ଡାକ୍ତରଙ୍କ ଶବ୍ଦ ଚିକିତ୍ସା "ଆଜ୍ଞା, ମୋ ଛାତିରେ ଟେବୁଲ ଅଛି । ରାତ୍ ଭର୍ ମୁଁ ଶୋଇ ପାରିନାହିଁ ।’ କହିଲେ ଜଣେ ଅଣଓଡ଼ିଆ ବୃଦ୍ଧା । ପାଖରେ ବସିଥିବା ଅନ୍ୟରୋଗୀମାନେ କିଛି ବୁଝିପାରିଲେ ନାହିଁ । ଡାକ୍ତର ହରପ୍ରସାଦ କିନ୍ତୁ ଠିକ୍ ଠିକ୍ ବୁଝିଲେ ଓ ବୃଦ୍ଧାକୁ ଚୁପଚାପ ବସିବା ପାଇଁ କହି ଅନ୍ୟ ରୋଗୀକୁ ଦେଖିବାରେ ଲାଗିଲେ । "ଆଜ୍ଞା ମୋ ଛାତିରେ ଟେବୁଲ ଅଛି ।’ ବୃଦ୍ଧାଜଣକ ପୁଣି କହିଲେ । ଡାକ୍ତର ପୁଣି ତା କଥା ଶୁଣିଲେ ନାହିଁ । "ଆଜ୍ଞା... ମୋ ଛାତିରେ...’ "ଟେବୁଲ ନୁହେଁ, ଟ୍ରବଲ କୁହ ।' ଡାକ୍ତର ହରପ୍ରସାଦ ସାମାନ୍ୟ ବିରକ୍ତି ପ୍ରକାଶ କଲେ । "ଟ୍ରବଲ’ କହି ନପାରିବା ଯାଏ ତମେ ଏଠି ଏମିତି ବସିଥିବ । ମୁଁ ଦେଖିବି ନାହିଁ । ଏତିକି କହି ଡାକ୍ତର ଅନ୍ୟ ଆଡେ ମୁହଁ ବୁଲାଇଲେ । ସେଦିନ ସେ ଅଣଓଡ଼ିଆ ବୃଦ୍ଧାଙ୍କୁ "ଟ୍ରବଲ୍’ ଶବ୍ଦର ଉଚ୍ଚାରଣ ଶିଖାଇସାରି ଦେହ ଦେଖିବାରେ ଡାକ୍ତର ହରପ୍ରସାଦ ପ୍ରାୟ ଦୁଇଘଣ୍ଟା ସମୟ ନେଇଥିଲେ । ସେଇ ସମୟ ଭିତରେ କିଛି ରୋଗୀ ବି ଚୁପଚାପ ଖସି ଚାଲି ଯାଇଥିଲେ । ତାଙ୍କର ବି ବୋଧହୁଏ ଠିକ୍ ଭାବେ ଉଚ୍ଚାରଣକରି ନିଜ ରୋଗବିଷୟରେ କହିବା ସନ୍ଦେହଥିଲା । ଡାକ୍ତର ହରପ୍ରସାଦଙ୍କୁ କେହି କେହି ହରିପ୍ରସାଦ, ହରୋ ପ୍ରସାଦ, ହାରା ପ୍ରସାଦ କହନ୍ତି । ସେପରି ଲୋକଙ୍କୁ ଡାକ୍ତର କେବେବି ଚିକିତ୍ସା କରନ୍ତି ନାହିଁ । ତାଙ୍କର ଦୃଢ଼ ଧାରଣା ଯେ ଠିକ୍ ଭାବେ ଉଚ୍ଚାରଣ କରି ପାରୁ ନଥିବା ଲୋକର ଚରିତ୍ର ଖରାପ ଥାଏ ଓ ନିଜ ଉପରେ ତାର ବିଶ୍ୱାସ ଥାଏନାହିଁ । ଏଇ କାରଣ ଯୋଗୁଁ ହିଁ ଦେଶର ଅଧୋଗତି ହୋଇଚାଲିଛି । ଲୋକେ ଯଦି ଠିକ୍ ଶବ୍ଦଟି ଠିକ୍ ସ୍ଥାନରେ ଠିକ୍ ଭାବେ ଉଚ୍ଚାରଣ କରି କହିବେ ତେବେ ଦେଶର ଅର୍ଥନୀତି ବି ସୁଧୁରିଯିବ ଏବଂ ପରସ୍ପର ମଧ୍ୟରେ ସ୍ନେହ ଓ ସୌହାର୍ଧ ବି ବଢ଼ିବ । ଡାକ୍ତରଙ୍କ କଥା ଶୁଣୁଥିବା ଲୋକେ ଆଦୌ ବୁଝିପାରନ୍ତି ନାଇଁ ଯେ ଉଚ୍ଚାରଣ ସହିତ ଦେଶର ଅର୍ଥନୀତି, ଲୋକଙ୍କ ଚରିତ୍ର ତଥା ସ୍ନେହପ୍ରେମର କିପରି ସମ୍ପର୍କ । କିନ୍ତୁ ନ ବୁଝିଲେ ବି ସାହସକରି ପଚାରିପାରନ୍ତି ନାହିଁ । ଏତେ କଥା ପଚାରିବେ ବା କାହିଁକି । ତାଙ୍କର ଦୁଃଖ ଯନ୍ତ୍ରଣା ବି ଥାଏ । ସେମାନେ ଯେ ରୋଗୀ । ପାଠ ପଢୁଥିବା ଛାତ୍ର ନୁହନ୍ତି । ଡାକ୍ତର ହରପ୍ରସାଦ ବି ଅଜବ ଧରଣର ପ୍ରେସ୍କ୍ରିପ୍ସନ୍ ଲେଖନ୍ତି । ଥରେ ଜଣେ କଲେଜ ଛାତ୍ର ଆସି ତାର ଦଶଦିନର ମୁଣ୍ଡବଥା ଓ ଗୋଡ଼ହାତ ବଥା ସମ୍ପର୍କରେ କହିବାରୁ ଡାକ୍ତର ଚୁପଚାପ କାଗଜ ଉପରେ କଣ କଣ ସବୁ ଲେଖିଗଲେ । ପିଲାଟି ଯାଇ ଔଷଧ ଦୋକାନରେ ଜାଣିଲା ଯେ ତା କାଗଜରେ ପ୍ରତିଦିନ ଅଣ୍ଡା ଖାଇବା ପାଇଁ, କ୍ଷୀର ପିଇବା ପାଇଁ ଏବଂ ସକାଳୁ ଚାରି କିଲୋମିଟର ବାଟ ଚାଲିବା ପାଇଁ ଲେଖା ହୋଇଛି । ପିଲାଟିର ଦଶଦିନର ମୁଣ୍ଡବଥା ସେଠି ଛାଡ଼ିଗଲା । ଆଉଦିନେ ରୋଗୀଟିଏ ଆସି କହିଲା, "ଆଜ୍ଞା, ମୋର ହାଇଡ୍ରୋଜେନ୍ ବାହାରିଛି ଆଉ ଦେହରେ ଟେମ୍ପର୍ ରହୁଛି ମାସେହେଲା ।’ ତା ପାଇଁ କାଗଜରେ ଡାକ୍ତର ଏପିଜେ ଅବଦୁଲ କଲାମ୍ଙ୍କୁ ଭେଟିବାକୁ ଲେଖିଲେ । କହିଲେ ତା ଟେମ୍ପର୍କୁ ଚହଲାଇ ଦେଲେ ସାଂଗେ ସାଂଗେ ହାଇଡ୍ରୋଜେନ୍ ଫାଟି ଦେଶଟା ଭାସିଯିବ । ତେଣୁ ସେ ଯେତେ ଶୀଘ୍ର ପାରେ ଅବଦୁଲ କଲାମ୍ଂକୁ ଭେଟୁ । ଏଠାକୁ ସେ କାହିଁକି ଆସିଛି? ଗେଟ୍ ଆଉଟ୍ । ପାଖରେ ଥିବା ଜଣେ ଦି’ଜଣ ଭଦ୍ରବ୍ୟକ୍ତି ଲୋକଟାକୁ କହିଲେ ତାହାକୁ ହାଇଡ୍ରୋସିଲ କୁହାଯାଏ, ହାଇଡ୍ରୋଜେନ୍ ନୁହେଁ ଏବଂ ଟେମ୍ପର୍ ନୁହେଁ, ଟେମ୍ପରେଚର୍ । କିନ୍ତୁ ଲୋକଟାକୁ ଡାକ୍ତର ଚିକିତ୍ସା ନକରି ଫେରାଇ ଦେଇଥିଲେ । ଆଉଦିନେ ଲୋକଟିଏ ଆସି କହିଲା, "ଆଜ୍ଞା, ମୋ ପିଚାରେ ଗୋଟେ ବ୍ରଏଲର୍ ବାହାରିଛି ତିନିଦିନ ହେଲା, ବସିଉଠି ହେଉ ନାହିଁ ।’ ତାପାଇଁ କାଗଜରେ ଲେଖିଲେ-
ପୃଷ୍ଠା:Hada bagicha.pdf/୧୫୨
ଦେଖଣା