ପୃଷ୍ଠା:Hada bagicha.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସବୁ ରଫୁ କରି, କଂକିକୁ ଟାନ୍ସର ଆନାଲିସିସ୍ ବତାଇ, ବାପା ଅଜା ଆଇଙ୍କ ଅସ୍ଥି ଉପରେ ନିଘାରଖି ବର୍ଷଟିଏ ଯିବାପରେ କୁମାରୀ କସ୍ତୁରୀ ଦାସଂକ ଆଖି କୋଣରେ କୁକୁଡ଼ାଗୋଡ଼ ପରି କୁଞ୍ଚ ପଡ଼ିଥାଏ ଏବଂ ତିରିଶ କିଲୋମିଟର ଦୂରରେ ନିଜର ଶିକ୍ଷକତା ଚାକିରୀ ହୋଇ ସାରିଥାଏ । ମା ତିନୋଟି ନଡ଼ିଆ- ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସମଲାଇ ଗୁଡ଼ିକୁ ପଠାଇ ସାରିଥାନ୍ତି । ବେଂକରେ ଦୁଇଟି ପଚାଶ ଟଂକିଆ ଆର.ଡ଼ି. ଖୋଲା ହୁଏ । ଗୋଟିଏ ଆର.ଡ଼ି.ରେ କଂକି ପାଠ ପଢ଼ିବ । ଅନ୍ୟଟି ହାତରେ ଥାଉ କେତେବେଳେ କଣ । ତିନି ବଖୁରିଆ ଘରର ଗୋଟେ କୋଠରିରେ କଂକି ନିଜକୁ ସଜାଡ଼େ । କାନ୍ଥରୁ କୃଷ୍ଣ କର୍ଣ ରାମଲକ୍ଷ୍ମଣଙ୍କ କେଲେଂଡର କାଢ଼ି ତା ସ୍ଥାନରେ ଲଗାଏ କପିଳ ଦେବ, ଚେତନ ଶର୍ମାଂକ ଫଟୋ, ବ୍ରୁସ୍ଲି, କାର୍ଲମାର୍କସଂକ ଫଟୋ । ପୁରୁଣା ଶାଢ଼ିକୁ କାଟି ଝରକା କବାଟରେ ଲଗାଏ । କଲେଜରେ ଜଣେ ଲାବୋରେଟୋରୀ ଆସିଷ୍ଟାଂଟଂକୁ ଧରାଧରି କରି ପୁରୁଣା କଲିଂବେଲ୍ ଟିଏ ଆଣି ଘରେ ଲଗାଏ । ତା ସାଙ୍ଗମାନେ କ୍ରିଂ କ୍ରିଂ କଲେ ହସି ହସି ବାହାରି ଆସେ । ହାଲୋ କହେ । ମଝିରେ ମଝିେର ତା କଲେଜର ଝିଅ ଦୁଇଟି ନାନୀ ନାନୀ କହି ଘରକୁ ଆସନ୍ତି । ନାନୀ ପାଖରୁ ଆଚାର ଖାଇ ହସନ୍ତି । କଂକିର ପିଲା ଦିନର ଫଟୋ ଦେଖି ହସନ୍ତି ଓ ତା ଜୁଲୋଜି ବହି ଖାତା ମାଗି ନିଅନ୍ତି । କଂକି ଲାଜେଇ ଦେଇଦିଏ ଓ ରାତିରେ ଭାବେ ଯେ ତାର ଦେବାର ନ ଥିଲା । ପରଦିନ ସକାଳୁ ଉଠି ଦର୍ପଣ ଦେଖେ । ଗୋଟିଏ ରାତିରେ ତା ନିଶ ଅନେକ ବଢ଼ି ଯାଇଥାଏ । ଗାଲରେ ଛୋଟ ବ୍ରଣଟିଏ ଗଜୁରି ଉଠିଥାଏ । ତା ଚେଁ ଚେଁ କରୁଥିବା ସ୍ୱରଟି ଖର୍ ଖର୍ କରୁଥାଏ । ଆଜିକାଲି କଂକି ରବିବାର ଦିନ ମାଂସ ପାଏ ଆଣେ । ଗହମ ନେଇ ଅଟାକଳକୁ ଯାଏ । ପାଖ ଦୋକାନରୁ ଧାରରେ ତେଲ ଲୁଣ ଡାଲି ମସଲା ଓ ନିଜ ପାଇଁ ପାଉଡର, ପେଷ୍ଟ, ବରୋଲିନ୍ ଓ ଡେଟଲ୍ ଆଣେ । ଏ ମାସରେ କହିଥିବା ପେଣ୍ଟ ଆରମାସରେ ଆସେ । ସେ ମାସରେ କହିଥିବା ଯୋତା ତା’ର ଦି ମାସ ପରେ ଆସେ । ଦରମା ପାଇଲା ପରେ ଦୋକାନବାଲା, ଚାଉଳବାଲା, କ୍ଷୀରବାଲା, ଆର.ଡି., ଧୋବାଘର, ରେକର୍ଡଖାତା ପାଇଁ ପଇସା ବାଣ୍ଟି ଦେଲା ପରେ ଶାଢ଼ି କିମ୍ବା ବ୍ଲାଉଜ୍ଟିଏ ପାଇଁ ଓ ଧାରେ ହସ ପାଇଁ କିଛି ବଳିଯାଏ । ପଛକୁ ଲେଉଟିବା ଦରକାର ପଡ଼େନା ନୂପୁରର ଧ୍ୱନି ତଥାପି ରହି ରହି ଶୁଭୁଥାଏ । ଶାଢ଼ିର କୁଞ୍ଚ ଓ ଆଖିକୋଣର କୁଞ୍ଚ ସଜାଡ଼ି ତରତରରେ କୁମାରୀ କସ୍ତୁରୀ ଦାସ ନ’ଟା ବେଳର ବସ୍ ଧରନ୍ତି । ଯଦିଓ ସ୍କୁଲ ଇନ୍ସପେକ୍ଟର ଜଣେ ଇତର ଲୋକ, ଯଦିଓ ‘ହଉ ଶାଗ କିଣିବା ଆଣ’ କହି ଟକାଂଟିଏ ବି ଲାଞ୍ଚ ନିଅନ୍ତି, ଯଦିଓ ଅଫିସ୍କୁ ଦଶମାସ ଦଉଡ଼ାଇବା ପରେ ବି କାମ କରନ୍ତି ନାଇଁ ତଥାପି କୁମାରୀ ଦାସଂକ ବିଶେଷ କିଛି ଅସୁବିଧା ନ ଥାଏ । ସି.ଏଲ୍. ନେଇ ଦରମା କଟିଗଲେ ନିଜର ଦୁର୍ଭାଗ୍ୟ ଭାବନ୍ତି, ବଳକା ଯାହା ଦରମା ମିଳେ ତାକୁ ଭାଗ୍ୟ ଭାବନ୍ତି । ଅଫିସ୍କୁ ବାରମ୍ବାର ଧାଇଁବାକୁ ପଡ଼ିଲ ତାକୁ ଏଡଭେଂଚର ଭାବନ୍ତି । ସ୍କୁଲ୍ ଇନ୍ସପେକ୍ଟର ଯଦି ପଚାରିବେ, ‘କଣ ହେଲା? ବଦଳି? ସମ୍ଭବ ନୁହେଁ । ବାପା ନାହାନ୍ତି? ମୁଁ କଣ କରିବି? ତୁମେ ଘର ଚଳାଉଛ? ମୁଁ କ’ଣ କରିବି?’ ତେବେ ବି କୁମାରୀ ଦାସ କିଛି ଭାବନ୍ତି ନାଇଁ । ଥରେ କେତେଗୁଡ଼ିଏ ବୈଧାନିକ ପ୍ରଶ୍ନ ପରେ ଗୋଟେ ଅବୈଧାନିକ ପ୍ରଶ୍ନ ପଚରାଗଲା । କୁମାରୀ ଦାସ ହଠାତ୍ କହିଦିଅନ୍ତି ‘ହାଓ ଡେୟାର୍ ୟୁ ବାଷ୍ଟାର୍ଡ?’ ସେଦିନ ଉପରବେଳା ଅଫିସ୍ରେ ହଇଚଇ ହୁଏ । ପରଦିନ ଖବରକାଗଜରେ ଯାହା ବାହାରେ, ତାକୁ ଗୁଜବ କୁହାଯାଏ । କିନ୍ତୁ ସ୍କୁଲ୍ ଇନ୍ସପେକ୍ଟରଙ୍କ ଫୋନ ବାରମ୍ବାର କ୍ରିଂ କ୍ରିଂ କରେ । ଏସ୍.ପି. ପଚାରନ୍ତି, ଜିଲ୍ଲାପାଳ ପଚାରନ୍ତି, କଥାଟି ସତକି? ପ୍ରିନ୍ସପାଲ୍ ପଚାରନ୍ତି, ଦିଜଣ ଓକିଲ ପଚାରନ୍ତି କଥାଟି ସତକି? ସ୍କୁଲ ଗାଁର ଦୁଇଜଣ ଗଣ୍ୟମାନ୍ୟ ବ୍ୟକ୍ତି ପଚାରନ୍ତି, ଗୋଇଂଦା ବିଭାଗର ଏସ୍.ପି. ପଚାରନ୍ତି କଥାଟି ସତ କି? ଦଳେ କଲେଜ ପିଲା ବି ପଚାରନ୍ତି ‘କଥାଟି ସତ କି ବେ?’ କୁମାରୀ ଦାସ ସଭିଂକୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଅଭିଯୋଗ କରିଥାନ୍ତି । ତେଣୁ ତାଙ୍କର ଚାକିରୀ ଖଣ୍ଡିକ ଯାଉ ଯାଉ ରହିଯାଏ । ଇନ୍ସପେକ୍ଟର କିଛିଦିନ ଛୁଟିରେ ଯାଆନ୍ତି । କୁମାରୀ ଦାସ ତାକୁ ଅଘଟଣ ଭାବି ପାଶୋରି ଦିଅନ୍ତି ଏବଂ ମୁହଁରୁ ରୁମାଲରେ ଝାଳ ପୋଛି ପୋଛି ପ୍ରତିଦିନ ବେଳବୁଡ଼କୁ ବସ୍ ଷ୍ଟପରୁ ଘରକୁ ସମାନ ରାସ୍ତାରେ ଫେରି ବିଛଣାରେ ଶବମୁଦ୍ରାରେ ପଡ଼ି ଯାଆନ୍ତି ଢେର ବେଳ ଯାଏ । ମା ପ୍ରତିଦିନ ସକାଳେ ଗୋଟେ ରୋଗିଣା କୁକୁରକୁ ଶୁଖାରୁଟି ଦିଖଣ୍ଡ ଦିଅନ୍ତି । ଅପରାହ୍ନରେ ଗୋଟେ ଛୋଟ ଗାଈକୁ ତୋରାଣି ଦିଅନ୍ତି । ଚୁଲିରେ କାଠ ପାଉଁଶ ନିଆଁ ଅଙ୍ଗାରକୁ ଫୁଙ୍କି ବିଛଣା ଧରନ୍ତି । ମଝିରେ ମଝିରେ ଇଶ୍ୱରଙ୍କ ସହ କଥାବାର୍ତା ହେଉଥାନ୍ତି । କଂକି ତା ବି.ଏସ.ସି. ପରୀକ୍ଷାରେ ପ୍ରଥମ ଦଶ ଭିତରେ ରହେ । ରୋଗିଣା ମା ତାଙ୍କ ବିଛଣାରୁ କହନ୍ତି ‘ତୋ ବାପା ଥିଲେ କେତେ ଖୁସି ହୋଇ ନ ଥାନ୍ତେ, କିଏ ଯାଅ ମନ୍ଦିରରେ ନଡ଼ିଆଟିଏ