Jump to content

ପୃଷ୍ଠା:Hada bagicha.pdf/୧୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ଡରୁଥିଲା ଯଦି ଜଣେ ହେଲେ କେହି ଜାଣିଯାଏ ଯେ ତା’ ପୁଅ ମରିଯାଇଛି ତେବେ ତା’ର ଦି’ହଜାର ଟଙ୍କା ସଭିଏଁ ମିଶି ଲୁଟ୍ କରିନେବେ । ପ୍ରଥମେ ଦଲାଲ୍, ତା’ପରେ ପୋଲିସ୍, ତା’ପରେ ଷ୍ଟେସନ୍ ମାଷ୍ଟର୍, ତାପରେ ଗାର୍ଡ଼, ତାପରେ ରିକ୍ସାବାଲା, ତାପରେ ଡାକ୍ତର, ତାପରେ ଟାଉନ୍ ପୋଲିସ୍ ଏବଂ ଶେଷରେ ଶବକୁ ଜାଳିବାପାଇଁ ବା ପୋତିବାପାଇଁ ଦଶ କୋଡ଼ିଏ ଟଙ୍କାବି ବଳିବ ନାହିଁ । ତେଣୁ ପ୍ରେମଶୀଳା ପୁଅକୁ ଉଠାଇଲା ଖୁବ୍ କଷ୍ଟରେ । ନିଜ କାନ୍ଧରେ ଲଦି ଚାଦର ଘୋଡ଼ାଇ ଦେଲା । କେହି ଯେମିତି ଜାଣି ନପାରେ । ତଥାପି ତା ପାଖ ଲୋକ କେହିଜଣେ ସନ୍ଦେହରେ ଆଖି ଡିମା ଡିମାକରି ଥରେ ପିଲାକୁ, ଥରେ ପ୍ରେମଶୀଳାକୁ ଅନାଇଲା, କିଛି କହିଲା ନାହିଁ । ପ୍ରେମଶୀଳା ଏବେ ଛାତିକୁ ପଥର ନକରି ତୁଳାପରି ନରମ ଓ ହାଲୁକା କଲା । ଆଖିକୁ ଓଦା ନକରି ଶୁଖିଲା ଓ ଶୂନ୍ୟ କଲା । କାଳେ କେତେବେଳେ ଶାଗୁଣାମାନେ ଆସି ଝପ୍ଟି ନେବେ ତା’ ପୁଅକୁ । ଷ୍ଟେସନ୍ର ଗେଟ୍ ଯାଏ ଧୀରେ ଧୀରେ ଆସି ପହଞ୍ଚିଲା । କେହି କୁଆଡ଼େ ନଥିଲେ । ମାତ୍ର ଗୋଟାଏ ପାଦ ଆଗକୁ ଦେଇଛି କି ନାହିଁ ଦଳେ ଶାଗୁଣା ଏକାଥରକୁ ତାକୁ ଘେରିଗଲେ । ସେ ତାର ଶୁଖିଲା ଆଖି ବୁଜିଦେଲା । ଯେତେବେଳେ ଖୋଲିଲା ସେ ଦେଖିଲା ତା ଅଣ୍ଟାରେ ପଇସା ନାହିଁ । ତା’ କାନ୍ଧରେ ପୁଅ ନାହିଁ । ତା’ ହାତରେ ବୁଜୁଳା ନାହିଁ ଏବଂ ସେ ବସିଛି ଥାନା ହାଜତରେ । ଦୁଇବର୍ଷ ତଳେ ତା’ ସ୍ୱାମୀ ବିଶାଖାପାଟଣାର ପ୍ଲାଟଫର୍ମରେ ମଲାବେଳକୁ ବି ସମାନ ଅବସ୍ଥା ହୋଇଥିଲା । ତା’ ପଇସା ସରିଥିଲା ସିନା, ହେଲେ ତା ସ୍ୱାମୀର ଶବ ଘରଯାଏଁ ପହଞ୍ଚିପାରି ନଥିଲା । ସେ କେଉଁଠି କେମିତି ହଜିଗଲା ଏବେ ଆଉ ମନେ ପକାଇବାକୁ ବି ଚାହେଁନାହିଁ ପ୍ରେମଶୀଳା । ଥାନା ହାଜତରେ ତାକୁ କାହିଁକି ରଖାଗଲା ସେ ଜାଣି ପାରିଲା ନାହିଁ । ଗୁଡ଼ାଏ କାଗଜରେ ତା ଟିପଚିହ୍ନ ନିଆଗଲା । ତା ନାଁରେ କେସ୍ ଚାଲିଲା । ବହୁ ଦିନପରେ ସେ ଝାପ୍ସା ଶୁଣିଲା ଯେ ସେ ତା’ ପୁଅକୁ ମାରିଦେଇଛି । କାହିଁକି ମାରିଲା ସେ କହୁ । କୋର୍ଟରୁମ୍ରୁ ଜେଲ୍ ଓ ଜେଲ୍ରୁ କୋର୍ଟ ହେଉ ହେଉ ଛ’ମାସ ଗଲା । ସେ ପୁଣି ଝାପ୍ସା ଶୁଣିଲା ଯେ ଆସନ୍ତାକାଲି ତା’ ମର୍ଡର କେସ୍ର ରାୟ ଦିଆହେବ । ସେ ଆଦୌ ବୁଝି ପାରୁ ନ ଥିଲା ତାକୁ ନେଇ କ’ଣ କ’ଣ ସବୁ ଚାଲିଛି ଏଠି । ତା’ ଶୁଖିଲା ଆଖିରେ ପଲେ ଶାଗୁଣାଂକ ବ୍ୟତୀତ ଆଉ କେହି ଦେଖାଯାଉ ନାହାନ୍ତି । ପୃଥିବୀରେ ଆଉ କେହି ନାହାନ୍ତି । କେବଳ ଝାପ୍ସା ଅନ୍ଧାର ଝାପ୍ସା ଆଲୁଅ ଭିତରେ ଚଳପ୍ରଚଳ ହେଉଥିବା ଭିଡ଼ ଓ ବାକିତକ ମହାଶୂନ୍ୟ । ଘଟନାଟି ଏଠି ଏକ ଭିନ୍ନ ମୋଡ଼ ନେଲା । ସେଦିନ ଜିଲ୍ଲାର ମୁଖ୍ୟ ବିଚାରପତିଙ୍କ ଘରକୁ ଜଣେ ଭଦ୍ରବ୍ୟକ୍ତି ଆସ୍ତେ ଆସ୍ତେ ମୁଖ୍ୟ ଫାଟକ ଖୋଲି ଭିତରକୁ ପଶିଲେ । ବ୍ୟକ୍ତି ଜଣକ ପିନ୍ଧିଥିଲେ ନୀଳ ରଙ୍ଗର ଏକ ଟ୍ରେକ୍ସୁଟ୍, ସ୍ପୋର୍ଟସ୍ ସୁ ଏବଂ ମୁଣ୍ଡରେ ଖୁବ୍ ବଡ଼ ଏକ ଧଳାଟୋପି । ହାତରେ ଗ୍ଲୋଭ୍ସ । ଚାକର ସାଙ୍ଗରେ ଦେଖାହେଲା । କହିଲେ, "ମୁଁ ବିଚାରପତିଙ୍କୁ ଭେଟିବାକୁ ଆସିଛି । ଗୋଟିଏ କେସ୍ ବିଷୟରେ କଥାହେବି ।’ ଚାକରଟି ତାଙ୍କ ନାମ ପଚାରିଲା । ସେ କହିଲେ, "ମୁଁ ଈଶ୍ୱର, ସ୍ୱର୍ଗରୁ ଆସିଛି ।’ ଚାକରଟି ଭାବିଲା ଲୋକଟି ତାକୁ ବ୍ୟଂଗ କରୁଛି । ତେଣୁ ଆଉ କିଛି ନ ପଚାରି ମୁଣ୍ଡର ଟୋପି ଓ ହାତର ଗ୍ଲୋଭ୍ସ ଉପରେ ନଜର ପକାଇ ଚୁପଚାପ୍ ଭିତରକୁ ଗଲା । ଦୁଇ ମିନିଟ୍ ମଧ୍ୟରେ ଚାକର ସାଙ୍ଗରେ ଜଣେ ବୃଦ୍ଧବ୍ୟକ୍ତି ବାହାରିଲେ । ପଚାରିଲେ, "କ’ଣ ହେଲା?’ ଭଦ୍ରବ୍ୟକ୍ତି କହିଲେ, "ମୁଁ ଜାଣେ ପ୍ରେମଶୀଳାକୁ ଆଜି ଆପଣ ସାତବର୍ଷ ଜେଲ ଦଣ୍ଡ ଦେଉଛନ୍ତି । ମୁଁ ସେ କେସ୍ ବିଷୟରେ କିଛି କହିବାକୁ ଆସିଛି ।' ଜଜ୍ ମହୋଦୟ ଆଶ୍ଚର୍ଯ୍ୟ ହେଲେ । ଏ ଲୋକଟା କେମିତି ଜାଣିଲା ମୁଁ ତାକୁ ସାତବର୍ଷ ଜେଲ୍ ଦଣ୍ଡ ଦେଉଛି ବୋଲି! ଷ୍ଟେନୋ କହିଦେଲା କି? ଲୋକଟି ଓକିଲଟିଏ ହୋଇଥାଇପାରେ । ପଚାରିଲେ, "ଆପଣଙ୍କ ପରିଚୟ?’ ସେଇ ଏକା ଉତ୍ତର, "ମୁଁ ଈଶ୍ୱର, ସ୍ୱର୍ଗରୁ ଆସିଛି । ପ୍ରେମଶୀଳାର କେସ୍ ବିଷୟରେ ମୁଁ ସବୁ ଜାଣେ ।’ ବିଚାରପତି ମନେମନେ ଟିକେ ବିରକ୍ତ ହେଲେ । ଲୋକଟି ଓକିଲ ହୋଇଥିଲେ ଏମିତି ଉତ୍ତର ଦିଅନ୍ତା ନାହିଁ । ବଦ୍ମାସଟିଏ ହୋଇଥିବ ନିଶ୍ଚୟ । ଆଉ ଆଗକୁ କଥା ନ ବଢ଼ାଇ କହିଲେ, "ଆପଣ ଯାହା କହିବାକୁ ଚାହାନ୍ତି କୋର୍ଟକୁ ଆସନ୍ତୁ, କହିବେ । ଠିକ୍ ଏଗାରଟା ସମୟରେ ।’