ମା? ଧନୀ ଜଣାପଡୁଥିଲେ? ଏକାଥିଲେ ନା ସାଙ୍ଗରେ ଆଉକେହି? ସଂଧ୍ୟାରେ ନିଶ୍ଚେ ଆସିବେ ତ? ଯଦି ସେ ପ୍ରକୃତରେ ଆସନ୍ତି ତାହେଲେ ଆଜିରାତିରେ ଆମେ ଶେଷଥର ପାଇଁ ସେ କାମ କରିବା । ଶେଷଥର ପାଇଁ ।’ ମା କହିଲେ, "ମୁଁ ପ୍ରକୃତରେ ଖୁବ୍ କ୍ଳାନ୍ତ, ଝିଅ । କାହାକୁ ମାରିବା ସବୁଠୁ ବେଶୀ କ୍ଳାନ୍ତିକର ବି ।’ "ଓଃ, ତମେ ବୁଝୁନ ମା । ଆଜି ଶେଷଥର ପାଇଁ । ତା’ପରେ ଆମେ ଭିନ୍ନ ଏକ ଯାଗାକୁ ଯିବା । ବେଶୀ ତ କାମ କରିବାକୁ ପଡ଼ିବନାହିଁ । ସେ ଚା’ ପିଇ ଶୋଇବାକୁ ଯିବ । ଆମେ ତାକୁ ବାନ୍ଧି ପାଣି ପାଖକୁ ନେବାବେଳକୁ ବି ସେ ମରି ନଥିବ । ବହୁତ ଦିନପରେ ଲୋକେ ସେ ସ୍ଲୁଇସ୍ ଗେଟ୍ ମରାମତି କଲାବେଳକୁ ପାଇବେ । ଆତ୍ମହତ୍ୟା କରିଥିବା ଆଉ ଗୋଟେ ଦୁଇଟି ଶବ ସାଙ୍ଗରେ । ଗଲାଥର ଦେଖିନ ଆମର ଶବଟି ଅନ୍ୟ ଶବ ଅପେକ୍ଷା କମ୍ ବିଭତ୍ସ ଦେଖାଯାଉଥିଲା । ଯେଉଁମାନେ ଆଖିମେଲା କରି ପାଣିକୁ ପକାଇ ହେଉଥିବେ ସେମାନେ ବେଶୀ କଷ୍ଟ ଭୋଗୁଥିବେ ନିଶ୍ଚୟ, ମଲାବେଳକୁ । ତା ବାହାରେ ତୁମେ ତ ଆଗରୁ କହୁଥିଲ "ଆମ ଅପେକ୍ଷା ଜୀବନଟା ବେଶୀ ଯନ୍ତ୍ରଣାଦାୟକ । ୟାକୁ ଏକ ଅପରାଧ ବୋଲି କୁହାଯାଇ ପାରିବ ନାହିଁ । ଆମେ ଖାଲି ଗୋଟିଏ ମୁହୂର୍ତ ପାଇଁ ଆଙ୍ଗୁଠିଟିପରେ ପରପାରିରେ ଥିବା ଗୋଟିଏ ଜୀବନକୁ ଛୁଇଁଦେଉଛୁ ମାତ୍ର । ଯେତେବେଳେ ଜୀବନଟା ମୃତ୍ୟୁ ଅପେକ୍ଷା ବେଶୀ କଷ୍ଟଦାୟକ ୟାକୁ ଏକ ଅପରାଧ ବୋଲି କେମିତି କୁହାଯିବ?’ "ହଁ ଝିଅ, ସେଇ ଗୋଟିଏ କଥା ଲାଗି ମୋତେ ଥରେ ଥରେ ଦୋଷୀ ଦୋଷୀ ଲାଗେ ନାହିଁ । ମୁଁ ଖାଲି କହୁଛି, ଆଜି ମୁଁ ଖୁବ୍ କ୍ଳାନ୍ତ ।’ "ଆମେ ସେଇ ଯାଗାକୁ ଚାଲିଯିବା ମା । ଯେଉଁଠି ସୂର୍ଯ୍ୟକିରଣ ସବୁକିଛି ଜାଳିପୋଡ଼ି ଦିଏ । ଆତ୍ମାକୁ ବି । ଏଠି ମୋ ଆତ୍ମାଟି ମୋ ପାଇଁ ବୋଝ । ମୋ ଇପ୍ସିତ ଯାଗା ବୋଧହୁଏ ସେଇ, ଯେଉଁଠି ମୋ ଆତ୍ମାଟା ବି ପୋଡ଼ି ଛାରଖାର ହୋଇଯିବ । ଖାଲି ଶରୀରଟା ଥିବ । ଭିତରଟା ଫମ୍ପା ହେଉ । ଅନ୍ୟମାନେ ସେମିତି ରହୁନାହାନ୍ତି? ଶରୀରଟାକୁ ଖରାକୁ ଦେଖାଇ ଚୁପଚାପ ପଡ଼ିଥିବେ ।’ "ମୋ ପାଇଁ ଇପ୍ସିତ ଯାଗା ଆଉ କିଛିନାଇଁ, ଝିଅ । ବୟସ ହେଲାପରେ ତୁ ବି ଜାଣିବୁ ପୃଥିବୀରେ ବିଶ୍ରାମ ନେବା ଯାଗା ଆଉ ମିଳେନାଇଁ । ନିଜର ଏଇ ପୁରୁଣା ଇଟାଘର ହିଁ ଭଲଲାଗେ । ଟିକେ ଶୋଇହୁଏ କେବେକେବେ । ଏଠି ଅନେକ ସ୍ମୃତି ଅଛି । ଅନେକ କିଛି ମନେପଡ଼େ । ଅବଶ୍ୟ ଶୋଇଲାବେଳକୁ ସବୁ ପାଶୋରି ହୋଇଯାଆନ୍ତା ଯଦି ! ଓଃ, ଯାହାବି ହେଉ ମାର୍ଥା, ମୁଁ ବି ତୋ ସାଙ୍ଗରେ ଯିବି । ଆମେ ଏଠୁ ଚାଲିଯିବା ।’ କୋଡ଼ିଏ ବର୍ଷ ପରେ ଜାନ୍ ତା ସ୍ତ୍ରୀ ମାରିଆ ସାଙ୍ଗରେ ନିଜ ସହରକୁ ଆସିଛି । ଅନ୍ୟ ଏକ ଲଜରେ ରହୁଛି । ସେ ଯୋଜନା କରିଛି ରାତିକ ପାଇଁ ନିଜେ ଏକୁଟିଆ ତା ମା ଓ ଭଉଣୀ ଚଳାଉଥିବା "ଇନ୍’ରେ ରହିବ । ସେମାନଙ୍କୁ ସର୍ପ୍ରାଇଜ୍ ଦେବ । ସେମାନେ "ଇନ୍’ କେମିତି ଚଳାଉଛନ୍ତି ଦେଖିବ । ତାକୁ ଚିହ୍ନି ପାରୁଛନ୍ତି କି ନାଇଁ ଦେଖିବ । ସେ ସକାଳୁ ଥରେ ନିଜ ପୁରୁଣାଘରକୁ ଦେଖିଆସିଲାଣି । ପଇସାଦେଇ ବିଅର୍ ଗ୍ଲାସେ ବି ପିଇ ଆସିସାରିଛି । ତା ମା ଭଉଣୀ କେହି ତାକୁ ଚିହ୍ନି ପାରିନାହାନ୍ତି । ତାର ଯୋଜନା ଅଛି ସେ ତା ମା ଓ ଭଉଣୀକୁ ସାଙ୍ଗରେ ନେଇଯିବ । ତାଙ୍କୁ ସବୁ ପ୍ରକାରର ଖୁସିଦେବ । ତା ବାପାର ମୃତ୍ୟୁପରେ ଦୁହେଁ କାମ କରିକରି ଥକିଯିବେଣି । ଏମାନଙ୍କ ପ୍ରତି ତାର ଦାୟିତ୍ୱ ଅଛି । କର୍ତବ୍ୟ ଅଛି । କିନ୍ତୁ ଗୋଟିଏ ରାତିପାଇଁ ସେ ଅଜଣା ବ୍ୟକ୍ତି ଭାବରେ ଇନ୍ରେ ରହି ସେମାନଙ୍କୁ ଦେଖିବ । ତାଙ୍କୁ ଖୁସି କରାଇବା ପାଇଁ ଆଉ ଅଧିକ କ’ଣ କରାଯାଇପାରେ ସେ ବିଷୟରେ ଚିନ୍ତା କରିବାପାଇଁ ସମୟପାଇବ । ସକାଳ ହେବାକ୍ଷଣି ନିଜ ପରିଚୟ ଦେବ । ନିଜ ସ୍ତ୍ରୀ ମାରିଆକୁ ବି ପରିଚୟ କରାଇଦେବ । ତେଣୁ ସେ ମାରିଆକୁ ଆଜି ରାତିକପାଇଁ ଅନ୍ୟଏକ ଲଜରେ ରହିଯାଉବୋଲି ଅନୁରୋଧ କରୁଛି । କିନ୍ତୁ ତା ସ୍ତ୍ରୀ ମନାକରୁଛି । କହୁଛି, "ନା, ଜଣେ ମା କୋଡ଼ିଏବର୍ଷ ପରେ ହେଲେବି ତା ପୁଅକୁ ନିଶ୍ଚୟ ଚିହ୍ନିପାରିବ । ଆମର ଷଷ୍ଠ ଇନ୍ଦ୍ରିୟ ଅଛି । ତା’ଛଡ଼ା ଏପରି ପରିବେଶରେ ଜଣେ ଆଉ ଲୁଚକାଳି ଖେଳିବା କଥାନୁହେଁ । ତୁମେ ସିଧାସଳଖ ଯାଇ କହିବ "ମୁଁ ଜାନ୍ ଆସିଛି, ମା ।’ ତାପରେ ସବୁକିଛି ଠିକ୍ଠାକ୍ ଚାଲିବ । ତୁମ ଯୋଜନା ମୋତେ କାହିଁକି ଠିକ୍ ଲାଗୁନି । ତାପରେ ତୁମର ଆବେଗ ଯାହା କହିଚାଲିବ ସବୁ ଠିକ୍ ହିଁ ହେବ । ଗୋଟେ ସିଧାସଳଖ ସରଳ କଥାଟିକୁ କାହିଁକି ଜଟିଳ କରିବାକୁ ଯାଉଛ? ଏଇ ମଧ୍ୟୟୁରୋପକୁ ଆସିବାପରେ ଦେଖୁଛି ତୁମ ମୁହଁରୁ ହସ ଉଭେଇ ଯାଇଛି । ମୋତେ ଖୁବ୍ ଡର ଲାଗୁଛି ଜାନ୍ । ଚାଲ ଆମେ ଏଠୁ ଫେରିଯିବା ଆମ ଅଞ୍ଚଳକୁ । "ତା ଛଡ଼ା ମୁଁ ଗୋଟିଏ ରାତି ଏକାକୀ କାହିଁକି ରହିବି? ଆମର ପାଞ୍ଚବର୍ଷ ବିବାହ ଭିତରେ ଦିନେହେଲେ ଆଜିଯାଏଁ ମୁଁ ଏକା ରହିନାଇଁ । ତୁମେ ଯଦି ତୁମ ମା'ଙ୍କର
ପୃଷ୍ଠା:Hada bagicha.pdf/୧୯୨
ଦେଖଣା