ମେଘ ବା ବର୍ଷାପାଣିର ଛିଟା, ଧୂସର କାନ୍ଥଭିତରକୁ ଦୈବାତ୍ ପ୍ରଜାପତି ବା ପ୍ରଜାପିତା, ବୁଢ଼ିଆଣୀ ବା ବୁଢ଼ି ଅସୁରୁଣୀ ଦୁଃଖ-କଷ୍ଟ-ହସ-ଖୁସି- ବ୍ୟଥା-ଯନ୍ତ୍ରଣା, ସ୍ୱାଦ-ସ୍ପର୍ଶ-ଆଘ୍ରାଣ, ବାକ୍-ଦୃଷ୍ଟି-ଶ୍ରବଣ ଅ-ଆଁ-ହାଇ-କଫ-କାଶ-ହାକୁଟି ବ୍ୟାନ-ଅପାନ, ଦୀର୍ଘଶ୍ୱାସ ବା ହ୍ରସ୍ୱଶ୍ୱାସ, ଅଶନ ବା ଅଶନି ସେ ଜାଣିପାରୁଥିବା ପରିଧି ଭିତରେ କିଛି ନାହିଁ । ଲାରା, ଆଜି ତୁମ ମା’ ବାପା ଆସିଥିଲେ । ମୋ ସାଙ୍ଗରେ ଯୁକ୍ତିତର୍କ ଓ ଝଗଡ଼ାକରି କାନ୍ଦିକାନ୍ଦି ଫେରିଲେ । ମେଡିକାଲ ବୋର୍ଡକୁ ତୁମ ଟ୍ୟୁବ ସବୁ ଖୋଲିଦେବା ପାଇଁ ଅନୁରୋଧ କରି ଦି’ଦିନ ତଳେ ମୁଁ ଯେଉଁ ଦରଖାସ୍ତ କରିଛି ତାହା ଶୁଣି ସେମାନେ ରାଗି ତମ୍ତମ୍ ହୋଇ ମୋପାଖକୁ ଆସିଥିଲେ । "ଯାହା ଟଙ୍କାଲାଗୁ ଆମେ ଦେବୁ, ଟ୍ୟୁବ ଖୋଲିବା ଆମର ଦରକାର ନାଇଁ’, କହିଲେ, କାନ୍ଦିଲେ, ମୁଣ୍ଡ ପିଟି ହେଲେ । ମୁଁ ସେମାନଙ୍କୁ "ପାଗଳ' ବୋଲି କହିଲି । ତୁମେ ସବୁ ବିଲଗେଟ୍ଂକ ବଂଶଧର କି ବୋଲି ପଚାରିଲି । "ଅମର' ହେବାର ନିଶା କାହିଁକି ଘାରିଛି? ନକଲି ଈଶ୍ୱର କାହିଁକି ସାଜୁଛନ୍ତି ବୋଲି ପଚାରିଲି । ମୁଁ କହିଲି, ଏପରିକି ବିଲ୍ଗେଟ୍ ବି "ଯାହା ଟଙ୍କାଲାଗୁ ମୋ ସ୍ତ୍ରୀ ଅମର ହୋଇଯାଉ’ ବୋଲି କହିପାରିବ ନାଇଁ । ଅମରତ୍ୱର ଭାବନାଟି କେବଳ ଈଶ୍ୱରମାନଙ୍କ ପାଇଁ ସଂରକ୍ଷିତ । ଏ ଯାଏଁ ହଜାରେ ବୈଜ୍ଞାନିକ, ହଜାରେ ସରକାର, ହଜାରେ ବିଲ୍ଗେଟ୍ ମିଶି ଇଶ୍ୱରଙ୍କ ପାଇଁ ସଂରକ୍ଷିତ ଜୀବନଟି କିଣି ଆଣି ପାରିଛନ୍ତି କି? "ଯାହା ଟଙ୍କାଲାଗୁ'ର ଅର୍ଥ କ’ଣ? ତୁମକୁ ଭଲ ପାଉଥିବାର ପ୍ରଦର୍ଶନୀ? ନା ଅମରତ୍ୱର ଲାଳସା? ନା ପାଗଳାମି? କ’ଣ ଏ ସବୁର ଅର୍ଥ? ସେମାନେ ରାଗି, କାନ୍ଦିକାନ୍ଦି, ମୋତେ ଗାଳି ବର୍ଷଣକରି ଫେରିଗଲେ । ଆହା, ବିଚରା ମଣିଷ । କେତେ ହଂତସନ୍ତ! ଅମରତ୍ୱର ପାଖାପାଖି ହେଲେ ଯିବା ପାଇଁ କେତେ ବ୍ୟାକୁଳ । ଭଲ ପାଉଛି ବୋଲି ପ୍ରମାଣ ବାଢ଼ି ଦେବାକୁ କେତେ ବିକଳ । ଇଶ୍ୱରଙ୍କ ଅଭିନୟ କରିବାକୁ କେତେ ତତ୍ପର । ଅଥଚ ତା’ର ଦୁର୍ଭାଗ୍ୟ ଏ ସବୁ ସେ କିଛିହେଲେ କରିପାରିବ ନାହିଁ । ଅଥଚ ତାକୁ ବଞ୍ଚିବାକୁ ହେବ । ମରି ବି ପାରିବ ନାହିଁ । ଜୀବନକୁ ଗଢ଼ିବାକୁ ତ ହେବ, ଅସ୍ତମିତ ତ ହେବ ନାଇଁ । ଲାରା, ତୁମେ ଜାଣ ଗରିବ ଲୋକଟିଏ ଯେତେବେଳେ ତା’ କିଡ୍ନି ବିକ୍ରି କରେ ଗୋଟେ ଧନୀ ଲୋକକୁ, ଏହାର ମାନେ କ’ଣ? ଆହା ବିଚରା ଧନୀଲୋକଟି ବଞ୍ଚୁ, ମୁଁ ପଛେ ମରିଯାଏଁ । ଖାଲି କିଡ୍ନି କାହିଁକି? କେତେ ପଇସା ରଖିଛ? ନିଅ ମୋ ସତେଜ ହୃଦୟ । ଟଙ୍କା ଦିଅ, ନିଅ ମୋ ଲାଲ ରକ୍ତ, ମୋ କଫି ରଙ୍ଗର କଲିଜା, ଆହୁରି ଟଙ୍କା ଦେବ ଯଦି ମୁଁ ଦେବି ଶିରା-ପ୍ରଶିରା-ଉପଶିରା । ଯାହାକିଛି ନେବାର ଅଛି ନିଅ । ଯଥେଷ୍ଟ ଦିନ ପାଇଁ ବଞ୍ଚ । ଅମରତ୍ୱର ପାଖାପାଖି । ମୋ ମସ୍ତିଷ୍କଟି ଯଦି ଟଙ୍କାଦେଇ ବଦଳ କରାଯାଇପାରେ, ତାହା ବି ନିଅ ଓ ଠିକ୍ ଅମର ବିନ୍ଦୁରେ ପହଞ୍ଚିଯାଅ । ମୁଁ ଖୁସି ହେବି । ମୁଁ ସେଇ ଟଙ୍କାରେ ପୃଥିବୀରେ କିଛିଦିନ ଖାଇପାରିବି, ନିଶ୍ୱାସ ନେଇପାରିବି, ସ୍ତ୍ରୀକୁ ଔଷଧ ଦେଇପାରିବି, ପୁଅ ପାଇଁ ଡ଼୍ରେସ୍ କିଣିପାରିବି, ବିପିଏଲ୍ କାର୍ଡ କରିପାରିବି, ଇଶ୍ୱରଙ୍କ ଦ୍ୱାରସ୍ଥ ହୋଇପାରିବି ଓ ବଞ୍ଚିବି କିଛିଦିନ । ମୋ ସ୍ତ୍ରୀ-ପୁଅ-ଝିଅ ଓ ମୁଁ ସଭିଏଁ ମିଶି ହସିପାରିବୁ କିଛି ଦିନ, ଶୋଇପାରିବୁ କିଛି ଦିନ । କେହି ଜଣେ ମଲେ ମୃତ୍ୟୁ ଯାତ୍ରାର ଆୟୋଜନ ବି କରିପାରିବୁ ଗର୍ବ ଓ ଗୌରବରେ । ଆମକୁ ଆଉ କ’ଣ ଦରକାର କି? ସର୍ବନିମ୍ନ ସ୍ୱଚ୍ଛନ୍ଦ ହିଁ ଯଥେଷ୍ଟ । ଏଇଟା ହିଁ ଅମରତ୍ୱର ଅର୍ଥନୀତି । ଏଇ ଅର୍ଥନୀତିରେ ସୁସ୍ଥ ସବଳ ଧନୀକ ଶ୍ରେଣୀ ସ୍ୱଚ୍ଛନ୍ଦରେ ବଞ୍ଚିବେ ସବୁଦିନ ପାଇଁ । ଖାଲି ପୃଥିବୀ ଓ ଈଶ୍ୱର ସମ୍ଭାଳି ପାରିଲେ ହେଲା । ଲାରା ତୁମକୁ ଆଉ କ’ଣ ଦରକାର କି? ତୁମ ବାପାଙ୍କୁ ଲାଗୁଥିବ ଯାହା ଟଙ୍କାଲାଗୁ ପଛେ ତାଙ୍କ ଝିଅ ବଞ୍ଚୁ । ତୁମେ କ’ଣ ସତରେ ବଞ୍ଚୁଛ କି? ଏପରି ଯୁକ୍ତି ପଛରେ ତାଙ୍କର ହିତାହତ ଜ୍ଞାନ ତାଙ୍କୁ କେଉଁ ଆଡ଼କୁ ଟାଣୁଛି ସେମାନେ ବୁଝିପାରୁ ନାହାନ୍ତି । ତମେ ତାଙ୍କର ଗେହ୍ଲା ଝିଅ ତ । ସେମାନେ ତାଙ୍କର ଘର ଜମି ଅଳଙ୍କାର ବିକ୍ରି କରିବାକୁ ପ୍ରସ୍ତୁତ, ଯଦି କିଛି ବଳିଛି ଇତି ମଧ୍ୟରେ । ତାଙ୍କ ହସଖୁସି ଜୀବନ ଓ ଜୀବିକା କେବେଠୁ ବିକ୍ରି କରି ସାରିଲେଣି । ବାକି ଅଛି କେବଳ କିଡ଼୍ନି ଲିଭର ରକ୍ତ ମାଂସ ହାଡ଼ । ସବୁ ମିଶାଇ କେତେ ଟଙ୍କା ହେବ? ତା’ ବଦଳରେ ତାଙ୍କ ଝିଅ ଆଉ କେତେ ଦିନ ବଞ୍ଚିବ ଫ୍ରିଜ୍ ଭିତରେ? ଆଉ ଶହେ ଦିନ? ଦୁଇଶହ ନା ପାଞ୍ଚଶହ ଦିନ? ଲାରା, ରେଫ୍ରିଜରେଟର୍ ଭିତରେ ତୁମେ ବଞ୍ଚୁଛ କେମିତି?
ପୃଷ୍ଠା:Hada bagicha.pdf/୧୫୬
Appearance