ପୃଷ୍ଠା:Hada bagicha.pdf/୧୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସିଂହାସନରେ ତିନିବର୍ଷ ହେଲା ବାନ୍ଧି ହୋଇଥିଲା । ସିଂହାସନରେ ବାନ୍ଧି ହେବା ପରଠୁ ତା’ର ନିଜସ୍ୱ ଦର୍ଶନକୁ ସେ ଏକାଧିକବାର ଦୋହରାଇ ଚାଲିଥିଲା-ଗର୍ବରେ, ଠାଣିରେ, ବିଶ୍ୱାସରେ, ପ୍ରତ୍ୟୟରେ । ସେ କହୁଥିଲା ତା’ ଦର୍ଶନ । ମାତ୍ର ଦୁଇଟି ସରଳ ଧାଡ଼ି- ପ୍ରଥମରେ, "ମୋତେ କେହି କିଛି କରିପାରିବେ ନାହିଁ ।' ଦ୍ୱିତୀୟରେ, "ଆମ ଅଫିସର ଯାହା କହିଲେ ଆମେ କରୁଁ ।' ତିନିବର୍ଷ ପରେ ଏଥର ଗୁରୁଦିବସ ପାଳନବେଳେ କ୍ଳୀବ ପୁରୁଷ ପିଲାଙ୍କ ଆଗରେ ମାଇକ୍ରୋଫୋନରେ ପଚାରିଲା, "ମୋତେ କେହି କିଛି କରିପାରିଲେ ନାଇଁ’ର ଅର୍ଥ କ’ଣ? ତୁମକୁ ଅନ୍ୟମାନେ କ’ଣ କରି ପାରିଥାନ୍ତେ ବୋଲି ଭାବୁଥିଲ? ଦରମା କମାଇ ପାରିଥାନ୍ତେ? ମାତୃଭାଷାର ଅସଭ୍ୟ ଭାଷାରେ ଗାଳି ଦେଇପାରିଥାନ୍ତେ? ତୁମକୁ ତଳ ପୋଷ୍ଟକୁ ଖସାଇ ପରିଥାନ୍ତେ? ତୁମକୁ ମାଡ଼ ଦେଇପାରିଥାନ୍ତେ? ନା ରେପ୍ କରିଥାନ୍ତେ? ସେମିତି କିଛି ଅପରାଧ ତ କାହାରି କରିବାର ନ ଥିଲା । ତେବେ ଏ ବାକ୍ୟର ଅର୍ଥ କ’ଣ? ତୁମେ ଅନ୍ୟମାନଙ୍କୁ ନପୁଂସକ କରି ରଖିପାରିଲ, ମୋତେ କ୍ଳୀବ ପୁରୁଷ କରିପାରିଲ, ତାହା ତୁମର ବଦାନ୍ୟତା ବୋଲି ଭାବିଲ । ଅନ୍ୟମାନେ ତୁମକୁ ତିନିବର୍ଷ ମଧ୍ୟରେ ପ୍ରକୃତରେ କିଛି କରିପାରିଲେ ନାଇଁ, ନିଜେ ନପୁଂସକ ହେବା ସତ୍ୱେ । କେବଳ ଗୋଟିଏ କାମ ହୋଇପାରିଲା, ତାହା ହେଉଛି, ତୁମ ମୁହଁରୁ ହସ ଟିକକ ସବୁଦିନ ପାଇଁ ଲିଭିଗଲା ତୁମେ ତିନିବର୍ଷ ହେଲା ହସି ପାରୁନ । କିନ୍ତୁ ତାହା ଅପରାଧ ନୁହେଁ । ସେଇ କାମ ପାଇଁ ଅଭିଯୋଗ ଅଣାଯାଇ ପାରିବ ନାହିଁ । ହସ ଲିଭିଯିବାରେ କ’ଣ ଅଛି? ରକ୍ଷା ହୋଇଛି ତୁମକୁ କଷ୍ଟ ଲାଗୁ ନାଇଁ । ସିଂହାସନଟା ହସଠାରୁ ବହୁତ ଉଚ୍ଚ, ବହୁତ ବଡ଼ । କ୍ଳୀବ ପୁରୁଷ ତା’ ପ୍ରେମାସ୍ପଦ ଅଧ୍ୟକ୍ଷକୁ ଦ୍ୱିତୀୟ ସହଜ ଧାଡ଼ିର ଅର୍ଥ ମଧ୍ୟ ପଚାରିଥିଲା । "ଆମ ଉପର ଅଫିସର ଯାହା କହିଲେ ଆମେ କରୁଁ’- ଏ ବାକ୍ୟର ଅର୍ଥ କ’ଣ? "ଶୋଇଯାଅ' କହିଲେ ତୁମେ ଶୋଇପଡ଼ କି? ଯଦି ନ ଶୁଅ ତେବେ ଏ ବାକ୍ୟର ଅନ୍ୟାନ୍ୟ ଅର୍ଥ କ’ଣ? "ସ୍ୱାଧୀନତା' ବୋଲି ଶବ୍ଦଟିଏ ଅଛି । ସମସ୍ତଙ୍କର ନିଜ ନିଜ ସ୍ୱାଧୀନତା ଥାଏ । ପରସ୍ପରର ସ୍ୱାଧୀନତାକୁ ସମ୍ମାନ ଜଣାଇ ଆମେ ସମାଜରେ କଥାବାର୍ତା କରୁଁ । ସ୍ୱାଧୀନତାର ବାଡ଼ ଥାଏ । ବାଡ଼କୁ ଛୁଇଁବା କଥା ନୁହେଁ, ଡେଇଁବା କଥା ନୁହେଁ, ଭାଙ୍ଗିବା କଥା ନୁହେଁ । ବାଡ଼ ଭିତରକୁ ଉଙ୍କି ମାରିବା କଥା ନୁହେଁ । ତାହା ସ୍ୱେଚ୍ଛାଚାରିତା ହୋଇଯିବ । ତେଣୁ ଉପର ଅଫିସର "ଯାହାକହିଲେ' ଅନ୍ୟମାନେ ବଡ଼ପାଟିରେ "ନା ମୁଁ କରିବି ନାହିଁ’ ବୋଲି କହିପାରନ୍ତିି । ସେ ସ୍ୱାଧୀନତା ସମସ୍ତଙ୍କର ଅଛି । ତୁମର କେମିତି ନାଇଁ? ଆଶ୍ଚର୍ଯ୍ୟ!! ସେ ଆତ୍ମହତ୍ୟା କଲାପରେ କ୍ଳୀବ ପୁରୁଷ ଭାବୁଛି, ହସ ଲିଭିଯିବାର ସଚେତନତା ଓ ନିଜ ସ୍ୱାଧୀନତାର ସଚେତନତା ଆସିଯିବାରୁ ସେ ଆତ୍ମହତ୍ୟା କରିନାଇଁ ତ? ଯଦିବା କରିଥାଏ ଏହାକୁ ଏକ ଅଭିଯୋଗ ଭାବରେ ଏଫ ଆଇ ଆର୍ କରାଯାଇ ପାରିବ ନାଇଁ । ନ ହେଲେ ତା’କୁ ଏବେ ଏରେଷ୍ଟ ହେବାକୁ ପଡ଼ିଥାନ୍ତା । ଗୁରୁଦିବସ ପରେ ଦିନେ କ୍ଳୀବ ପୁରୁଷକୁ ନୋଟିସ ମାଧ୍ୟମରେ ପ୍ରେମାସ୍ପଦ ଜଣାଇଲା, ତିନିବର୍ଷ ହେଲା ତୁମେ ଲେସନ ନୋଟ ଦେଖାଇନାହିଁ । ଆସନ୍ତାକାଲି ଦେଖାଅ । ତିନି ବର୍ଷର ଲେସନ୍ ନୋଟ ଗୋଟିଏ ପୃଷ୍ଠାରେ ଲେଖି ତା’ ପରଦିନ ଦେଖାଇଲା କ୍ଳୀବ ପୁରୁଷ । ଲେଖିଥିଲା, "ମୋର ପ୍ରତିଟି କ୍ଳାସ ଭୂମିକମ୍ପ ପରି । ଷାଠିଏ ପିଲାଙ୍କ କ୍ଳାସକୁ ଗଲା ପରେ ଛାତି ଭିତରେ ଯେଉଁଦିନ ଯେତେ ପରିମାଣର କମ୍ପନ ହୁଏ ତାହା କଳାପଟା ରେକର୍ଡ କରେ । ରାଡାର ପରଦା ସଦୃଶ । ଚକ୍ ଏକ ସିସ୍ମୋଗ୍ରାଫିକ୍ ପେନ୍ସିଲ୍ । କମ୍ପନକୁ ପୂର୍ବରୁ କୁହାଯାଇ ପାରିବା ସମ୍ଭବ ନୁହେଁ । ତେଣୁ ସାହିତ୍ୟରେ ଲେସନ୍ ନୋଟ ସମ୍ଭବ ନୁହେଁ ।' କଥାଟି ତା’ ମୁଣ୍ଡ ଉପର ଦେଇ ଫୁର୍କିନା ଉଡ଼ିଗଲା । ତା’ ଆଖି ଦି’ଟା ବଡ଼ ବଡ଼ ହୋଇଗଲା । ତା’ ଓହଳ ସନ୍ଧିରେ ଭୂମିକମ୍ପ ହେଲା । ପାଣିଗ୍ଲାସେ ମଗାଇ ପିଇଲା । କ୍ଳୀବ ପୁରୁଷ କହିଲା ସେ ବି ପାଣି ପିଇବ । ପ୍ରେମାସ୍ପଦ ପାଣି ଓ ଚା’ ଉଭୟ ମଗାଇଲା । ବରଫ ଓ ଥଣ୍ଡା ପାନୀୟ ବି ମଗାଇଲା । ବରଫକୁ ତା ମୁଣ୍ଡ ଉପରେ ଥୋଇଲା । ଗାଲରେ ଘଷି ହେଲା । ତାପରେ କଫି ମଗାଇଲା । ପ୍ରେମାସ୍ପଦର ମୁଣ୍ଡ ଉପର ଦେଇ ଯାହା ଚାଲିଯାଏ ତା’କୁ ସେ ନାପସନ୍ଦ କରେ । ଯେପରି, ପକ୍ଷୀ, ମେଘ, ଉଡ଼ାଜାହାଜ ବା ସାହିତ୍ୟ, କଳା, ସୌନ୍ଦର୍ଯ୍ୟବୋଧ । ଅନ୍ଧାର ରାତିରେ ଭାସି ଯାଉଥିବା ଦଳ ଦଳ ବଗଂକ ସୌନ୍ଦର୍ଯ୍ୟରେ ସେ ମୁଗ୍ଧ ହୋଇ ଜାଣେନା । ବୌଦ୍ଧିକ ଅନୁଭବର ଆନନ୍ଦରେ ସେ ବିମୋହିତ ହୋଇ ଜାଣେନା । "ଗାଇଡ୍’ ବହି ପଢିଛ?’ ବୋଲି ପଚାରିଲେ ସେ କୁହେଁ, କେଉଁ ଗାଇଡ? ଓଷ୍ଟା ନା ଏମବିଡି? ମାଇକେଲ ଜେକସନ ବା ମୋଜାର୍ତ ବା ପିକାଶୋ ବା କାଫ୍କାଙ୍କ ନାମ ଶୁଣିଲେ ସେ କୁହେ "ଏ ନାଁ ସବୁ ତ ଆମ ଭୂଗୋଳ