ପୃଷ୍ଠା:Hada bagicha.pdf/୧୫୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମସ୍ତେ ଦେଖିଲେ ବିଚାରପତି ଧରିଥିବା ପେପର ୱେଟଟି ତାଙ୍କ ହାତରୁ ଖସି ଯାଇ କୋଠରି ଭିତରେ ଶୂନ୍ୟରେ ଝୁଲି ରହିଲା, ଖୁବ୍ ଜୋର୍ରେ ଘୂରିଲା । ଓକିଲମାନେ ମୁଣ୍ଡ ତଳକୁ କରିଦେଲେ । ଡରିଗଲେ ସମସ୍ତେ । ଜଜଙ୍କ ଟେବୁଲ୍ ଉପରେ ଆଉ ସାତଟି ପେପରୱେଟ୍ ଥିଲା, ସମସ୍ତେ ଶୂନ୍ୟରେ ଘୂରିଲେ । ସଭିଏଁ ଅବାକ୍, କିଂକର୍ତବ୍ୟବିମୁଢ଼ । ଈଶ୍ୱର କହିଲେ, "ଏତେ ଛୋଟ ଛୋଟ ସାତଟି ପେପରୱେଟ୍ ଶୂନ୍ୟରେ ଘୁରିବାକୁ ମୋ ସ୍ଥିତିର ପ୍ରମାଣ ବୋଲି ଭାବି ଯଦି ଆପଣ ଗ୍ରହଣ କରି ନେଉଛନ୍ତି, ତେବେ ମହାଶୂନ୍ୟରେ ଲକ୍ଷ ବର୍ଷ ହେଲା ଆମ ସୌର ମଣ୍ଡଳର ନ'ଟି ପ୍ରକାଣ୍ଡକାୟ ପେପରୱେଟ୍ ଝୁଲିରହିବାକୁ ଆପଣ କ’ଣ ବୋଲି ଭାବିବେ, ଜଜ୍ ମହୋଦୟ?’ ଜଜ୍ ମହୋଦୟଙ୍କ ଝାଳ ବାହାରି ତଣ୍ଟି ଶୁଖିଗଲା । ସେ ପାଣି ଗ୍ଲାସେ ପିଇ ସୁସ୍ଥ ହେବାକୁ ଚେଷ୍ଟାକଲେ । କିନ୍ତୁ ତାଙ୍କ ମନରୁ ସନ୍ଦେହ ଦୂରିଭୂତ ହେଲାନାହିଁ । ସେ ମନେକଲେ ଯାଦୁବାଲାଟିଏ ହୋଇଥିବ କାଳେ । ତେଣୁ କିଛି ସମୟପରେ କହିଲେ, "ଆଚ୍ଛା, ଆପଣ ବର୍ଷା କରାଇ ପାରିବେ, ବର୍ତମାନ?’ ଈଶ୍ୱର ହସିଲେ, କିଛି କହିଲେ ନାହିଁ । ବର୍ଷା ସାଂଗେ ସାଂଗେ ହେଲା । ଖୁବ୍ ଜୋର୍ରେ ପବନ ବହିଲା, ଝଡ଼ ଆସିଲା ଓ ମୁଷଳଧାରାରେ ବର୍ଷାହେଲା । ସଭିଏଁ ଭିଜିଲେ । ସମସ୍ତେ ନିଜ ନିଜ କାଗଜପତ୍ର ସାଉଁଟି ଲୁଚାଇବାକୁ ଚେଷ୍ଟାକଲେ । ଦୌଡ଼ି ପଳାଇବାକୁ ଚେଷ୍ଟାକଲେ କିନ୍ତୁ ପାରିଲେନାହିଁ । ଦ୍ୱାର ସବୁ ବନ୍ଦଥିଲା । କେହି ଖୋଲି ପାରିଲେନାହିଁ । କୋଠରି ଭିତରେ ଛ’ଇଞ୍ଚ ଉଚ୍ଚତାରେ ପାଣି ଜମାହେଲା । ଈଶ୍ୱର ଓ ପ୍ରେମଶୀଳା ବ୍ୟତୀତ ସମସ୍ତେ ପୂରା ତିନ୍ତି ସାରିଥିଲେ । ସେମାନଙ୍କ କୋର୍ଟ ସାର୍ଟ ଘଡ଼ି ଯୋତା ମୋଜା ସବୁ ଭିଜିସାରିଥିଲା । କାଗଜ ଓ ଫାଇଲ୍ ସବୁ ପାଣିରେ ଭାସୁଥିଲେ । ସମସ୍ତେ ଡରି ଯାଇଥିଲେ । ଆହୁରି ଯୋର୍ରେ ବର୍ଷା ହେଉଥିଲା । ବିଚାରପତିଙ୍କୁ ଈଶ୍ୱର ପଚାରିଲେ, "ବର୍ଷା ବନ୍ଦ କରିବି?' ବିଚାରପତି କହିଲେ, "ପ୍ଲିଜ୍ ପ୍ଲିଜ୍ ।' ବର୍ଷା ବନ୍ଦ ହୋଇଗଲା । ସମସ୍ତେ କାଠ ପଥରପରି ତଟସ୍ଥ ହୋଇ ଓଦାରେ, ଶୀତରେ ଥରୁଥିଲେ । ପ୍ରେମଶୀଳା କିନ୍ତୁ ଚୁପଚାପ ନିର୍ବିକାର ଭାବରେ ଛିଡ଼ା ହୋଇଥିଲା । ସେଠି ଯାହାସବୁ ଚାଲିଛି ତା’କୁ କିଛିହେଲେ ପ୍ରଭାବିତ କରିପାରୁ ନଥିଲା । ଈଶ୍ୱର କହିଲେ, "ଆଉ କିଛି ପ୍ରମାଣ ଚାହାନ୍ତି?' ବିଚାରପତି ଛେପ ଢୋକି ପାରୁ ନଥିଲେ । ତାଙ୍କ ତଣ୍ଟି ଅଠା ଅଠା ଲାଗୁଥିଲା । ସେଇ ଅବସ୍ଥାରେ ସେ କହିଲେ, ନା । ଈଶ୍ୱର କହିଲେ, "ଅଭିଯୁକ୍ତ ବିଷୟରେ ମୁଁ କିଛି କହିବି?' ବିଚାରପତି କିଛି କହିପାରିଲେ ନାହିଁ । କେବଳ ହାତ ହଲାଇଲେ ଦୁଇଥର, ଯାହାର ଅର୍ଥ ଥିଲା, "ଆଜି ନୁହେଁ, ପରେ କେବେ ।’ ଏବଂ ଉଠି ଚାଲିଯିବାକୁ ବାହାରୁଥିଲେ । ହଠାତ୍ ଦେଖାଗଲା, ସେଠି ସମସ୍ତେ ସେଇ ପାଣିଥିବା ଚଟାଣରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲାପରି ଯୋଡ଼ହସ୍ତରେ ବସି କହିଲେ, "ହେ ଈଶ୍ୱର, ଆମକୁ କ୍ଷମା କରନ୍ତୁ । ଆମେ ଜାଣୁ ଆମ ଅପରାଧ କ’ଣ । ପ୍ରେମଶୀଳାର ସମସ୍ତ ଅର୍ଥ ସୁଧସହିତ ଆମେ ଫେରାଇବାକୁ ପ୍ରସ୍ତୁତ । ଆମକୁ କ୍ଷମା କରନ୍ତୁ ।’ ହଠାତ୍ ବିଜୁଳି ମାରିଲା ଓ ପ୍ରଚଣ୍ଡ ଶବ୍ଦରେ ଘଡ଼ଘଡ଼ି ଶୁଣାଗଲା ସମସ୍ତଙ୍କ ମସ୍ତିଷ୍କ ଭିତରେ । ଦୁଇ ମିନିଟ୍ ଯାଏ ସମସ୍ତଙ୍କ ଆଖି ବନ୍ଦ ହୋଇଗଲା । ଯେତେବେଳେ ଆଖି ଖୋଲିଲେ ଦେଖାଗଲା ଇଶ୍ୱରଙ୍କ ସ୍ଥାନଟି ରିକ୍ତ ହୋଇଯାଇଛି । କିଛି ଲୋକ ସେଠି ବେହୋସ ହୋଇ ପଡ଼ିରହିଛନ୍ତି । ପ୍ରେମଶୀଳା ଦେଖିଲା ତାକୁ ଘେରି ରହିଥିବା ସମସ୍ତ ଛଞ୍ଚାଣ ଓ ଶାଗୁଣା ସେଠି ପଡ଼ିରହିଛନ୍ତି । ଜଜ୍ ମହୋଦୟ ସମସ୍ତଙ୍କୁ ତାଗିଦ୍ କଲେ ଯେ ସେମାନେ ପ୍ରେମଶୀଳାର ସମସ୍ତ ଟଙ୍କା ଆସନ୍ତା କାଲି କୋର୍ଟ ଆରମ୍ଭ ହେବା ପୂର୍ବରୁ ତାଙ୍କଠାରେ ଦାଖଲ କରନ୍ତୁ ଏବଂ କାଲି ଏ କେସ୍ର ଫଳାଫଳ ଘୋଷଣା କରାଯିବ । ପରଦିନ କୋର୍ଟକୁ ଯିବାପୂର୍ବରୁ ବିଚାରପତିଙ୍କ ଘରେ ପ୍ରେମଶୀଳାକୁ ଦେବାକୁ ଥିବା ଲଫାପା ଭର୍ତି ଟଙ୍କା ପହଞ୍ଚି ସାରିଥିଲା । ଠିକ୍ ଏଗାର୍ଟା ସମୟରେ ଜଜ୍ ମହୋଦୟ ତାଙ୍କର ରାୟରେ କହିଲେ, "ପ୍ରେମଶୀଳା ଇଜ୍ ଟୁ ବି ହେଙ୍ଗଡ଼୍ ଟିଲ୍ ଡେଥ୍' ଏବଂ ତାଙ୍କର ପେନ୍ର ନିବ୍କୁ ନ ଭାଙ୍ଗି ପକେଟ୍ରେ ପୁରାଇଲେ ଏବଂ ଅନିର୍ଦିଷ୍ଟ କାଳପାଇଁ ଛୁଟିରେ ଚାଲିଗଲେ । ପ୍ରେମଶୀଳା ଶୁଣିଲା ସିନା ହେଲେ କିଛି ବୁଝିଥିବାପରି ଜଣାଗଲା ନାହିଁ ।