ପୃଷ୍ଠା:Hada bagicha.pdf/୧୬୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାଷା ଜାଣନ୍ତିନାଇଁ । ଅଥଚ ମଶାମାଛିଙ୍କ ପରି ଗୁଣୁଗୁଣୁ କରି ସବୁ ବୁଝିବା ପରି ବାହାରକୁ ଜଣାପଡୁଥାନ୍ତି । ବାହାରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଆନ୍ତି କେଉଁ ମାଧ୍ୟମ ସେମାନଙ୍କୁ ବାନ୍ଧିରଖିଛି ଅହର୍ନିଶ । ଜଣକର ସ୍ପେନିଶ୍ ଭାଷା, ଆଉ ଜଣକର ଓଡ଼ିଆ । ଇଂରାଜି ଦୁହେଁ ଜାଣନ୍ତିନାଇଁ । ଅଥଚ ଏତେ ଘନିଷ୍ଠତା, ଏତେ ଭାବ ବିନିମୟର ଅନ୍ତରଙ୍ଗତା ଦେଖିଲେ ନିଜକୁ ଏତେ ବିନମ୍ର ଭକ୍ତି ଓ ଶ୍ରଦ୍ଧା ଆସେ ଯେ କ୍ଲୀବଲିଙ୍ଗରେ ରୂପାନ୍ତରିତ ହେବାଯାଏ କଥା ଲମ୍ବିଯାଏ । ଶ୍ରଦ୍ଧା ଓ ଭକ୍ତି ମନର କଥା, ଆବେଗର କଥା । ମାତ୍ର ଏ ଆବେଗଟି ଏତେ ବଳିଷ୍ଠ ଯେ ତାହା ମନରୁ ତରଳି ଝାଳନାଳ ହୋଇ ଗୋଡ଼ହାତ ଥରାଇ ଶରୀରକୁ ଆସେ ଏବଂ କ୍ଲୀବତ୍ୱରେ ବାନ୍ଧି ପକାଏ । ହାତଗୋଡ଼ କିଛି କାମ କରିପାରେନା । ଫ୍ରିଜିଡ୍ ହୋଇଯାଏ । ଝିଟିପିଟିଟା କାନ୍ଥରେ ଲଟକିଥାଏ ଯେ ମଶା ମାଛି ପୋକଯୋକଙ୍କ ଗୁଣୁଗୁଣୁ ଶୁଣିଲେ ବି ଘଣ୍ଟା ଘଣ୍ଟା ଧରି କୁଆଡ଼େ ଯାଏନା । ତା’ଭୋକ ମରିଯାଇଥାଏ । ଦୁଇଟି ଭିନ୍ନ ସାଂସ୍କୃତିକ ପୃଷ୍ଠଭୂମିରୁ ଦୁହେଁ ଆସିଥିଲେ ମଧ୍ୟ ଉଭୟଙ୍କ ସଂସ୍କୃତି ଗୋଟିଏ । ତେଣୁ ଦୁହେଁ ଭାରି ଖୁସି । ପରଦା ବାହାରକୁ ଉଭୟଙ୍କ କାନ ଆଖି ଓ ପାଟି ଯାଏ ନାହିଁ । ପରଦା ଆଢୁଆଳରେ ସବୁବେଳେ ଚଞ୍ଚଳଥାଏ । ସ୍ୱପ୍ନ ଦେଖିବା ଚିନ୍ତା କରିବା ଯୋଜନା କରିବା ବୌଦ୍ଧିକ ଆନନ୍ଦରେ ସାମିଲ ହେବା ଗଢ଼ିବା ଶୁଣିବା ଏ ସବୁ ତାଙ୍କ ସଂସ୍କୃତିର ବାହାରେ । ଗସିପ କରିବା ଓ ଟିପଚିହ୍ନ ଦେବା ସଂସ୍କୃତିରେ ସେମାନେ ସଂସ୍କୃତି ସମ୍ପନ୍ନ । ତେଣୁ ଉଭୟେ ଖୁବ ଅନ୍ତରଙ୍ଗ । ସ୍କୁଲର ଦଶଟି କୋଠରିରେ ଦଶଜଣ କ୍ଲୀବପୁରୁଷ ବସି ଥାଆନ୍ତି ଓ ବାକି ଦଶଟି କୋଠରିରେ ଦଶଜଣ ପ୍ରେମାସ୍ପଦ ବସିଥାଆନ୍ତି । ସମସ୍ତେ ସମ୍ଭ୍ରମରେ ନିରବ । କେବେ କାହାରି ପାଟି ଶୁଭେନା । ପିଲାଏ ବି ପାଟି କରନ୍ତିନାଇଁ । ଅଧ୍ୟକ୍ଷଙ୍କ ନିରବତା ସଙ୍କ୍ରମିତ ହୋଇଯାଇଛି ସମସ୍ତଙ୍କ ଶରୀରକୁ । ବ୍ୟାଧି ବି ବେଳେବେଳେ ମଣିଷକୁ ସଂସ୍କୃତିସମ୍ପନ୍ନ କରାଏ । ଏ ନିରବତା ବ୍ୟାଧିଯୋଗୁଁ ସ୍କୁଲକୁ ସମସ୍ତେ ପ୍ରଶଂସାକରନ୍ତି । ଖବରକାଗଜରେ ବାହାରେ । ଟିଭି ଚେନେଲ୍ରେ ବାହାରେ । ସମସ୍ତେ ନିରବ ରହିରହି ଶୋଇ ପଡିଥାନ୍ତି । ତାହା ସୃଜନଶୀଳତାର ପ୍ରାକ୍ ରୂପ ବୋଲି ଅଭିହିତ କରାଯାଏ । ସମସ୍ତେ କୁଣ୍ଡେମୋଟ ହୋଇଯାଆନ୍ତି । ନିଜ ପ୍ରେମାସ୍ପଦକୁ ସେ ଭଲପାଏ ଓ ଘୃଣାବି କରେ । ଦୁଇଟି ବିପରୀତ ମୁଖୀ ଆବେଗକୁ ସଦାବେଳେ ପୋଷିଥାଏ କ୍ଳୀବ ପୁରୁଷ । ସେ ନିଜେ ଅବଶ୍ୟ ଏହାକୁ ବିପରୀତ ମୁଖୀ ବୋଲି କୁହେନା । ଗୋଟିଏ ହୃଦୟର କଥା ଓ ଅନ୍ୟଟି ମସ୍ତିଷ୍କର କଥା । ଦୁହେଁ ନିଜ ବାଟରେ ଠିକ୍ ଓ ପଜିଟିଭ୍ । ଏହା ସ୍ୱାଭାବିକ ଆଚରଣ । ଏ ଉଭୟ ଆବେଗକୁ ମିଶାଇବା ବରଂ ଆତ୍ମ ପ୍ରତାରଣାର ନିଛକ ଉଦାହରଣ । ସେ ଏପରି କରିପାରିବ ନାହିଁ । କ୍ଳୀବ ପୁରୁଷର ବହି ପ୍ରକାଶିତ ହେବାର ଖବର ଖବରକାଗଜରୁ ଦେଖି ଜହ୍ନ ଉତ୍ଫୁଲ୍ଲିତ ନାରୀଟି ବହିଟିଏ ଓ ଫଟୋ ଆଲବମ୍ ଆଣି ତା’ ଘରକୁ ଯେମିତି ହେଉ ଆସିବାପାଇଁ ଜୋରକରି କଅଁଳେଇ କହିଥିଲା । ସେ କଅଁଳେଇ କହିଲେ ଜୋର୍କରି କହିଲାପରି ଲାଗେ ଓ ସେ ଜୋର୍କରି କହିଲେ କଅଁଳେଇ କହିଲା ପରି ଲାଗେ କ୍ଲୀବ ପୁରୁଷକୁ । ତା’ କ୍ଳୀବତ୍ୱର ଏହା ଆଦ୍ୟ ଏକ ପାହାଚ । ପ୍ରାୟ ଏକଘଣ୍ଟା ଯାଏ ପୁରୁଷଟି ଭାବିଲା ନାରୀ ପାଖକୁ ଯିବ ନା ନାଇଁ । ଯିବ? ଯିବନାଇଁ? କାହିଁକି ଯିବ? କ’ଣ କଥା ହେବ? ନା, ଆଦୌ ଯିବ ନାଇଁ । ଏତେ ଭାବିବା ଭିତରେ ତା’ ଘରକୁ ଯିବା ପାଇଁ ପ୍ରସ୍ତୁତ ବି ହେଉଥିଲା । ପେଣ୍ଟସାର୍ଟ ଲଗାଇଲା । ଗୋଟିଏ ସାର୍ଟ ଖୋଲି ଆଉ ଗୋଟିଏ ଲଗାଇଲା, ବହିକୁ ଏକ ନୂଆ ରୁମାଲରେ ଗୁଡ଼ାଇଲା, ଫଟୋ ଆଲବମ୍ ନେଇ, ବଡ଼ ସାଇଜର ଦୁଇଟି ଚକଲେଟ ନେଇ ମୋଟର ସାଇକେଲର ଡିକିରେ ରଖିଲା । ପୁଣି ତା’ର ଯିବାପାଇଁ ଇଚ୍ଛା ହେଲାନାଇଁ । ତେଣୁ ସେ ଶୋଇପଡ଼ିଲା ଅଧଘଣ୍ଟା, ପୂରା ନିଦରେ, ନିର୍ବିକାରରେ । ସେ ଜାଣେ ନାରୀଟିର ବୌଦ୍ଧିକ ଆବେଗ ନାଇଁ । ଜ୍ଞାନ ଆହରଣ ଜନିତ ଆନନ୍ଦ, ସୃଜନଶୀଳତାର ଆନନ୍ଦ, ବା ବୌଦ୍ଧିକ ଅନୁଭବର ଆନନ୍ଦ ତାର ନାହିଁ । ତେବେ ସେ ତାର ସଦ୍ୟ ପ୍ରକାଶିତ "ଗୋଟିଏ ସ୍କୁଲକୁ ହତ୍ୟାକରିବା ପ୍ରଣାଳୀ' ପ୍ରବନ୍ଧ ପୁସ୍ତକ ଧରି ତା ଘରକୁ କାହିଁକି ଯିବ? ମଧ୍ୟଯୁଗୀୟ ଇତିହାସ କୁହେ ଏକଦା ସମ୍ରାଟମାନେ ଗଡ଼ ଜିଣି ଫେରିଲେ ନାରୀମାନେ କେବଳ ଖୁସିରେ ନାଚୁଥିଲେ ଗାଉଥିଲେ ଫୁଲ ଫିଙ୍ଗୁଥିଲେ । ନାରୀମାନେ ଇତିହାସରେ ସାମିଲ ହୁଅନ୍ତିନାଇଁ । କେବଳ ଇତିହାସର କଡ଼ରେ ଠିଆ ହୋଇ ଇତିହାସ ପୃଷ୍ଠାର କାର୍ଯ୍ୟାବଳୀ ନିରୀକ୍ଷଣ କରନ୍ତି । ହସିବେ ନାଚିବେ ତାଳି ମାରିବେ ଏବଂ ଶେଷରେ ବିଛଣା ସଜାଡ଼ିବେ । ତା ପ୍ରେମାସ୍ପଦ ବି ମଧ୍ୟଯୁଗୀୟ ନାରୀପରି- ତା ବହିଟିକୁ ହାତରେ ଧରି ଗେଲକରିବ, କ୍ଳୀବ ପୁରୁଷପାଇଁ କଫି କରିବ ସିନା, ହେଲେ ବହିଭିତରେ କଣଅଛି ସେ ଜାଣିପାରିବ ନାହିଁ । ଯଦି ତାକୁ ବହିର ପୃଷ୍ଠା ମାନଙ୍କରେ ଥିବା ଆନନ୍ଦ ବିଶାଦ ବ୍ୟଙ୍ଗୋକ୍ତି ସବୁ କୁହାଯାଏ, ତେବେ ସେ ହାଇ ମାରିବ ଏବଂ କହିବ "ଇସ୍... ଏତେ କଥା ଅଛି? ଆଉ କପେ କଫି କରିବି?'