତି, କ୍ଷେପି ଯାଆନ୍ତି । ନଈପରି ବନ୍ୟାପରି । ଯେମିତି ତା ଦର୍ଶନ ଓ ମୂଲ୍ୟବୋଧ ଭିତରୁ ହୁଗୁଳିଯାଇ ଜଣେ ଏକଲା ମଣିଷ ବି ମାଡ଼ିଯାଏ ଆଗକୁ । ନଈପରି, ବନ୍ୟାପରି । ପର୍ବତ ପ୍ରମାଣେ ଲିଖିତ ପୁସ୍ତକଉପରେ ଲୋକଟିଏ ବସି କହିପାରେ, ‘ଏଥିରେ ଗୋଟିଏ ଧାଡ଼ିବି ମୋ ଜୀବନ ଦର୍ଶନଉପରେ ଲେଖାହୋଇନାହିଁ । ମୁଁ ଅଲଗା । ଏ ଲେଖା ସରିଥିବା ଦର୍ଶନ ଓ ମୂଲ୍ୟବୋଧ ଭିତରେ ମୁଁ ବନ୍ଧା ନୁହେଁ । ମୁଁ ଅଲଗା ।’ ସେ ଅଲଗା ମଣିଷ ସମ୍ପର୍କରେ ଅଲଗା ଭାଷାରେ ଲେଖିବାକୁପଡ଼େ । ଅଲଗା ଶବ୍ଦ, ଅଲଗା ବ୍ୟାକରଣ, ଅଲଗା ପରିତଳ ଖଞ୍ଜିବାକୁ ପଡ଼େ । ନଚେତ୍ ଅଲଗା ମଣିଷକୁ ଆୟତ୍ତକୁ ଅଣାଯାଇପାରେ ନାହିଁ । ଏ ଦୁଇ ପରିତଳର ଭାଷା ତାକୁ ବର୍ଣିବାପାଇଁ ଯଥେଷ୍ଟ ନୁହେଁ । ଆକୃତି, ଲକ୍ଷ୍ୟ, ରୂପ, ପରମ୍ପରା, ସଂହତିଥିବା ଶବ୍ଦ, ମୂଳ ବା ବାଡ଼ଥିବା ଶବ୍ଦ ଆଜିର ମଣିଷର ଜୀବନଜଞ୍ଜାଳକୁ ବ୍ୟାଖ୍ୟାକରିବାରେ ଅସମର୍ଥ । ତେଣୁ ଶବ୍ଦ ମାନଙ୍କରୁ ଏବେ ନିରାକାରପଣ, ଖଣ୍ଡିତରୂପ, ଅସଂହତି, ଅସଂଯୋଗ, ଛାଇଆଲୁଅର ଖେଳ, ବ୍ୟାକରଣ ବହିର୍ଭୁତ ପ୍ରୟୋଗ ଖୋଜିବାକୁପଡ଼େ । ଏପରି ଶବ୍ଦସବୁ ତିନି ପରିତଳ ବିଶିଷ୍ଟ । ନୃତ୍ୟରତ- ସେମାନେ ଅଙ୍ଗଭଙ୍ଗୀ କରନ୍ତି, ଦୃଶ୍ୟମାନ- ଆଖିଆଗରେ ଉଭାହୁଅନ୍ତି, ତରଙ୍ଗାୟିତ- ଧୂଆଁପରି ଭାସି ବୁଲନ୍ତି, ସାର୍ବଭୌମ- ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ବଜାୟରଖନ୍ତି, ସ୍ୱାଧୀନ- ଅନ୍ୟର ସ୍ୱାଧୀନତାକୁ ଅକ୍ଷୁଣ୍ଣରଖନ୍ତି । ଶବ୍ଦ ଏକ ପ୍ରଳୟ, ଯାହାର ସୌନ୍ଦର୍ଯ୍ୟ ଥାଏ, ଆତଙ୍କ ବି ଥାଏ । ଏପରି ଶବ୍ଦମାନଙ୍କୁ ଭୁଲିଯାଇ ହୁଏନା କି ମନେରଖି ହୁଏନା । ଭୁଲିଯିବାପାଇଁ ଆପ୍ରାଣ ଉଦ୍ୟମ କଲେ ଆହୁରି ଆହୁରି ମନେପଡ଼େ । ମନେରଖିବାପାଇଁ ଚେଷ୍ଟାକଲେ ପୁରା ପାଶୋରି ହୋଇଯାଏ । ପ୍ରତ୍ୟେକ ଶବ୍ଦ ଅନ୍ୟଶବ୍ଦ ସାଙ୍ଗରେ ଯୋଡ଼ିହୋଇଥାଏ । ଶୂନ୍ୟସ୍ଥାନ ମାଧ୍ୟମରେ । ଅଭିଧାନର ସବୁ ଶବ୍ଦ ଅନ୍ୟସବୁ ଶବ୍ଦ ସାଙ୍ଗରେ ନିଶ୍ଚୟ ଯୋଡ଼ି ହୋଇଥାଏ । ତେଣୁ କୌଣସି ଶବ୍ଦର ଅର୍ଥ ଖୋଜିବା ନିଷ୍ପ୍ରୟୋଜନ । ଅର୍ଥ ଶବ୍ଦରେ ଥାଏନାହିଁ । ବରଂ ଶୂନ୍ୟସ୍ଥାନରେ ଥାଏ । ଗୋଟିଏ ଶବ୍ଦର ଅର୍ଥ ମାନେ ଅନ୍ୟଏକ ଶବ୍ଦ । ପୁଣି ସେଇ ଶବ୍ଦର ଅର୍ଥ, ମାନେ ପୁଣି ଏକ ନୂଆ ଶବ୍ଦ । ପୁଣି ଅର୍ଥ, ପୁଣି ଶବ୍ଦ, ପୁଣି ଶବ୍ଦ, ଶବ୍ଦ, ଶବ୍ଦ, ଶବ୍ଦ । ଅର୍ଥ କେତେବେଳେ ବି ଆସେନା । ଶେଷରେ ବୃତ୍ତାକାର ପଥରେ ଘୁରିଘୁରି ସେଇ ମୂଳଶବ୍ଦକୁ ଫେରିବାକୁପଡ଼େ । ଯେଉଁଠୁ ଆରମ୍ଭ, ସେଇଠି ଶେଷ ।