Jump to content

ପୃଷ୍ଠା:Hada bagicha.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୃଥିବୀ ଫଟା ଚିତ୍କାର, ପଡ଼ାଟା ସାରା ଲୋକଙ୍କ ପାଦଶବ୍ଦ ଓ ଡରୁଆ ଆଖି ଓ ଗମ୍ଭୀର ନିଃଶ୍ୱାସ ପ୍ରଶ୍ୱାସ । ଏବଂ ଶେଷରେ ଧଡ଼ାସ୍ ଓ କୁଆଁକୁଆଁ, କ୍ୱଅହମ୍ କ୍ୱଅହମ୍, ମୁଁ କିଏ ମୁଁ କିଏ? କାନ୍ଦନା କାନ୍ଦନା । ତମେ ଅବକାଶ ଏବଂ ଏଇଟା ‘ଏନ୍ତୁଡ଼ିଶାଳ’ । ଶବ୍ଦର ଅର୍ଥ କେତେ ଭୟାନକ । ଅବକାଶ ଏମିତି କେତେଗୁଡ଼ିଏ ଭୟଙ୍କର ଶବ୍ଦ ବିଳିବେଳେଇ ହେଲା । ଅବକାଶ କହେ ଗୁଡ଼ାଏ ନୂଆଅକ୍ଷର ଖଞ୍ଜି ନୂଆ ଶବ୍ଦ ଖଞ୍ଜି ତାକୁ ଦେଖାଇ ଦେଲେ ସେ ତା ପଛେ ପଛେ ସହରଟା ଯାକ ଘୂରି ଘୂରି ଆସି ପାରିବ । ଯେମିତି ସାଗୁଆ ଘାସ କେରାଏ ଦେଖାଇ ଗୋଟାଏ ଗାଈକୁ ସହର ପରିକ୍ରମା କରାଯାଇପାରେ । ନୂଆ ଅକ୍ଷରରେ ତିଆରି ଶବ୍ଦ ଖୋଜିବା ପାଇଁ ସେ କେତେ ଧଂଦି ହୁଏ । ଶବ୍ଦର ଅର୍ଥ ଖୋଜିବା ପାଇଁ ସେ ଅଭିଧାନ ଦେଖେନା । ବରଂ ସେ ଶବ୍ଦ ପାଖରେ ବସେ, ତାକୁ ଛୁଏଁ, ତାକୁ ଚାଖେ । ଶବ୍ଦକୁ ଓଲଟପାଲଟ କରେ, ତାକୁ ଘଷେ ମାଜେ ଚିକଣିଆ କରେ । ରବର ପରି ଟାଣେ, ସଙ୍କୁଚିତ କରେ । ବେଳେବେଳେ ତା ପଞ୍ଝାରେ ରାମ୍ପୁଡ଼ି ଦିଏ, ଉଖାରି ଦିଏ ଓ ତାର ଅର୍ଥ ବୁଝେ । ଯେମିତି ‘ଏନ୍ତୁଡ଼ିଶାଳ’ ଶବ୍ଦଟା ବୁଝିବା ପାଇଁ ତାକୁ ଏଠି ପଚିଶ ବର୍ଷ ବଞ୍ଚି ରହିବାକୁ ପଡ଼ିଲା । ଯେମିତି ‘ବାନ୍ତି’ ଶବ୍ଦ ଅର୍ଥ ବୁଝିବା ପାଇଁ ତାକୁ ସମୁଦାୟ ଅସ୍ତିତ୍ୱବାର ଥିଓରି ଜାଣିବାକୁ ପଡ଼ିଲା । ଯେମିତି ‘ବୁଢ଼ୀଅସୁରୁଣୀ’ ଶବ୍ଦର ଅର୍ଥ ଜାଣିବା ପାଇଁ ଗୋଟାଏ ବିରାଟ ‘ଟିନଏଜ୍’ ଅତିକ୍ରମ କରିବାକୁ ପଡ଼ିଲା । ଏବେ ମଧ୍ୟ ‘ଧର୍ଷଣ’ ଶବ୍ଦକୁ ପଖାଳିବା ପାଇଁ ତାକୁ ଚିଲିକା ସହିତ କିଛିବାଟ ଜୀବନ୍ତ ଭାବେ ଯିବାକୁ ପଡୁଛି । ଅବକାଶ ପୋଷାକ ବଦଳାଇଲା । ମାଙ୍କୁ କହିଦେଇ ଚିଲିକା ସାଥୀରେ ବାହାରି ପଡ଼ିଲା । ଅନୁ ସହିତ ତା ସାଙ୍ଗମାନେ ମଧ୍ୟ ବାହାରେ ଛିଡ଼ା ହୋଇଥିଲେ । ଦୁହେଁ ଚାଲୁଥିଲେ ଚୁପ୍ ଚାପ୍ । ବେଳେବେଳେ ଅବକାଶର ସନ୍ଦେହ ହୁଏ ସେ କୁଆଡ଼େ ଯାଉଛି ବୋଲି । କେମିତି ଯେଉଁଠିକି ଚାହିଁଲେ ସେଠିକି ଯାଇପାରୁଛି ଭାବି ଆଶ୍ଚର୍ଯ୍ୟ ହୁଏ । ତାର ଯିବା ଆସିବା ବା ଯାଇପାରିବା ଆସିପାରିବା ଧାରାକୁ ସେ ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରେ ଓ ଶେଷର ଥଳକୁଳ ପାଏନା । ମନେକର ସେ ଯେଉଁଠୁ ବାହାରିଲା ସେଇଟା ‘କ’ ବିନ୍ଦୁ ଓ ଯୁଆଡ଼େ ଯାଉଛି ସେଇଟା ‘କ୍ଷ’ ବିନ୍ଦୁ । ଅର୍ଥାତ ଏବେ ସେ ନିଜ ଘର ‘କ’ ବିନ୍ଦୁରୁ ବାହାରି ଜେଲର୍ଂକ ଘରକୁ ‘କ୍ଷ’ ବିନ୍ଦୁକୁ ଯାଉଛି । କିନ୍ତୁ ‘କ୍ଷ’ ଶେଷ ବିନ୍ଦୁ ନୁହେଁ ଓ ‘କ’ ପ୍ରଥମ ବିନ୍ଦୁ ନୁହେଁ । ଏବଂ ଏ ଦୁଇ ବିନ୍ଦୁ ମଧ୍ୟରେ ହଜାର ହଜାର ବିନ୍ଦୁ ଅଛି ଯାହାକି ଅତିକ୍ରମ କରିଯିବାକୁ ହେବ । ଯେପରି କ-କ୍ଷର ମଧ୍ୟ ବିନ୍ଦୁ ‘ଗ’, କ-ଗର ମଧ୍ୟ ବିନ୍ଦୁ ‘ଘ’, କ-ଘ ର ମଧ୍ୟ ବିନ୍ଦୁ ‘ଚ’ ଏପରି ଅସଂଖ୍ୟ । ଯେକୌଣସି ଗୋଟିଏ ନିର୍ଦିଷ୍ଟ ବିନ୍ଦୁରେ ସେ ମୁହୂର୍ତେ ପାଇଁ ହେଲେବି ସ୍ଥିର । ଅର୍ଥାତ୍ ସବୁବେଳେ ସେ କୌଣସି ନା କୌଣସି ବିନ୍ଦୁରେ ସ୍ଥିର । ଗୋଟାଏ ସ୍ଥିର ମୁହୂର୍ତରୁ ଆଉ ଗୋଟାଏ ସ୍ଥିର ମୁହୂର୍ତକୁ ପାଦ କେମିତି ଦେଇପାରୁଛି ଯେ!! କାରଣ ସବୁଠୁ କମ୍ ବ୍ୟବଧାନର ଦୁଇଟି ବିନ୍ଦୁରେ ତଥାପି ମଧ୍ୟ କିଛି ସ୍ଥାନ ରହିଥାଏ ବୋଲି ବିଜ୍ଞାନ କହେ । ତେଣୁ ‘କ’ ବିନ୍ଦୁରେ ସ୍ଥିର ଅବକାଶ ‘ଖ’ ବିନ୍ଦୁକୁ ପୁଣି ଫ୍ରିଜ୍ ହେବା ପାଇଁ କିପରି ଯାଏ? କ-ଖ ବିନ୍ଦୁ ମଧ୍ୟରେ ବି ଅସଂଖ୍ୟ ବିନ୍ଦୁ ଅଛି ଓ ପ୍ରତି ବିନ୍ଦୁରେ ସେ ସ୍ଥିର । ପ୍ରତି ନିର୍ଦିଷ୍ଟ ବିନ୍ଦୁରେ ଗତି କରୁ ନ ଥିବା ଅବକାଶ ତା’ର ପରବର୍ତି ବିନ୍ଦୁକୁ କିପରି ଯାଏ? ଛାଡ଼ ୟେବି ଏକ ପ୍ରହେଳିକା । ମହାଶୂନ୍ୟରେ ପ୍ରତି ମୁହୂର୍ତରେ ସ୍ଥିର ଥିବା ପୃଥିବୀ ତ ପୁଣି ଘୁରୁଛି । କେତେ ବଡ଼ ବଡ଼ ଗ୍ରହ ନକ୍ଷତ୍ର ଘୁରୁଛି । ନିଜେ ଗତି କରିପାରିବନି? ଏମିତି ଭାବି ସେ ଚୁପ୍ ହୁଏ । ପରମାଣୁ କେଂଦ୍ରରେ ନିଉକ୍ଲିଅସ୍ର ଚାରିପଟେ ଇଲେକ୍ଟ୍ରନ୍ ଗୁଡ଼ାକ ନିଜ ନିଜ ନିର୍ଦିଷ୍ଟ କକ୍ଷରେ ଘୂରୁ ଘୂରୁତ ପୁଣି ଗୋଟାଏ କକ୍ଷରୁ ଅନ୍ୟ କକ୍ଷକୁ ଡିଆଡେଇଁ ହୁଅନ୍ତି ଏକ ନ ଥିବା ରାସ୍ତାରେ । ରାସ୍ତା ନ ଥିବା ପଥରେ ଯାଆନ୍ତି ଏବଂ ସମୟ ନିଅନ୍ତି ନାଇଁ । ତା ମାନେ ଏମିତି ହୁଏ କି? ନିଜ କକ୍ଷରୁ ହଠାତ୍ ଉଭେଇ ଯାଆନ୍ତି ଓ ଅନ୍ୟ ଏକ କକ୍ଷରେ ଆବିର୍ଭାବ ହୁଅନ୍ତି ଠିକ୍ ସେହି ମୁହୂର୍ତରେ? କେଜାଣି । ଛେ! ଏସବୁ ଭାବିବା ପାଇଁ ଅବକାଶ କେମିତି ଗ୍ରହଣ କରିନେଲା । ଇଲେକ୍ଟ୍ରନ୍ ସବୁ ନିଜ କକ୍ଷରେ ଘୂରୁଥାଂତୁ । ଆମେ କିନ୍ତୁ ଘୂରିବୁ ନିଜ ନିଜ କ ଠାରୁ କ୍ଷ ଭିତରେ ।