ପୃଷ୍ଠା:Hada bagicha.pdf/୧୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିବା ପରେ ବାପା ଟିଟିଲାଗଡ଼ରେ ଜଣେ ଧନୀ ବ୍ୟବସାୟୀ ଖୁସିରାମ ଜୈନଙ୍କ ଘରେ କାମକଲେ । ଋଣ ଦେବା ଓ ସୁଧ ଆଦାୟ କରିବା କାମରେ ବାପା ଲାଗିଲେ । ତାଙ୍କ ପୂର୍ବ ସ୍ୱାସ୍ଥ୍ୟ ଫେରିଆସିଲା । ମିଲିଟାରୀ ଫେରନ୍ତା ଲୋକ ଓ ବିରାଟ କାୟା ଦେଖି ଲୋକେ ସୁଧ ଠିକ୍ ସମୟରେ ଦେଉଥିଲେ । ଖୁସିରାମ ଖୁବ୍ ଖୁସି ଥିଲେ । ଦୂର ଗାଁକୁ ଯାଇ ସୁଧ ଆଦାୟ କରିବାକୁ ସାଇକେଲଟିଏ ମଧ୍ୟ ମିଳିଥିଲା । ଘରଟିଏ ମିଳିଥିଲା । ମା’ ଓ ଝିଅଙ୍କୁ ଆଣି ବାପା ପାଖରେ ରଖିଲେ । ଖୁସିରାମ ଜୈନ ଅତ୍ୟନ୍ତ କଠୋର, ନିଷ୍ଠୁର ଓ ଲୋଭୀ ଲୋକ ଥିଲେ । ମାତ୍ର ବାପାଙ୍କ ଠାରେ ଏ ଦୁର୍ଗୁଣ ସବୁ ବାହାରୁ ନ ଥିଲା । ମାତ୍ର ତାଙ୍କ ଶତ୍ରୁ ଥିଲେ ଅନେକ । ଦିନେ ଶୀତ ରାତିରେ କ୍ଷେତରେ ଆଖୁ ପେଡ଼ାହୋଇ ଗୁଡ଼ ତିଆରି ସମୟରେ ଚାରି ଜଣ ଲୋକ ଅନ୍ଧାରରେ ଆସି ଖୁସିରାମକୁ ହତ୍ୟା କଲେ ଓ ସେଇ ଚୁଲିରେ ଜାଳିଦେଲେ । ସକାଳକୁ ଖୁସିରାମର ଆଉ ହାଡ଼ ବି ମିଳିଲାନାହିଁ । ବାପା ତା’ ପୂର୍ବଦିନ ଅନ୍ୟ ଏକ ଗାଁକୁ ସୁଧ ଅସୁଲି ପାଇଁ ଯାଇଥିଲେ ଓ ଚାରି ଦିନ ପରେ ଫେରି ଖୁସିରାମର ମୃତ୍ୟୁ କଥା ଶୁଣିଲେ । ବାପାଙ୍କୁ ପଚାରାଉଚୁରା ପାଇଁ ପୁଲିସ ଦି’ମାସ କାଳ ଡକାଡକି କରି ନିଃସନ୍ଦେହରେ ଛାଡ଼ି ଦେଇଥିଲା । ବାପା ସାଇକେଲରେ ନିଜ ସ୍ତ୍ରୀ ଓ ଝିଅକୁ ବସାଇ, ନିଜ ଯତ୍କିଞ୍ଚିତ ଜିନିଷ ଲଦି ବଙ୍ଗୋମୁଣ୍ଡାକୁ ଆସିଲେ । ସେଠାରେ ଜମିଦାର ସଦାନନ୍ଦ ଭୋଇ ଘରେ କାମ କଲେ । ଟିଟିଲାଗଡ଼ରେ ତିନି ବର୍ଷ ରହଣି ମଧ୍ୟରେ ମୋର ଜନ୍ମ । ବଙ୍ଗୋମୁଣ୍ଡାରେ ଆଉ ତିନିବର୍ଷ ପରେ ମୋ ଭାଇର ଜନ୍ମ । ମାଲଗୁଜାରି ଅସୁଲ କରିବା ଥିଲା ବାପାଙ୍କ କାମ । ଏଠାକାର ଭାଗବତ ଟୁଙ୍ଗିରେ ଅଲେଖ ପାଢ଼ୀ ମାମୁଙ୍କ ସାଙ୍ଗରେ ଏବଂ ଆଉ କିଛି ଲୋକଙ୍କ ସହିତ ମିଶି ବାପା ଅଫିମ ସେବନ କରୁଥିଲେ । ଲୋକଙ୍କ ସହିତ ଗାଳିଗୁଲଜ ଲାଗି ମାଡ଼ପିଟ କରୁଥିଲେ ଏବଂ ସର୍ବୋପରି ବ୍ରାହ୍ମଣ ସମାଜକୁ ଖାତିର କରୁ ନଥିଲେ । ବାପା ବିଦେଶରେ ବ୍ରିଟିଶ ବାହିନୀରେ ଯୋଗ ଦେଇଥିବା ହେତୁ ତାଙ୍କୁ ଅଜାତି ଘୋଷଣା କରା ହୋଇଥିଲା ଏବଂ ଜାତିରେ ମିଶିବାର ବାରମ୍ବାର ତାଗିଦ ସତ୍ୱେ ସେ ସମସ୍ତଙ୍କୁ ବେଖାତିର କରୁଥିଲେ । ବଙ୍ଗୋମୁଣ୍ଡା ଗ୍ରାମରେ ଛ’ବର୍ଷ ରହିବାପରେ ବାପାଙ୍କର ହଠାତ୍ ମୃତ୍ୟୁ ହେଲା । ତାଙ୍କୁ ପାଖାପାଖି ପଚାଶ ବର୍ଷ ବୟସ ହୋଇଥିଲା । ସକାଳ ଛ’ଟା ସମୟରେ ବାପାଙ୍କର ମୃତ୍ୟୁହେଲା । ଆମ ପରିବାରକୁ ଜାତିରୁ ଅଲଗା କରାଯାଇ ଥିବାରୁ ପାଖଆଖ ବ୍ରାହ୍ମଣ ସମାଜ ଆମଘରକୁ ଶବଦାହ ପାଇଁ ଆସିଲେ ନାହିଁ । ଅନ୍ୟ ଜାତିର ଲୋକେ ବି ସାହସ କରି ଆଗେଇ ଆସିଲେ ନାହିଁ । କାକା, ବଡ଼ବାପାଙ୍କୁ ଖବର ଦେଇ ସେମାନେ ଆସିବା ଯାଏ ଅପେକ୍ଷା କରିବା ଅସମ୍ଭବ ଥିଲା । ଦୁଇ ତିନିଦିନ ଲାଗିଯିବ । ପାଖପଡ଼ୋଶୀ ନିଷ୍ପତ୍ତି କଲେ ଗୋଟିଏ ଶଗଡ଼ ଗାଡ଼ିରେ ଶବକୁ ମା’ଝିଅ ପୁଅ ମିଶି ଶ୍ମଶାନକୁ ନେବା ପାଇଁ । ଶଗଡ଼ ଗାଡ଼ି ବା କେଉଁଠୁ ମିଳିବ? ସାଇକେଲଟା ଥିଲା । ତା ବଦଳରେ ଜଣେ ଶଗଡ଼ ଗାଡ଼ି ଦେବାପାଇଁ ହଁ କଲା । ବାପାଙ୍କୁ ପୁଣି ଟେକି ଶଗଡ଼ ଗାଡ଼ିରେ ଲଦିବା କାଠିକର ପାଠ ଥିଲା । ମୋତେ ସେତେବେଳେ ଛ'ବର୍ଷ, ନାନୀକୁ ତେରବର୍ଷ, ଛୋଟ ଭାଇକୁ ଦୁଇବର୍ଷ । ମା’ ବାପାଙ୍କ ମୁଣ୍ଡ ପଟକୁ ଧରିଲେ । ନାନୀ ବି ମୁଣ୍ଡକୁ ଧରିଲା । ମୁଁ ଗୋଡ଼ ଦୁଇଟିକୁ ଧରି ଏକ ରକମର ଘୋଷାରି ନେଇ ଏକ ଘଣ୍ଟା ପରିଶ୍ରମରେ ଶଗଡ଼ରେ ଲଦିଲୁଁ । ଜମିଦାର ଘରୁ ନୂଆ ଧୋତିଟିଏ ଆସିଲା । ତାକୁ ଘୋଡ଼ାଇ ଦେଲୁଁ । ଶଗଡ଼ର ଆଗପଟେ ମା ଓ ନାନୀ ଧରି ଟାଣି ଟାଣି ଅଧ ମାଇଲିଏ ବାଟ ଆବୁଡ଼ା ଖାବୁଡ଼ା ଜମି ଭିତରେ ନେଲେ । ଏକ ଶିମୁଳି ଗଛ ତଳେ ଶଗଡ଼ର ଗୋଟିଏ ପାଖ ଟେକିଦେବାରୁ ବାପାଙ୍କ ଶବ ଗଡ଼ିପଡ଼ିଲା । ପୁଣି ଧୋତି ଘୋଡ଼ାଇ ଦେଲୁଁ । ତାପରେ ଗାତଟିଏ ଖୋଜିଲୁଁ ଏବଂ ପାଇଲା ପରେ ଶବକୁ ଘୋଷାରି ନେଇ ଗାତ ଭିତରେ ପୁରାଇ ଦେଲୁଁ । ତା ଉପରେ କିଛି ଗୋଡ଼ି ପଥର ବାଲି ମାଟି ଡାଳ ପତ୍ର ଭାଙ୍ଗି ଢାଙ୍କି ଦେଲୁଁ । ପାଖ ଏକ ବନ୍ଧ ହୁଡ଼ାରେ ଗାଧୋଇ କାନ୍ଦି କାନ୍ଦି ଘରକୁ ଫେରିଲୁଁ । ସେଦିନ ମା’ କିଛି ଖାଇ ନ ଥିଲେ । ତା’ ପରଦିନ ଏକାଦଶୀ ଥିବାରୁ ସେ ଦିନ ମଧ୍ୟ କିଛି ଖାଇଲେ ନାହିଁ କି ପାଣି ଟୋପେ ମଧ୍ୟ ପିଇଲେ ନାହିଁ । ପାଖ ପଡ଼ୋଶୀଙ୍କ ଘରୁ ଯାହାଆସିଲା ଆମେ ତିନି ଭାଇ ଭଉଣୀ ମିଶି ଖାଇଲୁଁ । ଯିଏ ଯାହା ବତାଇଲା ସେପରି ଶୁଦ୍ଧିକ୍ରିୟା ଦଶଦିନ ଯାଏ କଲୁଁ । ଘରେ ଯାହା ଥିଲା କଂସାବାସନ ଓ ସାମାନ୍ୟ ସୁନାରୂପା ସବୁ ବିକ୍ରି କରି ଶୁଦ୍ଧି କାମ ଚଳିଗଲା । ଦଶଦିନ ଭିତରେ ନବମ ଦିନ ବଡ଼ବାପା ଆସି ଦି’ ଦିନ ରହିଲେ ଓ ତିନିଟଙ୍କା ଖର୍ଚ ହୋଇଗଲା ବୋଲି କହିଲେ । ଅନ୍ୟ ମାମୁ ଓ ସାନ କାକା ଦି ଜଣ ବହୁତଦିନ ପରେ ବିସ୍କୁଟ ପେକେଟ ଓ କିଛି ଫଳ ଓ ପରିବା ଧରି ଆସିଲେ ଓ ଦିନେ ଦିନେ ରହି ଫେରିଗଲେ । ଆମେ ଦି’ ମାସ ଯାଏ କଷ୍ଟେମଷ୍ଟେ ଚଳିଲୁ । ତାପରେ କେହି ଜଣେ ମା'ଙ୍କୁ ଉପଦେଶ ଦେଲା ଭିକ୍ଷା ବୃତ୍ତି ଧରିବା ପାଇଁ । ଅନନ୍ୟୋପାୟ ହୋଇ ମା’ ନିଜ ଶାଢ଼ିରେ ମୁହଁ ଢାଙ୍କ ଛୋଟ ଭାଇକୁ ଧରି ପାଖ ଏକ ମାରୱାଡି଼ ଘର ଦୁଆରେ ଠିଆହୋଇ କାନ୍ଦିଲେ । ସେଦିନ ସେ ମାରୱାଡ଼ି ଘରୁ ଯାହାମିଳିଲା ତହିଁରେ ଦି’ଦିନ ଚଳିଲା । ତା’ପରଦିନ ଅନ୍ୟ ଏକ ମାରୱାଡ଼ି ଘର ।