ବାପା କହିଲେ, "ଏବେ କଣ ଗରମ ହେଉଛି କି? ସେମାନେ ଆସିବାର ଖବର ପ୍ରଚାରିତ ହେବାପରେ ଆଉ ଗରମ ଜଣାପଡୁନି । କେତେ ଥଣ୍ଡା ଲାଗୁଛି । ତିରିଶ ଡିଗ୍ରୀ ସେଲ୍ସିଅସ୍ ପରି । ସେମାନେ ଆସିଲେ କୋଡିଏ ଡିଗ୍ରୀକୁ ଖସିବ । ସେମାନେ ଚାହିଁଲେ ଉତ୍ତାପ ଖସି ପଡ଼େ । ଅବଶ୍ୟ ଝିଅ, ଉତ୍ତାପ ହଠାତ୍ ଖସିବ ନା ହଠାତ୍ ବଢ଼ିବ ସେ କଥା ସେମାନଙ୍କ ପୋଷାକ ପିନ୍ଧିବା ପ୍ରଣାଳୀଉପରେ ନିର୍ଭରକରିବ । ହଠାତ୍ ଉତ୍ତାପ ପଚାଶ ଡିଗ୍ରୀ ହୋଇଯାଇପାରେ । କିଛିଲୋକ ଭାବାବେଗରେ ମୂର୍ଛା ହୋଇପାରନ୍ତି । ଦଳା ଚକଟା ହୋଇପାରେ । ଅନେକ ସମ୍ଭାବନା ଅଛି । କୁକୁରମାନେ ଉତ୍ତେଜିତ ହୋଇ ଲୋକଙ୍କୁ କାମୁଡ଼ି ଗୋଡ଼ାଇ ପାରନ୍ତି । ନାହିଁ ନଥିବା ବିପର୍ଯ୍ୟୟ ମାଡ଼ି ଆସିପାରେ ।’ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା । ଖରାଛୁଟିପରେ ସ୍କୁଲ କଲେଜ ଖୋଲିବା ବେଳ ହେଲା । ଶୁଣାଗଲା ଏ ସହରରେ ବିମାନ ଓହ୍ଲାଇ ପାରିବନାଇଁ । ପାଞ୍ଚ ତାରକା ହୋଟେଲ ନାଇଁ । ଏ ସହରର ଇତିହାସ ନାଇଁ । ଅର୍ଥନୀତି ନାଇଁ । ଭୂଗୋଳ ପୃଷ୍ଠାରେ ନା ନାଇଁ । ମାନଚିତ୍ରରେ ରାସ୍ତାଘାଟ ନାଇଁ । ଖାଲି ସ୍ୱପ୍ନ ପ୍ରତିଶୃତି ସୂର୍ଯ୍ୟ ଓ ଉତ୍ତାପ ଅଛି । ସୂର୍ଯ୍ୟକୁ ଘୋଡ଼ାଇ ରଖିପାରିବାର ଭୌତିକ ସାହାସ ବା ନୈତିକ ସାହାସ ସରକାରଙ୍କ ନାଇଁ । ତେଣୁ ଏଠି ଆଉ ପଦ୍ମ ଫୁଟିବାର ସମ୍ଭାବନାନାଇଁ । ଯେଉଁ ସାବୁନଖୋଳରୁ ଲଟେରି ଟିକଟ ବାହାରେ ସେଇ ସାବୁନ ଆଉ ଏ ସହରର ଲୋକେ ପାଇପାରିବେ ନାଇଁ । ଗତ ତିନିବର୍ଷ ଭିତରେ ଋଷୀ ତା ଜୀବନକୁ ଗଭୀର ଭାବରେ ବଞ୍ଚିଛି । କିଛିଦିନ ନୈରାଶ୍ୟ ତା ସବୁ ଆବେଗକୁ ଧୋଇ ଦେଇଯାଇଛି । ଏବେ କିନ୍ତୁ ସେ ତା ଯନ୍ତ୍ରଣାକୁ ସାଇତିରଖିଛି । ତା କାନ୍ଦୁରା ମୁହଁର ଫଟୋ, ତା ଭାଙ୍ଗି ପଡ଼ିଥିବା ମୁହଁର ଫଟୋ ଯାହା ସବୁ ଖବର କାଗଜରେ ବାହାରିଥିଲା, ତାକୁ ସେ ଫଟୋ ଫ୍ରେମ୍ରେ ବନ୍ଧାଇ କାନ୍ଥରେ ଝୁଲାଇଛି । ତାକୁ ଦେଖି ସେ ନିଜକୁ ନିଜେ କୁହେ ଓ ଅଜାଙ୍କୁ ବି କୁହେ,- ମୁଁ ତ ଏପରି ନୁହେଁ, ମୁଁ ଏପରି ହୋଇପାରିବି ନାଇଁ । ମୁଁ ଯନ୍ତ୍ରଣା ନୁହେଁ । କାନ୍ଥରେ ଆହୁରି ଅନେକ କାନ୍ଦୁଥିବା ଓ ଭାଙ୍ଗି ପଡ଼ିଥିବା ଅସହାୟ ନିସହାୟ ହୋଇ ପଡ଼ିଥିବା ଝିଅମାନଙ୍କ ଚିତ୍ର ଝୁଲାଇଛି ଏବଂ ମନେ ମନେ ଗୁଣୁଗୁଣାଏ "ମୁଁ ଯନ୍ତ୍ରଣା ନୁହେଁ' । ଯନ୍ତ୍ରଣା ସବୁ କାନ୍ଥରେ ଲାଗିଛି, ମୁଁ ନୁହେଁ । ମୁଁ ଅଲଗା । ଋଷୀ ତା ଯନ୍ତ୍ରଣାସହିତ ସାପ ଓ ଶିଡ଼ିର ଖେଳଖେଳେ । ବେଳେବେଳେ ସାପ ତାକୁ ଗିଳିପକାଏ, ଅତଳ ଗହ୍ୱରକୁ ଖସି ଆସେ । ବେଳେବେଳେ ନିଜେ ଶିଡ଼ିରେ ଉଠିଯାଏ କେତେ ଉଚ୍ଚକୁ । ତଳକୁ ଦେଖେ ସାପର ଲାଞ୍ଜ ପାଖରେ ଯନ୍ତ୍ରଣା ଲୁଣ୍ଠିତ ହେଉଥାଏ । କେବେକେବେ ତା ଦେହ ନିଦା ଟାଣ ସ୍ପଷ୍ଟ ଆକୃତି ବିଶିଷ୍ଟ ହୋଇଯାଏ । କେବେକେବେ ତା ଦେହ ଫମ୍ପା ଧୂଆଁଳିଆ ଅସ୍ପଷ୍ଟ ଓ ଅନିର୍ଦିଷ୍ଟ ହୋଇଯାଏ । ମେଦୁଳ ଅଠାଳିଆ କାଦୁଅ ପରି ହୋଇଥିବା ତା ଦେହକୁ କଣ କରିବବୋଲି ଭାବେ ଏବଂ ସଙ୍ଗେସଙ୍ଗେ ନିଜକୁ ଗଠନ କରିବାରେ, ଗଢ଼ିବାରେ ଲାଗେ । ଜୀବନକୁ ଦିଗ ଓ ଦୃଷ୍ଟିକୋଣ ପ୍ରଦାନକରେ । ଅର୍ଥ ପ୍ରଦାନକରେ ଏବଂ ମା’ ବାପାଙ୍କ ଆଇଙ୍କ ଫଟୋ ଆଗରେ ଓ ଅଜା ଶୁଣି ପାରୁଥିବାପରି ସ୍ଥାନରେ କୁହେ, "ମା’ ମୁଁ ଆଜି ପାର୍କ ଯିବି, ବେଲୁନ କିଣିବି, ଖେଳନା କିଣିବି, ଡ୍ରେସ କିଣିବି, ଆଇସ୍କ୍ରିମ କିଣିବି । ଦୋକାନକୁ ସଜାଇବା ପାଇଁ ରଙ୍ଗିନ ଆଲୁଅ କିଣିବି ।’ ସେଦିନ ଯେତେ ଲଙ୍ଗଳାପିଲା ଆସିଲେ ସମସ୍ତଙ୍କୁ ଶୀତତାପ ନିୟନ୍ତ୍ରିତ କୋଠରିରେ ବସାଇ ଫ୍ରୁଟ ସାଲାଡ ଖାଇବାକୁଦେଲା । ସମୂଦାୟ ଅପରାହ୍ନଟା ଲୋକେ ଆସୁଥାନ୍ତି । ବାଟୋଇ ସାଇକେଲ ଆରୋହୀ ଶଗଡ଼ଗାଡ଼ି ଆରୋହୀ ଜିପ୍ କାର୍ ଟ୍ରକ ଆରୋହୀ ସମସ୍ତେ । ସୂର୍ଯ୍ୟର ଉତ୍ତାପ କେତେଥିଲା କାହାକୁ ଜଣା ନଥିଲା । ଟ୍ରକ ଡ୍ରାଇଭରଟିଏ କହିଲା ସକାଳେ ପଇଁଚାଳିଶ ଥିଲା ଏବେ ଛୟାଳିଶ ହେଲାଣି । ଋଷୀ ତାକୁ ଶୁଣି ବି ନ ଶୁଣିଲାପରି ହେଲା । ତା ଛାତି ଚଲ୍ କଲା । ଛନକା ପଶିଲା । ପୁଣି ସାଲାଡ୍ ବାଣ୍ଟିବାରେ ମନଦେଲା । ପ୍ରଥମେ ପ୍ରଥମେ ଦୋକାନ ଆରମ୍ଭ ବେଳକୁ ଆଖପାଖର ମା’ ମାନେ ନିଜ ପିଲା ଛୁଆଙ୍କୁ ସେଠାକୁ ଯିବାକୁ ମନା କରୁଥିଲେ । କହୁଥିଲେ ସେଠି ଭୂତ ଅଛି, ପ୍ରେତାତ୍ମା ଅଛି । ଗତବର୍ଷଠୁ ଫ୍ରୁଟ ସାଲାଡ ବଂଟା ହେଲାପରେ କୌଣସି ଛୁଆ ଆଉ ମା’ମାନଙ୍କ କଥା ମାନିଲେନାଇଁ । ସବୁ ଶିଶୁ ଋଷୀ ନାନୀ- ଋଷୀ ନାନୀ କହି ତାକୁ ଘେରି ଯାଉଥିଲେ । ଚକ୍ଲେଟ୍ ପାଉଥିଲେ, ବେଲୁନ୍ ପାଉଥିଲେ । ସଂଧ୍ୟା ସମୟରେ ଋଷୀ ସ୍କୁଟି ନେଇ ସହରକୁ ଗଲା । ଚକ୍ଲେଟ୍ ବେଲୁନ ଖେଳନା ଆଇସ୍କ୍ରିମ୍ ଓ ରଙ୍ଗିନ ଆଲୁଅ କିଣି ଫେରିଲା । ମା’ ବାପାଙ୍କୁ କହିଲା, "କାଲି ସକାଳେ ଆମ ଦୋକାନଟି କେମିତି ଆହୁରି ସୁନ୍ଦର ଦେଖାଯିବ, ତମେ ଦେଖିବ ବାପା । କେତେ ସୁନ୍ଦର କରି ମୁଁ ସଜାଇବି । ଅଜା ମୋ କଥା ବେଳେବେଳେ ମାନୁ ନାହାନ୍ତି ବାପା । ଛତା ନିଅ କହିଲେ ନେଉନାହାନ୍ତି । ଔଷଧ ବି ଥରେ ଥରେ ଖାଉନାହାନ୍ତି । ଲେମ୍ବୁ ଲୁଣ ପାଣି ଯଥେଷ୍ଟ ପିଉନାହାନ୍ତି । ମୁଁ ରୁଟି ଖାଇବି ନାଇଁ କହିଲେ ଜବରଦସ୍ତି ମୋତେ ଖୁଆଉଛନ୍ତି ।’ ଅଜା ପାଖକୁ ଆସି କହିଲେ, "ଋଷୀ ଋଷୀ ଋଷୀ ଋଷୀ ଋଷୀ ମାମା, ଟିକେ ବେଶୀ ଠକ ହୋଇଯାଉଛ । ମୁଁ ଆଜି ଛତାନେଇ ସହରକୁ ଯାଇଥିଲି । ଔଷଧ ଖାଇଥିଲି । ଲେମ୍ବୁପାଣି ପିଇଥିଲି । ନଟ୍ ଗୁଡ୍, ନଟ୍ ଗୁଡ୍ ନଟ୍ ଗୁଡ଼୍ ବେବି ।’ ଋଷୀ କହିଲା, "ଆଇ ଆମ୍ ସରି, ଅଜା’, ଏବଂ ହସିଲା । ଏ
ପୃଷ୍ଠା:Hada bagicha.pdf/୧୮୬
ଦେଖଣା