ପୃଷ୍ଠା:Hada bagicha.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିନେ ଅଗଣା ସାରା, ଘରବାରି ଛାତ ଚଟାଣ ସାରା ଖାଲି ଘର ଚଟିଆରେ ଭର୍ତି ହୋଇଗଲା, ଠିଆ ହେବା ପାଇଁ ଚଟାଣ ଉପରେ ଥାନ ନାଇଁ, ଉଡ଼ିବା ପାଇଁ ଛାତ ତଳେ ଆକାଶ ନାଇଁ, କଥା କଣ? କୁଆଡୁ ଆସିଲେ ଏତେ ଘର ଚଟିଆ? କାହିଁକି ଆସିଲେ? କଣ ତାଙ୍କର ଦାବି? ସୋରିଷ ଚାଉଳ ଯାହା ପକାଇଲେ ଖାଉ ନାହାନ୍ତି । ପର ଝାଡ଼ି ଦେଉଛନ୍ତି, କିଚରି୍ ମିଚିରି ହେଉଛନ୍ତି, ଖେଦିଲେ ଯାଉ ନାହାନ୍ତି. ଘଣ୍ଟ ବଜାଅ, ଶଂଖ ବଜାଅ, ପାଳଭୂତ ଆଣି ଡରାଅ, ଯାହାକଲେ ବି ସେମାନେ ଡରୁ ନାହାନ୍ତି । ସେ ତାହାର ସେ ତାହାର ମୁହଁକୁ ଚାହିଁ ଖାଲି ହସୁଛନ୍ତି । ଘର ଚଟିଆ ସବୁ ସାତଦିନ ଯାଏ ଏମିତି ଅଗଣାରେ, ଛାତରେ, ଗଛରେ, ଘର ଭିତରେ, ପଲଙ୍କରେ, ଟେବୁଲ୍ ଚୌକିରେ, କବାଟ ଝରକାରେ, ଆଲମାରି ଉପରେ, ଖଳାରେ, ଗୁହାଳରେ ସବୁଠି ବସି ରହିଲେ, ଆଖପାଖ ଗାଁ ଲୋକେ ବି ଭୟ ପାଇଗଲେ, କଣ ଦୁର୍ଦିନ ମାଡ଼ି ଆସୁଛି ଭାବି ଶୋଇପାରିଲେ ନାଇଁ, ଖାଇପାରିଲେ ନାଇଁ, ଶାଶୁ ଶ୍ୱଶୁର ନଣନ୍ଦ ଦିଅର ଚାକର ହଳିଆ ଗାଈ ବଳଦ କୁକୁର ବିଲେଇ ସବୁ ଛିନ୍ନଛତ୍ର ହୋଇ କୁଆଡ଼େ କୁଆଡ଼େ ପଳାଇଲେ । ଗାଁଟି ପୁରା ଜନଶୂନ୍ୟ ହୋଇଗଲା, ସବୁଠି ଖାଲି ଚଟିଆ ଚଟିଆ ଆଉ ଚଟିଆ । ସ୍ୱାମୀ ସ୍ତ୍ରୀ ଦୁହେଁ ଯାହା ଖାଇବାକୁ ଦେଲେ ଖାଉ ନାହାନ୍ତି, ଯାହା ବୁଝାଇଲେ ବୁଝୁ ନାହାନ୍ତି, ପଚାରିଲେ କିଛି କହୁ ନାହାନ୍ତି, ଘରେ ଚାଉଳ ସୋରିଷ ମୁଗବିରି ଯାହାଥିଲା ସବୁ ବିଞ୍ଛାଗଲା, ଆଉ ଦାନା କନା କିଛି ନାହିଁ, ଲୋକବାକ ଆଉ କେହି ନାହାନ୍ତି, ଅଧା ହାତ, ଅଧା ଗୋଡ଼, ଅଧା କିଡ୍ନି, ଅଧା ରକ୍ତ ଆଉ ନାହିଁ, ଅଧା ଆଖି, ଅଧା ମାଂସ, ଅଧା ହୃତପିଣ୍ଡ, ଆଉ ନାହିଁ, କିନ୍ତୁ ଦାବିଦାର ଏବେ ଅସଂଖ୍ୟ । ସୂକ୍ଷ୍ମ ସୁନ୍ଦର କଅଁଳିଆ ଚଟିଆମାନେ ଏବେ ଉଗ୍ର କଦାକାର ଓ ବିକଟାଳ, ସମସ୍ତଙ୍କର କୁନିକୁନି ଆଖିମାନେ ଏବେ ଡିମାଡିମା ହୋଇ ପେଚା ଆଖି ପରି, ପନ୍ଦର ଦିନ ପରେ ସେମାନଙ୍କର ଭୋକ ଯେତେବେଳେ ତାଙ୍କ ଶରୀରଠୁ ବିରାଟ ଆକାର ଧାରଣ କଲା, ସେତେବେଳେ ସେମାନେ ତାଙ୍କର ଦାବି ଉପସ୍ଥାପନ କରିବା ପାଇଁ ବାଧ୍ୟ ହେଲେ, ସ୍ୱାମୀ ସ୍ତ୍ରୀ ଦ୍ୱୟଙ୍କୁ ମଝିରେ ରଖି ଚଟିଆ ସବୁ ଗୋଲାକାର ଭାବେ ତାଙ୍କୁ ଘେରିଗଲେ, ଧୀରେ ଧୀରେ ଡେଇଁ ଡେଇଁ ଅତି ପାଖକୁ ଲାଗି ଆସି କହିଲେ ‘ଆମକୁ ମାଂସ ଦରକାର’, ଏବଂ ସ୍ୱାମୀ ସ୍ତ୍ରୀଙ୍କର ହସ-ରାଗ-କାନ୍ଦ-ସରାଗ ବା ହଁ-ନା କୁ ଅପେକ୍ଷା ନ କରି ଲକ୍ଷ ଲକ୍ଷ ଘର ଚଟିଆ ତାଙ୍କୁ ଖୁମ୍ପିବାରେ ଲାଗିଲେ । ତା ପରଦିନ ଦେଖାଗଲା ସେଠି ସ୍ୱାମୀ ସ୍ତ୍ରୀଙ୍କର ଚିହ୍ନବର୍ଣ୍ଣ କିଛି ନାହିଁ, ଅଥଚ ଲକ୍ଷେ ଚଟିଆଙ୍କ ଶବ ପଡ଼ିଛି ।