ପୃଷ୍ଠା:Hada bagicha.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଗୋଚର

ଏଠି ଆମେ ‘ଜଳ’ ଶବ୍ଦର ଅର୍ଥ ଖୋଜିବା । ‘ଜଳ’ ପାଇଁ ଓଡ଼ିଆ ଭାଷାରେ ଆଉ ପାଞ୍ଚଟି ପ୍ରତିଶବ୍ଦ ଅଛି - ପାଣି, ବାରି, ନୀର, ସଲିଳ, ଅପ । ଏହିପରି ପୃଥିବୀର ଛ’ହଜାର ଭାଷାରେ ଜଳ ବସ୍ତୁଟିପାଇଁ ପ୍ରାୟ ଦଶହଜାର ପ୍ରତିଶବ୍ଦ ଥାଇପାରେ । ମାତ୍ର ପ୍ରତିଶବ୍ଦ ସବୁ ଅର୍ଥ ନୁହେଁ । ଅଭିଧାନରେ ଜଳର ଅର୍ଥ ଭାବରେ ଲେଖା ହୋଇଛି ଚାରୋଟି ଶବ୍ଦ । ଯଥା- ପାଣି, ଅଶ୍ରୁ, ଝୋଳ, ଶୀତଳ । ‘ପାଣି’ ଶବ୍ଦର ଅର୍ଥ ଲେଖାହୋଇଛି ଥଣ୍ଡା, ମୁହଁର ସରସ ଭାବ, ସମ୍ଭ୍ରମ, ହାତ, ଦୋକାନ, ହାଟ । ‘ଅଶ୍ରୁ’ର ଅର୍ଥ ଲେଖାହୋଇଛି ଲୁହ, ଲୋତକ, ନେତ୍ରଜଳ । ‘ଝୋଳ’ର ଅର୍ଥ ଅଣ, ସୁରୁଆ, କ୍ୱାଥ, ଅଗ୍ନିସିଦ୍ଧ ବସ୍ତୁର ନିର୍ଯ୍ୟାସ । ‘ଶୀତଳ’ର ଅର୍ଥ ପ୍ରାତଃସମୟରେ ଦେବତାଙ୍କୁ ଅର୍ପିତ ଲଘୁଭୋଗ, ଚନ୍ଦନ, ମୌକ୍ତିକ, ବେଣାଚେର, ଶୈଳେୟ, ତୃପ୍ତ, ଶାନ୍ତି, ସ୍ନିଗ୍ଧ, ଉଦ୍ବେଗ ରହିତ, ଉେତ୍ତଜନା ରହିତ, ସନ୍ତାପହର । ଏଇ ଚାରୋଟି ଶବ୍ଦ (ପାଣି, ଅଶ୍ରୁ, ଝୋଳ, ଶୀତଳ)ର ଅର୍ଥ ଖୋଜିବା ପରେ ପୁଣି ଯେଉଁ ଶବ୍ଦସମୂହ ବାହାରିଲା ସେସବୁର ଅର୍ଥ ଖୋଜିବାକୁ ପଡ଼ିବ । ତେବେ ଏହିପରି ମିଳିବ, ଯଥା- (ପାଣି) ଥଣ୍ଡା=ଶୀତଳ, ଶୀତଯୁକ୍ତ, ଶାନ୍ତଶିଷ୍ଟ, ଉେତ୍ତଜନାଶୂନ୍ୟ, ଉଷ୍ମତାହୀନ, ତୃପ୍ତ, ଉପଶମିତ, ଆରାମ । ସମ୍ଭ୍ରମ= ଲୟ, ସାଧ୍ୱସ, ସମ୍ମାନ, ସମାଦର, ଗୌରବ, ମର୍ଯ୍ୟାଦା, ମାନ୍ୟତା, ଭୟମିଶ୍ରିତ ଶ୍ରଦ୍ଧା, ସମ୍ମାନ ପ୍ରଦର୍ଶନପାଇଁ ବ୍ୟସ୍ତତା । ହାତ= ଦଖଲ, ଅଧିକାର, କ୍ଷମତା, ଦକ୍ଷତା, କୃତିତ୍ୱ, ଖେଳର ବାଜି । ଦୋକାନ= ପଣ୍ୟଶାଳା । ହାଟ=ବଜାର, ସମାବେଶ, ପ୍ରଘଟ, ପ୍ରଚାର, ରାଷ୍ଟ୍ର । (ଶୀତଳ) ଚନ୍ଦନ=କାଠ ବିଶେଷ, ଘୋରା ଚନ୍ଦନ, ଚାପରେ ଅସୀନ ଦେବତାଙ୍କ ଜଳକ୍ରୀଡ଼ା । ବେଣାଚେର= ଉଶୀର, ବେଣାମୂଳ, ଖସ୍ଖସ୍ । ଶୈଳେୟ=ପାଷାଣ ସଦୃଶ, ପର୍ବତଜାତ, ଶିଳାଜତୁ, ସିଂହ, ଭ୍ରମର । ତୃପ୍ତ= ଆପ୍ୟାୟିତ, ପୂର୍ଣ୍ଣକାମ, ପ୍ରସନ୍ନ । ଶାନ୍ତି= ଯୁଦ୍ଧହୀନ ଅବସ୍ଥା, ଶମଗୁଣ, ସ୍ଥିରତା, ଉଦ୍ବେଗରହିତ, ନିବୃତ୍ତି, ଉପଶମ, ଅବସାନ, କଲ୍ୟାଣ । ସ୍ନିଗ୍ଧ= ସ୍ନେହ, ସୁଖସ୍ପର୍ଶ, ମଧୁର, କୋମଳ, ଚିକ୍କଣ, ମସୃଣ, ମେଦୁର, ତୈଳଯୁକ୍ତ, ଭାତମଣ୍ଡ, ମହଣ, ତେଜ, ଦୁଧସର, ରକ୍ତ । ଏଥିରୁ ଜଣାପଡୁଛି ଜଳର ଅର୍ଥ ଯଦି ଚାରୋଟି, ସେଇ ଚାରୋଟି ଶବ୍ଦର ଅର୍ଥ ପୁଣି ତିରିଶଟି । ସେଇ ତିରିଶଟି ଶବ୍ଦର ଅର୍ଥ ପୁଣି ସତୁରିଟି । ଏଇ ସତୁରିଟିର ଅର୍ଥ ଖୋଜିଲେ ଚାରିଶହଟି ଶବ୍ଦ ବାହାରିପାରେ । ଚାରିଶହରୁ ପୁଣି ଚାରିହଜାର ଓ ତହିଁରୁ ପୁଣି ଚାଳିଶହଜାର ଏବଂ ଶେଷରେ ଅଭିଧାନଟି ସରିଯିବାର ସମ୍ଭାବନା ଅଛି । ଅର୍ଥାତ ‘ଜଳ’ ଶବ୍ଦଟି ଅଭିଧାନର ସବୁ ଶବ୍ଦ ସହିତ କୌଣସିପ୍ରକାରେ ହେଲେ ସମ୍ପର୍କିତ । ତେଣୁ ଉପସଂହାର ହେଲା ‘ଜଳ’ ଶବ୍ଦଟି କୌଣସି ଅର୍ଥ ପ୍ରକାଶ କରୁନାହିଁ । ତେବେ ଜଳକୁ କାହିଁକି ‘ଜଳ’ କୁହାଯାଏ? କାରଣ ଜଳ ଶବ୍ଦଟି ଯେଉଁ ଧ୍ୱନି ପ୍ରକାଶକରୁଛି ସେଇ ଅଭ୍ୟାସରେ ଆମେ ପଡିÿଯାଇଛୁଁ । ଶୁଣିବାର ଅଭ୍ୟାସ । ସେଇ ଧ୍ୱନିକୁ ହିଁ ଅର୍ଥ ପ୍ରଦାନ କରାଯାଇଛି । ଏ ବସ୍ତୁଟି ଅଳ, ଆଳ, କଳ, ଖଳ, ଗଳ ନୁହେଁ, ତେଣୁ ଜଳ । ଏହା ଚଳ, ଛଳ, ପଳ ବା ଫଳ ନୁହେଁ, ତେଣୁ ଜଳ । ଏହା ନଳ, ବଳ, ମଳ ବା ହଳ ନୁହେଁ, ତେଣୁ ଜଳ । କେବଳ ଉଚ୍ଚାରଣ ଗତ ପାର୍ଥକ୍ୟରେ ଏହା ଜଳ । ଏହା ଜଳଦ ନୁହେଁ, ଜଳଧି ନୁହେଁ, ଜଳଜ ନୁହେଁ, ଜଳକା ନୁହେଁ, ଜଳାଂକ ନୁହେଁ, ଜଳତ୍ରା ନୁହେଁ, ତେଣୁ ଜଳ । ଏହା ଜଳଚର ବା ଜଳଛତ୍ର ନୁହେଁ, ଜଳପଥ ବା ଜଳଯାନ ନୁହେଁ, ଜଳଧର ବା ଜଳହସ୍ତୀ ନୁହେଁ, ଜଳାତଙ୍କ ବା ଜଳାଂଜଳି ନୁହେଁ, ତେଣୁ ଜଳ ।