ପୃଥିବୀରେ ତାର ପରମ ପ୍ରିୟ ଶତ୍ରୁ କିଏବୋଲି ଭାବିଲେ ଋଷୀ ସୂର୍ଯ୍ୟ ଛଡ଼ା ଆଉ କାହାକୁ ଭାବିପାରେନା । ଯଦି କେବେ କାହାକୁ ଚେଲେଞ୍ଜ କରିବାକୁପଡ଼େ ତେବେ ସୂର୍ଯ୍ୟ ଭିନ୍ନ ଆଉ କାହାକୁ ଚେଲେଞ୍ଜ କରିବ? ସୂର୍ଯ୍ୟପାଇଁ ତା ଲୁହ ଏତେ ଗଡ଼ିଛି ଯେ ନିଜକୁ ଅଠାଳିଆ ମଟାଳ ରୂପେ ପାଇଛି । କିନ୍ତୁ ସେଇଟା ହିଁ ସମୟ ନିଜକୁ ଗଠନ କରିବାପାଇଁ ବୋଲି ଭାବିଛି । ତାର ବେଦନା ଜର୍ଜରିତ ମୁହଁ, କଲ୍ବଲ୍ ହେଉଥିବା ଶରୀରର ଯନ୍ତ୍ରଣାକୁ ଫଟୋଗ୍ରାଫର୍ ସିନା ସ୍ଥିର, ନିଦା ଓ ଅମୂର୍ତ କରିଦେଇଛି । ମାତ୍ର ସେ ତ ଜୀଅନ୍ତା ମଣିଷ । ଅହରହ ବଦଳୁଥିବା ମଣିଷ । ଋଷୀ ମୁହଁରେ ଉକୁଟିଥିବା ଯନ୍ତ୍ରଣାକୁ ଅନ୍ୟମାନେ ଦେଖିପାରିବେ । କିନ୍ତୁ ନିଜେ ନୁହେଁ । ସେ ଦୁର୍ଲଭ ଯନ୍ତ୍ରଣାକୁ ଦେଖି କବି କବିତା ଲେଖିପାରେ, ଚିତ୍ରକର ନିଖୁଣ ଚିତ୍ର ଫୁଟାଇପାରେ, ଭାସ୍କର୍ଯ୍ୟ ସ୍ଥପତି ନିର୍ମାଣ କରିପାରେ । ମାତ୍ର ସେ ଯନ୍ତ୍ରଣାଟି ନିଦା ଅଭେଦ୍ୟ ଘନ ଓ ଟାଣ । ମୁଁ ଭୋଗୁଥିବା ଯନ୍ତ୍ରଣା ତା ଠାରୁ କେତେ ଫରକ । ଆକାଶ ପାତାଳ । ମୁଁ ମୂର୍ତ୍ତିମାନ ଯନ୍ତ୍ରଣା ହୋଇପାରିବି ନାଇଁ । ଯନ୍ତ୍ରଣାର ଅବତାର ହୋଇପାରିବ ନାଇଁ । ମୁଁ ଅଲଗା । ମୁଁ ଯଦି ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ତେବେ ସୂର୍ଯ୍ୟ ମୋତେ କବଳିତ କରିଦେଉ । ମୋତେ ଯନ୍ତ୍ରଣାର ବିଗ୍ରହ କରିଦେଉ । ମୁଁ ଏବଂ ମୋର ଯନ୍ତ୍ରଣା ଏକାକାର ହେବୁ କି ନାଇଁ ସେ ନିର୍ବାଚନ ସୂର୍ଯ୍ୟ କରିପାରିବ ନାହିଁ । ମୁଁ କରିବି । ସେ ସ୍ୱାଧୀନତା ତାର ନାହିଁ । ମୋର ଅଛି । ପରଦିନ ସକାଳେ ଅଜା ନାତୁଣୀ ମିଶି ଘରସଜାଇଲେ । ବେଲୁନ-ବଲ୍- ଚକ୍ଲେଟ୍-ଖେଳନା-ରଙ୍ଗିନ ଆଲୁଅ-ଫୁଲ-ପ୍ରଜାପତି-ଛୋଟ ଛୋଟ ଗଛ । ଖୁବ୍ ସୁନ୍ଦର ଦେଖାଗଲା ଚାରିଦିଗ । ସୁନ୍ଦର ଦେଖାଗଲା ବି ଋଷୀ । ଓଠରେ ହସ, ଆଖିରେ ମହକ । ଅପରାହ୍ନରେ ଅଜା ଦେଖାଗଲେ କ୍ଳାନ୍ତ ଶ୍ରାନ୍ତ ଓ ବିଷଣ୍ଣ । ଋଷୀ ଜଣେ ଅଜଣା ଡ୍ରାଇଭରକୁ ପଚାରିଲା ଆଜିର ତାପମାତ୍ରା । ସେ କହିଲା, "ସତଚାଳିଶ' । ଅଜାଙ୍କ ଆଡ଼କୁ ଓଲଟି ଋଷୀ ହସି ହସି କଅଁଳେଇ କହିଲା, ‘ଅଜା ଆଜି ସତଚାଳିଶ ଡିଗ୍ରୀ ସେଲ୍ସିଅସ୍ ।' ଅଜା ସେତେବେଳକୁ ମରି ସାରିଥିଲେ । ହନିମୁନର ଖିଆଲ ନଚିକେତାକୁ ପାଣିରେ ବୁଡ଼ିଲେ ଉବୁଟୁବୁ ଲାଗେ, ମଶାରି ଭିତରେ ଶୋଇଲେ ଉବୁଟୁବୁ ଲାଗେ, ଧୂପଦୀପର କୁହୁଡ଼ି ଭିତରେ ରହିଲେ ଉବୁଟୁବୁ ଲାଗେ, ଗାଧୁଆଘରେ କବାଟକିଳି ଗାଧୋଇଲେ ଉବୁଟୁବୁ ଲାଗେ, ପଢ଼ା କୋଠରିରେ କବାଟ ଖୋଲାରହିଲେ ଉବୁଟୁବୁ ଲାଗେ, ସ୍ତ୍ରୀଙ୍କ ସାଙ୍ଗରେ ଆଠପ୍ରହର ରହିଲେ ଉବୁଟୁବୁ ଲାଗେ, ଏବଂ ପ୍ରେମାସ୍ପଦମାନଙ୍କୁ ଚିଠି ଲେଖିଲେ ଉବୁଟୁବୁ ଲାଗେ । ଦିନେ ହଠାତ ନଚିକେତା ମଧ୍ୟରାତ୍ରରୁ କୁଆଡ଼େ ଉଭାନ୍ । ସକାଳେ ତା ସ୍ତ୍ରୀ ଦେଖିଲେ ବିଛଣା ଖାଲି । କବାଟ ଝରକା କେତେବେଳୁ ମୁକୁଳା । ମର୍ଣିଂ ୱାକ୍ର ସମୟ ନିରାପଦରେ କଟିଲା । ଆଉ ଦୁଇ ତିନି ଚାରି ଘଣ୍ଟା ନିରାପଦରେ କଟିଲା । ତାପରେ ଆଶଙ୍କା ଉଦବିଗ୍ନ ଭୟ ଓ ବ୍ୟସ୍ତ । ସଂଧ୍ୟାବେଳକୁ ଭୋକ ଶୋଷ କାନ୍ଦ ଓ ଆଶ୍ୱାସନା । ଗୋଟିଏ ରାତି ଭିତରେ ଶହେଟି ମୋବାଇଲର ସ୍ୱର ଓ ଝଙ୍କାର । ତାପରେ ହତାଶ । ନଚିକେତା ତା ମୋବାଇଲ ଘରେ ଛାଡ଼ି ଯାଇଛି । ମୋବାଇଲରେ ବିଲେଇର ସ୍ୱର ବାଜୁଛି ଓ ବନ୍ଦ ହେଉଛି । ବାଜୁଛି ବନ୍ଦ ହେଉଛି । ଛୋଟ ବିଲେଇଟିଏ ତା ମୋବାଇଲ ଭିତରେ ମ୍ୟାଉଁ ମ୍ୟାଉଁ କରୁଥାଏ । ପାଞ୍ଚଦିନ ପରେ ପୁରା ବନ୍ଦ । ନଚିକେତା ଘରଛାଡ଼ି ପଳାଇବାର କାରଣ ଏକ ରହସ୍ୟ । ପୂର୍ବଦିନ ସେ ତିରିଷଟି ଲଫାପା କିଣିଥିଲା
ପୃଷ୍ଠା:Hada bagicha.pdf/୧୮୭
ଦେଖଣା