Jump to content

ପୃଷ୍ଠା:Hada bagicha.pdf/୧୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଛି ସମୟପରେ ଦେଖାଗଲା ଗୋଟିଏ କୋଠରିର କାନ୍ଥ ଓ ଛାତ ଭୁଷୁଡ଼ି ପଡୁଛି । ସମସ୍ତେ ବାହାରକୁଆସି କାଠ ପାଲଟିଗଲେ । ଦୁଇମିନିଟ୍ପରେ ଆଉ ଏକ କାନ୍ଥ ଉଜୁଡ଼ିଗଲା, ତା’ପରେ ଆଉଗୋଟେ ଛାତ, ତା’ପରେ ଆଉଗୋଟେ କାନ୍ଥ, ଆଉଗୋଟେ ଛାତ କାନ୍ଥ ଛାତ କାନ୍ଥ ଛାତ । ଅଧଘଣ୍ଟା ଭିତରେ ସମୁଦାୟ ସ୍କୁଲ ଘର ଉଜୁଡ଼ିଗଲା । ସମସ୍ତେ ଅନୁବାଦକ ପ୍ରେମାସ୍ପଦକୁ ପଚାରିଲେ- ‘ଆଦର୍ଶ ପୁରୁଷର ଟିପଚିହ୍ନ ଥିବା କାନ୍ଥସବୁ କେମିତି ଉଜୁଡ଼ି ଗଲା?’ ତାକୁ କିଛି ବ୍ୟାଧି ଥିବାର ସଭିଏଁ ଅନୁମାନ କଲେ । ବ୍ୟାଧି ସଙ୍କ୍ରାମକହୋଇ କାନ୍ଥ କବାଟ ଛାତ ଚଟାଣକୁ ବ୍ୟାପୀଥିଲା । କର୍କଟ ବ୍ୟାଧି ଏମିତି ବ୍ୟାପେ ଏକଥା ପୂର୍ବରୁ କେହି ଜାଣି ନଥିଲେ । ସମସ୍ତେ ଚମକିପଡ଼ିଲେ ଏବଂ ନିଜ ବହିଖାତା ପୋଷାକ ଯୋତା ସାଇକେଲ୍ରେ ଯେଉଁଠି ବି ଛୋଟବଡ଼ ଟିପଚିହ୍ନ ପାଇଲେ ଲିଭାଇବାକୁ ଲାଗିଲେ । ପରେ ପ୍ରେମାସ୍ପଦର ଚରିତ୍ରକୁ ଥାନାବାବୁ ସନ୍ଦେହରେ ଥାନାକୁ ବାନ୍ଧିନେଲେ ଓ ମାସେପରେ ଚାଳିଶହଜାର ଟଙ୍କା ବଦଳରେ ନିଃସନ୍ଦେହରେ ଛାଡ଼ିଲେ । କ୍ଳୀବ ପୁରୁଷର ନପୁଂସକତା ଓ କ୍ଳୀବତ୍ୱ ତା ରକ୍ତ ସାଙ୍ଗରେ, ସ୍ନାୟୁ ସାଙ୍ଗରେ ମିଶିଯାଇଛି । ତା ଆତ୍ମା ଯଦିଥାଏ, ଆତ୍ମା ସାଙ୍ଗରେ ମିଶିଯାଇଛି । ସେଥିପାଇଁ କୌଣସି ପରିବେଶ ବା ପରିସ୍ଥିତି ବିରୁଦ୍ଧରେ ସେ ସ୍ୱର ଉେତ୍ତାଳନ କରୁ ନାଇଁ । ସବୁକୁ ଗ୍ରହଣକରି ନେଇଛି । ସ୍କଲୁରେ ନିଜ ଲଜ୍ଜିତ ସ୍ଥିତିକୁ, ଅପମାନିତ ଅବସ୍ଥାକୁ ଓ ହୀନିମାନୀ ଅବସ୍ଥାକୁ କ୍ଳୀବପୁରୁଷ ଖୁବ ଭଲପାଏ । କାରଣ ନିଜ ବସ୍ତୁପଣକୁ ସେ ଅନୁଭବ କରିପାରେ । ସେ ଜାଣେ ମଣିଷର ସ୍ୱାଧୀନତା ଅଛିବୋଲି ସେ ପୂର୍ଣମାତ୍ରାରେ ବସ୍ତୁ ହୋଇପାରିବ ନାହିଁ । ସେଥିପାଇଁ ତା ସ୍ୱାଧୀନତା କେତେବେଳେ ଯଦି ତାକୁ ବାଧା ଦିଏ, ସ୍ୱାଧୀନତାର କାନମୋଡ଼ି ଫିଙ୍ଗିଦିଏ ଦୂରକୁ । ଯେତେଥର ସ୍ୱାଧୀନତା ଉଙ୍କିମାରେ ସେତେଥର ତାକୁ ଫିଙ୍ଗୁଥାଏ । ବାରମ୍ବାର ବାରମ୍ବାର । ନିଜ ପ୍ରେମାସ୍ପଦ ସାମନାରେ ତାର ବସ୍ତୁପଣକୁ ବାଢ଼ି ଦେବାକୁ କ୍ଳୀବପୁରୁଷ ସତତ ଚେଷ୍ଟା କରୁଥାଏ । ତା ପ୍ରେମାସ୍ପଦ ସିଂହାସନରେ ପୂର୍ଣ ଆଭୁଷଣରେ ବସି କ୍ଳୀବପୁରୁଷକୁ କୁହେ "ପୋଷାକ ଖୋଲ, ଉଲଗ୍ନ ହୁଅ, ଧୂଳିରେ ଗଡ଼ିଯାଅ, ନାକକାନ ଧର, ବସ୍ଉଠ୍ ହୁଅ, ହି... ହି... ହି... ହି... ହି...' । ତା ପରେ ଚାବୁକରେ ପ୍ରହାରକରେ ଖୁବଜୋରରେ, ଲାତ ମାରେ, ତଣ୍ଟିରେ ଚାବୁକ୍ଗୁଡ଼ାଇ କୁକୁରପରି ଘୋଷାରିଆଣେ ଓ କୁହେ, "ମୁଁ ତୁମକୁ ଖୁବ ଭଲ ପାଏଁ, ତମେ ମୋର ଇପ୍ସିତ ବସ୍ତୁ ।' ରକ୍ତ ବାହାରିଲେ ତାକୁ ଚାଟିପକାଏ, ଚୁମ୍ବନଦିଏ, କାନ୍ଦିପକାଏ ଓ କୁହେ, "ତମେ ମୋର ଅକ୍ସିଜେନ୍ । ତୁମକୁ ଛାଡ଼ି ମୁଁ ବଞ୍ଚି ପାରିବିନାଇଁ ।' କ୍ଳୀବପୁରୁଷର ଦେହରେ ଶୀହରଣ ଖେଳିଯାଏ । ତା ଦେହ ତରଳି ଯାଏ । ସବୁ ଯନ୍ତ୍ରଣା ନିମିଷକେ ଉଭେଇଯାଏ । ସେ କୁଣ୍ଡେମୋଟ ହୋଇଯାଏ । ତାର ସ୍ଖଳନ ହୋଇଯାଏ । ଶରୀର ଜଡ଼ ନିଥର ସଙ୍କୁଚିତ ହୋଇଯାଏ । ତା ପ୍ରେମାସ୍ପଦ ଏବେ ଇତିହାସ ପାଲଟିଯାଇଛି ଇତିହାସ ଆଗରେ ମୁଣ୍ଡ କଚାଡ଼ି ହୁଏନା ଇତିହାସ ସାଙ୍ଗରେ ସାଲିସ୍ କରାଯାଇ ପାରେନା ଇତିହାସ ଆଗରେ ଅନୁନୟ ହୋଇ ହୁଏନା ଇତିହାସ ବିରୋଧରେ ପ୍ରତିବାଦ କରାଯାଇ ପାରେନା ଇତିହାସକୁ କିଛି ପ୍ରସ୍ତାବ ଦିଆଯାଇ ପାରେନା କ୍ଳୀବପୁରୁଷ ଇତିହାସଆଗରେ ଠିଆହୋଇ ଦେଖୁଛି ନିଜ ପାଞ୍ଚଫୁଟ ସାତଇଞ୍ଚର ଶରୀର ଏବେ ମାତ୍ର ଏକଫୁଟ ଲମ୍ବର ଡରକୁଳା ଠେକୁଆରେ ରୁପାନ୍ତରି ଯାଇଛି । ମୁଣ୍ଡଟି ନିଜର, ମାତ୍ର ଶରୀରଟି ଗୋଟେ ସଙ୍କୁଚିତ ନପୁଂସକ ଠେକୁଆର । ଜୁଳୁଜୁଳୁ ଅନାଇ, ଆଖି ମିଟିମିଟି କରି ପତ୍ରଗହଳିରେ ସାଂକୁଡ଼େଇ ଯାଇଛି । ତଳକୁ ତଳକୁ ଖସିବା ତାର ଏକମାତ୍ର କାର୍ଯ୍ୟହୋଇଛି ଏବେ । କ୍ଳୀବତ୍ୱର ଚରମ ସୀମାରେ ପହଞ୍ଚିବା ପାଇଁ ସେ ଏବେ ମାତାଲଙ୍କ ପରି ଧାଇଁ ଚାଲିଛି । ଜଳଭଉଁରୀର ସ୍ରୋତ ଏବେ ପ୍ରବଳ । ତା ଭିତରକୁ ଆଖି ପାଏନାହିଁ । ଖାଲି ଅନ୍ଧାର ଅନ୍ଧାର ଓ ଅନ୍ଧାର । ତା ଭିତରେ ସାତଟି ଅଧୋଭୁବନ । ନପୁଂସକ ଠେକୁଆଟି ସେ ଭଉଁରୀରେ ପଡ଼ିଛି । ରସାତଳଗାମୀ ହେବାକୁ ପ୍ରତି ମୁହୂର୍ତରେ ସ୍ରୋତ କାଟିକାଟି ଯାଉଛି । ସେ ଅତଳ ବିତଳକୁ ଯାଇ ସାରିଲାଣି ।