ଜଳ ଭଉଁରୀ ଭିତରେ କ୍ଳୀବ ପୁରୁଷ ପ୍ରେମାସ୍ପଦ ଶବ୍ଦଟି ସବୁବେଳେ ବହୁବଚନ, ଏକ ବଚନ ନୁହେଁ । ଯେଉଁ ନାରୀମାନଙ୍କ ସାଙ୍ଗରେ କ୍ଳୀବ ପୁରୁଷ ଏକାଠି କାମକରେ ସମସ୍ତଙ୍କପାଇଁ ତାକୁ ପ୍ରେମିକ ପ୍ରେମିକପରି ଲାଗେ । ସମସ୍ତଙ୍କସହ ଅତି ଆଗ୍ରହରେ କଥାହୁଏ । ସେମାନଙ୍କ ଶୁଖିଲା ମୁହଁ ଦେଖିଲେ ନିଜେ ବି ବିଷର୍ଣ ହୋଇଯାଏ । କିନ୍ତୁ ଦୁଇ ତିନି ମିନିଟରୁ ଅଧିକ ସମୟ କଥା ହୋଇପାରେନା । କେମିତି ଉବୁଟୁବୁ ଭାବଟିଏ ଆସେ । ଏ ଜାଗା ଛାଡ଼ି କୁଆଡ଼େ ପଳାଇବ ପଳାଇବ ପରି ଲାଗେ ଏବଂ ବିଦ୍ୟୁତ ସକ୍ ମାରିଲା ପରି ହଠାତ୍ ଠିଆହୋଇ କଥା ଅଧାରଖି ଚାଲିଆସେ । ସେମାନେ ବେଳେବେଳେ ତାଙ୍କର କଣ ଭୁଲ ହେଲା କି ବୋଲି ପଚାରନ୍ତି । କ୍ଳୀବ ପୁରୁଷ ଏ କଥା ବା ଏ ଘଟନାକୁ ଭୁଲି ଯାଇଥାଏ ଏବଂ କେବେ? କଣ? ଭୁଲ କଣ? ବୋଲି ପଚାରେ । ସେମାନେ ଆଉ କିଛି କହନ୍ତିନାଇଁ । ପ୍ରେମାସ୍ପଦ ମାନଙ୍କ ସାଙ୍ଗରେ ଚାକିରି କଲେ ଏପରି ଉବୁଟୁବୁ ଭାବ ଆସିବା ସ୍ୱାଭାବିକ ବୋଲି ମନ୍ତବ୍ୟ ଦିଏ କ୍ଳୀବପୁରୁଷ । ଉବୁଟୁବୁ ଭାବର ପରିମାଣ ଏତେ ବେଶିଥାଏ ଯେ ବେଳେବେଳେ କ୍ଲୀବପୁରୁଷକୁ ଲାଗେ ଯେପରି ଏ ସ୍କୁଲଘରଟି ମହାସମୁଦ୍ର ତଳେ ଅଛି । ନଚେତ୍ ଅଣନିଃଶ୍ୱାସୀ କାହିଁକି ଲାଗନ୍ତା? ଅମ୍ଳଜାନର ଅଭାବ ଅନୁଭୂତ ହୁଏ । ଅଙ୍ଗାରକାମ୍ଳର ପରିମାଣ ବେଶୀ ଜଣାପଡ଼େ । ଛାତି ରୁନ୍ଧି ଦିଏ । ତଣ୍ଟି ଅଠାଅଠା ଲାଗେ । ଦେହ ଫ୍ରିଜିଡ୍ ହୋଇଯାଏ । ବାନ୍ତିବାନ୍ତି ଲାଗେ । ଗୋବର ଖାଇବାକୁ ଇଚ୍ଛାଲାଗେ । ଗାଈର କ୍ଷୀର ନୁହେଁ ବରଂ ମୂତ ପିଇବାକୁ ଇଚ୍ଛାହୁଏ । କ୍ଳୀବ ପୁରୁଷ ନିଜକୁ ଅନ୍ତରରୁ ଭଲକରି ଚିହ୍ନେ । ନିଜର ଅକ୍ଷମତା ନିରର୍ଥକତା ଅସହାୟତା ମୂଲ୍ୟହୀନତା ଓ ନିଃସଙ୍ଗତାକୁ ଅତି ସନ୍ତର୍ପଣରେ, ଅତି ଆଦରରେ ସଜାଡ଼ିରଖେ । ଏଇ ସବୁ ବିଶେଷ୍ୟମାନଙ୍କୁ ସେ ଭାରି ଭଲପାଏ । ବହିଥାକ ପରି ନିଜ ଦେହର ଥାକରେ ସଜାଇରଖେ ଯେମିତି ଏସବୁ ତାର ବ୍ୟକ୍ତିଗତ ସମ୍ପତ୍ତି । ଏକାନ୍ତ ନିଜର । ମାତ୍ର ଆତ୍ମ ପ୍ରତାରଣାରେ ନିଜକୁ ସଜାଇ ପାରେନା । ନିଜ ହୃଦୟ ଓ ମସ୍ତିଷ୍କ ମଧ୍ୟରେ ଶାନ୍ତିସ୍ଥାପନର ଉଦ୍ୟମ ସେ କରିପାରେନା । ଏପରି ସେ ଆଦୌ କରି ପାରିବନାହିଁ । ଏ ଦିଗରେ ସେ ଅପାରଗ ଓ ନିକମା । ତା ଅନ୍ତରଙ୍ଗ ପ୍ରେମାସ୍ପଦକୁ ସେ ହୃଦୟ ଭିତରୁ ଭଲପାଏ । ପ୍ରତି ଦୁଇ ତିନି ଦିନରେ ସେ ଯାହାହେଲେ ଗୋଟିଏ ଜିନିଷ ଗିଫ୍ଟଦିଏ । କିସ୍ମିସ୍ ଚକ୍ଲେଟ ଆଚାର ନେଲପଲିସ୍ ଶାଢ଼ି ନାକର ଫୁଲ ରୁମାଲ ଚା କପ୍ ବେଡ୍ସିଟ୍ ଛୋଟ ବେଗ ବହି ଆର୍ଟ ବ୍ରାସିୟର ବର୍ଷାଭିଜା ଅନ୍ଧାର ଜହ୍ନରାତି ଶୀତୁଆ ପବନ ଦେହର ଉଷ୍ଣତା ଓଠର ମହକ ଆଖିର ହସ ଛୋଟ ଛୋଟ ସୂକ୍ଷ୍ମ ରଙ୍ଗିନ ଶବ୍ଦମାନଙ୍କ ଶିଶୁହଂସ ପରି ଚାଲି । ଏତେ କଥା ପୃଥିବୀରେ ଥାଏ? ନାରୀଟି କୁଣ୍ଡେମୋଟ ହୋଇଯାଏ । ଯମଳ ସାନିଧ୍ୟରେ ଜୀବନ ଜଞ୍ଜାଳକୁ ଯତିପାତଦିଏ କିଛିକାଳ । ଏ ତ ଗଲା ହୃଦୟର କଥା । ଅଥଚ ମସ୍ତିଷ୍କ ଏକ ଭିନ୍ନ ବାଗରେ ଯାଏ । ଯେଉଁଦିନ ଯାହାବି ଗିଫ୍ଟ ଦେଉ, କ୍ଲୀବପୁରୁଷ ଘରକୁ ଫେରି ଗୁଡ଼ାଏ ଅସଭ୍ୟ ଓ ଅଶ୍ଳୀଳ ଭାଷାରେ ପ୍ରେମାସ୍ପଦକୁ ଗାଳିଦିଏ ଅଧଘଣ୍ଟା, ମନେ ମନେ । ସେଥିପାଇଁ ସେ ନୂଆ ନୂଆ ଅଶ୍ଳୀଳ ଶବ୍ଦସବୁ ଥେସାରସ୍ରୁ ଖୋଜେ ଏବଂ ଗାଳିଦିଏ । ବାଥରୁମରେ ଥିଲାବେଳେ ତାକୁ ଅଶ୍ଳୀଳ ଶବ୍ଦସବୁ ହାଲୁକାଭାବରେ ଉଚ୍ଚାରଣ କରିବାରେ ସୁବିଧାହୁଏ । "ଦି ପେଣ୍ଟହାଉସ ସେକ୍ସିକନ୍' ବୋଲି ଅଶ୍ଳୀଳ ଶବ୍ଦମାନଙ୍କର ଏକ ଛୋଟ ଅଭିଧାନ ରଖିଛି । ସେଥିରୁ ବି ଅନେକ ଶବ୍ଦ ତା ପ୍ରେମାସ୍ପଦ ପାଇଁ ବ୍ୟବହାରକରେ । କ୍ଳୀବପୁରୁଷ ଭାରି ଖୁସି ଯେ ସେ ପ୍ରଚୁର ଅଶ୍ଳୀଳ ଶବ୍ଦ ତାର ଅର୍ଥ ପ୍ରୟୋଗ ଉଚ୍ଚାରଣ ସଞ୍ଜ୍ଞା ବ୍ୟାଖ୍ୟା ଓ ପ୍ରତିଶବ୍ଦ ସବୁ ଜାଣିଛି । ଅସଭ୍ୟ ଭାଷାରେ ଗାଳିଦେଲେ ଅନ୍ତରଙ୍ଗତା ବଢ଼େ ବୋଲି ସେ ମନେ କରେ । ଘଣ୍ଟାଏ ପରେ ସ୍ତ୍ରୀ "ଏତେବେଳଯାଏ କ'ଣ କରୁଛ?' ବୋଲି ଡାକିଲେ ସେ ବାହାରେ । ପରିଷ୍କାର ପରିଚ୍ଛନ୍ନ ଅନାବିଳ ଓ ଭଦ୍ର ।
ପୃଷ୍ଠା:Hada bagicha.pdf/୧୬୪
ଦେଖଣା