ପୃଷ୍ଠା:Hada bagicha.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଦିନ ଘରକୁ ଫେରିବାପରେ ତାଙ୍କ ପଡ଼ାରେ ଅନେକ ଲୋକ ଦେଖିବାକୁ ପାଇଲେ ଶହେ ଟଙ୍କିଆ ନୋଟ୍ । ସଭିଏଁ ନିଜ ନିଜ ହାତରେ ନୋଟ୍କୁ ଧରି ଓଲଟପାଲଟ କରି ଦେଖୁଥିଲେ । ଖଦଡ଼ ଲାଗୁଛି ନା ପାଲିସ୍ ଲାଗୁଛି, ତା’ର ଲମ୍ବା ଚଉଡ଼ା କେତେ ଅଛି, କ’ଣ କ’ଣ ଚିତ୍ର ଅଛି । ଲୋକେ କୁହାକୁହି ହେଲେ ବଂଶୀଧରର ନିଶ୍ଚିନ୍ତରେ ବର୍ଷେ ଚଳିଯିବ । କେହିକେହି କହିଲେ, "ନା, ବର୍ଷେ କାହିଁକି ଦୁଇବର୍ଷ ଚଳିଯିବ । ଦୁଇଶହ ଟଙ୍କା କମ୍ ହୋଇଛି କି?’ ଘରେ ପୂଜା କରାଗଲା । ବଂଶୀଧରକୁ ବନ୍ଦାପନା କରାଗଲା । ସିନ୍ଦୂର ଚନ୍ଦନ ଲଗାଗଲା । ତା’ ନୂଆ ପେଣ୍ଟସାର୍ଟରେ ହଳଦିଟିକେ ଲଗାଗଲା । ହାତୀ ପିଠିରେ ଯିବାକୁ ପ୍ରସ୍ତୁତ ଥିବା ଚାରିଜଣ ମୁଣ୍ଡରେ ସିନ୍ଦୂରଗାର ଲଗାଇେଲ । ମାହୁଂତ ଓ ହାତୀ ଦୁଇଟିକୁ ମଧ୍ୟ ସିନ୍ଦୂର ଲଗାଗଲା । ସମସ୍ତଙ୍କୁ ଭୋଜି ଦିଆଗଲା । ବଂଶୀଧରକୁ ତା’ ମା’ ମାଉସୀ ମାଇଁ କାକୀ ସମସ୍ତେ ବୋକ ଦେଲେ, କାନ୍ଦିଲେ । ବଂଶୀଧର ସମସ୍ତଙ୍କୁ ମୁଣ୍ଡିଆ ମାରିଲା । ହାତୀ ଦୁଇଟିକୁ ବସିବା ପାଇଁ କୁହାଗଲା । ସେମାନେ ବସିଲେ, ଗୋଟିଏ ହାତୀରେ ରୋହିଣୀବାବୁ ଓ ବଂଶୀଧର ବସିଲେ ଏବଂ ଅନ୍ୟଟିରେ ଜିନିଷପତ୍ର ସହ ଚାକର ଓ ରାନ୍ଧୁଣିଆ ବସିଲେ । ହାତୀ ଚାଲିଲା, ପଛେପଛେ ପଡ଼ାର ପ୍ରାୟ ଶହେ ସରିକି ଲୋକ ଦି’ କିଲୋମିଟର ଯାଏ ଗଲେ । ହାତୀ ଦେଖିସାରି ଓ ବଂଶୀଧରକୁ ବିଦାୟ ଦେଇସାରି ଲୋକେ ଘରକୁ ଫେରିଲାପରେ ଦେଖିଲେ, ପଡ଼ାଟାଯାକ ଲୋକଙ୍କ ଅବ୍ୟବସ୍ଥା । କାହାଘରେ ଭାତ ସିଝି ଯାଇ ଖିରୀ ହେଲାଣି, କାହାର ଡାଲିରେ ତଳି ଲାଗିଯାଇଛି । କେହି ଲୁଣ ଯାଗାରେ ଚିନିି ପକାଇ ଦେଇଛି, ଚା’ରେ ସୋରିଷ ପକାଇ ଦେଇଛି । କେହି ଗୋବର ହାତକୁ ଶୁଖାଇ ଠିଆ ହୋଇ ରହିଛି । କାହାର ମାଛ ବିରାଡ଼ିଧରି ପଳାଇଲାଣି, କାହାର ରନ୍ଧାଘରେ କୁକୁର ପଶିଲାଣି । ଅନେକଙ୍କ ଘରେ ଛୋଟପିଲା ସବୁ ହଜିଗଲେଣି । କିଏ ଖଟତଳୁ ଚାରିଘଣ୍ଟା ପରେ ବାହାରୁଛି, ଆଉ କେହି ଗମ୍ଭୀରି ଘରେ ଅଚେତ ହୋଇପଡ଼ିଛି । ପ୍ରେମିକ ପ୍ରେମିକା ଦି’ଜଣଙ୍କ ପାଇଁ ଦୁଇ ପରିବାର ମଧ୍ୟରେ ଝଗଡ଼ା ହେଲାଣି । ଅନେକ ଦିନରୁ ବାତଗ୍ରସ୍ତ ବୁଢ଼ାଟିଏ ଚାଲି ପାରିଥିବା ହେତୁ ତା’ ପୁଅବୋହୂ ନାତିନାତୁଣୀ ସଭିଏ ଖୁସିରେ ଉଛୁଳି ପଡ଼ିଲେଣି । ଦୁମ୍ଦୁମ୍ ଚାଲୁଥିବା ଲୋକଙ୍କ ମଧ୍ୟରୁ ଚାରିଜଣ ଝୁଣ୍ଟିପଡ଼ି ରକ୍ତସ୍ରାବକୁ ବନ୍ଦ କରିବାରେ ବ୍ୟସ୍ତ । କୁଆଡୁ କୋଡ଼ିଏ ସରିକି କୁକୁର ଏକାଠି ହୋଇ ପୃଥିବୀକୁ କଂପାଇ ଦେଲେଣି । ହାତୀ ଏମିତି ଗାଁ ଲୋକଙ୍କ କର୍ମତତ୍ପରତା, ଶୃଙ୍ଖଳାବୋଧ, ଧର୍ମଭାବନା ଓ ଆବେଗମାନଙ୍କ ସାଙ୍ଗରେ ଲୁଚକାଳି ଖେଳି ବଂଶୀଧରକୁ ନେଇ କୁଆଡ଼େ ଉଭାନ୍ ହେଲାଣି । ଦିନସାରା ହାତୀ ଦୁଇଟି ବେକର ଘଣ୍ଟି ବଜାଇ ବଜାଇ ନଈନାଳ ଖାଲଢିପ ଡେଇଁ, ଜଙ୍ଗଲ ଡେଇଁ, କନ୍ଧ ଆଦିବାସୀଂକ ବସ୍ତି ଡେଇଁ ଦି’ଦିନ କାଳ ଚାଲିଲେ । ବଂଶୀଧର ହାତୀପିଠିରେ ବସି ଖେଳୁଥାଏ- ଗଛପତ୍ର ସାଙ୍ଗରେ, ପକ୍ଷୀ ସାଙ୍ଗରେ, ଡିଆଁଡେଇଁ କରୁଥିବା ମାଙ୍କଡ଼ ସାଙ୍ଗରେ, ମେଘ ସାଙ୍ଗରେ ସୂର୍ଯ୍ୟକିରଣ ସାଙ୍ଗରେ । ପ୍ରଥମ ରାତିରେ ଏକ ଧର୍ମଶାଳାରେ ରନ୍ଧାହେଲା, ଖିଆପିଆ ହେଲା । ବଂଶୀଧର ସଞ୍ଜରୁ ସକାଳଯାଏ ଶୋଇଲା । ପରଦିନ ପୁଣି ଯାତ୍ରା ଆରମ୍ଭବେଳେ ଦେଖିଲା, କୁଆଡୁ କୋଡ଼ିଏ ସରି ଲଙ୍ଗଳାପିଲା ଓ ଲେଂଗୁଟି ପିନ୍ଧିଥିବା କିଛି ଝିଅପିଲା ଦୂରରେ ଠିଆହୋଇ ଡରିଡରି ହାତୀ ଦେଖିବାରେ ବ୍ୟସ୍ତ । ତୃତୀୟଦିନ ସଂଧ୍ୟାବେଳେ ସେମାନେ ପହଞ୍ଚିଲେ ସୁବର୍ଣପୁର ସହରରେ । ପରଦିନ ସକାଳେ ପୁଣି ନୌକା ଯାତ୍ରା ଆରମ୍ଭ ହେବ ମହାନଦୀରେ । ରୋହିଣୀକାନ୍ତ ବାବୁ ଯାଇ ଭେଟିଲେ ସୁବର୍ଣପୁରର ଦେୱାନ୍ଂକୁ । ତାଙ୍କ ମାଧ୍ୟମରେ ମହାରାଜା ବି ଜାଣିଲେ, କଳାହାଣ୍ଡିରୁ ଛାତ୍ରଟିଏ ସାକ୍ଷୀଗୋପାଳକୁ ପାଠପଢ଼ିବା ପାଇଁ ଯାଉଛି । ତାଙ୍କ ଆଦେଶରେ ବଡ଼ ନୌକାଟିଏ ସଜ କରାଗଲା କଟକ ଯିବାପାଇଁ । ବଂଶୀଧର ଓ ରୋହିଣୀକାନ୍ତ ବାବୁ ଗୋଟିଏ ଦିନପାଇଁ ରାଜାଙ୍କ ଅତିଥି ହେଲେ । ବଂଶୀଧର ରାଣୀଙ୍କ ଉଆସରେ ମଣୋହି କଲା । ତା’ ପରଦିନ ଯିବାବେଳକୁ ତାକୁ ଏକଶତ ମୁଦ୍ରା ଛୋଟ ଏକ ମୁଣାରେ ଭରି ଉପହାର ଦିଆଗଲା ଏବଂ ରୋହିଣୀକାନ୍ତ ବାବୁଙ୍କୁ ଧୋତିଗାମୁଛା ଦିଆଗଲା । ହାତୀ ଓ ମାହୁଂତଂକୁ ମଧ୍ୟ ଖାଦ୍ୟ ଓ ବିଦାକି ଦିଆଗଲା । ସେମାନେ ଫେରିଲେ ରାଜାଙ୍କ ପାଖରୁ ଚିଠିଟିଏ ନେଇ କଳାହାଣ୍ଡିର ରାଜାଙ୍କୁ ଦେବେ । ସେଦିନ ଆଠମଲ୍ଲିକ ଯାଏ ଯାଉଯାଉ ସୂର୍ଯ୍ୟାସ୍ତ ହେବାକୁ ବସିଥିଲା । ତେଣୁ ରାତି ସମୟତକ ସେଠି ଏକ ଧର୍ମଶାଳାରେ ରହିବାକୁ ପଡ଼ିଲା । ବଂଶୀଧରକୁ ସେଦିନ ଜର ହେଲା । ସେ ଘୋଡ଼ିହୋଇ, ନଖାଇ ନପିଇ ଶୋଇପଡ଼ିଥିଲା । ସକାଳୁ ସେ ଦୁର୍ବଳ ଦେଖାଯାଉଥାଏ । ତଥାପି ସୂର୍ଯ୍ୟକିରଣ ପଡୁଥିବା ଜାଗାରେ ବସି ଚାଦର ଘୋଡ଼ିହୋଇ ନୌକାରେ ଥଣ୍ଡାଜଳ ଓ ଥଣ୍ଡା ପବନରେ ବାଟ କାଟିକାଟି ସଞ୍ଜବେଳକୁ ସେମାନେ କଟକରେ ପହଞ୍ଚିଲେ । କଟକରେ ଧର୍ମଶାଳା ଖୋଜାଗଲା, ଡାକ୍ତର ଖୋଜାଗଲା ଓ ଦି ଦିନକାଳ ରହିବାକୁ ପଡ଼ିଲା । ତା’ପରଦିନ ରୋହିଣୀକାନ୍ତ ବାବୁ ଦୁଇଟି ରେଳ ଟିକେଟ ଆଣିଲେ ଓ ଟ୍ରେନ୍ରେ ବସି ସାକ୍ଷୀଗୋପାଳରେ ପହଞ୍ଚିଲା ବେଳକୁ ଅପରାହ୍ଣ ହୋଇ ସାରିିଥିଲା । ଛୋଟ