ହୋଇ ମୂତରେ ଭାଷିଲା । ଖୁବ କଷ୍ଟରେ ଘରକୁ ଅନ୍ଧାରରେ ଗୁରୁଣ୍ଡିଗୁରୁଣ୍ଡି ଲୁଚିଲୁଚି ଆସିଲା ଏବଂ ମାସାଧିକ କାଳ ଶୋଇ ପାରି ନଥିଲା । ଥରେ ଶହେପୃଷ୍ଠାର ରାଇଟିଙ୍ଗପେଡ଼୍ ଗୋଟିଏ କିଣି ତା ଭିତରେ ଦୁଇ ହଜାର ଥର ଭିନ୍ନଭିନ୍ନ ରଙ୍ଗର କାଳିରେ ଏବଂ ବିଭିନ୍ନ ଡିଜାଇନ୍ରେ ଲେଖିଥିଲା ମାତ୍ର ଦୁଇଟି ଧାଡ଼ି- ଆଇ ଲଭ୍ ୟୁ ନଟ୍ ଏବଂ ୟୁ ଆର୍ ନଟ୍ ସିନିୟର ଟୁ ମି । ପ୍ରେମାସ୍ପଦ ପଢ଼ିସାରି ମାସେପରେ କହିଥିଲା, ସେ ମାତ୍ର ତିନୋଟି ଶବ୍ଦ ବୁଝିଲା ଓ ଅନ୍ୟ ଶବ୍ଦ ସବୁକୁ ଜଳାଞ୍ଜଳି ଦେଲା । ଥରେ ତା ଭଉଣୀର ବାହାଘର କାର୍ଡ଼ ଦେବାବେଳେ କ୍ଳୀବ ପୁରୁଷ କାର୍ଡ଼କୁ ଚିରି ଟିକିଟିକି କରି ତା ପ୍ରେମାସ୍ପଦର ମୁହେଁ ମୁହେଁ ଫିଙ୍ଗି ଦେଇଥିଲା ଏବଂ କହିଥିଲା, "ତୁମଘରକୁ ବା ତୁମ ଉପସ୍ଥିତିର ସମ୍ଭାବନାଥିବା ଅନ୍ୟ କାହାଘରକୁ ମୁଁ କେବେ ହେଲେ କୌଣସି ଉତ୍ସବକୁ ଯିବାର ପ୍ରଶ୍ନ ଉଠୁନାଇଁ । କାରଣ କୌଣସି ଉତ୍ସବକୁ ଗଲେ ତୁମ ଅଧୀନରେ ଗଲାପରି ଲାଗିବ ।' କ୍ଳୀବ ପୁରୁଷ ସବୁବେଳେ ନିଃସଙ୍ଗ କେମିତି ତା ଅନ୍ତରରୁ ହୋଇପାରିବ ସେ ଚେଷ୍ଟାରେ ଥାଏ । ନଚେତ୍ ତା କ୍ଳୀବତ୍ୱ ପ୍ରାପ୍ତି ହୋଇପାରିବ ନାଇଁ । ନିଜକୁ ସବୁବେଳେ ସେ କାୟିକ ମାନସିକ ଓ ସାମାଜିକ ସ୍ତରରେ ଲାଞ୍ଛିତ ପୂର୍ଣମାତ୍ରାରେ ହୋଇପାରିବାର ପ୍ରକ୍ରିୟାରେ ବୁଡ଼ାଇ ରଖିଥାଏ । ଦିନେ ପ୍ରେମାସ୍ପଦ କହିଲା ସେ ବଦଳି ଚାଲିଗଲେ କ୍ଳୀବପୁରୁଷ ଶାନ୍ତିରେ ରହିବ କି? କ୍ଳୀବ ପୁରୁଷ କହିଲା, "କୁଷ୍ଠରୋଗଟି କୁଷ୍ଠରୋଗୀକୁ ଯଦି କୁହେ ସେ ତା ଦେହରେ ତିନିବର୍ଷ ରହିଛି, ଆଉ ମାତ୍ର ବର୍ଷେପରେ ସେ ତା ଦେହଛାଡ଼ି ଚାଲିଯିବ, ସେ ଟିକେ ଧୈର୍ଯ୍ୟଧରୁ, ତାପରେ ଶାନ୍ତିରେ ରହିବ । କିନ୍ତୁ ତା ଦେହରୁ କୋଡ଼ିଏଟି ଆଙ୍ଗୁଠି ନାକ କାନ ଆଖି ଚୋରାଇ ନେଇଥିବ ଏ କଥା କୁଷ୍ଠ ରୋଗଟି ରୋଗୀକୁ କହିବ ନାଇଁ । ତୁମ ବଦଳି କଥା ଠିକ୍ ଏପରି ।' ଦିନେ ମି. ସନୋଫେବିଚ ତାଙ୍କ କାର୍ରେ ଅଶୀ କିଲୋମିଟର ବାଟ ଚାରିଜଣ ପ୍ରେମାସ୍ପଦଙ୍କୁନେଇ ବୁଲିବାକୁ ଯାଇଥିଲେ । ଉଦେ୍ଧଶ୍ୟ ସେ କେମିତି ଡ୍ରାଇଭ କରୁଛନ୍ତି ସେମାନଙ୍କୁ ଦେଖାଇବେ । ପ୍ରେମାସ୍ପଦ ଚାରିଜଣ ପେଟ୍ରୋଲ ଖର୍ଚ, ଢାବାରେ ଖାଇବା ଖର୍ଚ ଦେଲେ ଏବଂ ସକାଳୁ ସଞ୍ଜଯାଏ ପବନପରି ଉଡ଼ିଲେ । ଫେରିବା ପରେ ରାତିରେ ପ୍ରେମାସ୍ପଦ ଫୋନରେ କହିଲା, ‘ଆଜି ଖୁବ୍ ମଜା ହେଲା । ଖୁବ୍ ଖାଇବା ପିଇବା ହେଲା ।’ କ୍ଳୀବପୁରୁଷ ପଚାରିଲା, ‘ଲିପ୍ କଟ୍ଲେଟ, ଚିଲ୍ଲି ଚିକ୍, ହଟ୍ ଡଗ୍ ସବୁ ଖାଇଥିବ ।’ ପ୍ରେମାସ୍ପଦ ବୁଝିପାରିଲା ନାଇଁ, କହିଲା, "ନା ନା ଆହୁରି ଭଲ ଜିନିଷ ଖାଇଲୁ । ଆମେ ଶାଢ଼ି ବି କିଣିଲୁ ।’ କ୍ଳୀବପୁରୁଷ କହିଲା, ‘ମୁଁ ଆଜି ଖରାବେଳରେ ‘ଆଇ ଏମ୍ ଏ ରାସ୍କେଲ୍’ ସିନେମା ଦେଖିଲି ଏବଂ ଫୋନ ଅଫ୍ କରିଦେଲା । ମି. ସନୋଫେବିଚ ସ୍କୁଲର ବିରାଟ ଖେଳପଡ଼ିଆକୁ ବର୍ଷତମାମ୍ ଭଡ଼ାରେ ଦିଅନ୍ତି । ଯାଦୁବାଲା, ଅପେରାବାଲା, ମୀନାବଜାର ବାଲା, ସର୍କସବାଲା, କ୍ରିକେଟ କ୍ଳବ ପାଖରୁ ବହୁତ ରୋଜଗାରହୁଏ । ସେମାନଙ୍କଠୁ ପାସ୍ ଦୁଇ ଚାରୋଟି ଆଣି ପ୍ରେମାସ୍ପଦ ମାନଙ୍କୁ ଦିଅନ୍ତି । ଦିନେ ପ୍ରେମାସ୍ପଦ କହିଲା, ‘ଆସନ୍ତାକାଲି ଷ୍ଟାଫ୍ର ସମସ୍ତେ ମିଶି ପରିବାରସହିତ ଅପେରା ଦେଖିଯିବା, ପାସ ମିଳିଛି, ମଜାହେବ ।’ ତା ପରଦିନ କହିଲା, ‘ଗତକାଲି ତୁମ ଫୋନ ଲାଗିଲାନାଇଁ । ମୁଁ କେତେ ଚେଷ୍ଟା କଲି । କାଲି ଆମେ ଅପେରା ଦେଖି ଯାଇଥିଲୁ, କେତେ ମଜା, କେତେ ଶୀତ । ପୁଅ ଝିଅଙ୍କୁନେଇ ଯାଇଥିଲି । ଅଧ୍ୟକ୍ଷ ଓ କିରାଣି ଉଭୟଙ୍କ ପାଟି ଗନ୍ଧାଉଥାଏ । ସେମାନେ କଣ ପିଇଥିଲେ କି?’ କ୍ଳୀବପୁରୁଷ କହିଲା, ‘ହଁ, ଶୀତରାତି ତ, ସରବତ୍ ପିଇଥିବେ ।’ କହିଲା ଏବଂ ନିଜେ ବି ଚାରିପେଗ୍ ସରବତ ପିଇଲା ସେଦିନ । ଛୁଟିଘଣ୍ଟା ବାଜିଲା ବେଳକୁ ଅନେକ ସମୟରେ ପ୍ରେମାସ୍ପଦ ମି. ସନୋଫେବିଚଙ୍କୁ ଗେଲରେ କୁହେ, "ମୁଁ ଯାଉଛି ।?!' ସେ ମୁଣ୍ଡ ହଲାଇ "ହଁ' କହେ । କେବେକେବେ ଠାରରେ ବସିବାକୁ କୁହେ । ପ୍ରେମାସ୍ପଦ ଗର୍ବରେ ବସି ରୁହେ । ଏମିତି ଦିନେ ଛୁଟିପରେ ବସିରହିଲା ବେଳକୁ ହଠାତ୍ ମି. ସନୋଫେବିଚ୍ ତାଙ୍କ ଚୌକିରେ ବସି ମରି ଯାଇଥାନ୍ତି । ମୃତ୍ୟୁର କାରଣ ପ୍ରେମାସ୍ପଦକୁ ସମସ୍ତେ ପଚାରିଲେ । ସନ୍ଦେହ ବି କଲେ । ପ୍ରେମାସ୍ପଦ କହିଲା, "ତାକୁ ସେ କିଛି କରିନାହାନ୍ତି । ସେ ଜଣେ ଆଦର୍ଶ ପୁରୁଷ ଥିଲେ ।' ଏପରି ଉତ୍ତର ସନ୍ଦେହକୁ ଦ୍ୱିଗୁଣିତ କଲା । ପରେ ପୋଲିସ ଆସିଲେ । ଟେବୁଲର ଡ୍ରୟର ଭିତରୁ ତିନୋଟି ଖାଲି ହ୍ୱିସ୍କି ବୋତଲ, ଗୋଟିଏ ଅଧାଥିବା ବୋତଲ ଓ ଗ୍ଳାସ ବାହାରିଲା । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଗଲା । ସ୍କୁଲରେ ଯେହେତୁ କେହିକେବେ ହସନ୍ତି ନାହିଁ, ତେଣୁ କେହି ମରିଗଲେ କାନ୍ଦନ୍ତି ବି ନାଇଁ । ମରୁଭୂଇଁ ମରୁଭୂଇଁ ପରି ଦିଶୁଥାଏ ସମସ୍ତଙ୍କ ମୁହଁ, ବର୍ଷ ତମାମ୍ । ତେଣୁ ମରୁଭୂଇଁର ରଙ୍ଗ ଏବେବି ବଦଳିଲା ନାହିଁ ।
ପୃଷ୍ଠା:Hada bagicha.pdf/୧୭୩
Appearance