Jump to content

ପୃଷ୍ଠା:Hada bagicha.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହଠାତ । ଯେପରି କହୁଥିଲେ ‘ଆମେ ଏଠି ନାହୁଁ’ । ସୁପାର୍ଥ ଟିକେଟ ପାଇଁ ଦୌଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଚିଲିକା କହିଲା, ‘ଆମେ ଫେରୁଛୁ ସୁପାର୍ଥ କେମ୍ପସ୍ରେ ପୁଣି ଦେଖାହେବ । କେବେ ଫେରିବ?’ ‘ଗୋଟାଏ ସପ୍ତାହ ପରେ’ । ସୁପାର୍ଥ ଚାଲିଗଲା । ଜଣକଠାରୁ ଦୂରେଇ ଯାଉଛ ମାନେ ପରବର୍ତୀ ସାକ୍ଷାରତ ସମୟ ନିର୍ଘଣ୍ଟ କରିହୁଏନା । ଯେମିତି କିଛି କହୁ କହୁ ଲୋକଟିଏ ମରିଯାଇ ପାରେ ଏବଂ ତମେ ବହୁଦିନରୁ ଶୁଣିବା ପାଇଁ ଅପେକ୍ଷା କରିଥିବା ଶବ୍ଦଟି ନ ଶୁଣିପାର । ଛଞ୍ଚାଣଟା ଉପରେ ଉଡ଼ୂୁଛି କେତେବେଳେ କାହାକୁ ଖପ୍ କରିବ । ନ ହେଲେ କିଏ ନିଜେ ବି କହିପାରେ ଯେ ‘ଆ ଛଞ୍ଚାଣ ମୋତେ ନେ’ । ମୁଁ କୋପତ, ମୋତେ ଖା’ । ଦାନବୀର ଶିବି ମିଶ୍ରତ କେବେଠୁ ମଲେଣି । ତୋର ଆଉ ଭୟ କାହାକୁ? ମୋତେ ଗିଳ୍ ଏବଂ ଦେଖିବ ଯେ ତମେ ଆଉ ତମେ ହୋଇ ଜିଇଁନାହଁ । ତମେ ମରିଯାଇଛ ଓ ତମେ ଅନ୍ୟ ହୋଇଯାଇଛ । ଚିଲିକା ପଚାରିଲା, ‘ତମ ଥାକରେ ‘ମୋ ଛବି ବହି’ଟିଏ କିଏ ରଖିଛି?’ ‘ମୁଁ’ ଅବକାଶ କହିଲା, ଦିନେ ବସ୍ପାଇଁ ଅପେକ୍ଷା କରିଥିବା ବେଳେ କିଣିଥିଲି । ବସ୍ର ସବାପଛ ସିଟ୍ରେ ଏକାକୀ ବସି ତାକୁ ପଢ଼ି ପଢ଼ି ସ୍କୁଲକୁ ଗଲି । ସେଦିନ ଆମର ‘ସ୍ୱାଗତ ଦିବସ’ ପାଳନ କରାହେଉଥିଲା । ସେ ବହିଟା ପରେ ହଠାତ୍ କଲେକ୍ଟରଙ୍କୁ ଉପହାର ଦେବା ପାଇଁ ଇଚ୍ଛା ହେଲା ଏବଂ ଦେଇଥିଲି, ଚକ୍ଲେଟଟିଏ ସାଥିରେ । ସେ ଖୁବ ଖୁସୀରେ ଗ୍ରହଣ କରିଥିଲେ, କିନ୍ତୁ, ଗଲାବେଳକୁ ଛାଡ଼ିଗଲେ । ଚକ୍ଲେଟ କିନ୍ତୁ ସଙ୍ଗେ ସଙ୍ଗେ ଖାଇଥିଲେ । ତମେ ଏ ଭିତରେ କେବେ ପଢ଼ିଛ ସେ ବହି? ଚକ କଳ ନଖ ଅଖ କରତ କଟକ ଅରଟ ନଗର ଏ ସବୁ? ଏସବୁ ବହି ପଢ଼ିବା, ଦୁଇକ ପଣକିଆ ପଢ଼ିବା, ଏ ଫର ଏପ୍ଲ, ବି ଫର ବେଗ୍, ସି ଫର କେଟ୍ ବୋଲି ଉଚ୍ଚାରଣ କରିବା, ରାସ୍ତାକଡ଼ ମେଜିକବାଲା ସାପୁଆକେଳା ଜଡ଼ିବୁଟିବାଲାର ଶବ୍ଦ-ଉଚ୍ଚାରଣ ଲକ୍ଷ୍ୟ କରିବା କେତେ ଅନନ୍ୟ ତମେ କେବେ ଅନୁଭବ କରିଛ? ଦୁହେଁ ରାତ୍ରିର ରାସ୍ତାରେ ଆଗଉଥିଲେ । ନିଅନ ଆଲୁଅ ତଳେ କେତେବେଳେ ଲଟେଇ ଯାଉଥିଲେ । କେତେବେଳେ ଇଷତ୍ ଅନ୍ଧାର ଇଷତ୍ ଆଲୁଅରେ ପହଁରି ଯାଉଥିଲେ । ନିଜ ଚାରିପାଞ୍ଚ ଜୋଡ଼ା ଛାଇକୁ ଦେଖୁଥିଲେ । ଜହ୍ନର ଛାଇ, ଆଲୁଅ ସ୍ତଂଭର ଛାଇ, କୌଣସି ଦୋକାନ ବା ଅଫିସ ବାରଂଡ଼ାରୁ ସୃଷ୍ଟି ହେଉଥିବା ଛାଇ । ଅନୁଭବ କରୁଥିଲେ ସୁଲୁସୁଲିଆ ଶୀତୁଆ ପବନ ଓ ସାରସତ୍ୱ ପୃଥିବୀ । କୌଣସି ଡାକ୍ତରଙ୍କ ଦୁଇଟି ସମ୍ମାନନୀୟ କୁକୁର କଦବା କ୍ୱଚିତ ଶବ୍ଦମନସ୍କ ଭାବେ ଦାମିକା ଶବ୍ଦ ସୃଷ୍ଟି କରୁଥିଲେ । କୌଣସି ବୁଲା କୁକୁର ସେମାନଙ୍କୁ ତାଳ ଦେବା ଅସମ୍ଭବ ମନେକରି ଶୋଇଯାଇଥିଲା ଅବା । ହଠାତ୍ ସୃଷ୍ଟି ହେଉଥିବା ଆଲୁଅର ପ୍ରଚଣ୍ଡ ରେଖା ଦୁଇଟିକୁ ଗୋଟାଏ ଦୁଇଟି ବୁର୍ଜୁଆ କାର୍ ଠେଲି ନେଉଥିଲେ । ଦୁହେଁ ଭିଜି ଯାଉଥିଲେ କିଛି ସମୟ ପାଇଁ । ଆଲୁଅର ସମାଂତରାଳ ସ୍ତଂଭ ଭିତରେ ତାଳୁରୁ ତଳିପା’ର ଅସ୍ତିତ୍ୱକୁ ମୁକୁଳା-ଉଲଗ୍ନ କରି ପକାଉଥିଲେ । କଦବା ଲୋକପରି ଜୀବଟିଏ, କଦବା ଗୋରୁପରି ପଶୁଟିଏ- ଜଣେ ପାଟି ମେଲାକରି, ଜଣେ ଲାଞ୍ଜ ଟେକି ଦେଇ- ପାଣିଆ ଗୋବରଧର୍ମୀ ଶବ୍ଦ ସବୁ ଅବାଂଛିତ ପଚ୍ ପଚ୍ ପଚ୍ ପଚ୍ ନିଗାଡ଼ି ଦେଉଥିଲେ ଏବଂ ସୃଷ୍ଟି କରୁଥିଲେ ନିଜେ ନିଜେ ଏକା ଏକା ନିଃସ୍ୱ ନିଃସ୍ୱ ଅସଭ୍ୟ ଅସଭ୍ୟ ପୃଥିବୀଟିଏ । ପାଗଳ ପୃଥିବିଟିଏ । ବାଡ଼ବତା ନଥିବା ପାଟି ଓ ଧସେଇ ଆସୁଥିବା ଅଶ୍ଳୀଳତାର ପୃଥିବୀ । ରାତି୍ରଚର ରୁକ୍ଷ କଠୋର ପକ୍ଷୀଙ୍କ ଡେଣା ଫଡ଼କାର ଶବ୍ଦ ଶୁଭୁଥିଲା ରହି ରହି । ରାତିଟା ଅଟକି ଯାଉଥିଲା ନିରବରେ । ରାତିର ପାଦଶବ୍ଦ ବି ଶୁଭୁ ନଥିଲା । ପୁଣି ଏମାନେ ଆଗଉଥିଲେ ନିରବରେ ଓ ମୋଡ଼ ପାଖରେ ହଜି ଯାଉଥିଲେ । ଏମାନେ ଘରେ ବି ପହଞ୍ଚିଲେ-ଚିଲିକାବକାଶ । କଲିଂ ବେଲ୍ ବାଜିବା ପୂର୍ବରୁ ମା କବାଟ ଫିଟାଇ ସାରିଥିଲେ ଓ କହୁଥିଲେ ସମୟର ବୟସ, ରାତି ଏଗାରଟା ହେବାକୁ କିଞ୍ଚିତ୍ ବାକି । ଅନୁ ଶୋଇଥିବା ବିଛଣାରେ ବସିପଡ଼ି ଚିଲିକା ନିଜ ମୁଣ୍ଡକୁ ଚିପି ଧରିଲା । ମା’ବି ତା ମୁଣ୍ଡରେ ହାତ ଦେଲେ । କହିଲେ, ‘ଶୋଇପଡ଼ ମୁଣ୍ଡକୁ ଦବାଇ ଦିଏଁ’ । ଚିଲିକା କିଛି ନ କହି ଶୋଇଗଲା । ଅବକାଶ ଏବେ କେକ୍ଟସର ଅରଣ୍ୟରେ ନିରବି ଯାଇଥିଲା ଆର୍ମ ଚୌକିର ଦେହରେ । ଫେନଟା ଘୁରି ଯାଉଥିଲା ଏ ଦିଗରୁ ସେ ଦିଗବାଟେ ଅନ୍ୟଦିଗକୁ । ପୁଣି ଫେରୁଥିଲା ଅନ୍ୟ ଦିଗରୁ ସେ ଦିଗବାଟେ ଏ ଦିଗକୁ । ନିଜ ଅବୟବକୁ କଚାଡ଼ି ହାଲୁକା ଓ ସ୍ଥିର କରିଥିଲା ଅବକାଶ । ମସ୍ତିଷ୍କର ଡ଼୍ରୟର୍ଟା ବି ଶୂନ୍ୟ ରଖିଥିଲା । ଓଡ଼ିଶୀ ମୁଦ୍ରାରେ ନ ଥିବା ଭାରତ ଶୀବାଜୀ ଓ ନଥିବା ଶାଶ୍ୱତିସେନଙ୍କୁ ନ ଦେଖି ସେ ରହି ଯାଇଥିଲା । ତିନି ଚାରି ପାଞ୍ଚ କିମ୍ବା ଛଅ କିମ୍ବା ସାତ ମିନିଟ ଯାଏ । ନିଜ ପ୍ରତ୍ୟଂଗକୁ ଜାବୁଡ଼ି ଧରି କେଇ ମିନିଟ୍ ଓ କୌଣସି ସ୍ମୃତି ନ ନେଇ କିଛି ମିନିଟ । ଚିଲିକା ହଜି ଯାଇଥିଲା ଆର କୋଠରିରେ । ବ୍ଳାକ୍ହୋଲ୍ ଥ୍ରେଡ୍ ଫିଟାଇବା ପାଇଁ ଚେଷ୍ଟା କଲା । ଗୋଟାଏ ଗୋଡ଼କୁ ଉଠାଇବା ପାଇଁ ଚେଷ୍ଟା କରି ସଫଳହେଲା ଓ ଅନ୍ୟ ଗୋଡ଼ର ଆଣ୍ଠୁ ଉପରେ ଲଦିଦେଲା । ଦୁଇଟି ମାତ୍ର ଆଙ୍ଗୁଠି ପହଁରିଗଲା ଏବଂ ଅଟକି ଗଲା ବ୍ଳାକ୍ହୋଲ