Jump to content

ପୃଷ୍ଠା:Hada bagicha.pdf/୧୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୁଚି ଦି ଦିନ ତଳେ ପଳାଇଥିଲା । ଲୋକଟି ଗୋଟିଏ ହତ୍ୟା ମୋକଦ୍ଧମାରେ ଜଡ଼ିତ ଥାଇ ଜେଲ ଦଣ୍ଡ ଭୋଗୁଥିଲା ଦି’ମାସ ହେଲା । ଏ ଘଟନା ପରେ ବାପାଙ୍କର ବଳ, ସାହସ, ଆଖପାଖ ପଚିଶ ଖଣ୍ଡ ଗାଁରେ ବ୍ୟାପୀଗଲା । ସରକାରଙ୍କ ନଥିପତ୍ରକୁ ଗଲା । ମହାରାଜାଙ୍କ ଉଆସକୁ ଗଲା । ବାପା ପୁରସ୍କାର ପାଇଲେ ହଳେ ନୁଆ ପୋଷାକ ଓ ଯୋତା । ତାହା ଥିଲା ତାଙ୍କ ଜୀବନର ପ୍ରଥମ ଯୋତାହଳ । ତାକୁ ପିନ୍ଧି ଯେଉଁଆଡ଼େ ହେଲେ ଯାଉଥିଲେ । ତାର ମଚ୍ ମଚ୍ ଶବ୍ଦ ତାଙ୍କ କାନକୁ ମ୍ୟୁଜିକ୍ ପରି ଶୁଭୁଥିଲା ଓ ଗର୍ବ ଭାବଟିଏ ବି ଆଣୁଥିଲା । ବେଳେ ବେଳେ କିନ୍ତୁ ସେ ଯୋତା ହଳକୁ ଦଉଡ଼ିରେ ବାନ୍ଧି ଘୋଡ଼ା ପିଠିରେ ଲଦି ଆସୁଥିବାର ଅନେକ ଲୋକ ଦେଖିଛନ୍ତି । ପାଟଣା ମହାରାଜା ପୃଥ୍ୱୀରାଜ ସିଂହଦେଓ ମଧ୍ୟ ବାପାଙ୍କୁ ଡ଼କାଇପଠାଇ ଏକ ରାଲେ ସାଇକେଲ ପୁରସ୍କାର ସ୍ୱରୂପ ଦେଇଥିଲେ ଏବଂ ପ୍ରତିବଦଳରେ ଉଆସର ଚିଠି ପତ୍ର ମଧ୍ୟ ନେବା ଆଣିବା ଦାୟିତ୍ୱ ଦେଇଥିଲେ । ମହାରାଜା ସେତେବେଳେ ତିନୋଟି ରାଲେ ସାଇକେଲ କଲିକତାରୁ ଅଣାଇଥିଲେ ଏବଂ ତାଙ୍କ ଉଆସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ଠିକ୍ ଏତିକି ବେଳକୁ ବାପାଙ୍କ ଚୋର ଧରିବା ଘଟନା ଘଟିଲା ଏବଂ ତାଙ୍କ ଭାଗରେ ଗୋଟିଏ ସାଇକେଲ ପଡ଼ିଲା । ଏଣୁ ଏଣିକି ବାପା କେବେକେବେ ଘୋଡ଼ାରେ, କେବେକେବେ ସାଇକେଲରେ ଯିବା ଆସିବା କରୁଥିଲେ । ନାରୀମାନେ କବାଟ ଫାଙ୍କରୁ ଓ ପୁରୁଷମାନେ ରାସ୍ତା କଡ଼ରୁ ଦେଖୁଥିଲେ ଓ ଆଚମ୍ବିତ ହେଉଥିଲେ । ବାପା ଜୁଆ ଖେଳରେ ବି ଓସ୍ତାଦ ଥିଲେ । ଦୁଇ ଦିନ ଯାଏ ଘରେ ଅନୁପସ୍ଥିତ ରହି ଜୁଆଖେଳି ଫେରୁଥିଲେ ଓ ତାଙ୍କ ଗାମୁଛାରେ ସୁନା ରୂପାର ଅଳଙ୍କାର ବାନ୍ଧି ଆସୁଥିଲେ । ମା'ଙ୍କୁ କହୁଥିଲେ କୁଲାଟିଏ ଆଣିବା ପାଇଁ ଏବଂ ତହିଁରେ ଅଜାଡ଼ି ଦେଉଥିଲେ । ମା'ଙ୍କ ଆଖି କିନ୍ତୁ ଚକ୍ ଚକ୍ କରୁ ନ ଥିଲା । ସେ ରନ୍ଧାବଢ଼ାରେ ବ୍ୟସ୍ତ ରହୁଥିଲେ । ବାପା କୁଲାରୁ ସବୁ ଅଳଙ୍କାର ନେଇ ଏକ ମାଠିଆରେ ଭର୍ତି କରୁଥିଲେ ଓ ତା ଉପରେ ଢାଙ୍କୁଣୀଟିଏ ଘୋଡ଼ାଇ କପଡ଼ାଟିଏ ବାନ୍ଧି ଦେଉଥିଲେ । ଗୋଟିଏ ସପ୍ତାହ ପରେ ଦେଖା ଯାଉଥିଲା ଯେ ମାଠିଆଟି ଭାଙ୍ଗି ଯାଇଛି ଓ ସବୁ ଅଳଙ୍କାର କୁଆଡ଼େ ଉଭାନ୍ । ବାପା ଜୁଆ ଖେଳରେ ହାରିଛନ୍ତି ଏଥର । ଏପରି ଅନେକ ମାଠିଆ ଭଙ୍ଗା ହେଲାଣି । ତେଣୁ ମା'ଙ୍କ ଆଖିକୁ ସୂର୍ଯ୍ୟକିରଣ ବା ଚନ୍ଦ୍ରକିରଣର ପ୍ରତିଫଳନରେ ଅଳଙ୍କାର ସବୁ ଚକ୍ ଚକ୍ କରି ପାରୁ ନ ଥିଲା । ଜୁଆ ଖେଳରେ ପଇସା ଜିଣି ଆସିଲେ ସାହୁ ମିଠା ଦୋକାନର ଅଧେ ମିଠା ବାଣ୍ଟିବାରେ ସରିଯାଏ ଏବଂ ଯେଉଁଦିନ ଛେଳିଟିଏ ଜିଣି ଆସିଥିବେ ସେଦିନ ପୁଲିସ କଲୋନି ସାରା ସମସ୍ତଙ୍କ ଘରେ ମାଂସ ରନ୍ଧାହୁଏ । ସଭିଏଁ ହସନ୍ତି ଓ ଆହୁରି ଜୁଆରେ ଜିତନ୍ତୁ ବୋଲି ମନଷ୍କାମନା କରନ୍ତି । ଥରେ ପଇସା ଅଭାବରୁ ନିଜ ଗାଁ ସାଗରପାଲିକୁ ଯାଇ ଅଜା ଆଈଙ୍କ ଗହଣା କିଛି ଚୋରି କରି ନେଇ ଆସିଥିଲେ । କିଛି ଦିନ ପରେ ଜଣା ପଡ଼ିବାରୁ ବାପା ପୁଣି ଗାଁକୁ ଯାଇ ପ୍ରଚଣ୍ଡ ଖରାରେ ଅଜାଙ୍କ ଗୋଡ଼ ହାତ ଧରି କ୍ଷମା ମାଗିଲେ । ଅଜା ପ୍ରାୟ ଏକ ଘଣ୍ଟା ଯାଏ କ୍ଷମା ଦେଲେ ନାହିଁ ଏବଂ ବାପା ରାସ୍ତା ଧୂଳିରେ ଶୋଇରହି କ୍ଷମା ନ ଦେଲା ଯାଏ ଗୋଡ଼ ଛାଡ଼ିବେନି ବୋଲି ଜିଦ୍ କଲେ । ଏ ଦୃଶ୍ୟ ଗାଁ ଲୋକେ ଛାଇରେ ଠିଆହୋଇ ଦେଖୁଥିଲେ ଘଣ୍ଟାଏ କାଳ । ଆଈ ପାଣି ପିଇବାକୁ ଦେଲେ ବି ପିଇଲେନାଇଁ । ବାପ ପୁଅ ଦିହେଁ ନିଜ ନିଜ ଜିଦ୍‌‌ରେ ଅଟଳ ରହିଲେ- ଜଣେ ଠିଆହୋଇ, ଆଉ ଜଣେ ଶୋଇରହି । ଆଇ ଓଦା ଗାମୁଛା ଗୋଟିଏ ଲେଖାଁ ଉଭୟଙ୍କ ମୁଣ୍ଡରେ ପକାଇଲେ । ସେ ଦୁହେଁ ଗାମୁଛା ଦୁଇଟିକୁ କାଢ଼ି ଫିଙ୍ଗି ଦେଲେ । ଆହୁରି ଘଣ୍ଟାଏ ଗଲା, ଆହୁରି ଘଣ୍ଟାଏ ଗଲା । ଦିନ ଦୁଇଟା ବେଳକୁ ଅଜା କହିଲେ, ହଉ ଉଠ କ୍ଷମା କଲି, ତାପରେ ଆଈଙ୍କୁ କହିଲେ, ବଢ଼ାବଢ଼ି କର, ଖାଇବା । ମହାରାଜ ପୃଥ୍ୱୀରାଜ ସିଂହଦେଓ ଏକଦା କିଛି ଜୁଆଡ଼ିଙ୍କୁ ନିଜ ପେଲେସକୁ ଡକାଇ ତାଙ୍କ ସାମ୍ନାରେ ଜୁଆ ଖେଳିବାକୁ ନିର୍ଦେଶ ଦେଲେ ଏବଂ ଯିଏ ଜିଣିବ ତାକୁ ପୁରସ୍କାର ଦେବେ ବୋଲି ଘୋଷଣା କଲେ । ତିନି ଦିନ ଯାଏ ଖେଳ ଚାଲିଲା । ଉଆସରେ ମଣୋହି ଖାଦ୍ୟ ଆସୁଥାଏ । ବୋନ ଚାଇନା ପ୍ଲେଟରେ ରନ୍ଧା ମାଂସ, ମିଠା ଭାତ ସ୍ୱାଦ ଓ ରଙ୍ଗ ଆହୁରି ଦ୍ୱିଗୁଣିତ ହେଉଥାଏ । ରୁପା ଗ୍ଲାସରେ ପାଣି । ତା ସାଥୀରେ ଜୁଆ ଖେଳ । ସ୍ୱର୍ଗପୁରର ଅଳକାପୁରୀ କିଛି ନୁହେଁ । ପ୍ରକାଣ୍ଡ ଏକ ଗଦିଦିଆ ଚୌକିରେ ମହାରାଜାଙ୍କ ଉପସ୍ଥିତି ଓ ବଡ଼ ପାଟିରେ ହସ ପରିବେଶକୁ ଆହୁରି ନୈସର୍ଗିକ କରୁଥାଏ । ମହାରାଜା ମଣୋହି କରୁଥିବା ମିଠାଭାତ ସବୁ ଜୁଆଡ଼ିଙ୍କୁ ବି ମିଳେ । କ୍ଷୀରରେ ସିଝା ହୋଇଥିବା ଅରୁଆ ଚାଉଳ, ମୁଗ ଓ ହରଡ଼ଡାଲି, ଶାଗ, ଗୁଡ଼ାଏ ପରିବା, କାଜୁ, କିସମିସ, ଅଳେଇଚ, ଲବଙ୍ଗ, ଗୁଆଘିଅ, ମହୁ, ଦହି ସବୁ ଏକାଠି ଏବଂ ଶେଷରେ ଚିନି । ବୋନ ଚାଇନା ପ୍ଲେଟରେ ମେଞ୍ଚାଏ ଭାତ ଯୁଗ ଯୁଗର ଅଭିଳାଷ ଓ ଅଭୀପ୍ସାକୁ ଚରିତାର୍ଥ କରିବା ପରି । ଜୁଆ ଖେଳରେ ପ୍ରଚୁର ଟଙ୍କା ପଇସା ହାରୁଥିବା ଜୁଆଡ଼ିଙ୍କୁ ବି ବାଧକ ହୁଏ