Jump to content

ପୃଷ୍ଠା:Hada bagicha.pdf/୧୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯଦି ଶିଖରକୁ ଛୁଇଁଛି, ଅନ୍ୟଜଣକର ସାହିତ୍ୟକୃତି ହାତେ ବି ଉପରକୁ ଉଠିପାରି ନାହିଁ- ଏପରି ଭାବରେ ସାହିତ୍ୟ ତୁଳନୀୟ ନୁହେଁ । ସାହିତ୍ୟରେ ଶିଖର ବୋଲି କିଛି ଥାଏନାହିଁ । ବରଂ ‘ସାହିତ୍ୟ ହିଁ ଶିଖର’ ବୋଲି କୁହାଯାଇପାରେ । ଜଣେ ଯେହେତୁ ଅନ୍ୟପରି ନୁହେଁ, ତେଣୁ ସେ ଅନ୍ୟଠାରୁ ଭିନ୍ନ, ସମାନ୍ତରାଳ ଭାବରେ । ସେପରି ବି ସାହିତ୍ୟରେ ପ୍ରାଚ୍ୟ ସାହିତ୍ୟ, ପାଶ୍ଚାତ୍ୟ ସାହିତ୍ୟର ସଞ୍ଜ୍ଞା ମଧ୍ୟ ଅବାନ୍ତର । ଉତ୍ତରମେରୁ ସାହିତ୍ୟ ବା ଦକ୍ଷିଣମେରୁ ସାହିତ୍ୟ ବୋଲି କିଛି ଥାଏ କି? ତେଣୁ ‘ସିଏ ତ ପୁରୁଣା ହେଲେ, ଏବେ କିଏ ଆସିଲେ’? ‘ଚେତନା ସ୍ରୋତ’ ଗଲା, ‘ମେଜିକ୍ ରିଆଲିଟି’ ଗଲା, ‘ଅସ୍ତିତ୍ୱ ବାଦ’ ଗଲା, ଏବେ କଣ ଆସିଲା? ‘ଗ୍ରାମ ପଥ' ବା ‘ଛୋଟ ମୋର ଗାଁଟି’ କବିତା ଦୁଇଟି କେଉଁ ଗାଁ କୁ ଦେଖି ଲେଖାହୋଇଛି? "ବୁଢ଼ାଲୋକ ଓ ସମୁଦ୍ର' ପୁସ୍ତକର ଚରିତ୍ର ‘ସେଣ୍ଟିଆଗୋ’ କାହାକୁ ଦେଖି ଲେଖାହୋଇଛି? ମାର୍କ୍ୱିଜଙ୍କ ‘ମାକାଣ୍ଡୋ’ ଗ୍ରାମକୁ କେଉଁଠି ଖୋଜିଲେ ମିଳିବ?' "ଏସବୁ ଦର୍ଶନ ତ ଆମ ଭାଗବତରେ କେବେଠୁଅଛି, ଆମ ଉପନିଷଦ୍‌‌ରେ କେବେଠୁଅଛି, ଏମାନେ କଣ ଲେଖୁଛନ୍ତି?' ଏପରି ସାଂବାଦିକ ସୁଲଭ ପ୍ରଶ୍ନ, ମନ୍ତବ୍ୟ ଓ କୌତୁହଳ ସବୁସମୟରେ ଅବାନ୍ତର ଓ ନିରର୍ଥକ । ବେଳେବେଳେ ଏହା ହୀନମନ୍ୟତାର ସୂଚନା ଦିଏ । ସାହିତ୍ୟକୁ ଏମିତି ଦୟନୀୟ ଭାବରେ ଖଣ୍ଡବିଖଣ୍ଡ କରାଯାଇ ପାରେନା । ଏହା ଅସମ୍ଭବ । ବାସ୍ତବ ଜଗତରେ ଗୋଟିଏ ଚରିତ୍ରକୁ ବା ଗୋଟିଏ ପରିବେଶକୁ ଆବିଷ୍କାର କରାଯାଏ । ମାତ୍ର ସାହିତ୍ୟ ଜଗତରେ ଚରିତ୍ରଟି ବା ପରିବେଶଟି ଉଦ୍ଭାବିତ ହୋଇଥାଏ, ଆବିଷ୍କାର ନୁହେଁ । ଲେଖକର ନିଜସ୍ୱ ଶବ୍ଦ, ନିଜସ୍ୱ ପ୍ରୟୋଗ, ଅଣଆଭିଧାନିକ ଅର୍ଥ, ଭାବଜଗତ ଓ ଦୃଷ୍ଟିକୋଣ ତଥା ଦୁଇଟି ଶବ୍ଦ ମଝିରେ ଥିବା ଶୂନ୍ୟସ୍ଥାନ ଚରିତ୍ରକୁ ବାନ୍ଧି ରଖିଥାଏ ଓ ଗଢ଼େ । ଗୋଟିଏ ଶେଯଭିତରେ ଗୋଟିଏ ପରିବାର ଶୋଇଲାପରି ଶବ୍ଦ ସବୁ ପରସ୍ପରକୁ ଜାବୁଡ଼ିଧରି ନିଜ ଉଷୁମତାରେ ନିଜେ କୁରୁଳି ଉଠୁଥାନ୍ତି । ଚାରିଧାଡ଼ିର ଗଳ୍ପହେଉ ବା ଚାରିଶହ ଧାଡ଼ିର ଗଳ୍ପହେଉ ସମୁଦାୟ ଗଳ୍ପଟି ଗୋଟିଏ ୟୁନିଟ । ପାଠକକୁ ଗୋଟିଏ ନିଶ୍ୱାସରେ ଆଘ୍ରାଣ କରିବାକୁପଡ଼େ । ଗଳ୍ପ ପାଠକକୁ ଚହଲାଇ ଦେବାପରି ଏକ ଉପସ୍ଥାପନା ମାତ୍ର । ଗଳ୍ପ ଏକ ଫିନାଲି ।

ଜହ୍ନ ଓ ତାର ଜ୍ୟୋତ୍ସ୍ନା କଥା ଝିଅଟିର ବାହାଘର ହେଲା ଖୁବ୍ ଜାକ୍ଜମକରେ ବାରବାଟି ତେଜପତ୍ରରେ ଛାଉଣି ହେଲା ଜାମୁଡାଳରେ ଖନ୍ଦାଶାଳ ହେଲା, ଆମ୍ବ ବଣର ଛାଇରେ ପୁଆଳର ବିଛଣା ହେଲା, ପାଞ୍ଚ ପଚିଶ ଗାଁକୁ ଗୁଆ ହଳଦି ଗଲା କୁଆ-ବଗ-ପାରା-ଚଟିଆ ମିଶି ଧାନ କୁଟିଲେ, କୁକୁର ବିଲେଇ ମିଶି ମାଛ-ଚିଙ୍ଗୁଡ଼ି ବାଛିଲେ, ବେଙ୍ଗ-ବଗ-ବାଦୁଡ଼ି ମିଶି ହୁଳହୁଳି ଦେଲେ, ହଂସ-ବତକ-କୁକୁଡ଼ା ଛୁଆ ସବୁ ମୁରୁଜ ଆଙ୍କିଲେ, ଦୀପରୁଖା ସବୁ ଜଳି ଉଠିଲେ, ଦୁଲି-ସିକା-ଅଡ଼ା ସବୁ ଦୋହଳି ଉଠିଲେ, ଶଂଖ-ମହୁରି-ଢୋଲ-ମାଦଳ ସବୁ ନିନାଦିତ ହେଲେ, ଆକାଶରେ ଘାସ ଗଜୁରିଲେ, ମର୍ତ୍ୟରେ ତାରା ଫୁଟିଲେ, ଧୁମ୍‌‌ଧାମ୍ରେ ବାହାଘର ହେଲା । ଝିଅଟି ବୋହୂ ହୋଇ ଗୋଟେ ନୂଆ ଘରକୁ ଆସିଲା, ଘରତ ନୁହେଁ ସାକ୍ଷାତ ଚିତ୍ରପଟ,