ସଭିଏଁ
କାନ୍ଥକବାଟରେ ମୁରୁଜ, ଦୁଆର ଝରକାରେ ମୁରୁଜ, ହାଣ୍ଡିମାଠିଆ କଂସା ପିତ୍ତଳରେ ମୁରୁଜ, ଖଟ-ଖଟୁଲି-ଭୁଗା-ଭୁଗୁଲି-କୁଲା-କୁଲେଇରେ ମୁରୁଜ, ଦେହରେ ଦର୍ପଣରେ ମୁରୁଜ, ହସରେ ସ୍ୱପ୍ନରେ ମୁରୁଜ, ଶାଢ଼ି-ଚୁଡ଼ି-ପାଦ-ପାଉଁଜିରେ ମୁରୁଜ, ବୋହୂଟି ନିଜେ ଏକ ମୁରୁଜ । ତା ପାଦର ଝୋଟିରେ ସଭିଏ ପାଦ ଥାପିଲେ, ତା ହସରେ ସଭିଏ ସଙ୍କ୍ରମିତ ହେଲେ, ତା କଥାରେ ସଭିଏ ପ୍ରତିଧ୍ୱନିତ ହେଲେ, ଆପତ୍ତି ବା ଅଭିଯୋଗ କାହାରି କିଛି ନଥିଲା, ସଭିଙ୍କୁ ଆରିସା ଓ ଆଲ୍ବମ୍ ଦିଆଗଲା, ସ୍ୱାମୀକୁ ସାତତିଅଣ ଦଶଭଜା ଦିଆଗଲା, ଅତିଥି ଅଭ୍ୟାଗତଂକୁ ଆଠ ତିଅଣ ଏଗାରଭଜା ଦିଆଗଲା, ଏବେ ସଭିଙ୍କ ହାଇ-ହାକୁଟି, ଘୁମ-ଘୁଙ୍ଗୁଡ଼ିରେ ଠାଣି । ଘରେ ନଣନ୍ଦ-ଦିଅର ଓ ତାଙ୍କ ସାଙ୍ଗ ମିଶି ଦଶଜଣ, ଶାଶୁ-ଶ୍ୱଶୁର ଓ ତାଙ୍କ ସାଙ୍ଗ ମିଶି ବାରଜଣ, ଚାକର-ହଳିଆ ଓ ତାଙ୍କ ସାଙ୍ଗ ମିଶି କୋଡ଼ିଏ ଜଣ, ପାଖପଡ଼ୋଶୀ ଓ ତାଙ୍କ ସାଙ୍ଗ ମିଶି ସବୁ ଗାଁବାଲେ, ଗାଈବାଛୁରୀ-କୁକୁର-ବିଲେଇ-ପାରାକୁକୁଡ଼ା ଓ ତାଙ୍କ ସାଙ୍ଗ ଚଢ଼େଇ ମିଶି ଅକଳନ୍ତି, ସଭିଏ ହସନ୍ତି-ଉଡ଼ନ୍ତି-ଚରନ୍ତି ଓ ଆଖି ତରାଟ ମାରନ୍ତି । ବୋହୂ ନଣନ୍ଦ ମାନଙ୍କୁ ଡାକେ, ପାଖରେ ବସାଏ, ହସ ଓ ମହକ ଦିଏ ଓ କହେ, ଖାଲି ଖାଲି ବସନା, ଦୋଳି ଖେଳ, ପଦ୍ୟାଂଶ ଗାଅ, ମେଘ ଦେଖ, ପକ୍ଷୀ ଦେଖ, କବିତା ଲେଖ, କୁନ୍ତଳା କୁମାରୀ ହୁଅ, ସରୋଜିନୀ ନାଇଡୁ ହୁଅ । ଦିଅରମାନଙ୍କୁ କହେ, ‘ପାହାଡ଼ ଚଢ଼, ପାକ୍ ପ୍ରଣାଳୀକୁ ପହଁରି ପାରି ହୁଅ, ବରଫ ଦେଶରେ ଇଗ୍ଲୁ ତିଆରି କର, ମରୁବାଲିରେ ବେଦୁଇନ ହୁଅ, ପିଠିରେ ଡେଣା ଲଗାଇ ଉଡ଼ିବା ଶିଖ, ଅକ୍ଷର-ବନାନ-ମାତ୍ରା-ଫଳାମାନଙ୍କ ସାଙ୍ଗରେ ଲୁଚକାଳି ଖେଳ ।’ ଚାକର-ହଳିଆମାନଙ୍କୁ କହେ, "ହଳନେଇ ତୁମେ ସବୁ କ୍ଷେତରେ ପହଁରି ଯାଅ, ପହଁରି ଆସ, ମାଟି ଓ ମଞ୍ଜି ସାଥୀରେ ଚୋର-ପୋଲିସ ଖେଳରେ ମସଗୁଲ୍ ହୁଅ, ଗୁହାଳରୁ ଘରଯାଏ କେନାଲ ଖୋଳ, କେନାଲରେ କ୍ଷୀର ଛାଡ଼, କ୍ଷୀରରେ କାଗଜ ଡଙ୍ଗା ଭସାଅ, ଡଙ୍ଗାରେ ସର, ଲହୁଣୀ, ଘିଅ, ଛେନା ରପ୍ତାନି କର, ଅଗଣାରେ କୁଆ-ପାରା-ଚଟିଆ କୁକୁର-ବିରାଡ଼ି-ମୂଷା ଓ ମିଟୁ ମାନଙ୍କୁ ଏକାସାଙ୍ଗର ଦାନା ଦିଅ, ସେମାନଙ୍କ କିଚିରିମିଚିର ଭୋ-ଭା କୁ ଉପଭୋଗ କର ।’ ଶାଶୁଙ୍କୁ କହେ, ‘ତୁମେ ଗୀତା-ଭାଗବତ ପଢ଼ିବା ସଙ୍ଗେ ସଙ୍ଗେ ତପସ୍ୱିନୀ, ପ୍ରଣୟବଲ୍ଲରୀ ବି ପଢ଼, କଲରା ଓ କଲରା ଶାଗ ବି ଖାଅ ।’ ଶ୍ୱଶୁରଙ୍କୁ କହେ, ‘ଗୁଡ଼ାଖୁ କରିବା ଓ ଭାଂଗ ଖାଇବା ସଙ୍ଗେ ସଙ୍ଗେ ପୋଖରୀରେ ପହଁରି ଆସ ଓ ରେଗୋବେଟା ମେଞ୍ଚୁ ପଢ଼ ।' ଏମିତି ଶବ୍ଦ କେହି କେବେ ଶୁଣି ନଥିଲେ, ଏମିତି ଉଚ୍ଚାରଣ କେହି କେବେ କରି ନଥିଲେ । ‘ଓଁ’ ଧ୍ୱନି ବି କାହାକୁ ଏତେ ନରମ ଲାଗି ନଥିଲା । ଘରସାରା-ଅଗଣା ସାରା ରଙ୍ଗୀନ କୁକୁଡ଼ା ଛୁଆ ସବୁ ସାଲୁବାଲୁ ହେଉଥିଲେ, କୁନିକୁନି ଡେଣା ସବୁକୁ ଫଡ଼୍ଫାଡ଼୍ କରିବାର ଚେଷ୍ଟାରେ ଅହରହ ଲାଗି ରହୁଥିଲେ ।ସଭିଏ